Unknown

ଆପଣଙ୍କ ଆଜ୍ଞାଧୀନ

ଗୌରହରି ଦାସ

(ଏକ ଉପନ୍ୟାସ)

 

ମୁଖବନ୍ଧ

ଦିନେ ହୁଏତ ମଣିଷ ମୃତ୍ୟୁ ଉପରେ ସୁଦ୍ଧା ବିଜୟ ଲାଭ କରିପାରିବ, ମାତ୍ର ତୋଷାମଦ ଉପରେ ନୁହେଁ । ଏହା ଏଭଳି ଗୋଟିଏ ବ୍ୟାଧି ଯେ ଥରେ ଏହାର କବଳରେ ପଡ଼ିଲେ ସହଜରେ ସେଥିରୁ ଆଉ ନିଷ୍କୃତି ମିଳିବ ନାହିଁ । କି ଧନୀ କି ନିର୍ଧନ, କି ଶିକ୍ଷିତ କି ଅର୍ଧଶିକ୍ଷିତ ଯିଏ ଥରେ ଏ ରୋଗର କବଳରେ ପଡ଼ିଛି ସିଏ ତହିଁରେ ଘାରି ହୋଇଛି । ଅନ୍ୟ କୌଣସି ପଶୁପକ୍ଷୀ ଏହି ତୋଷାମଦ ରୋଗର ପାଲରେ ପଡ଼ନ୍ତି କି ନାହିଁ ମୁଁ ଜାଣେନାହିଁ, ମାତ୍ର ମୋର ଧାରଣା ସେମାନଙ୍କୁ ସେଭଳି ଦୁର୍ଭାଗ୍ୟ ଭୋଗିବାକୁ ପଡୁ ନଥିବ । ବିଡ଼ମ୍ବନା, ସୃଷ୍ଟିର ସବୁଠୁ ବୁଦ୍ଧିମାନ ଏବଂ ବିଚାରବନ୍ତ ବୋଲି ଦାବି କରୁଥିବା ମଣିଷ ହିଁ ତୋଷାମଦର ପଙ୍କରେ ଲଟପଟ ହୋଇଥାଏ ।

 

ଅନେକ ସମୟରେ ତୋଷାମଦ ଦ୍ୱାରା ସ୍ୱାର୍ଥାନ୍ୱେଷୀ ମଣିଷ ନିଜର କାମ ଖୁବ୍‌ ସହଜରେ ହାସଲ କରିନିଏ ଅନ୍ୟମାନେ ଯାହା ନିଜର ଶ୍ରମ, ସାଧନା ଓ ଯୋଗ୍ୟତା ଦ୍ୱାରା ହାସଲ କରି ପାରନ୍ତି ନାହିଁ ଏସବୁରୁ କିଛି ନଥାଇ ମଧ୍ୟ ଧୂର୍ତ ଲୋକ କେବଳ ତୋଷାମଦ ଅସ୍ତ୍ର ପ୍ରୟୋଗ କରି ତାହା ହାସଲ କରିପାରେ ତା’ର ତୋଷାମଦ ଉପରିସ୍ଥ ଅଧିକାରୀଙ୍କ ଆଖି ଉପରେ ଅନ୍ଧପୁଟୁଳା ବାନ୍ଧିଦିଏ ତା ଫଳରେ ସେମାନେ ନିଜର ବୁଦ୍ଧି ବିବେକ ପ୍ରୟୋଗ କରିବାକୁ ଭୁଲି ଯାଆନ୍ତି ଓ ତୋଷାମଦିଆର କଥାରେ ହିଁ ପରିଚାଳିତ ହୁଅନ୍ତି ମଣିଷ ପାଖରେ ଅନ୍ୟକୁ ବଶ କରିବାର ଭିନ୍ନ ଭିନ୍ନ ଉପାୟ ଅଛି କିଛି ଲୋକ ସେବା କରି, କିଛି ଉତ୍କୋଚ ଦେଇ ଏବଂ ଆଉ କିଛି କପଟ ଭୟ ଦେଖାଇ କାମ ହାସଲ କରାଇଥାଆନ୍ତି ମାତ୍ର ତୋଷାମଦିଆଙ୍କୁ ଏସବୁ କିଛି କରିବାକୁ ପଡ଼େ ନାହିଁ ସେ କେବଳ କପଟ ବିନୟ ଭଙ୍ଗୀରେ କିଛି ଶ୍ରୁତିମଧୁର ଶବ୍ଦ ପ୍ରୟୋଗ କରି ନିଜ ନିଜର କଠିନ କର୍ମ ସହଜରେ ହାସଲ କରିନେଇଥାଆନ୍ତି କେହି ତାଙ୍କର ପ୍ରତିବାଦ କରିବାକୁ ସାହସ କରନ୍ତି ନାହିଁ ଏହି ତୋଷାମଦ ପୁଣି କେତେ ପ୍ରକାରର ଗୋଟିଏ ପ୍ରକାରରେ ତୋଷାମଦକାରୀ ତା’ର କାର୍ଯ୍ୟ ହାସଲ କରାଇ ଚାଲିଯାଏ, ଅନ୍ୟ କାହାର କ୍ଷତି କରେ ନାହିଁ ଆଉ ଗୋଟିଏ ପ୍ରକାରରେ, ତୋଷାମଦକାରୀ ଯୋଗ୍ୟ ପ୍ରାର୍ଥୀକୁ ତା ସ୍ଥାନରୁ ଠେଲିଦେଇ ନିଜେ ଫଳଟିକୁ ହାତରେ ଧରି ଚାଲିଯାଏ ପୁଣି ଆଉ ଗୋଟିଏ ପ୍ରକାରରେ ତୋଷାମଦକାରୀ ଜଣକ ତା ସ୍ୱାର୍ଥ ପୂରଣ ରାସ୍ତାରେ ଆସୁଥିବା ପ୍ରତିବନ୍ଧକକୁ ନିଶ୍ଚିହ୍ନ କରିଦେବାକୁ ବାହାରିପଡ଼େ ଏଥିପାଇଁ ତା ମନରେ କୌଣସି ସଙ୍କୋଚ ଆସେନାହିଁ ଏଭଳି ଲୋକ ଆମ ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ

 

ତୋଷାମଦ ପରି ଦାସତ୍ୱ ମଧ୍ୟ ମଣିଷର ଆଉ ଗୋଟେ ଦୁର୍ବଳତା କିଛି କିଛି ମଣିଷ ଅଛନ୍ତି ଯେମିତି ତୋଷାମଦ ଶୁଣିବାକୁ ଭଲ ପାଆନ୍ତି, ସେମିତି କିଛି କିଛି ମଣିଷ ଅଛନ୍ତି ଯେଉଁମାନେ ଚିରକାଳ କାହାର ନା କାହାର ଦାସ ହୋଇ ରହିବାକୁ ଚାହାନ୍ତି ସେମାନେ ଦାୟିତ୍ୱ ଓ ଦାସତ୍ୱ ଭିତରର ବ୍ୟବଧାନକୁ ଜାଣିପାରନ୍ତି ନାହିଁ ମାତ୍ର ସେମାନଙ୍କର ଶ୍ରଦ୍ଧା ଓ ସମ୍ମାନକୁ ଅପରପକ୍ଷ ଯେ ଦୁର୍ବଳତା ବୋଲି ଧରି ନେଇଥାଆନ୍ତି ସେ କଥା ସେମାନେ ଚିନ୍ତା କରିପାରନ୍ତି ନାହିଁ ଏଥିପାଇଁ ଜୀବନରେ ସେମାନଙ୍କୁ ପ୍ରଚୁର ମୂଲ୍ୟ ଦେବାକୁ ହୁଏ ମାତ୍ର ତା ସତ୍ତେ୍ୱ ସେମାନେ ସେଭଳି ମାନସିକତାଠାରୁ ନିଜକୁ ଦୂରେଇ ନେଇପାରନ୍ତି ନାହିଁ ଏହିସବୁ କାରଣ ଯୋଗୁଁ ‘‘ଆପଣଙ୍କ ଆଜ୍ଞାଧୀନ’ ଉପନ୍ୟାସର ଚରିତ୍ରମାନେ ଆମମାନଙ୍କର ଖୁବ୍‌ ପରିଚିତ ମୁଁ ଏଭଳି ଏକାଧିକ ଚରିତ୍ରଙ୍କୁ ନିକଟରୁ ଦେଖିଛି, ଆପଣମାନେ ମଧ୍ୟ ଦେଖିଥିବେ ସେହି ତୋଷାମଦକାରୀ, ତୋଷାମଦକୁ ଭଲ ପାଉଥିବା ସାମନ୍ତବାଦୀ ଏବଂ ଦାୟିତ୍ୱକୁ ଦାସତ୍ୱ ବୋଳି ଭାବି ବସୁଥିବା ଲୋକମାନଙ୍କ ବ୍ୟବହାର ଦେଖି ମନ ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୋଇଛି ତାହାରି ଭିତରୁ ଏଇ ଉପନ୍ୟାସଟିର ଜନ୍ମ

 

କୁହାଯାଏ, ପ୍ରତ୍ୟେକଟି ଲେଖା ଲେଖକର ଆତ୍ମଜୀବନୀମୂଳକ ଯେଉଁ ପରିସ୍ଥିତିକୁ ଲେଖକ ନିଜେ ଅଙ୍ଗେ ନିଭାଇ ନଥାଏ, ବା ଯାହାକୁ ସେ ନିଜେ ଭୋଗି ନଥାଏ ତାହାକୁ ନେଇ ଲେଖିବା ଅସମ୍ଭବ ନହେଲେ ବି କଷ୍ଟକର ‘‘ଆପଣଙ୍କ ଆଜ୍ଞାଧୀନ’ ଉପନ୍ୟାସର ଜଳଧର ପରି ଚରିତ୍ରଟିକୁ ସାମ୍ନାସାମ୍ନି ଭେଟିବାର ସୁଯୋଗ ବା ଦୁର୍ଯ୍ୟୋଗ ମୋର ହୋଇଛି ଲୋକଟିର ଧୂର୍ତତା, ତା’ର ଠାଣି ଓ ବାଣୀ ଦେଖି ମୁଁ ବିସ୍ମିତ ହୋଇଛି ଯେଉଁଠିକୁ ଅନ୍ୟମାନଙ୍କର ପ୍ରବେଶ ନିଷିଦ୍ଧ ବା କଷ୍ଟସାଧ୍ୟ ସେଠିକୁ ସେ ଅନାୟାସରେ ପ୍ରବେଶ କରିପାରେ ଏକ ସମୟରେ ଦୁଇଟି ଭିନ୍ନ ଭିନ୍ନ ମତାଦର୍ଶର ରାଜନୈତିକ ଜନତାଙ୍କ ସହ ସମ୍ପର୍କ ରଖି ସେ ନିଜର କାର୍ଯ୍ୟଗୁଡ଼ିକୁ ସହଜରେ କରେଇ ନେଇପାରେ ନିଜେ ଜଣେ ସାଧାରଣ ସ୍ତରର ମଣିଷ ହୋଇଥିଲେ ମଧ୍ୟ ଉଚ୍ଚ ସ୍ଥାନରେ ଥିବା ବିଶିଷ୍ଟ ଲୋକମାନଙ୍କ ମନ କିଣିବାରେ ତାକୁ ବେଶି କଷ୍ଟ କରିବାକୁ ପଡ଼ିନାହିଁ ଦୀର୍ଘକାଳ ଧରି ସେ ଚରିତ୍ରଟିକୁ ଭେଟିବା ଓ ତା’ର କାରବାର ଦେଖିବା ପରେ ମୋର ଧାରଣା ହୋଇଛି, ଖଣ୍ଡିଏ ମେଘ ଯେତେବେଳେ ସୂର୍ଯ୍ୟଙ୍କ ତେଜକୁ ଢାଙ୍କି ପକଉଛି ସେଇଠି ଧୂର୍ତ ଲୋକଙ୍କ ସାମୟିକ ତୋଷାମଦ କୌଣସି ଜ୍ଞାନୀଗୁଣୀ ଲୋକଙ୍କ ବ୍ୟକ୍ତିତ୍ୱକୁ ଢାଙ୍କି ପକେଇବା ବିଚିତ୍ର ନୁହେଁ ଏଭଳି ବିପଜ୍ଜନକ ଲୋକଙ୍କ ଠାରୁ ଦୂରରେ ରହିବାକୁ ଚେଷ୍ଟା କଲେ ମଧ୍ୟ ସବୁବେଳେ ତାହା ସମ୍ଭବ ହୁଏ ନାହିଁ କାରଣ ସେହି ବିଷ-ପୁରୁଷଙ୍କ ବିଷ ଘଟଣାଚକ୍ରକୁ ପ୍ରଭାବିତ କରେ ଓ ତାହାଦ୍ୱାରା ବହୁ ଲୋକ ଅସୁବିଧାରେ ପଡ଼ନ୍ତି

 

ଏହି ଉପନ୍ୟାସଟିକୁ ଲେଖିବା ପାଇଁ ପ୍ରଥମେ ୨୦୦୧ରେ ଚେଷ୍ଟା କରିଥିଲି କଲିକତାରୁ ପ୍ରକାଶ ପାଉଥିବା ‘‘ପ୍ରତିବେଶୀ’ ପତ୍ରିକାକୁ ନୂଆ ଚେହେରା ଦେବାପାଇଁ ସେତେବେଳେ ଉଦ୍ୟମ କରୁଥାଆନ୍ତି ତାହାର ସମ୍ପାଦକ ଶ୍ରୀ ଶ୍ୟାମାପ୍ରସାଦ ଚୌଧୁରୀ ଗାଳ୍ପିକ ଶ୍ୟାମାପ୍ରସାଦ ଚୌଧୁରୀ ସବୁବେଳେ ନୂଆ ନୂଆ କଥା ଚିନ୍ତା କରନ୍ତି ସେ ଯେତେବେଳେ ‘‘ପ୍ରତିବେଶୀ’ ପତ୍ରିକାର ଦାୟିତ୍ୱ ନେଲେ ସେତେବେଳେ ଏହି ପତ୍ରିକାଟିକୁ ସଂପୂର୍ଣ୍ଣ ଗୋଟେ ନୂତନ ପରିଚୟ ଦେବାକୁ ଚେଷ୍ଟା କଲେ ମୋର ମନେ ପଡୁଛି, ତାଙ୍କ ସମ୍ପାଦନାରେ ‘‘ପ୍ରତିବେଶୀ’ ଯେଉଁ କିଛି ବର୍ଷ ପ୍ରକାଶ ପାଇଥିଲା ସେତିକିରେ ଓଡ଼ିଆ ପତ୍ରିକା ମହଲରେ ବେଶ୍‌ ଆଲୋଡ଼ନ ସୃଷ୍ଟି ହୋଇଥିଲା ତାଙ୍କରି ଅନୁରୋଧକ୍ରମେ ‘‘ଆପଣଙ୍କ ଆଜ୍ଞାଧୀନ’ ଉପନ୍ୟାସର ପ୍ରଥମ ପରିଚ୍ଛେଦଟି ଲେଖି ପଠାଇଥିଲି ଓ ସେ ପ୍ରକାଶ କରିଥିଲେ ପ୍ରଥମ ପରିଚ୍ଛେଦଟି ଲେଖିବା ପରେ ଭାବିଥିଲି ଦୁଇ ତିନି ମାସ ଭିତରେ ଉପନ୍ୟାସଟିକୁ ମୁଁ ସଂପୂର୍ଣ୍ଣ କରିପାରିବି ମାତ୍ର ତାହା ହେଲା ନାହିଁ ଲେଖା ସରିବ କ’ଣ, ଧୀରେ ଧୀରେ ଅଧା ଲେଖା ପାଣ୍ଡୁଲିପିଟି ଟେବୁଲ୍‌ ଉପରୁ ପୁରୁଣା ଖାତା ଥାକକୁ ଓ ତା’ପରେ ପୁରୁଣା କାଗଜପତ୍ର ଭିତରେ ଯାଇ ଦିନେ ଅଦୃଶ୍ୟ ହୋଇଗଲା ୨୦୦୯ ପୂଜା ପାଇଁ ‘‘ପକ୍ଷୀଘର’ର ସଂପାଦକ ବନୋଜ ତ୍ରିପାଠୀ ଉପନ୍ୟାସଟିଏ ଲେଖିଦେବାକୁ ଅନୁରୋଧ କଲେ ସେତେବେଳେ ମୁଁ ନୂଆ ଗୋଟେ ଉପନ୍ୟାସଟିଏର ନକ୍ସା ଆଙ୍କୁଥାଏ ତେବେ ତାହାର ଲେଖା ଆରମ୍ଭ କରିପାରୁ ନଥାଏ ବର୍ତମାନ ପର୍ଯ୍ୟନ୍ତ ସୁଦ୍ଧା ସେ କାମ ଆରମ୍ଭ ହୋଇପାରିନାହିଁ ସେଇଟି ଟିକିଏ ବଡ଼ ଉପନ୍ୟାସ ହେବ ବୋଲି ମୋର ଆଶା ବନୋଜଙ୍କର ଅନୁରୋଧ କ୍ରମେ ମୁଁ ‘‘ଆପଣଙ୍କ ଆଜ୍ଞାଧୀନ’ର ପୁରୁଣା ପାଣ୍ଡୁଲିପିଟି ଖୋଜିଲି କିନ୍ତୁ ତାହା ମିଳିଲା ନାହିଁ ପୂଜା ପାଖେଇ ଆସୁଥାଏ ଶେଷକୁ ଆଉଥରେ ଉପନ୍ୟାସଟି ଲେଖିବାକୁ ଚେଷ୍ଟା କଲି ଓ ‘‘ପକ୍ଷୀଘର’ ଏଇଟିକୁ ତାଙ୍କର ପ୦୦୯ ପୂଜା ବିଶେଷାଙ୍କରେ ପ୍ରକାଶ କଲେ ଏବେ ବହି ରୂପରେ ତାହା ପ୍ରକାଶ ପାଇବା ସମୟରେ ତହିଁରେ ଗୋଟିଏ ପରିଚ୍ଛେଦ ନୂଆ ଯୋଡ଼ିଛି ଏବଂ ଅନ୍ୟ କେତେକ ସ୍ଥାନରେ କିଛି କିଛି ପରିବର୍ତନ କରିଛି ତେବେ ଲେଖା ସରିବାବେଳକୁ ଲକ୍ଷ୍ୟ କଲି ଏହି ଉପନ୍ୟାସଟି ମୁଁ ୨୦୦୧ ମସିହାରେ ଆରମ୍ଭ କରିଥିବା ଉପନ୍ୟାସ ନୁହେଁ ଏହାର କାହାଣୀ ପ୍ରଥମଟି ଠାରୁ ଅଲଗା ହୋଇଯାଇଛି ତଥାପି ମୋର ବିଶ୍ୱାସ, ଏଇଟି ମୋର ପାଠକପାଠିକାଙ୍କୁ ଭଲ ଲାଗିବ

 

ଉପନ୍ୟାସଟିକୁ ପ୍ରକାଶ କରିବା ଦିଗରେ ଓଡ଼ିଶାର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ଜଗନ୍ନାଥ ରଥର ଶୁଭେନ୍ଦୁ ବାବୁଙ୍କ ଆଗ୍ରହ ଲାଗି ତାଙ୍କୁ ଧନ୍ୟବାଦ ଜଣାଉଛି ସେହିପରି ବହିଟିର ଲିପି ସଂଯୋଜନା କର୍ମରେ ସହଯୋଗ ଲାଗି ସହଯୋଗୀ ଅଂଜନା ମହାନ୍ତି ଏବଂ ସୁନ୍ଦର ପ୍ରଚ୍ଛଦ ଲାଗି ଗାଳ୍ପିକ ଓ ଚିତ୍ରଶିଳ୍ପୀ ଆଶିଷ ଗଡ଼ନାୟକଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଅଛି

 

ଗୌରହରି ଦାସ

ନୂଆବର୍ଷ, ୨୦୧୦

‘‘ଅନୁଭବ’’

୩୭୮ ବରମୁଣ୍ଡା ଗାଁ

ଭୁବନେଶ୍ୱର ୭୫୧ ୦୦୩

 

 

ଆପଣେ ପ୍ରଜାପତି ହେଲେ ଆମେ ଫୁଲ ଆପଣେ ଗଛ ହେଲେ ଆମେ ଓହଳ ଆମେ ନଈ, ଆପଣ ନଉକା ଆପଣ ଆମର ଈଶ୍ୱର, ଆମେ ଆପଣଙ୍କର କିଙ୍କର

 

ଜଳଧର ଗଳା ସଫା କଲା ମନେ ମନେ ଏଇ ଚାରିଟା ଧାଡ଼ିକୁ ମୁଖସ୍ଥ କରି ପକେଇଲା ସିଏ ସ୍ଥିର କଲା, କେହି କିଛି କହିବା ଆଗରୁ ସେ ଯାଇ ଶିବପ୍ରସାଦଙ୍କ ପାଦ ଯୋଡ଼ିକୁ ଧରି ଆଣ୍ଠେଇ ପଡ଼ିବ ଏବଂ ଏଇ ଚାରିପଦ କହିଦେବ ତେଣିକି ଯାହା ହେବାର ହେବ, ଦେଖାଯିବ

 

କିନ୍ତୁ ସେଇ କାନକୁହା ସନାତନ ଦାସଟା ଯଦି ପାଖରେ ଥିବ, ତାହାହେଲେ ସବୁ ଗଡ଼ବଡ଼ ହେଇଯିବ ସେ ବଜ୍ଜାତ୍‌ ଲୋକଟା ସବୁବେଳେ ଗୋଟେ ଛାଇ ପରି ଶିବପ୍ରସାଦଙ୍କ ପାଖେ ପାଖେ ଠିଆ ହୋଇଥିବ ସେଇଟିକୁ ପାଟପୁରରୁ ବିଦା ନକଲା ପର୍ଯ୍ୟନ୍ତ ଜଳଧରର ଦୁଶ୍ଚିନ୍ତା ଦୂର ହେବନାହିଁ

 

: ସେତିକିବେଳୁ କ’ଣ ଭାବୁଛ କି ହେ ଜଳଧର ସାଇକେଲ୍‌ରୁ ଓହ୍ଲେଇପଡ଼ି ଗୋବିନ୍ଦ ପରିଡ଼ା ପଚାରିଲା ଗୋବିନ୍ଦକୁ ଦେଖି ଜଳଧର ମୁହଁରେ ଟିକିଏ ହସ ଖେଳିଲା କହିଲା, ‘‘ମୁଁ ଏଇ ସନାତନ ଦାସ କଥା ଭାବୁଥିଲି ଏକ ନମ୍ବର ଖୋସାମତିଆ ତାକୁ ଟିକେ ଏଠୁ ହଟେଇଦେଇ ହୁଅନ୍ତା ନାହିଁ? ବଦମାସ୍‌ଟା ସବୁବେଳେ ଗରିବ ଲୋକଙ୍କ ଖାଇବା ଥାଳିରେ ଧୂଳି ପକଉଛି’’

 

: କେଉଁ ସନାତନ ଦାସ ବା! - ନଜାଣିଲା ପରି ପଚାରିଲା ଗୋବିନ୍ଦ

: ଗୋଟିଏ ତ ସନାତନ ଦାସ - ସେଇ

: ଓହୋ, ଏଇ ସନାତନ, ପାନ ପିକତକ ରାସ୍ତା କଡ଼ରେ ପକଉ ପକଉ ଗୋବିନ୍ଦ ପରିଡ଼ା କହିଲା କିନ୍ତୁ ମୁଁ ତ ଶୁଣେ ସିଏ ଭଲ ଲୋକ ଅବଶ୍ୟ ଆମେ ବିରୋଧୀ ଦଳ ଲୋକ ତୁମକୁ ଆମ କଥା ପସନ୍ଦ ହୋଇ ନପାରେ

 

: ଭଲ? ତୁମକୁ କିଏ ମିଛଟାରେ ସେମିତି କହିଥିବ ଲୋକଟା ଏତେ ସହଜ ନୁହେଁ ଗୋବିନ୍ଦ ଅନ୍ତତଃ ତୁମେ ତାକୁ ଯେତିକି ସହଜ ବୋଲି ଭାବୁଛ ସେଇ ଲୋକଟା ଉପରେ ଶିବପ୍ରସାଦ ସାମନ୍ତରାଙ୍କର ପୂର୍ଣ୍ଣ ବିଶ୍ୱାସ ତାକୁ ନପଚାରି ଇଏ କିଛି କରିବେ ନାହିଁ ସିଏ ଛେଳିକୁ କୁକୁର ବୋଲି କହିଲେ ବି ଇଏ କୁକୁର କହିବେ - ଜଳଧର କହିଲା

 

: ନା, ନା, ତୁମେ କଥାଟି ଓଲଟା କହୁଛ ସାମନ୍ତରା ଛେଳିକୁ କୁକୁର ବୋଲି ବିଶ୍ୱାସ କରିଯାଇ ପାରନ୍ତି, ମାତ୍ର ସନାତନ ଦାସ ଛେଳିକୁ କୁକୁର ବୋଲି କେବେ କହିବ ନାହିଁ ସିଏ ଛେଳିକୁ ଛେଳି ଓ କୁକୁରକୁ କୁକୁର ବୋଲି ହିଁ କହିବ - ଗୋବିନ୍ଦ ପରିଡ଼ା ଉତ୍ତର ଦେଲା

 

ଗୋବିନ୍ଦର କଥା ଜଳଧରକୁ ଭଲ ଲାଗିଲା ନାହିଁ ସିଏ ପ୍ରସଙ୍ଗ ବଦଳେଇବା ଲାଗି ପଚାରିଲା, ‘‘ଆଉ, ତୁମର ଚିଠି ଲେଖା ଧନ୍ଦା ତ ବେଶ୍‌ ଭଲ ଚାଲିଛି! ଆମ ପାଖେ ଖବର ଅଛି ଯେ!’

 

ଗୋବିନ୍ଦ ଚମକି ପଡ଼ିଲା ଜଳଧରର ପାଖକୁ ଲାଗି ଆସି ତା ହାତକୁ ଚିମୁଟିଦେଇ କହିଲା, ‘‘ଟିକେ ଧୀରେ କୁହ ଜଳଧର ସମୟଟା ଭଲ ନୁହେଁ କାଳେ କିଏ ଶୁଣିବ ତୁମେ ଜାଣିଛ ସେସବୁ ବଡ଼ ଦାୟିତ୍ୱସଂପନ୍ନ କାମ ଜଣକ ବିଷୟରେ ଭିତର ବାହାର ସବୁକିଛି ନଜାଣିଲେ ତା ବାବଦରେ ବେନାମୀ ଚିଠିଟେ ଲେଖିବା ଅସମ୍ଭବ ଏଣୁତେଣୁ ଲେଖିଲେ କଥାଟି ପାଣିଚିଆ ହେଇଯିବ ଓ ଔଷଧ ଜମାରୁ କାଟୁ କରିବ ନାହିଁ ପୁଣି ତୁମେ ତ ଜାଣିଛ, ଆଜିକାଲି ଏ ଔଷଧର ଆଗ ଭଳି କାଟ୍‌ତି ନାହିଁ’’

ଜଳଧର କହିଲା, ‘‘ସେମିତି ଗୋଟେ ଚିଠି ମୋ ପାଇଁ ଲେଖି ଦିଅନ୍ତ ନାହିଁ ଗୋବିନ୍ଦ ତମର ଯାହା ଖର୍ଚପାଣି ପଛକେ ମୁଁ ଦିଅନ୍ତି କିନ୍ତୁ ସେ ଚିଠିଟା ପଢୁପଢୁ ଯେମିତି ସାମନ୍ତରାଙ୍କ ମୁଣ୍ଡ ଘାଇଁ ଘାଇଁ ଘୂରିଯାଆନ୍ତା ତା’ପରେ ଦେଖନ୍ତ, ମୁଁ କେମିତି ସେ ଚେମଡ଼ା ବୁଢ଼ାକୁ ପାନେ ଚଖାନ୍ତି ଶନିଗ୍ରହଟା ଜୀବନରୁ ମରୁ ନାହିଁ କି ଏଠୁ ହଟୁ ନାହିଁ’’

 

ଗୋବିନ୍ଦ ପରିଡ଼ା ହସିଲା ସେ ହସଟା ଏତେ କୁଣ୍ଠିତ ଯେ ଲାଗିବ ଗୋଟେ ପଥର ମୂର୍ତି ଓଠରେ କିଏ ଜବରଦସ୍ତ ହସ ଟିକେ ଗୁଞ୍ଜି ଦେଇଛି ସିଏ ଅନୁଭବୀ ମଣିଷ ଏତେ ସହଜରେ କାହାକୁ ସମାଧାନ ବତେଇବା ତା ଜାତକରେ ନାହିଁ ହାତ ପାଆନ୍ତାରେ ସୁନା ମିଳିଲେ ଲୋକେ ତାକୁ ବେଙ୍ଗି ପିତ୍ତଳ କହନ୍ତି ମଣିଷର ସ୍ୱଭାବ ଏହିପରି ଯେଉଁ ଜିନିଷଟି ସହଜରେ ମିଳିଯିବ, ସେ ତାକୁ ସନ୍ଦେହ କରିବ ତା’ର ଭଲ ମନ୍ଦ ନେଇ ନାନା ପ୍ରଶ୍ନ ପଚାରିବ ତାହାଠୁଁ ଭଲ ଲୋକଙ୍କୁ ଘଣେଇବ ଘୂରେଇ ଘୂରେଇ ତାଙ୍କ ଝାଳ ବୁହାଇ ଦେବ ତା’ପରେ ତାଙ୍କୁ ଯାହା ଦେଲେ ବି ସିଏ ପାଇ ଖୁସି ହେବେ ଅଯଥା ପ୍ରଶ୍ନ ଆଉ ପଚାରିବେ ନାହିଁ ତୁମ ପାଉଣାତକ ବି ଚଟ୍‌କିନା ଖୋସଣିରୁ ବାହାର କରି ହାତକୁ ବଢ଼େଇଦେବେ

 

ଜଳଧର କହିଲା, କିଛି ଉତ୍ତର ଦେଲ ନାହିଁ ଯେ! କାମଟା କ’ଣ ଏତେ କଷ୍ଟ ତୁମେ ତ ଚବିଶଘଣ୍ଟା ଭିତରେ ଆମ ଫାଣ୍ଡି ସବ୍‌ଇନିସ୍‌ପେକ୍ଟରକୁ ବଦଳି କରିଦେଇଛ ଇଏ ଏମିତି କିଏ କି? ଆଉ ପାଟପୁର ହୋମିଓପାଥି ଡାକ୍ତର କେମିତି କାନ୍ଦିକାନ୍ଦି ଗଲା ସେକଥା ତ ଏ ଅଞ୍ଚଳର ସମସ୍ତେ ଜାଣନ୍ତି ମୋର ଧାରଣା ତୁମେ ଟିକିଏ ଚେଷ୍ଟା କଲେ ସେ ଲୋକଟା ହଟିଯାଆନ୍ତା ତା’ପରେ... ।

 

: କ’ଣ ତା’ପରେ? - ଗୋବିନ୍ଦ ପରିଡ଼ା ପଚାରିଲା ବରଗଛ ମୂଳର ଚା’ ଦୋକାନୀଟି ସସ୍‌ପାନ୍‌ରୁ ଚା’ ଛାଙ୍କି କେଟ୍‌ଲିରେ ରଖୁଥିଲା ଜଳଧର ଡାକିଲା, ‘‘ଆସ ଗୋବିନ୍ଦ, ଟିକେ ଟିକେ ଗରମ ଚା’ ଆଗେ ମାରିଦେବା’’

 

ସେ ଗୋବିନ୍ଦର ପ୍ରତିକ୍ରିୟାକୁ ଅପେକ୍ଷା ନ କରି ଚା’ ଦୋକାନୀକୁ ବରାଦ ଦେଲା, ‘ଓ, ବାବୁ, ଆମକୁ ଦିଇଟା ଚା’ ଦିଅ - ସ୍ପେଶାଲ ତା’ପରେ ଚାରଟି ପାନ ଭାଙ୍ଗ ଗୋପାଳ ଜର୍ଦା, ଛୋଟ ଗୁଆ, ଭିତରେ ଗୁଜୁରାତି ଆଉ ଉପରେ ଲବଙ୍ଗ ସେ କିମାମ୍‌ ଫିମାମ ଦେବ ନାହିଁ ଯେତିକି କହିଲି ସେତିକି ଦେବ

 

- ଚୂନ ଦେବି ନା ନାହିଁ? - ଯୁବକ ପାନଦୋକାନୀ ପଚାରିଲା

ଜଳଧର ବିଗିଡ଼ି ଗଲା କହିଲା, ବଡ଼ ବିଚିତ୍ରଲୋକ ତ ତୁମେ? ପାନଦୋକାନୀ ହେଇ ପଚାରୁଛ, ପାନରେ ଚୁନ ଦେବ ନା ନାହିଁ ! ବଡ଼ ବିଚିତ୍ର ଲୋକ ତ ...!

 

: କାହିଁକି ଆଜ୍ଞା ମିଛଟାରେ ରାଗୁଛନ୍ତି? ଆପଣ ତ କହିଲେ, ଯେତିକି ଯାହା କହିବେ ସେତିକି ପକେଇବି କିନ୍ତୁ ଆପଣ ଚୂନ କଥା କହିଲେ ନାହିଁ ସେଇ ଯୋଗୁଁ ମୁଁ ପଚାରିଲି

 

- ସେଇଯୋଗୁ ପଚାରିଲି ..! ଥଟ୍ଟା କଲା ପରି ଜଳଧର ପାନଦୋକାନୀର କଥାକୁ ଦୋହରେଇଲା ତା’ପରେ କହିଲା, ‘‘ତୁ ସେଇ ସନାତନ ଦାସ ଭଳିଆ କଥା କହୁଛୁ? ହଇରେ, କୋଉ ପାନଖିଆଳି ବିନା ଚୂନରେ ପାନ ଖାଏ, ଆଁ?’’

 

- ଆଜ୍ଞା, ଅନେକଲୋକ ବିଡ଼ିଆ ପାନ -

- ଚୁପ୍‌ ମୋ ସାଙ୍ଗରେ ଫଟେଇ ହେଉଛି! ବିଡ଼ିଆପାନ ଖାଇବା ଲୋକ ଗୁଡ଼ାକ ମାଇପେ ନହେଲେ ମାଇଚିଆ ପିଠିପଟେ ଚୂନ ଦେଇ ପାନ ଭାଙ୍ଗ୍‌’’ ତା’ପରେ ମନକୁ ମନ ସାମନ୍ତରାଙ୍କ ପାଇଁ ବାକ୍ୟଟେ ଯୋଡ଼ିଲା - ଆପଣ ପାନ ହେଲେ, ଆମେ ଚୂନ!

ଦୋକାନୀ ଦୁଇଟି ଗିଲାସ ଧୋଇ ସେଥିରେ ଚା’ ଢାଳିଲା ଓ ଦି’ ଜଣଙ୍କ ହାତକୁ ବଢ଼େଇଦେଲା ତା’ପରେ ଗାମୁଛାରେ ଓଦା ହାତକୁ ପୋଛି ପାନ ଚାରିଖଣ୍ଡ ଭାଙ୍ଗି ବସିଲା ତା’ ମୁହଁରୁ ହସ ଲିଭି ଯାଇଥିଲା

 

ଜଳଧର ପଚାରିଲା, ‘‘କ’ଣ କିଛି ଭାବିଲ ଗୋବିନ୍ଦ? ମୋ ସମସ୍ୟାଟି ସେତିକି ଗୁରୁତର ହୋଇ ନଥିଲେ ମୁଁ ତମକୁ କହନ୍ତି ନାହିଁ’’

 

ଗୋବିନ୍ଦ କହିଲା, ‘‘ଗୁରୁତର ବୋଲି କାହିଁକି ଭାବିବି? ତୁମେ ତ ଆଗରୁ କିଛି କହିନାହଁ ବାଟରେ ଦେଖା ହେଇଗଲା ବୋଲି କହୁଛ ହଉ ହେଲା, ତୁମେ ସନାତନ ଦାସ ସମ୍ପର୍କରେ ମଂଜିକଥାଗୁଡ଼ାକ ସଂଗ୍ରହ କର ସେଗୁଡ଼ା ଯୋଗାଡ଼ ହୋଇଗଲେ ମୋତେ କହିଦେବ ତା’ପରେ ଦେଖିବ, ମୁଁ କିମିତିକା ଚିଠି ଲେଖୁଛି

 

ଜଳଧର ଚା’ ଗିଲାସରେ ଆଉ ସୁଡୁକାଏ ଦେଲା ବାଁ ହାତରେ ଗିଲାସଟି ଧରି ଡାହାଣ ହାତରେ ଫତେଇ ପକେଟ୍‌ରୁ ପାଞ୍ଚଟଙ୍କିଆଟିଏ ବାହାର କରି ଦୋକାନୀକୁ ବଢ଼ାଇଲା ଗୋବିନ୍ଦକୁ କହିଲା, ‘‘ଯୋଗାଡ଼ କରିବି କ’ଣ, ସବୁଗୁଡ଼ା ପରା ମୁହେଁ ମୁହେଁ ତମେ କାଗଜ କଲମ ଧରିଲେ ମୁଁ ଡାକିଲି’’

 

: ହେ, ହେ ସେ କାମ ଏତେ ସହଜ ନୁହେଁ ଆମକୁ ଏମିତି କିଛି ଲେଖିବାକୁ ପଡ଼ିବ ଯାହାଦ୍ୱାରା ଯାହା ପାଖକୁ ଚିଠିଟା ଲେଖୁଛ ସିଏ ଆମ କଥାକୁ ବିଶ୍ୱାସ କରିବ ସିଏ ବିଶ୍ୱାସ ନକଲେ ଆମ ଚିଠି କାମ ଦେବନାହିଁ ତା’ପରେ ଧୀରେ ଧୀରେ କଥାଗୁଡ଼ାକୁ ଲେଖିବାଲାଗି ପଡ଼ିବ ଦେଖ, ଦି’ ପ୍ରକାର ଚିଠି ଅଛି ଗୋଟାଏ ଶତ୍ରୁହୋଇ ଲେଖାଯାଏ, ଆରଟି ମିତ୍ର ହୋଇ ମାତ୍ର ଦିଇଟା ଯାକ ଚିଠି ଲେଖିବା କଷ୍ଟ ଶତ୍ରୁ ଭାବି ଯୋଉ ଚିଠି ଲେଖିଥିବ ସେଥିରେ କିଛି ଆଇଁଷିଣିଆ କଥା ଥିବ ଯେମିତି ତାକୁ ପଢୁ ପଢୁ ଲୋକଟା ରାଗିଯିବ କିନ୍ତୁ ବିଚରା ବିଷ ନଥିବା ଢମଣା ଭଳି ହେବ, କିଛି କରି ପାରିବ ନାହିଁ କାହିଁକି ନା ସେଥିରେ ଲେଖିବାବାଲାର ଠିକଣା ନଥିବ କିନ୍ତୁ ମିତ୍ର ହୋଇ ଯେଉଁ ଚିଠି ଲେଖିବ, ତାହାର ଭାଷା ଅଲଗା ତାକୁ ପଢୁ ପଢୁ ଲୋକଟା ଭାବିବ, ଇଏ ଚିଠି ଲେଖାଳୀ ତା’ର ପରମ ହିତୈଷୀ ସେଥିପାଇଁ ଭାବିଚିନ୍ତି ବିଷୟଗୁଡ଼ାକ ଲେଖିବା ଦରକାର

 

: ହଁ, ହଁ ତାହା ନୁହେଁ ଆଉ କ’ଣ? - ଜଳଧର କହିଲା

: ଆଚ୍ଛା ଜଳଧର ତମ ପାଖରେ ଟଙ୍କା ପଚାଶଟା ହେବ କି? - ଗୋବିନ୍ଦ ପଚାରିଲା

ଜଳଧର ଗୋଟେ ଟାଙ୍ଗରା ଭୂଇଁ ବର୍ଷସାରା ବର୍ଷା ବର୍ଷିଲେ ବି ସେଠୁ ଠୋପେ ପାଣି ମିଳିବ ନାହିଁ ଆଉ କିଏ ହୋଇଥିଲେ ଟଙ୍କା କଥା ଶୁଣୁ ଶୁଣୁ ଜଳଧର ମୁହେଁ ମୁହେଁ ମନା କରିଦେଇଥାଆନ୍ତା କିନ୍ତୁ ଗୋବିନ୍ଦକୁ ମନା କରି ପାରିଲା ନାହିଁ ଖାଲି ପଚାରିଲା, ‘‘କ’ଣ ଖୁବ୍‌ ବେଶି ଦରକାର ଥିଲା?’’

 

: ନା, ବେଶି କ’ଣ? ତୁମରି ସାହାଯ୍ୟରେ ଆସିଥାଆନ୍ତା କାଲି ଗୋଟେ ଖବର ପାଇଲି ଯେ ଆମର ଏମ୍‌ଏଲ୍‌ଏ ବୃନ୍ଦାବନ ମହାନ୍ତିଙ୍କ ନାମରେ ଗୋଟେ ଫୌଜଦାରୀ କେସ୍‌ ଭଦ୍ରକ କଚେରିରେ ଚାଲିଛି କିନ୍ତୁ ବୃନ୍ଦାବନ ତାଙ୍କ ଆଫିଡେଭିଟ୍‌ରେ ସେକଥା ଜଣେଇ ନଥିଲେ ସୂଚନା ଅଧିକାର ବଳରେ ସେତକ କଥା ଜଣେ ଆଣି ମୋତେ ଦେବ ବୋଲି କହିଛି ମୁଁ ତରବରରେ ପଇସା ନ ଆଣି ଘରୁ ଚାଲିଆସିଲି ତ!

 

: କିହୋ, ତୁମେ ପରା ସେଇ ପାର୍ଟିର ଲୋକ

: ସେଇ ପାର୍ଟି ଯେ ଆମ ନେତା ଦଶରଥବାବୁ ଆମେ ହେଲୁ ବିଦ୍ରୋହୀ

ଜଳଧର ଜାଣିଲା, ଇଏ ଗୋଟେ ଶକତ ଗଣ୍ଠି ଜୀବନରେ କାହାରିକୁ କେବେ ଦି’ ପଇସାର ସାହାଯ୍ୟ କରି ନଥିବା ଲୋକ କୁଆଡ଼େ ସାମନ୍ତରାଙ୍କ ପାଇଁ ଏସବୁ କାମ କରିବ ଯେତିକିର ଲୋକ ନୁହଁ ତାଠାରୁ ଦି’ଗୁଣା ଉପରର କଥା କହୁଛି ସୂଚନା ଅଧିକାର ଜିନିଷଟା ଲେମ୍ବୁ କି କମଳା କହିପାରିବ ନାହିଁ, ଅଥଚ ଗାଲୁଆଙ୍କ ପରି କେମିତି ନାନା କଥା କହିଯାଉଛି କିନ୍ତୁ ଲୋକଟା ନକୁଳ ନାୟକର ଚେଲା ଦି’ ଧାରିଆ ଛୁରି ହାତରେ ଥିଲେ କେତେବେଳେ କାମରେ ଆସିବ ସେ ମୁହଁ ଉପରେ ସରୁ ହସ ଧାରେ ଫୁଟେଇ କହିଲା, ‘‘ଏଇ କଥା, ଚାଲ, ଚାଲ ମୁଁ ସାମନ୍ତରାଙ୍କଠାରୁ ଦିଆଇଦେବି ଇଏ ତ ତାଙ୍କ କାମ

 

ଗୋବିନ୍ଦ ପରିଡ଼ା ମଧ୍ୟ ବୁଝିଗଲା, ଇଏ ପଣସ ଅଠାଠୁଁ ଆଉରି ଅଠା ଏହା ଠାରୁ ପଚାଶଟି ଟଙ୍କା ଝଡ଼େଇବା ସହଜ କାମ ନୁହେଁ ସେ କହିଲା, ‘‘ମୁଁ ଟିକେ ନୂଆଗାଁ ହେଇ ସାମନ୍ତରାଙ୍କ ପାଖକୁ ଆସିଥାଆନ୍ତି ତମେ ଯଦି କହୁଛ, ଚାଲ’’

 

ଜଳଧର ପାନଖିଲେ କଳରେ ଜାକି କାନରେ ଆଙ୍ଗୁଳି ଛୁଆଁଇଲା ଓ ଆର ପୁଡ଼ିଆଟି ଗୋବିନ୍ଦ ହାତକୁ ବଢ଼େଇ ଦେଲା ଗୋବିନ୍ଦ ପାନ ନେଉ ନେଉ କହିଲା, ‘‘ତୁମରି କଥା ମୁଁ ସେତିକିବେଳୁ ଭାବୁଛି ବଡ଼ କଷ୍ଟ ଭିତରେ ତୁମର ଦିନତକ ବିତୁଥିବ ମାତ୍ର ଚିନ୍ତା କର ନାହିଁ ସବୁ ରୋଗର ଔଷଧ ଅଛି କେତେ କେତେ ଲୋକଙ୍କୁ ମୁଁ ବାଟକୁ ଆଣିଛି, ଇଏ ଏମିତି କ’ଣ କି?’’

 

ଜଳଧର ନିଜକୁ ଆଉ ରୋକି ପାରିଲା ନାହିଁ ପକେଟ୍‌ରୁ ପଚାଶ ଟଙ୍କିଆ ନୋଟ୍‌ ଖଣ୍ଡେ ବାହାର କରି ଗୋବିନ୍ଦ ହାତକୁ ବଢ଼େଇଦେଲା କହିଲା, ‘‘ସଂଜବେଳକୁ ମୁଁ ସବୁ କଥା ବତେଇଦେବି ତୁମେ ବେନାମି ଚିଠି ଲେଖ କି ଆଉ କ’ଣ କର, ମୋତେ ଉପାୟ ବତାଅ ନହେଲେ ମୁଁ ଏ ଗାଁରେ ରହିପାରିବି ନାହିଁ ସାମନ୍ତରା ସିନା ନିର୍ବାଚନ କାମରେ ବ୍ୟସ୍ତ ଥାଇ ମହାଜନ କାରବାର କଥା ଭୁଲି ଯାଇଥିଲେ ଏଇନେ ସେ କାମ ସରିଲା ମୋତେ କରଜ ଶୁଝିବା ଲାଗି ପୁଣି ତାଗିଦା କରିବେ ସିଏ ବା କରନ୍ତେ ନ କରନ୍ତେ, ମାତ୍ର ଏଇ ଚେମିଡିଆ ବୁଢ଼ାଟା ତାଙ୍କ କାନେ କାନେ ତ କହିବ...’’

 

ପଚାଶ ଟଙ୍କିଆ ନୋଟ୍‌ଟାକୁ ଚଉଭାଙ୍ଗ କରି ପକେଟ୍‌ରେ ରଖୁରଖୁ ଗୋବିନ୍ଦ କହିଲା, ‘‘ସେ କଥା ମୋ ଉପରେ ଛାଡ଼ିଦିଅ ମୁଁ ତାହାର କିଛି ଗୋଟେ ବାଟ ନିଶ୍ଚୟ ବାହାର କରିବି’’

 

ଜଳଧର ସ୍ୱର ଧୀର କରି କହିଲା, ‘‘ଏଇଟା ସୁବିଧା ସମୟ ସାମନ୍ତରାଙ୍କ ଦେହ ଅସୁଖ ଏଣେ ତାଙ୍କ ବାପାଙ୍କ ଶ୍ରାଦ୍ଧରେ ବ୍ରାହ୍ମଣ ଖୁଆଇବା ଲାଗି ସନାତନ ଦାସ ପୁରୀ ଯାଇଛି ଆସୁ ଆସୁ ଦିନେ ଦି’ ଦିନ ଲାଗିବ’’

 

ଗୋବିନ୍ଦ ମନେ ମନେ ହସିଲା ଭାବିଲା, ଘଣେଇବାକୁ ପଡ଼ିବ ଏ ଲୋକଟିକୁ ପଚାଶ ଟଙ୍କା ଦେଇ ପାଞ୍ଚଲକ୍ଷର କାମ କରେଇ ନେବାକୁ ଚାହୁଁଛି ଇଏ ଗୋଟେ ଛାରପୋକ ସାମନ୍ତରାଙ୍କୁ ଶୋଷି ଶୋଷି ଶୁଖେଇ ସାରିଲାଣି ତାଙ୍କ ପାଖରେ ଏହାର ଚିତ୍ରଗୁପ୍ତ ପାଞ୍ଜି ରହିଛି ତେବେ ଉପରକୁ ପ୍ରତିକ୍ରିୟା ନଦେଖେଇ ଉତ୍ତର ଦେଲା, ‘‘ତୁମେ ଆଦୌ ବ୍ୟସ୍ତ ହୁଅନାହିଁ ଏସବୁ କାମ ଏମିତି ହରବରରେ ହୁଏ ନାହିଁ ସବୁର ଗୋଟେ ଠିକଣା ସମୟ ଅଛି ତା ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ହେଉ, ମୁଁ ଯାଏ, ସେ ଲୋକଟା ମୋତେ ଅପେକ୍ଷା କରିଥିବ ସଂଜବୁଡ଼େ ପୁଣି ହାଟ ଉପରେ ଦେଖାହେବ’’

 

ଜଳଧର ମୁଣ୍ଡ ଟୁଙ୍ଗାରିଲା

ଶ୍ରୀମନ୍ଦିର ଭିତରୁ ତରତର ପାଦରେ ଆସୁଥିଲେ ସନାତନ ସବୁଥର ପରି ଏଥର ବି ବଡ଼ସାଆନ୍ତଙ୍କ ଶ୍ରାଦ୍ଧ ଆଗରୁ ବ୍ରାହ୍ମଣ ଭୋଜନ ଦେବାଲାଗି ଶିବପ୍ରସାଦ ପୁରୀ ଆସିଥାଆନ୍ତେ ମାତ୍ର ସପ୍ତାହକ ଆଗରୁ ତାଙ୍କର ହାର୍ଟଆଟାକ୍‌ ହୋଇଗଲା ସିଏ ଆଉ ଆସନ୍ତେ କିପରି? ଘରେ ବିଶ୍ରାମ ନେଲେ ସନାତନଙ୍କର ବି ସାମନ୍ତରାଙ୍କୁ ଛାଡ଼ି ଆସିବାଲାଗି ମନ ହେଉ ନଥିଲା ମାତ୍ର ସାଆନ୍ତାଣୀ କହିଲେ, ‘‘ସବୁବର୍ଷ ବ୍ରାହ୍ମଣ ଭୋଜନ ଦିଆଯାଉଛି, ଏଥର ବନ୍ଦ ହେବ କାହିଁକି? ସନାତନ ଯାଇ ବରଂ କାମଟି ତୁଟେଇ ଆସନ୍ତୁ’’

 

- ଓହୋ, ଦେଉଛି, ଦେଉଛି ଏମିତି କଟାଳ କରୁଛ କାହିଁକି? ପଛେ ପଛେ ଆସୁଥିବା ପଣ୍ଡା ଜଣକୁ ସନାତନ କହିଲେ

: ଏ ନନାଗୁଡ଼ିକ ମାଙ୍କଡ଼ଙ୍କଠାରୁ ବେଶି ଅଦଉତି କରୁଛନ୍ତି ପଣ୍ଡାମାନଙ୍କ କପଟ ଶ୍ରଦ୍ଧାରେ ବିଚଳିତ ପ୍ରାଣକୃଷ୍ଣ ମନ୍ତବ୍ୟ ଦେଲା

 

ସନାତନ କହିଲେ, ‘‘ଶ୍ରୀମନ୍ଦିର ସେବକଙ୍କୁ ସେମିତି କହନ୍ତି ନାହିଁ ବାବୁ ସେମାନେ ଖୁବ୍‌ ପୁଣ୍ୟବାନ’’

ତାଙ୍କ ପଛେ ପଛେ ପ୍ରାଣକୃଷ୍ଣ ଆସୁଥିଲା ସିଏ ସାମନ୍ତରାଙ୍କ ରୋଷେଇଆ ଆନନ୍ଦବଜାରର ଡାଲି ଚାଖିବାଲାଗି ତା’ର ସଦାବେଳେ ମନ ସନାତନ ଏକାକୀ ଆସୁଥିବାରୁ ଏଥର ତାଙ୍କ ସାଙ୍ଗରେ ଆସିଥିଲା ପ୍ରାଣକୃଷ୍ଣ ।

 

ବ୍ରାହ୍ମଣ ଭୋଜନ ଭଲରେ ଭଲରେ ସରିଗଲା । ଏବେ ସେମାନେ ସ୍ୱର୍ଗଦ୍ୱାର ପାଖ ଭାରତ ସେବାଶ୍ରମ ସଂଘକୁ ଯିବେ । ସଂଘର ସାଧୁମାନେ ଭାରି ଭଲ ଲୋକ । ତାଙ୍କର ଦେଶସାରା ଆଶ୍ରମ ରହିଛି । ଗୟା, ଆଲାହାବାଦ, ବାରାଣାସୀ କି କଲିକତା ଯୁଆଡ଼େ ଗଲେ ସେମାନଙ୍କ ଆଶ୍ରମ । ଶ୍ରାଦ୍ଧ ଦେବାଲାଣି କି ଅସ୍ଥି ବିସର୍ଜନ ପାଇଁ ଗଲେ ସେମାନେ ଖୁବ୍‌ ସାହାଯ୍ୟ କରନ୍ତି । ଭାରତ ସେବାଶ୍ରମ ସଂଘ କଥା କହିଲେ ସେଠିକା ଲୋକେ ଠକନ୍ତି ନାହିଁ ।

 

ଏବେ ପରା ଭାରତ ସେବାଶ୍ରମ ସଂଘ ନାଆଁରେ ବି ନକଲି ସଂଘ ସବୁ ଗଢ଼ି ଉଠିଲେଣି । ବେଶି ତ ଗୟାରେ? ନୁହେଁ ଆଜ୍ଞା? - ପ୍ରାଣକୃଷ୍ଣ ପଚାରୁଥିଲା ।

 

: ହଁ, ହଁ । ତେବେ ଏଠୁ ଖଣ୍ଡେ ଚିଠିନେଇ ଗଲେ କି ଆଗରୁ ଫୋନ୍‌ କରେଇ ଦେଇଥିଲେ ଅସୁବିଧା ହୁଏ ନାହିଁ । - ସନାତନ ଉତ୍ତର ଦେଲେ ।

 

ପୁରୀର ଭାରତ ସେବାଶ୍ରମ ସଂଘ ଜାଗାଟି ସନାତନଙ୍କୁ ଭଲ ଲାଗେ । ସେଇଠି ଛାତ ଉପରେ ଶିବ ମନ୍ଦିର ଅଗଣାରେ ଘଡ଼ିଏ ବସିଗଲେ ମନ ହାଲୁକା ହେଇଯାଏ । ଆଖି ସାମ୍ନାରେ ସମୁଦ୍ର, ମଥା ଉପରେ ଆକାଶ । ଭଜନ ଜଣାଣ କାନରେ ବାଜୁଥିବ । ଜୀବନରେ ଆଉ କ’ଣ ଦରକାର? ସବୁଦିନେ ସେଇ ଧାର-କରଜ ଓ ସୁଧମୂଳ ହିସାବ କଥା ଶୁଣି ଶୁଣି ତାଙ୍କୁ ବିରକ୍ତ ଲାଗି ଆସିଲାଣି । ତା ସାଙ୍ଗକୁ ପ୍ରତିଦିନ ମିଛୁଆ ଆଉ ଠକଙ୍କ ସାଙ୍ଗେ କାରବାର ।

 

ପ୍ରାଣକୃଷ୍ଣ କହିଲା, ‘‘ବାବୁ ଆସିଥିଲେ ପୁରୀ ହୋଟେଲ୍‌ ଯାଇଥାଆନ୍ତେ । ଚାଲୁନାହାନ୍ତି, ସେଇଠି ରାତିଟା ରହି ସକାଳକୁ ପଳେଇବା ।’’

 

ସନାତନ ବାଟ ଚାଲିବା ବନ୍ଦ କରି ରାସ୍ତା ଉପରେ ଟିକେ ଠିଆ ହୋଇଗଲେ । ଗୋ-ହତ୍ୟା ପାପ କଲାପରି ପ୍ରାଣକୃଷ୍ଣକୁ ଟାଣ ଆଖିରେ ଚାହିଁଲେ । ‘‘ରାମ୍‌ ରାମ୍‌, ତୁ କାହାକୁ କାହା ସାଂଗେ ତୁଳନା କରୁଛୁ? ସିଏ ମାଲିକ ଲୋକ । ସିଏ କେଉଁଠି, ଆମେ କେଉଁଠି? ପୁଣି ଦିନକ ପାଇଁ ଟଙ୍କା ପାଁଶହ, ଛଅଶହ ଖର୍ଚ କରିଦେବା କୋଉ ଗୋଟେ ଭଲ କଥା?’’

 

ସନାତନ ଯେ ତାକୁ କୌଣସି ହୋଟେଲ୍‌ରେ ରଖେଇବେ ସେ ପ୍ରକାର ଆଶା ଅବଶ୍ୟ ପ୍ରାଣକୃଷ୍ଣର ନଥିଲା । ଖାଲି ତାଙ୍କୁ ଟିକିଏ ଚିଡ଼େଇବା ଲାଗି ସେ ଏପ୍ରକାର ଏକ ପ୍ରସ୍ତାବ ଦେଇଥିଲା । ଗୋଟାଏ ଯୁଗ ହେଇଗଲାଣି ସନାତନ ପାଟପୁରରେ ରହିବା । ଗଲା ଚଉଦ ପନ୍ଦର ବର୍ଷ ହେଲା ତ ସେ ନିଜେ ଦେଖିଆସୁଛି । ସେଦିନ ଯେମିତି ଥିଲେ ଆଜି ବି ସେମିତି । ଏହା ଭିତରେ କେତେ କେତେ ଲୋକ ଆସି ଗଲେଣି । ସାମନ୍ତରାଙ୍କ ଛୋଟମୋଟ ବୋଲହାକ କରି କିଛି ଲୋକ ସହରରେ କୋଠା ବାଡ଼େଇଲେଣି । ଜଳଧର ମହାନ୍ତି ତ ଦିଇଟା ଟ୍ରକ୍‌ ଚଳେଇଲାଣି ସାମନ୍ତରାଙ୍କ ପଇସାରେ । ତଥାପି ତା’ର ଶୋଷ ମେଣ୍ଟୁ ନାହିଁ । ହପ୍ତାହେ ପନ୍ଦର ଦିନରେ ଥରେ ଲେଖା ଆସି ସାଆନ୍ତଙ୍କ କାନ ପାଖେ ଏଣୁତେଣୁ କହି ପୁଳାଏ ପୁଳାଏ ଟଙ୍କା ନେଇ ପଳଉଛି । ତା’ଛଡ଼ା ରାଜନୀତି ନାଁରେ କିଏ କେତେ କ’ଣ ନେଇ ପଳେଇଲେଣି ସେକଥା ସାମନ୍ତରା ଜାଣନ୍ତି, ନହେଲେ ଜାଣନ୍ତି ଏଇ ସନାତନ ଦାସ । ମାତ୍ର ସନାତନଙ୍କର କିଛି ପରିବର୍ତନ ହୋଇନାହିଁ ।

 

ସନାତନ ଆଉଥରେ ନୀଳଚକ୍ରକୁ ଚାହିଁଲେ । ମନେ ମନେ କହିଲେ, ‘‘ସାମନ୍ତରାଙ୍କୁ ଭଲ କରିଦିଅ ପ୍ରଭୋ । ଭଦ୍ରଲୋକ ଏ କାଳ ନିୟମ ମାନି ଚଳି ପାରୁନାହାନ୍ତି । ନହେଲେ ସବୁବେଳେ କ’ଣ ତାଙ୍କର ହାରପଟ ହେଉଥାଆନ୍ତା!’’ କଥା ଦି’ପଦ କହୁ କହୁ ତାଙ୍କ ଆଖି ଲୁହରେ ଜକେଇ ଆସିଲା ।

 

ପାଖାପାଖି ତିରିଶ ବର୍ଷ ହେଲାଣି ସାମନ୍ତରାଙ୍କ ପାଖେ ସିଏ ଗୁମାସ୍ତାଗିରି କରିବା । ଊଣେଇଶ ଅଣସ୍ତରିରେ ଭାରତରୁ ଜମିଦାରୀ ଉଠିଗଲା । ଶୁଣିଛନ୍ତି, ସେଇବର୍ଷ ଶିବପ୍ରସାଦଙ୍କ ବାପା ଉପନିର୍ବାଚନରେ ଛିଡ଼ା ହେଇ ହାରିଲେ । ତା’ପରେ ଅବଶ୍ୟ ଢେର୍‌କାଳ ତାଙ୍କ ପରିବାରରୁ କେହି ଠିଆ ହୋଇ ନଥିଲେ । ମାତ୍ର ରାଜନୀତିଠାରୁ ଅଲଗା ରହି ନଥିଲେ ସେମାନେ । ଅଶୀ ମସିହାରେ ଥରେ ଛିଡ଼ା ହୋଇ ଶିବପ୍ରସାଦ ନିଜେ ହାରିଥିଲେ । ତେବେ ଏଥର ସମସ୍ତେ କହୁଥିଲେ, ସାମନ୍ତରାଏ ଜିଣିବେ । ପାଟପୁର ଅଞ୍ଚଳ ପାଇଁ ଅନେକ କାମ କରିଛନ୍ତି । ସ୍କୁଲ୍‌ଟେ ବସେଇଛନ୍ତି, ମନ୍ଦିର ପାଇଁ ଜମିବାଡ଼ି ଖଞ୍ଜି ଦେଇଛନ୍ତି । ସବୁ ପ୍ରକାର ଲୋକଙ୍କୁ ଆପଦ ବିପଦରେ ହାତଖୋଲି ସାହାଯ୍ୟ ବି କରିଛନ୍ତି ସେ । ଅଥଚ ସାମନ୍ତରାୟ ହାରିଗଲେ । ବାରହଜାର ଭୋଟ୍‌ରେ ସେ ହାରିଗଲେ ବୃନ୍ଦାବନ ମହାନ୍ତିଙ୍କ ପାଖରୁ । ଏପ୍ରକାର ଅପମାନ ସେ କେମିତି ବା ସହଜରେ ବରଦାସ୍ତ କରିପାରିଥାଆନ୍ତେ! ସେଇ ଦୁଃଖରେ ହିଁ ହାର୍ଟଆଟାକ୍‌ ହେଇଗଲା!

 

ପ୍ରାଣକୃଷ୍ଣ ଗୋଟେ ଅଟୋରିକ୍ସାକୁ ଅଟକେଇଲା । ସନାତନ ନିଜ ଭାବନାରୁ ଫେରିଆସି କହିଲେ, ‘‘କିରେ, କେତେ ବାଟ! ଆମେ ଚାଲି ଚାଲି ଯାଇ ପାରି ନଥାନ୍ତେ! ପାଟପୁରରେ ତ ଛଅମାଇଲ୍‌ ବାଟ ଧପାଲି ଯାଉ, ଶ୍ରୀକ୍ଷେତ୍ରରେ ଟେମ୍ପୁ ଦରକାର ପଡ଼ିଲା ।’’

 

ପ୍ରାଣକୃଷ୍ଣ କହିଲା, ‘‘ସମୁଦ୍ର ପାଖରେ ଯାଇ ଅଧିକ ଘଡ଼ିଏ ବସିଲେ ବରଂ ଆପଣଙ୍କ ମନଟା ଉଶ୍ୱାସ ଲାଗିବ । ପୁଣି ରାତି ଅନିଦ୍ରା ଯୋଗୁଁ ମୋ ଗୋଡ଼ ଆଉ ଉଠୁନାହିଁ ।’’

 

: କଥାରେ ତୋତେ ପାରିହେବ ନାହିଁ! ହଉ ହଉ ଚାଲ ।

ଅଟୋରିକ୍ସା ଆଗକୁ ଗଡ଼ିଲା । ସନାତନ ମନେ ମନେ ହିସାବ କଲେ, ‘‘ମନ୍ଦିରରେ ସାତଶହ ଚାଳିଶ ଟଙ୍କା ଖର୍ଚ ହେଲା । ଆଉ ଷାଠିଏ ଟଙ୍କା ଗଲା କୁଆଡ଼େ?’’

 

ପ୍ରାଣକୃଷ୍ଣ ବଡ଼ ବଡ଼ ଆଖି କରି ବଡ଼ଦାଣ୍ଡ ଦି’ କଡ଼ର ଦୋକାନ ବଜାରକୁ ଚାହୁଁଥିଲା । ନଅ ବର୍ଷ ତଳେ ସେ ପୁରୀ ଆସିଥିଲା । ୟା ମଝିରେ ଆଉ ଆସି ନାହିଁ । ଏଥର ଯେ ସେ ପୁରୀ ଆସିବ ସେ ଆଶା ମନରେ ନଥିଲା । ସବୁ ଯୋଗଭୋଗ କଥା । କାଳିଆର ଦଉଡ଼ି ନଲାଗିଲେ କ’ଣ କିଏ ପୁରୀ ଆସିପାରିବ?

 

ଗୋଟେ କ୍ୟାବିନ ସାମ୍ନାରେ ପାଲଟିଏ ବିଛେଇ ଲୋକଟିଏ କଦଳୀପତ୍ର ବିକୁଥିଲା । ପ୍ରାଣକୃଷ୍ଣ ପଚାରି ବୁଝିଲା, ଟଙ୍କାକୁ ସାନ ସାନ ପତର ଦୁଇଖଣ୍ଡ । ଏ ଦର ଶୁଣି ସେ ମନ୍ତବ୍ୟ ଦେଲା, ‘‘ମୁଁ ଏଠି ଆସି ଏଇ ଧନ୍ଦା କଲେ, ବର୍ଷ ଦିଇଟାରେ କୋଠା ପିଟି ଦିଅନ୍ତି ଆଜ୍ଞା ।’’

 

ଅଟୋ ଡ୍ରାଇଭର କହିଲା, ‘‘ବାତ୍ୟା ଦିନୁ ପରା କଦଳୀପତ୍ର ମିଳୁନାହିଁ । ଗଛ ତ ସବୁ ଉପୁଡ଼ିଗଲା, ଆସିବ କୁଆଡୁ?’’

ସନାତନ ନ ହସି ରହିପାରିଲେ ନାହିଁ । ହିସାବରୁ ମନ ଫେରେଇ ଆଣି କହିଲେ, ‘‘ବାତ୍ୟା ଗଲାଣି ଦଶବର୍ଷ ହେଲା । ଆଜିଯାଏ ସେଇ କଥା କହୁଛ! କିରେ, କଦଳୀ ଗଛ ବଡ଼ ହେବାକୁ ଚାରିବର୍ଷ ନା ଆଠବର୍ଷ ନିଏ? ଅସଲ କଥା ହେଲା, ଆଜିକାଲି ଚାଷବାସରେ କାହାର ମନ ନାହିଁ । ସମସ୍ତେ ତ ଦି’ଟଙ୍କିଆ ଚାଉଳ ମାୟାରେ ବାଇଆ । ଖଣ୍ଡେ ବିପିଏଲ୍‌ କାର୍ଡ଼ ଥିଲେ ସଂସାର ଚାଲିଲା । ଚାଷବାସ ଆଉ କ’ଣ ଦର୍କାର?’’

 

ଅଟୋ ଡ୍ରାଇଭର ଉତ୍ତର ଫେରେଇଲା ନାହିଁ ।

ପ୍ରାଣକୃଷ୍ଣ କହିଲା, ‘ଏ ଦି’ଟଙ୍କିଆ ଚାଉଳ ରାଜ୍ୟଟାକୁ ଉଚ୍ଛନ୍ନ କରିଦେବ । ଭିକାରି କରିଦେବ ସମସ୍ତଙ୍କୁ । ଲୋକଙ୍କୁ ଲାଞ୍ଚୁଆ କରେଇବାର ଇଏ ଗୋଟେ ବଢ଼ିଆ ଉପାୟ । ଏବେ ଜମିବାଡ଼ିରେ କାମ କରିବାଲାଗି ଆଉ ଲୋକ ମିଳୁନାହାନ୍ତି । ଟଙ୍କା ପଚାଶଟାରେ ଯଦି ପେଟ ପୂରିଯାଉଛି, ତାହାହେଲେ ଝାଳ ବୁହାଇ ପରିଶ୍ରମ କରିବା କ’ଣ ଦରକାର!

 

ସନାତନ ମୁଣ୍ଡ ହଲେଇଲେ । ପ୍ରାଣକୃଷ୍ଣ ଭୁଲ୍‌ କହୁନାହିଁ । ଲାଞ୍ଚ ନେବା ଆଉ ଲାଞ୍ଚ ଦେବା ଉଭୟ କଥା ଯଦି ବେଆଇନ, ତାହାହେଲେ ସରକାରମାନେ ଦି’ଟଙ୍କିଆ ଚାଉଳ ଦେବା ପରି ଲାଞ୍ଚୁଆ କାରବାର କରୁଛନ୍ତି କେମିତି? ଏକଥା ନେଇ କେହି ତ କେବେ କିଛି ପଚାରୁ ନାହାନ୍ତି । ପୁଣି ଦି’ଟଙ୍କାରେ ଚାଉଳ ଦେବାଲାଗି ସମ୍ବଳ ଯୋଗାଡ଼ କରୁକରୁ ଦେଶର ବାକି କାମ ସବୁ ପଛକୁ ରହିଯାଉଛି । ସେସବୁର କ’ଣ ହେବ?

 

ପ୍ରାଣକୃଷ୍ଣ ପଚାରିଲା, ‘‘ଆମ ବାବୁ କୁଆଡ଼େ ଗୋଟେ ଅପେରା ପାର୍ଟି କରୁଛନ୍ତି?’’

ସନାତନଙ୍କୁ ଏ ନାଚତାମସା କଥା ଭଲ ଲାଗେ ନାହିଁ । ସିଏ ପ୍ରାଣକୃଷ୍ଣ କଥାର ଜବାବ ନଦେଇ ଓଲଟି ପଚାରିଲେ, ‘‘କାହିଁକି? ତୋର ସେଥିରେ କ’ଣ ଦରକାର?’’

 

: ନାଁ, ଗାଁର ପୁତୁରାଟିଏ କହୁଥିଲା । ତା’ର ନାଚଗୀତରେ ଭାରି ମନ । ଚେହେରା ବି ଦେଖିବାକୁ ରାଜା ପୁଅପରି । ଆପଣେ ଟିକେ କହିଲେ ବାବୁ ତାଙ୍କ ପାଟିରେ ତାକୁ ରଖିଦିଅନ୍ତେ ।

 

: ଛାଡ୍‌, ସେ ନବରଙ୍ଗ କଥାଗୁଡ଼ା ମୋତେ ପଚାରନା । ସିନେମା କଥା ହେଲା ଅବା ଗୋଟେ କଥା, ଏ ଅପେରା ପାର୍ଟି କ’ଣ? ସର୍କସ୍‌ ଦଳ ସମ୍ଭାଳିଲା ଭଳି ନିଇତି ପୁଳାଏ ଲୋକଙ୍କ କଥା ବୁଝ । କିଏ ସବୁ ଆଣି ଏମିତିକା ବୁଦ୍ଧି ତାଙ୍କୁ ଦେଉଛି କିଏ ଜାଣେ?’’

 

: ବାଲିଆପାଳର ଜଳଧର ପରା ଅପେରା ପାର୍ଟିର ମ୍ୟାନେଜର ରହିବେ ।

ହୁଁ! - ଏତକ କହି ସନାତନ ଚୁପ୍‌ ହୋଇଗଲେ ।

ଆଗରେ ଭାରତ ସେବାଶ୍ରମ ସଂଘ ।

ସନାତନ ଓହ୍ଲେଇ ପଡ଼ି ଅଟୋରିକ୍ସାକୁ କୋଡ଼ିଏଟି ଟଙ୍କା ଦେଲେ । ସେ କିନ୍ତୁ କହିଲା, ‘‘ଆଉ ଦଶ୍‌ ଦିଅନ୍ତୁ ।’’

: କିରେ କାହିଁକି?

: ତେଲ ଦର ବଢ଼ିଗଲାଣି । ଆଉ ପୋଷଉନାହିଁ ।

ସନାତନ ଭାବିଲେ, ଆଗରୁ ଦର ଛିଣ୍ଡେଇଥିଲେ ଭଲ ହୋଇଥାଆନ୍ତା । ସେ ବାଧ୍ୟହୋଇ ଆଉ ଦଶଟି ଟଙ୍କା ଦେଲେ ।

 

ପ୍ରାଣକୃଷ୍ଣ ଆଖି ତଳକୁ କରି ଠିଆ ହେଇଥାଏ ।

ଭାରତ ସେବାଶ୍ରମ ସଂଘର ଉପର ମହଲାରେ ପହଞ୍ଚି ପକେଟ୍‌ରୁ ନିଜର ଟିପାଖାତା ବାହାର କଲେ ସନାତନ । ଲେଖିଲେ, ‘‘ଅଟୋରିକ୍ସା ଭଡ଼ା- ତିରିଶ ଟଙ୍କା ।’

 

ଶିବପ୍ରସାଦ ସାମନ୍ତରାୟ ଜାଣିପାରୁ ନଥିଲେ, ତାଙ୍କର ଭୁଲ୍‌ ରହିଲା କେଉଁଠି? ନିର୍ବାଚନ ଫଳ ପ୍ରକାଶ ପାଇବାର ମାସେ ବିତିଗଲାଣି । ମାତ୍ର ସେଇ ପ୍ରଶ୍ନଟିର ଉତ୍ତର ସେ ପାଇପାରୁନାହାନ୍ତି । ବିଛଣାଟାରେ ଶୋଇ ଶୋଇ ସେଇ ଗୋଟିଏ ପ୍ରଶ୍ନ, ନିଜକୁ ନିଜେ ବାରମ୍ବାର ପଚାରି ଚାଲୁଛନ୍ତି । ଏକଥା ସେ ଯେତିକି ଯେତିକି ଚିନ୍ତା କରୁଛନ୍ତି ନିଜ ଲୋକଙ୍କ ଉପରୁ ତାଙ୍କର ବିଶ୍ୱାସ ସେତିକି ସେତିକି ତୁଟି ଚାଲିଛି । ଅଥଚ ସେହିମାନଙ୍କୁ ବିଶ୍ୱାସ ନକଲେ ତାଙ୍କର କାମ ନଚଳେ ।

 

କେହି ଜଣେ କହିଥିଲେ, ସମସ୍ତଙ୍କୁ ବିଶ୍ୱାସ କରିବା ବୋକାମି, ମାତ୍ର ସମସ୍ତଙ୍କୁ ସନ୍ଦେହ କରିବା ବିପଜ୍ଜନକ ।’’

ଡାକ୍ତର ଆସି କହିଯାଇଛନ୍ତି, କିଛିଦିନ ବୁଲାଚଲା ବନ୍ଦ ରଖିବାକୁ ପଡ଼ିବ । ଅନାବଶ୍ୟକ ଚିନ୍ତାଠାରୁ ନିଜକୁ ଦୂରେଇ ରଖିଲେ ଭଲ । ମାତ୍ର ଏକଥା କ’ଣ ସମ୍ଭବ? ମଣିଷ ଓ ଚିନ୍ତା ପରସ୍ପରର ପରିପୂରକ । ଜିଇଁଥିବାଯାଏ ମଣିଷକୁ ଚିନ୍ତା କରିବାକୁ ପଡ଼େ । ଚିନ୍ତା ଚାଲିଗଲେ ମଣିଷ ସଂସାରରୁ ବି ଚାଲିଯିବ ।

 

ଦେହ ଅସୁସ୍ଥ ହୋଇ ନଥିଲେ ସେ ଗତ ମଙ୍ଗଳବାର ପୁରୀ ଯାଇଥାଆନ୍ତେ । ପ୍ରତିବର୍ଷ ଏଇ ସମୟକୁ ସେ ପୁରୀ ଯାଇ ବାପାଙ୍କ ଶ୍ରାଦ୍ଧ ପୂର୍ବରୁ ବ୍ରାହ୍ମଣ ଭୋଜନ କରେଇ ଆସନ୍ତି । ବାପା ବଞ୍ଚିଥିବା ବେଳେ ସେ ନିଜେ ଏମିତି ଏକ ଆଗ୍ରହ ଦେଖେଇଥିଲେ । ସେଇ ବାହାନାରେ ତାଙ୍କର ବି ବର୍ଷକୁ ଥରେ ଜଗନ୍ନାଥ ଦର୍ଶନ ହୋଇଯାଏ । ମାତ୍ର ଏଥର ସେ ଯାଇ ପାରିଲେ ନାହିଁ । ଅସୁସ୍ଥତା ତାଙ୍କୁ ଅଟକେଇ ଦେଲା ।

 

ବନ୍ଧୁ ରମାକାନ୍ତ ପ୍ରସ୍ତାବ ଦେଇଛନ୍ତି, ଭଲ ଅପେରା ପାର୍ଟିଟିଏ ଗଢ଼ାଯିବ । ସେଇଟିରେ ଲାଭ ଭଲ, ପ୍ରଚାର ଲାଗି ମଧ୍ୟ ତାହା ଏକ ଭଲ ମାଧ୍ୟମ । ପ୍ରଥମେ ଅବଶ୍ୟ ସେ ‘‘ଅପେରା ପାର୍ଟି’ ପ୍ରସଙ୍ଗ ଶୁଣି ମୁହଁ ମୋଡ଼ି ଦେଇଥିଲେ । ରାତିଅନିଦ୍ରା ହୋଇ ଦଳେ ଲୁଙ୍ଗିପିନ୍ଧା ଓ ବିଡ଼ିଟଣା ଲୋକ ବସି ନାଚ ଦେଖିବେ ଓ ସକାଳକୁ ଫେରିବେ । ଏଇଟା କି ସଉକ? ସେ ଅପେରା ପାର୍ଟି କାରବାର ସବୁ ତାଙ୍କୁ ବିଚିତ୍ର ଜଣାପଡ଼େ । କେଉଁ ସହରତଳି ସନ୍ତସନ୍ତିଆ ପଡ଼ିଆ କି ନଈକୂଳରେ ଗୋଟେ ତମ୍ବୁ ପଡ଼ିବ ଓ ସେଇଠି ଚାଲିବ ତିନିଚାରି ରାତି ଅପେରା । ସିନେମା ଓ ଟେଲିଭିଜନ୍‌ ଯୁଗରେ ସେଗୁଡ଼ିକ କ’ଣ କିଏ ଦେଖେ?

 

ରମାକାନ୍ତ କିନ୍ତୁ କହିଛନ୍ତି, ‘‘ନୂଆ ଶୈଳୀର ପାର୍ଟିଟିଏ ଗଢ଼ିବା । ଲୋକେ ସହରର ମଲ୍‌ଟିପ୍ଲେକ୍ସ ହଲ୍‌ର ସିନେମା ଛାଡ଼ି ଅପେରା ଦେଖୁଛନ୍ତି । ତୁମେ ରାତିସାରା ନାଟକ ଦେଖେଇବ ନାହିଁ । ସନ୍ଧ୍ୟା ସାତଟାରୁ ଆରମ୍ଭ କରି ବାରଟାରେ ସାରିଦେବ । ଲୋକେ ରାତି ବାରଟାରେ ଘରକୁ ଫେରିଯାଇ ଶୋଇବେ । ପରଦିନଟା ତାଙ୍କର ଆଉ ନଷ୍ଟ ହେବନାହିଁ । ତୁମେ ଏ ମଫସଲ ଗାଁ ନୁହେଁ, ସହରମାନଙ୍କରେ ମଧ୍ୟ ଯାଇ ନିଜ ଅପେରା ଦେଖେଇବ । ଧୀରେ ଧୀରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନାଟକ ଲେଖେଇବା । ଆଜି ଓଡ଼ିଶାରେ ଅପେରା ନାଁରେ ଯେଉଁ ଭେରେସାମି ଚାଲିଛି ସିଏ ବଦଳିଯିବ । ମାତ୍ର ଏ ପର୍ଯ୍ୟନ୍ତ କେହି ଏ ଦିଗରେ ଦାୟିତ୍ୱ ନେଇ କିଛି କରିନାହାନ୍ତି । ବରଂ ଯେଉଁ ଭଲ ଭଲ ଲେଖକ ଅପେରା ଜଗତକୁ ଆସିଥିଲେ ସେମାନେ ଓଲଟି ବଜାର ଚାହିଦାର ମୋହରେ ପଡ଼ି ନିଜେ ସେଇ ଭେରେସାମି ସୁଅରେ ଭାସିଯାଇଛନ୍ତି । କିନ୍ତୁ ମନେରଖ, ଗ୍ରାମାଞ୍ଚଳ ମନୋରଂଜନ ପାଇଁ ଆଜି ବି ଅପେରାଠାରୁ ବଳି ଶକ୍ତିଶାଳୀ ମାଧ୍ୟମ କିଛି ନାହିଁ । ତୁମେ ନିଜେ ମନେ ପକଉନାହଁ, ଆମ ପିଲାଦିନେ ଏ ଅଞ୍ଚଳରେ କ’ଣ ଥିଲା? କାଳୀପୂଜା ସମୟରେ ରଜାଘର ତରଫରୁ ଯୋଉ ତିନିରାତି ଅପେରା ଏଠି ହେଉଥିଲା ସେଇଟା ଜାଣ ଆମ ଏ ଅଞ୍ଚଳର ମୁଖ୍ୟ ମନୋରଂଜନ ଥିଲା । ଆମେ ପରା ନିଜେ ରାତି ରାତି ଅନିଦ୍ରା ହୋଇ ସେଗୁଡ଼ା ଦେଖୁଥିଲେ!

 

ଶିବପ୍ରସାଦ କହିଥିଲେ, ‘‘ତାହା ସତ । ମାତ୍ର ସେଦିନ ସେ ନାଟକରେ ଯେଉଁ ରୁଚିବୋଧ ଓ ଶାଳୀନତା ଥିଲା ତାହା ଆଜି ନାହିଁ ।’’ ଏକଥା କହିବାବେଳେ ଶିବପ୍ରସାଦଙ୍କ ମନ ଭିତରେ କୈଶୋରର ସେଇସବୁ ସ୍ମୃତି ନାଚିଉଠିଥିଲା । ରାତି ଅନିଦ୍ରା ହୋଇ ଅପେରା ଦେଖିବାରେ ସେ ଯେଉଁ ଉତ୍ତେଜନା, ତାହା ସହରରେ ଯାଇ ସିନେମା ଦେଖାରେ ତାଙ୍କୁ ମିଳିନାହିଁ । ମାତ୍ର ସମୟ ବଦଳି ଯାଇଛି । ଅପେରା ଭିତରକୁ ପଶିଆସିଛି ଅନେକ ଅଦରକାରୀ ଉପାଦାନ । ସିଏ ଅପେରା ପାର୍ଟି କଲେ କ’ଣ ସେସବୁକୁ ଦୂରେଇ ଦେଇ ପାରିବେ?

 

ରମାକାନ୍ତ କହିଥିଲେ, ‘‘ଆମେ ପାରିବା । ଅବଶ୍ୟ ପାରିବା ।’’

ରମାକାନ୍ତର ସ୍ୱରରେ ଦୃଢ଼ ବିଶ୍ୱାସ ଥିଲା । ଶିବପ୍ରସାଦ ତହିଁରେ ପ୍ରଭାବିତ ହୋଇଥିଲେ ।

ରମାକାନ୍ତ ପୁଣି ହସି ହସି କହିଥିଲେ, ‘‘ତୁମେ ଜାଣ, ଅପେରା ଚାଲିବା ଲାଗି ଆଜିକାଲି ତିନିଟି ଜିନିଷ ଦରକାର । ଭଲ ଭିଲିଆନ୍‌, ଗୋଟେ କି ଯୋଡ଼ିଏ ଭଲ କମେଡ଼ିଆନ୍‌ ଏବଂ ଭଲ ସାଜସଜ୍ଜା । ତା ସାଙ୍ଗରେ କିଛି ନାଚପିଲା । ତୁମ ପାଖେ ଅର୍ଥର ଅଭାବ ନାହିଁ । ତୁମେ ଏସବୁ କରିପାରିବ ।

 

: ଆଉ ଭଲ ହିରୋ? ବହି ଚାଲିବା ଲାଗି ‘‘ହିରୋ’ ବି ତ ଦରକାର? - ଶିବପ୍ରସାଦ ପଚାରିଥିଲେ ।

: ହିରୋମାନଙ୍କର କେଉଁଠି ଚାହିଦା ନାହିଁ - ନା ଅପେରା, ନା ବାସ୍ତବ ଜୀବନରେ । କହିସାରି ରମାକାନ୍ତ ଠୋ ଠୋ ହୋଇ ହସିଥିଲେ ।

 

ଶିବପ୍ରସାଦଙ୍କୁ ଏ କଥାଟି ଅଦ୍ଭୁତ ଶୁଭିଥିଲା । ସମାଜର ମୂଲ୍ୟବୋଧ ଏମିତି ବଦଳି ଚାଲୁଛି । ଆଜି ସମାଜରେ ଖଳନାୟକ ଏବଂ ବିଦୂଷକମାନଙ୍କର ଦାମ୍‌ ବେଶି । ସେଇମାନଙ୍କୁ ଦେଖିବାକୁ ମିଳୁଛି ମଞ୍ଚରେ ଓ ମଇଦାନରେ । ଭଲ ଲୋକଙ୍କର ଆଜି କେଉଁଠି ସ୍ଥାନ ନାହିଁ । ବିଧାନସଭା ବୋଧହୁଏ ସେହି ‘‘କେଉଁଠି’ ଭିତରେ ସାମିଲ ।

 

ସେ ଆଖିବୁଜି ଟିକିଏ ଶୋଇବାକୁ ଚେଷ୍ଟା କଲେ । ସେଇ ଛାଇଅନ୍ଧାର ଭିତରେ ତାଙ୍କ ପରଲୋକଗତ ବାପାଙ୍କ ଛବିଟି ଅସ୍ପଷ୍ଟ ହୋଇ ଦିଶୁଥିଲା । ବାପା କହୁଥିଲେ, ‘‘ଖାଲି ଜିଇଁବାଟା ବଡ଼ କଥା ନୁହେଁ, ନିଜ ସର୍ତରେ ଜୀବନ ଜିଇଁବା ହେଉଛି ବଡ଼ କଥା ।’ କିନ୍ତୁ ବାପାଙ୍କର କଥାଗୁଡ଼ିକ ପୁରୁଣା ହୋଇଗଲାଣି । ପୁରୁଣା ଦିନର ଟଙ୍କା ଆଜି ଚଳୁନାହିଁ । ବାପାଙ୍କର ପୁରୁଣା କଥା ବି କେମିତି ଆଜି ଚଳିବ?’’

 

ସେ ଏଥର ନିର୍ବାଚନରେ ଛିଡ଼ା ହୋଇ ନଥିଲେ ଭଲ ହୋଇଥାଆନ୍ତା । ତାଙ୍କର ବ୍ୟବସାୟ ପାଇଁ ସବୁ ଦଳର ସମର୍ଥନ ଦରକାର । ନିର୍ବାଚନରେ ଛିଡ଼ା ହେବାରୁ ସେ ନିର୍ଦିଷ୍ଟ ଗୋଟେ ଦଳର ପକ୍ଷଭୁକ୍ତ ହୋଇଗଲେ । ମାତ୍ର ଆଗ୍ରହ ଥିଲା, ଜିଣିଥିଲେ ପାଟପୁର ପାଇଁ କିଛି କାମ କରିଯାଇଥାଆନ୍ତେ । ଦେଶ ସ୍ୱାଧୀନ ହେବା ବାଷଠି ବର୍ଷ ହେଇଗଲା, ପାଟପୁରରେ ନା ଗୋଟେ କଲେଜ ହେଲା ନା ଥାନା ନା ଡାକ୍ତରଖାନା । ଏମିତି ଅନ୍ଧାରି ଅଞ୍ଚଳ ହୋଇ ରହିଗଲା ଏ ନଈନାଳ ଘେରା ପାଟପୁର । ଆଜି ବି ଭଦ୍ରକ ପାଖରୁ ମୋଟର ଗାଡ଼ିରେ ପାଟପୁର ଆସି ହେବନାହିଁ ଭଲ ରାସ୍ତାଟିଏର ଅଭାବ ଯୋଗୁଁ । ମାତ୍ର ତାଙ୍କ ଅଞ୍ଚଳର ଲୋକମାନେ ତାଙ୍କୁ ଚାହିଁଲେ ନାହିଁ । ସିଏ ଅଚଳ ହୋଇଗଲେଣି ବୋଧହୁଏ!

 

ଭାଗବତ କହିଲା, ଖଇରପଦାରୁ କିଏ ଜଣେ ଆସି ଖୋଜୁଥିଲେ ସାଆନ୍ତେ । ମୁଁ କହିଲି, ବାବୁଙ୍କ ଦେହ ଭଲ ନାହିଁ ।

: ଭଲ କରିଛୁ - ଟିକିଏ ରୁଷ୍ଟ ଗଳାରେ ଉତ୍ତର ଦେଲେ ଶିବପ୍ରସାଦ । ଆଜିକାଲି କୌଣସି ଲୋକକୁ ଭେଟିବା ଲାଗି ସେ ଚାହୁନାହାନ୍ତି । ସେମାନଙ୍କ ଉପରୁ ତାଙ୍କର ଭରସା ତୁଟି ଯାଇଛି ।

 

ପୁଣି ବାପାଙ୍କ କଥା ମନେ ପଡ଼ିଲା । ଊଣେଇଶ ଅଣସ୍ତରୀରେ ରାଜା ଜମିଦାରମାନଙ୍କ ହାତପାଣ୍ଠି ଉଚ୍ଛେଦ ହୋଇଗଲା । ତା’ପରେ ଜମିଜମା ସିଲିଂ ଆଇନରେ ପ୍ରାୟ ଶହେ ଏକର ଜମି ତାଙ୍କ ମାଲିକାନାରୁ ଚାଲିଗଲା । ବାଧ୍ୟହୋଇ ଶାଗମାଛ ଦରରେ ସେପାରି ଜମି କିଛି ସେ ବିକ୍ରୟ କରିଦେଲେ । ସେଇବର୍ଷ ସେ ଇଂଲଣ୍ଡରୁ ଫେରିଥାଆନ୍ତି । ବାପା କହିଲେ, କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ । ଶିବପ୍ରସାଦ ମନାକଲେ । ବାପା ନିଜେ ଲଢ଼ିଲେ ସତ, କିନ୍ତୁ ହାରିଗଲେ । ଇନ୍ଦିରା ଗାନ୍ଧିଙ୍କ ‘‘ଗରିବୀ ହଟାଅ’ ସ୍ଲୋଗାନ ଆଗରେ ତାଙ୍କ ପରିବାରର ଉପକାର ଓ ବଦାନ୍ୟତା ଠିଆହୋଇ ପାରିଲା ନାହିଁ । ତା ପରଠାରୁ ବାପା ନିର୍ବାଚନ ରାଜନୀତିଠାରୁ ଦୂରରେ ରହି ନିଜ ବ୍ୟବସାୟରେ ମନ ଦେଇଥିଲେ । ନିଜେ ଶିବପ୍ରସାଦ ବି ଅଶୀ ମସିହା ନିର୍ବାଚନରେ ହାରିଲା ପରେ ରାଜନୀତି ପାଖରୁ ମୁହଁ ଫେରେଇ ଆଣିଥିଲେ । ମାତ୍ର କାହିଁକି ଯେ ଏଥର ସେ ପୁଣି ଥରେ ଅନିଶ୍ଚିତତା ଭିତରକୁ ଲମ୍ଫ ଦେଲେ ସେକଥା ସିଏ ନିଜେ ଜାଣିପାରନ୍ତି ନାହିଁ । ଖାଲି ଗୋଟିଏ କଥା ସେ ବୁଝିପାରନ୍ତି, ରାଜନୀତିର ଗୋଟେ ଅଦ୍ଭୁତ ଉତ୍ତେଜନା ଅଛି ।

 

ପତ୍ନୀ ସୁଲକ୍ଷଣା କହୁଛନ୍ତି, ଭାଗଚାଷୀମାନେ ଆଗପରି ଠିକ୍‌ ହିସାବ ଦେଉନାହାନ୍ତି । ଯେଉଁମାନେ ଧାରକରଜ ନେଉଛନ୍ତି ସେମାନେ ମଧ୍ୟ ଠିକଣା ସମୟରେ ଟଙ୍କା ପରିଶୋଧ କରୁନାହାନ୍ତି । ଆଜିକାଲିର ଲୋକମାନେ ଖୁବ୍‌ ଚତୁର । ସେମାନଙ୍କୁ ଚିହ୍ନିବା ସହଜ ନୁହେଁ । ପୁଣି ଶିବପ୍ରସାଦ ଯେମିତି ଦୁଇହାତରେ ଦାନ ଖଇରାତ କରୁଛନ୍ତି ସେଥିରେ ଏ ଘରବାଡ଼ି କୋଉଦିନ ବିକ୍ରି ହୋଇଯିବ କିଏ କହିବ! ପୁଅ ନଥିଲେ ବି ଝିଅଟେ ଅଛି । ତା ଭବିଷ୍ୟତ କଥା କିଏ ବୁଝିବ?

 

ଶିବପ୍ରସାଦ ପଚାରିଲେ, ‘‘ସନାତନ କୋଉଦିନ ଫେରିବେ? ଆଜି ନା କାଲି?’’

ସୁଲକ୍ଷଣା ଉତ୍ତର ଦେଲେ, ‘‘କାଲି ।’’

ଶିବପ୍ରସାଦ ପୁଣିଥରେ ଆଖି ବୁଜିଦେଲେ । ଶୋଇ ଶୋଇ ଚିନ୍ତାକଲେ, ଏଥର ସନାତନ ଫେରିଲେ ସେ ତାଙ୍କଠାରୁ ଆଉଥରେ ସଂପୂର୍ଣ୍ଣ ହିସାବପତ୍ର ବୁଝିନେବେ । ସମୟ ବଦଳୁଛି । ତାଙ୍କୁ ବି ସମୟ ତାଳରେ ବଦଳିବାକୁ ପଡ଼ିବ ।

 

ବସ୍‌ରେ ବସିରହି ସନାତନ ତାଙ୍କର ହିସାବ କରୁଥିଲେ । ଗାଡ଼ିଭଡ଼ା, ମହାପ୍ରସାଦ ଖର୍ଚ, ମୋଟିଆ, ଅଟୋରିକ୍ସା, ବ୍ରାହ୍ମଣ ଦକ୍ଷିଣା... ଆଉ କ’ଣ ଛାଡ଼ିଗଲେ କି? ଆଉ ଷୋଳଟଙ୍କା ଗଲା କୁଆଡ଼େ?

 

ପ୍ରାଣକୃଷ୍ଣ ରାସ୍ତା କଡ଼ର ଶାଗୁଆ ଧାନବିଲ ଆଡ଼େ ଚାହିଁଥିଲା । ବାହାରକୁ ବୁଲିଆସିଥିବା ଯୋଗୁଁ ତା ମନ ଖୁବ୍‌ ଖୁସି ଥିଲା । ସେ ଧାନଗଛଗୁଡ଼ାକୁ ଦେଖି ମନକୁ ମନ ସେସବୁ କୋଉ କିସମର ଧାନ ସେକଥା ଗୁଣୁଗୁଣଉଥିଲା - କଳମା, ଜଟିଆ, ଦଶହରା ଭେଟି, ସୋଲା, ପାଟେଣୀ ... ରଙ୍ଗଣି, ପଦ୍ମକେଶରୀ । ସେପଟ ଢିପ ଜମିର ଧାନଟା ଲୀଳାବତୀ ହୋଇଥିବ କି କ’ଣ?

 

ବସ୍‌ରେ ଟେପ୍‌ରେକର୍ଡ଼ର ବାଜୁଥିଲା । ସେଥିରୁ ଶୁଭୁଥିଲା ଗୋଟେ ଜଗନ୍ନାଥ ଜଣାଣ । ସେ ଅନେଇ ଦେଖିଲା ସନାତନ ଆଖିବୁଜି ଗୁଣୁଗୁଣଉଛନ୍ତି । ପ୍ରାଣକୃଷ୍ଣ ଅନୁମାନ କଲା, ବୋଧହୁଏ ଜଗନ୍ନାଥ ଜଣାଣ ଶୁଣୁଛନ୍ତି ସନାତନ । ବଡ଼ ଧାର୍ମିକ ଲୋକ । ଏମିତି ଲୋକ ପୁଣି ଅଛନ୍ତି ଏ ଯୁଗରେ!

 

ସନାତନ ଆଖି ଖୋଲିଲେ । ପଚାରିଲେ, ‘‘ଆଉ ଷୋଳଟଙ୍କା ଗଲା କୁଆଡ଼େ?’’

ପ୍ରାଣକୃଷ୍ଣ କହିଲା, ‘‘ମୁଁ ଭାବୁଥିଲି, ଆପଣ ଆଖିବୁଜି ଜଗନ୍ନାଥଙ୍କ ଭଜନ ଶୁଣୁଛନ୍ତି । ଆପଣ ତାହାହେଲେ ହିସାବ କରୁଥିଲେ । ଧ୍ୟାନରେ ବି ଟଙ୍କାପଇସା ହିସାବ!’’

 

ତୁ ବୁଝିବୁ ନାହିଁ ପ୍ରାଣକୃଷ୍ଣ । ସମନ୍ତରାଙ୍କ ଟଙ୍କା ମୋ ପାଇଁ ନିର୍ମାଲ୍ୟଠୁଁ ବଳି । ତାଙ୍କର ସିନା ମୋ ଉପରେ ଅଖଣ୍ଡ ବିଶ୍ୱାସ । ତାହା ବୋଲି ମୁଁ କାହିଁକି ତାଙ୍କୁ ଅଣଦେଖା କରିବି? ଭାବୁଛି, ଷୋଅଳଟି ଟଙ୍କା ଗଲା କୁଆଡ଼େ?

 

ପ୍ରାଣକୃଷ୍ଣ କ’ଣ ଭାବିଲା ପରି କହିଲା, ‘‘ଯିବା ଦିନ ବସ୍‌ଷ୍ଟାଣ୍ଡରେ ମୁଁ ଯୋଉ ପୁରି ତରକାରି ଖାଇଥିଲି, ତା ହିସାବ କରିଛନ୍ତି? ଦୋକାନୀ ତ ମୋ ଠାରୁ ଷୋଅଳ ଟଙ୍କା ନେଇଥିଲା ।’’

 

କିଛି ଗୋଟାଏ ନୂଆ ଜିନିଷ ପାଇଗଲାପରି ଖୁସିରେ ସନାତନଙ୍କ ଆଖି ଉଜ୍ଜ୍ୱଳି ଉଠିଲା । ସେ କହିଲେ, ‘‘ଦେଖୁଛୁ, ମୋ ସ୍ମୃତିଶକ୍ତି ଦୁର୍ବଳ ହୋଇଗଲାଣି । ସେଇ ଷୋଅଳ ଟଙ୍କାର ହିସାବ ମୁଁ ଦି’ ଦିନ ହେଲା ଖୋଜୁଛି । ସାଙ୍ଗେ ସାଙ୍ଗେ ଟିପି ନଦେଲେ ପରା ଏଇଆ ହୁଏ!’’ ସେ ପକେଟ୍‌ରୁ ଟିପାଖାତା କାଢ଼ି ଲେଖିଲେ, ପ୍ରାଣକୃଷ୍ଣଙ୍କ ଜଳଖିଆ ଖର୍ଚ ଷୋଅଳ ଟଙ୍କା ।

 

ପ୍ରାଣକୃଷ୍ଣ ହସିଲା ।

ସନାତନ କହିଲେ, ‘‘ଆରେ ତିରିଶ ବର୍ଷ ହୋଇଗଲାଣି । କେହି କହିବ ନାହିଁ, ସନାତନ ଦାସ ସାମନ୍ତରାଙ୍କର ଟଙ୍କାଟିଏ ଏପଟ ସେପଟ କରିଛି । ଏବେ ତ ଆଗପରି ବେଶି କାରବାର ନାହିଁ । ବ୍ୟାଙ୍କ୍‌ ଋଣ ମିଳିବା ସୁବିଧା ହୋଇଯିବାରୁ ମହାଜନୀ କାରବାର କମିଗଲାଣି । ଏକସ୍ତରି ମସିହାରେ ପାଞ୍ଚଖଣ୍ଡ ଗାଁ ଏଇ ସାମନ୍ତରାଘରର ଚାଉଳ ମୁଗ ଖାଇ ବଂଚି ରହିଥିଲେ । ସେତେବେଳେ କ’ଣ କମ୍‌ କାଗଜପତ୍ର କାମ! ଏପଟେ ଜଂଜାଳକୁ ସେପଟେ ସାମନ୍ତରାଙ୍କର ଅମନଯୋଗୀ ବ୍ୟବହାର । ତାଙ୍କର ତ ମକର ରାଶି ଉତ୍ତରାଷାଢ଼ା ନକ୍ଷତ୍ର । କୌଣସି ଦିନ ସକାଳୁ ସେ ଉଠି ପାରିବେ ନାହିଁ । ସେ ବିଛଣା ଛାଡ଼ିଲାବେଳକୁ ମୋର ଅଧାଦିନର କାମ ଶେଷ । ଗୋଟିଏ କଥା, କୌଣସି ଦିନ ସେ ମୋତେ ସନ୍ଦେହ କରି ନାହାନ୍ତି । ଦେବତା ପରି ଲୋକ, କାହିଁକି ସନ୍ଦେହ କରିବେ?

 

: ଆଜ୍ଞା ଆପଣଙ୍କୁ ସନ୍ଦେହ କରିବା ଅର୍ଥ ସ୍ୱୟଂ ଧର୍ମକୁ ସନ୍ଦେହ କରିବା । ଆପଣଙ୍କର କୋଉ କାମଟା ଏମିତି ଯେ, କିଏ ତାକୁ ସନ୍ଦେହ କରିବ? - ଆଜ୍ଞାଧୀନ ଛାତ୍ରର ସ୍ୱରରେ କହିଲା ପ୍ରାଣକୃଷ୍ଣ ।

 

ସନାତନ କହିଲେ, ‘‘ହଉ ମୋ କଥା ଛାଡ୍‌, ଗଦିଛକ ଗଲା । ଆଉ ଦିଇଟା ଷ୍ଟପେଜ୍‌ ପରେ ତ ଆସିଯିବ ପାଟପୁର ।’’

ପ୍ରାଣକୃଷ୍ଣ କାଚ ଝରକା ବାଟେ ମୁହଁ ଗଳେଇ ବାହାରକୁ ଚାହିଁଲା । ଅଶିଣର ଅପରାହ୍ନ ଶ୍ୟାମଳ ଓ ସୁନ୍ଦର ଦିଶୁଥିଲା ।

ସନାତନଙ୍କର ଏଇ ଗୁମାସ୍ତା କାମରେ ଢେର୍‌ଦିନ ବିତିଗଲାଣି । ତିରିଶ ବର୍ଷ କିଛି ଊଣା ସମୟ ନୁହେଁ । ପ୍ରଥମେ ଶିବପ୍ରସାଦଙ୍କ ବାପାଙ୍କ ପାଖରେ ସେ କାମ କରୁଥିଲେ । ତା’ପରେ ଶିବପ୍ରସାଦଙ୍କ ପାଖରେ । ବାପା ଯେମିତି, ପୁଅ ସେମିତି । ଗୋଟିଏ ଫରକ, ପୁଅ ଟିକିଏ ମଠ । ବାପ କିନ୍ତୁ ଚଞ୍ଚଳ ଓ କର୍ମଠ ଥିଲେ । ବୁଢ଼ା ହେବା ପର୍ଯ୍ୟନ୍ତ ସେ ଏମିତି ଜୋର୍‌ରେ ଚାଲୁଥିଲେ ଯେ ତାଙ୍କ ସାଙ୍ଗରେ ଯାଉଥିବା ଲୋକକୁ ରୀତିମତ ଦଉଡ଼ିବାକୁ ପଡୁଥିଲା ।

 

ସାମନ୍ତରାଙ୍କ କାମରେ ଲାଗିରହି ନିଜ ଘର ପରିବାର କଥା ପ୍ରତି ଦୃଷ୍ଟି ଦେଇପାରିନାହାନ୍ତି ସନାତନ । ପୁଅ କହେ, ବାପାଙ୍କ ଅବହେଳା ଯୋଗୁଁ ମା’ ଅସମୟରେ ଚାଲିଗଲା । ତା’ର ଏ ଅଭିଯୋଗ ସତ ନୁହେଁ ବୋଲି ସନାତନ ଜାଣନ୍ତି । କିନ୍ତୁ ସେ କଥା ଦମ୍ଭର ସହ କହିପାରନ୍ତି ନାହିଁ । ନିଜ ଘର ଓ ପରିବାର ଲାଗି ଯେତିକି ସମୟ ଦେବା କଥା, ସେତିକି ସମୟ ସେ ଅବଶ୍ୟ ଦେଇ ପାରି ନାହାନ୍ତି । କିନ୍ତୁ ତା ଅର୍ଥ ନୁହେଁ ଯେ ସେ ସ୍ତ୍ରୀଙ୍କ ପ୍ରତି ଅବହେଳା କରିଛନ୍ତି ।

 

ପୁଅ ସୁକଲ୍ୟାଣ ଅଭିଯୋଗ କରେ, ‘‘ଆପଣଙ୍କ ଦେହରେ ସାମନ୍ତବାଦ ପ୍ରତି ଆନୁଗତ୍ୟର ରକ୍ତ ବୋହୁଛି । ଶେଷ ପର୍ଯ୍ୟନ୍ତ ଆପଣ ବୁଝି ପାରିବେ ନାହିଁ ଯେ ଆପଣ ଶୋଷିତ ହେଉଛନ୍ତି । କ’ଣ ଏ ଚାକିରିର ମୂଲ୍ୟ? ଏଥିରେ ଭବିଷ୍ୟନିଧି ବ୍ୟବସ୍ଥା ଅଛି ନା ବୋନସ୍‌? ନିର୍ଦିଷ୍ଟ ଛୁଟି ତାଲିକା ବି ନାହିଁ ଏ ଚାକିରିରେ । କେବଳ ବର୍ଷସାରା କାମ ଆଉ କାମ । ଆପଣ ଭୁଲିଯାଉଛନ୍ତି ଯେ କାଲି ଆପଣଙ୍କର କିଛି ହୋଇଗଲେ ସାମନ୍ତରାଙ୍କୁ ଦ୍ୱିତୀୟ ଲୋକଟେ ଖୋଜି ଆଣିବା ଲାଗି ଦୁଇଦିନ ସମୟ ଲାଗିବ ନାହିଁ । ଅଥଚ ଆପଣ ନିଜକୁ ଭାବୁଛନ୍ତି ଅପରିହାର୍ଯ୍ୟ । ପୃଥିବୀର କୌଣସି ବ୍ୟକ୍ତି ଅପରିହାର୍ଯ୍ୟ ନୁହନ୍ତି ।’’

 

ସନାତନ କିଛି ଉତ୍ତର ଦିଅନ୍ତି ନାହିଁ । ମା’ଛେଉଣ୍ଡ ଛୁଆଟା ବାପକୁ କହିବ ନାହିଁ ତ ଆଉ କାହାକୁ କହିବ? ତେବେ ସେସବୁ ଅନେକ ପୁରୁଣା କଥା । ଆଜିକାଲି ସୁକଲ୍ୟାଣ ବେଶି କିଛି କହେନାହିଁ । କେବଳ କହେ- ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

 

ସୁକଲ୍ୟାଣ ଏବେ ରେଳବାଇରେ ଚାକିରି କରୁଛି । କଲିକତା ହେଇଛି ଏବେ ତା ଦପ୍ତର । ପ୍ରତି ତିନି ମାସରେ ଥରେ ଆସି ସେ ସନାତନଙ୍କ ଭଲମନ୍ଦ ଖବର ବୁଝିଦେଇଯାଏ ।

 

ପୁଅ ଏଠି ଥିବା ପର୍ଯ୍ୟନ୍ତ ବାପ ପୁଅ ଅସରନ୍ତି କଥା ଗପନ୍ତି । କିନ୍ତୁ ପୁଅ ଚାଲିଯିବା ପରେ ସନାତନ ପୁଣି ଫେରି ଆସନ୍ତି ସାମନ୍ତରାଙ୍କ ନାଲି ରେକ୍‌ଜିନ ମଡ଼ା ହିସାବ ଖାତାର ସେଇ ଧାଡ଼ି ପାଖକୁ, ଯେଉଁଠୁ ସେ ଲେଖା ବନ୍ଦ ରଖିଥାଆନ୍ତି । ଏହି ହିସାବ ରଖିବା ଓ ସାମନ୍ତରାଙ୍କ ଭଲମନ୍ଦ ବୁଝିବା ତାଙ୍କର ମୁଖ୍ୟ କାମ । ଏହାରି ଭିତରେ ତିରିଶ ବର୍ଷ ବିତିଗଲାଣି, ଆଉ କେତେଟା ବର୍ଷ ବିତିଯାଉ ।

 

ମଝିରେ ଥରେ ଥରେ ପୁଅ ସୁକଲ୍ୟାଣର ବାହାଘର କଥାଟି ମନକୁ ଆସେ । ପୁଅ ପାଇଁ ବୋହୂ ଖୋଜିବା ତାଙ୍କର ଦାୟିତ୍ୱ । କିନ୍ତୁ କେତେବେଳେ ସେ କାମ ସେ କରିବେ? ଯେତେବେଳେ ଦାୟିତ୍ୱଟି ମନକୁ ଆସେ, ସେତେବେଳେ ସନାତନ ଖୁବ୍‌ ସକ୍ରିୟ ହୋଇ ଯାଆନ୍ତି । ପାଖରେ ଯିଏ ଥାଏ, ତାକୁ କହନ୍ତି - ପୁଅ ଲାଗି ଭଲ ପାତ୍ରୀଟିଏ ଦେଖୁଥିବ ତ? ଆମର ଯାନି ଯୌତୁକ କିଛି ଦରକାର ନାହିଁ । ଝିଅଟି ଖାଲି ଗୁଣର ହୋଇଥିବ । ତା’ପରେ ସୁକଲ୍ୟାଣ ସମ୍ପର୍କରେ ଚାରି ପାଞ୍ଚ ପଦ କହନ୍ତି ।

 

ପୁଅ ତାଙ୍କର ଶରତର ଜହ୍ନ ପରି । କୌଣସି ଜାଗାରେ ଖୁଣ ନାହିଁ । ତା’ର ପାଠ ଭଲ ତ ସିଏ ଭଲ । ଲେଖା ଯେମିତି, କଥା ସେମିତି । ବଡ଼ଲାଟ୍‌ ମୁହଁରେ ଜବାବ ଦେବା ପିଲା ସେ । ସ୍କୁଲ୍‌ ଦିନରୁ ବକ୍ତୃତାରେ ପୁରସ୍କାର ପାଇ ଆସିଛି । କଲେଜରେ ବି ସେଇଆ । ତା ଭାଷଣ ରେଡିଓରେ ବାଜିଛି । ଡେଙ୍ଗା, ଗୋରା ଓ ଚଞ୍ଚଳ ସ୍ୱଭାବର ପିଲା । ଗରିବଗୁରୁବାଙ୍କ ପ୍ରତି ମନ ଭିତରେ ଖୁବ୍‌ ଦରଦ । ଜବାବ ଦେଇ କଥା ରଖିବା ପିଲା । କୌଣସି କଥାରେ ଧର୍ମ ହୁଡ଼ିବ ନାହିଁ ।

 

ସନାତନ ଜୀବନତମାମ ଗୋଟିଏ କଥା ଉପରେ ଜୋର୍‌ ଦେଇ ଆସିଛନ୍ତି- ଧର୍ମ । ପରିସ୍ଥିତି ଯାହା ହେଉନା କାହିଁକି ମଣିଷ ତା ଧର୍ମ ହୁଡ଼ିବା ଉଚିତ ନୁହେଁ । ସେତକ ଚାଲିଗଲେ ପଶୁପକ୍ଷୀ ଓ ମଣିଷ ଭିତରେ ଆଉ ଫରକଟି ରହିଲା କ’ଣ?

 

ପ୍ରାଣକୃଷ୍ଣ ପଚାରିଲା, ‘‘ସେଇ ଜଳଧର ଲୋକଟାକୁ ଆମ ବାବୁ ଏତେ ମୁହଁ ଦେଇଛନ୍ତି କାହିଁକି? ଇଲେକ୍‌ସନ୍‌ ବେଳେ କୁଆଡ଼େ ନାଚପାର୍ଟି ଲୋକଙ୍କୁ ନେଇ ପ୍ରଚାର କରଉଥିଲା । ଏତେ କାମ ଯଦି କରୁଥିଲା, ତାହାହେଲେ ଭୋଟ୍‌ଗୁଡ଼ାକ ଗଲା କୁଆଡ଼େ?’’

 

ସନାତନ କିଛି କହିବାକୁ ଚାହୁଁ ନଥିଲେ । ଏତେ ପାଠଶାଠ ପଢ଼ିଥିବା ଶିବପ୍ରସାଦ କେମିତି ଖୋସାମତିଆଙ୍କ କଥାରେ ଭଳିଯାଆନ୍ତି ସେକଥା ସେ ବୁଝି ପାରୁ ନଥିଲେ । ମନକୁ ମନ କହିଲେ, ‘‘ହଁ ଏଡ଼େଖଣ୍ଡ ବଉଦ ତ ସୂର୍ଯ୍ୟଙ୍କୁ ଢାଙ୍କି ପକାଉଛି, ଶିବପ୍ରସାଦ ତ ରକ୍ତ ମାଂସର ମଣିଷ ।’’

 

ପାଟପୁର ଛକ ଆସିଯାଇଥିଲା । ପ୍ରାଣକୃଷ୍ଣ ଉଠିପଡ଼ି ଉପର ଥାକରୁ ତା ବ୍ୟାଗ୍‌ପତ୍ର ବାହାର କଲା । ସନାତନ ନିଜ ବ୍ୟାଗ୍‌ଟି ଧରି ଓହ୍ଲେଇଲେ । ବାହାରେ ଝିପି ଝିପି ବର୍ଷା ବର୍ଷୁଥିଲା । ପ୍ରାଣକୃଷ୍ଣ ଆଗେଇ ଯାଇ ଗୋଟେ ଅଟୋରିକ୍ସାକୁ ଡାକି ଆଣିଲା ।

 

ସେତିକିବେଳେ ସନାତନ ଲକ୍ଷ୍ୟ କଲେ, ଜଳଧର ତାଙ୍କ ଜିପ୍‌ରେ ବସି ଚାନ୍ଦବାଲି ରାସ୍ତାରେ ଗାଡ଼ି ମୋଡୁଥିଲେ ।

ସେ ଗୋଟେ ଦୀର୍ଘଶ୍ୱାସ ନେଲେ । ଭାବିଲେ, କରଜ ଟଙ୍କାରେ ଗରଜ ମେଣ୍ଟୁ ନଥିଲେ ଇଏ ଆଉରି କେତେ ଛଇ ଦେଖଉଥାଆନ୍ତେ!

 

ଏକ୍ସକ୍ୟୁଜ୍‌ ମି । ଏଇଟା ମୋ ସିଟ୍‌ । - ଯୁବତୀ ଜଣକ କହୁଥିଲା ।

ସୁକଲ୍ୟାଣ ପତ୍ରିକା ଖଣ୍ଡେ ପଢୁଥିଲା । ଟ୍ରେନ୍‌ ଛାଡ଼ିବା ଛାଡ଼ିବା ହେଲାଣି । ସେ କ’ଣ ଭୁଲ୍‌ ସିଟ୍‌ରେ ଆସି ବସିଯାଇଛି କି? ଟିକେ ଆଶ୍ଚର୍ଯ୍ୟ ହେଲାଭଳି ସେ ପଚାରିଲା, ଆପଣଙ୍କର ସିଟ୍‌ ନମ୍ବର କେତେ ମାଡାମ୍‌?

 

- ଓହୋ, ଆଗେ ଆପଣ ଉଠନ୍ତୁ । ତା’ପରେ ମୁଁ କହିବି । - ଯୁବତୀ ଜଣକ ମୁହଁ ବୁଲେଇ ନେଇ ମନ୍ତବ୍ୟ ଦେଲା, ‘‘କୁଆଡ଼ୁ ଗୋଟେ ଗୋଟେ ନମୁନା ଆସି ପହଞ୍ଚିଯାଉଛନ୍ତି ।’’

 

ଯୁବତୀର ସ୍ୱରରେ ଏଭଳି ଦୃଢ଼ତା ଥିଲା ଯେ ଆଉ କେହି ହୋଇଥିଲେ ନିଜ ଆସନ ଛାଡ଼ି ଠିଆ ହୋଇଯାଇଥାଆନ୍ତା । ମାତ୍ର ରେଳବାଇରେ ଚାକିରି କରୁଥିବା ହେତୁ ସୁକଲ୍ୟାଣ ନିଜକୁ ସୁରକ୍ଷିତ ମଣୁଥିଲା । ସେ ତା ଡାହାଣ ପାଖର ପାଣିବୋତଲ ଓ ମାଗାଜିନ୍‌ ଦି’ଖଣ୍ଡକୁ ବାଁ ପଟକୁ ଉଠେଇଦେଇ ହସି ହସି କହିଲା, ‘‘ଆପଣ ଆଗ ବସିଯାଆନ୍ତୁ ତ!’’

 

ଯୁବତୀ ଜଣକ ବସି ପଡ଼ିଲା । ନିଜର ଅସ୍ତବ୍ୟସ୍ତ ବାଳଗୁଡ଼ାକୁ ପଛକୁ ଛାଟିଦେଇ ଭ୍ୟାନିଟି ବ୍ୟାଗ୍‌ ଭିତରୁ ଟିକେଟ୍‌ଟା ବାହାର କଲା ଓ କହିଲା- ‘‘ଏଇ ତ ମୋର ଏ - ୱାନ୍‌ । ସିଟ୍‌ ନମ୍ବର ଥାର୍ଟିନ୍‌ ।’’

 

ସୁକଲ୍ୟାଣ ହସିଲା । କହିଲା, ‘‘ଏଇଟା କିନ୍ତୁ ଏଏଚ୍‌ ବଗି । ଆପଣଙ୍କ ବଗିଟା ଏହାର ପଛରେ ରହିଲା । ତା’ପରେ ଜାଣି ଜାଣି ଯୋଡ଼ିଲା, ‘ଟ୍ରେନ୍‌ରେ ଚଢ଼ିବା ଆଗରୁ ସିଟ୍‌ ନମ୍ବର ଭଲକରି ଦେଖିବା ଦରକାର ନା!’

 

- ଓଃ, ସରି ।’’ ଯୁବତୀ ଜଣକ ଅପ୍ରସ୍ତୁତ ହୋଇପଡ଼ି କହିଲା ଏବଂ ନିଜର ବଡ଼ ବ୍ୟାଗ୍‌ଟିକୁ ଧରି ଚାଲିଯିବାକୁ ବାହାରିଲା । ଯୋଗକୁ ସେତିକିବେଳେ ହିଁ ଟ୍ରେନ୍‌ ଛାଡ଼ିଦେଲୋ ।

 

ପୂର୍ବପରି ହସ ହସି ସୁକଲ୍ୟାଣ କହିଲା, ‘‘ଆପଣ ଏଇଠି ବସନ୍ତୁ । ମୁଁ ଖଡ଼ଗପୁର ଯାଏ ଯିବି । ଟି.ଟି.ଇଙ୍କୁ ଜଣାଇଦେଲେ ସେ ନିଶ୍ଚୟ ସାହାଯ୍ୟ କରିବେ ।’’

 

ଯୁବତୀ ଜଣକ ଟିକିଏ ଆଶ୍ୱସ୍ତ ଦିଶିଲା । ମାତ୍ର ନିଜର ଭୁଲ୍‌ଟାକୁ ଗ୍ରହଣ କରିବାକୁ ପଡୁଥିବାରୁ ନିଜ ଉପରେ ସେ ଟିକିଏ ରୁଷ୍ଟ ହୋଇ ପଡୁଥିଲା ।

 

ସୁକଲ୍ୟାଣ କହିଲା, ‘‘ଆପଣ ବୋଧହୁଏ ସିଧା ଏୟାରପୋର୍ଟରୁ ଆସୁଛନ୍ତି ଏବଂ ମୋର ଧାରଣୀ ଯଦି ଠିକ୍‌ ହୁଏ, ଆପଣ ଲଣ୍ଡନରୁ ଆସିଲେ ।’’

 

ଯୁବତୀ ଜଣକ ବଡ଼ ସୁଟ୍‌କେଶ୍‌କୁ କଷ୍ଟେମଷ୍ଟେ ସିଟ୍‌ ତଳେ ରଖିଦେଇ ବସିଲା । ତା’ପରେ ପଚାରିଲା ପଚାରିଲା ଦୃଷ୍ଟିରେ ଅନେଇ କହିଲା, ‘‘ଆପଣ କେମିତି ଜାଣିଲେ?’’

 

ସୁକଲ୍ୟାଣ କହିଲା, ‘‘ସହଜ କଥା । ଲଗେଜ୍‌ ଟ୍ୟାଗ୍‌ରୁ ଦେଖିଲି ।’’

ଯୁବତୀଟି ଆଖି ବଡ଼ ବଡ଼ କଲା ଓ ଦୁଇକାନ୍ଧ ଟିକିଏ ହଲେଇଦେଲା ।

ସୁକଲ୍ୟାଣ ନିଜ ଆଡୁ ହସି ହସି କହିଲା, ‘‘ମୁଁ ରେଲ୍‌ୱେରେ କାମ କରେ ।’’

ଯୁବତୀଟି ସୁକଲ୍ୟାଣ ପରିଚୟ ଜାଣିବା ଲାଗି ଆଗ୍ରହୀ ନଥିଲା । ସେ ଶୁଖିଲା ହସଟେ ହସିଦେଲା । ନିଜର ବ୍ୟାଗ୍‌ରୁ ଛୋଟ ପାଣି ବୋତଲଟିଏ କାଢ଼ି ଦି’ ଢୋକ ପାଣି ପିଇଲା । ମୋବାଇଲ୍‌ ଫୋନ୍‌ରୁ ଗୋଟେ ଫୋନ୍‌ କରିବାକୁ ଚେଷ୍ଟା କଲା । ମାତ୍ର ତାହା ସମ୍ଭବ ନହେବାରୁ ସେଇଟିକୁ ପୁଣି ବ୍ୟାଗ୍‌ ଭିତରେ ରଖିଦେଲା ।

 

ସୁକଲ୍ୟାଣ ଆଉଥରେ କହିଲା, ‘‘ମୁଁ ସୁକଲ୍ୟାଣ ଦାସ । ରେଲୱେର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ । ଏଇ, ଏଇଟା ମୋର କାର୍ଡ଼ ।’’ -ସେ ତା’ର ଭିଜିଟିଂ କାର୍ଡ଼ ଖଣ୍ଡେ ବଢ଼େଇଦେଲା ।

 

: ସୋନି ସାମନ୍ତ ରାୟ ।

- ଭଲ ନାଁ । କିନ୍ତୁ ଆପଣ ଏତେ ଉଦ୍‌ବିଗ୍ନ ଦିଶୁଛନ୍ତି କାହିଁକି?

- ମୋ ବାବାଙ୍କ ଦେହ ଭଲ ନାହିଁ । କାର୍ଡ଼ିଆକ୍‌ ଆରେଷ୍ଟ । ସେଇଥିପାଇଁ ମୁଁ ବଡ଼ କଷ୍ଟରେ ଟିକେଟ୍‌ ଯୋଗାଡ଼ କରି ଫେରୁଛି । ବାପାଙ୍କୁ ତାଙ୍କର ନିଜ ଲୋକମାନେ ଠକି ଦେଉଛନ୍ତି । ସେ ଖୁବ୍‌ ସରଳ ପ୍ରକୃତିର ଲୋକ ।

 

- ସେଇଟା ଖୁବ୍‌ କଷ୍ଟ କାମ ।

- କେଉଁଟା?

- ଲୋକମାନଙ୍କୁ ଚିହ୍ନିବା - ସୁକଲ୍ୟାଣ କହିଲା ।

ଟ୍ରେନ୍‌ଟି ଏବେ ଦ୍ରୁତ ଗତିରେ ଧାଉଁଥିଲା । ସୁକଲ୍ୟାଣ କହିଲା, ଆପଣ ତ ସିଧା ଏୟାରପୋର୍ଟରୁ ଆସୁଛନ୍ତି । ଯଦି ଆପତ୍ତି ନଥାଏ, ତାହାହେଲେ ମୁଁ ଆପଣଙ୍କୁ କିଛି ବିସ୍କୁଟ୍‌ ଦେବି କି?

 

- ନା, ଧନ୍ୟବାଦ । ମୋ ପାଖରେ ବହୁତ ଗୁଡ଼ିଏ ଚକୋଲେଟ୍‌ ଅଛି । ଚକୋଲେଟ୍‌ ଥିଲେ ମୋର ଭାତ କି ରୁଟି ଦରକାର ପଡ଼େ ନାହିଁ । ତା’ଛଡ଼ା ଟ୍ରେନରେ ଅପରିଚିତ ଲୋକଙ୍କଠାରୁ...

 

: ହଁ, ଆପଣ ଠିକ୍‌ କହୁଛନ୍ତି । ସୁକଲ୍ୟାଣ ହସିଦେଲା ।

ହାୱଡ଼ାରୁ ଖଡ଼ଗପୁର ବେଶି ଦୂର ନୁହେଁ, ଅଢ଼େଇ ତିନି ଘଣ୍ଟାର ବାଟ । ସୁକଲ୍ୟାଣ ଏବଂ ସୋନି ପାଖାପାଖି ବସିଥାଆନ୍ତି । ମଝିରେ ମଝିରେ ଝରକା ଆଡ଼କୁ ଅନେଇବାବେଳକୁ ସୋନିର ଆଖି ସୁକଲ୍ୟାଣ ଆଖିରେ ଧକ୍କା ଖାଇଯାଉଥାଏ । ଏପ୍ରକାର ପରିସ୍ଥିତିରୁ ମୁକୁଳିବା ପାଇଁ ସୋନି ଖଣ୍ଡେ ବହି ବାହାର କରି ପଢ଼ିଲା ।

 

ସୁକଲ୍ୟାଣ ଅନେଇ ଦେଖିଲା, ଚିନୁଆ ଆଚିବିଙ୍କର ‘ଥିଙ୍ଗ୍‌ସ ଫଲ ଆପାର୍ଟ’ ବହି ।

ସେ ମନ୍ତବ୍ୟ ଦେଲା, ପୁରୁଣା ବହି । ମାତ୍ର ଖୁବ୍‌ ଭଲ ବହି ।

ସୋନି ସୁକଲ୍ୟାଣ ସହ ଗପ ଯୋଡ଼ିବାକୁ ଚାହୁଁ ନଥିଲା । ତା ଭିତରର ସାମ୍ଭ୍ରାନ୍ତ୍ୟ ତାକୁ ସେମିତି କରିବାକୁ ଉତ୍ସାହିତ କରୁଥିଲା । କେବଳ ଲୋକାଚାର ଦୃଷ୍ଟିରୁ ସେ କହିଲା, ‘‘ଆପଣ ପଢ଼ିଛନ୍ତି? ଗୋରା ଲୋକଙ୍କ ଉପନିବେଶବାଦ ସମ୍ପର୍କରେ ପ୍ରଭାବଶାଳୀ ବହି ।’’

 

ସୁକଲ୍ୟାଣ ଯୋଡ଼ିଲା, ପୃଥିବୀର ସବୁ ସ୍ଥାନର ଇତିହାସ ଗୋଟିଏ ପ୍ରକାର । ଶୋଷକ ଏବଂ ଶୋଷିତ । ମଣିଷ ଗୋଟେ ଅଦ୍ଭୁତ ପ୍ରାଣୀ । ସେ ସବୁବେଳେ ଚାହେଁ ଅନ୍ୟକୁ ପରାଧୀନ କରି ରଖିବ । ଅଥଚ ଗୁରୁତ୍ୱପୂର୍ଣ୍ଣ କଥାଟି କ’ଣ ଜାଣନ୍ତି? କିଛି ଲୋକ ଦାସ, ହଁ କ୍ରୀତଦାସ ଭାବେ ଜୀବନ ଜିଇଁବାକୁ ମଧ୍ୟ ଚାହାନ୍ତି । ସେମାନେ ଦାସତ୍ୱର ସ୍ୱାଧୀନତାକୁ ଅଧିକ ଭଲ ଭାବେ ଉପଭୋଗ କରନ୍ତି ।

 

: ଦାସତ୍ୱର ସ୍ୱାଧୀନତା? ସେଇଟା କ’ଣ?

: ନିଜେ ନିଜ ପାଇଁ ନିଷ୍ପତ୍ତି ନେବା ସବୁବେଳେ ସହଜ ନୁହେଁ । ସେ ଦାୟିତ୍ୱ ଅନ୍ୟ ଉପରେ ଛାଡ଼ିଦେଲେ ସୁବିଧା । ସୋନି ହସିଲା ।

 

ଖଡ଼ଗ୍‌ପୁର ଆସିବା ସମୟ ପାଖେଇ ଆସୁଥିଲା । ସୁକଲ୍ୟାଣ କହିଲା, ‘‘ମୁଁ ଏଇଠି ଓହ୍ଲେଇଯିବି । ଆପଣ ବସନ୍ତୁ । କିଛି ବ୍ୟସ୍ତ ହେବା ଦରକାର ନାହିଁ । ମୁଁ ଟି.ଟିଇଙ୍କୁ କହିଦେଇଛି ।

 

ସୋନି କହିଲା, ‘‘ଆଲୋଚନା ଅସଂପୂର୍ଣ୍ଣ ରହିଗଲା । ତେବେ ଆପଣଙ୍କର ସାହାଯ୍ୟ ପାଇଁ ଧନ୍ୟବାଦ ।’’

ସୁକଲ୍ୟାଣ ଖଡ଼ଗପୁରରେ ଓହ୍ଲେଇଗଲା ।

ସୋନି ଚାରିଆଡ଼କୁ ଚାହିଁଲା । ଅଧିକାଂଶ ଯାତ୍ରୀ ଶୋଇ ପଡ଼ିଛନ୍ତି । ସିଏ ବି ତା ବିଛଣା ଲମ୍ବେଇ ଶୋଇବାକୁ ଚେଷ୍ଟା କଲା । ସୁକଲ୍ୟାଣର କାର୍ଡ଼ଟି ସିଟ୍‌ ଉପରେ ପଡ଼ିଥିଲା । ଗୋଟେ ଅଦରକାରୀ କାଗଜ ପରି ତାକୁ ସେ ମୋଡ଼ିମକଚି ସିଟ୍‌ ତଳକୁ ଫିଙ୍ଗିଦେଲା ।

 

ତା ବାପା-ମାଆଙ୍କର ଖୁବ୍‌ ଜିଦ୍‌, ଏଥର ଯେମିତି ହେଲେ ତାକୁ ବାହାଘର ପାଇଁ ରାଜି ହେବାକୁ ପଡ଼ିବ । ପଚିଶ ବର୍ଷ ବୟସ ହେଲାଣି, ପାଠ ବାହାନାରେ ଆଉ ସମସ୍ତଙ୍କୁ ଅପେକ୍ଷା କରେଇବା ଚଳିବ ନାହିଁ । ମାତ୍ର ସୋନିର ବାହା ହେବାକୁ ଆଦୌ ଇଚ୍ଛା ନାହିଁ । ଯାହା ବି ଟିକିଏ ଇଚ୍ଛା ଥିଲା, ଏଇ ପ୍ରୋଜେକ୍ଟ କାମରୁ ଫେରିବା ପରେ ସେତକ ସୁଦ୍ଧା ଦୂରେଇ ଯାଇଛି । ଶହେରେ ଗୋଟେ କି ଯୋଡ଼ିଏ ବିଶ୍ୱସ୍ତ ସ୍ୱାମୀ ପାଇବା ଏବେ କଷ୍ଟ । ପାରିବାରିକ ହିଂସା ସଂକ୍ରାମକ ରୋଗ ପରି ବ୍ୟାପୁଛି । ଛାଡ଼ପତ୍ର ହାର ଦଶବର୍ଷ ଭିତରେ ଦଶଗୁଣା ବଢ଼ିଛି । ଏପରି କ୍ଷେତ୍ରରେ ବାହାଘର ଗୋଟେ ‘ରିସ୍କ’ ଛଡ଼ା ଆଉ କିଛି ନୁହେଁ ।

 

କିନ୍ତୁ ବାବାଙ୍କର ଗୋଟାଏ ଯୁକ୍ତି, ‘‘ସୋନି ବାହା ନହେଲେ ସାମନ୍ତରା ପରିବାରର ବଂଶରକ୍ଷା ହେବ ନାହିଁ ।’’

ସୋନିର ମତ, ଏଇଟା ବାପାଙ୍କର ‘‘ଇମୋସନାଲ୍‌ ବ୍ଲାକ୍‌ମେଲିଙ୍ଗ୍‌’’ ଛଡ଼ା ଆଉ କିଛି ନୁହେଁ । ତାଆରି ଆଖି ଆଗରେ ତା’ର ଦିଇଟା ସାଙ୍ଗଙ୍କର ଛାଡ଼ପତ୍ର ହେଇଗଲାଣି । ବର୍ଷା ତ ଆତ୍ମହତ୍ୟା କରିଦେଲା । କାହା ଉପରେ ବିଶ୍ୱାସ କରି ସେ ବାହାହେବ?

 

ପିଲାଦିନେ ବାପା କହୁଥିଲେ, ମୋ ଝିଅ ଲାଗି ଗୋଟେ ଭଲ ଘରଜ୍ୱାଇଁ ଖୋଜି ଆଣିବି । ସିଏ ଏଇଠି ରହିବ । ଆମ ବୁଢ଼ାବୁଢ଼ୀଙ୍କ କଥା ବି ମଝିରେ ମଝିରେ ବୁଝିବ ।

 

ସୋନି କହେ, ସେମିତିକା ଘରଜ୍ୱାଇଁ ସିନେମାରେ ଥାଆନ୍ତି । ବାସ୍ତବରେ ନୁହେଁ । ଦେଖ ତୁମ ଜ୍ୱାଇଁ ଝିଅକୁ ତା ବାପା-ମାଆଙ୍କ ପାଖକୁ ଛାଡୁଛି କି ନାହିଁ । ନିଜେ ଆସି ଶାଶୂଶ୍ୱଶୁରଙ୍କ କଥା ବୁଝିବା ତ ବହୁ ଦୂରର କଥା ।

 

ଏବେ ବାପାଙ୍କର ସେଇ କଥା ମନେ ପଡୁଥିଲା । ବାପା ତାକୁ ଖୁବ୍‌ ଭଲ ପାଆନ୍ତି । ତା ପାଟିରୁ କଥା ନସରୁଣୁ ସେ ଚାହୁଥିବା ଜିନିଷ ଆଣି ତା ହାତ ପାଖରେ ପହଞ୍ଚାଇ ଦିଅନ୍ତି । ତାଙ୍କ ମନରେ ସେ ଦୁଃଖ ଦେଇପାରିବ ନାହିଁ । ଏବେ ତ ପୁଣି ତାଙ୍କ ଦେହ ଖରାପ । ଅଧିକ କଷ୍ଟ ହେଲା ଭଳି କିଛି ତାଙ୍କୁ କହିବା ଠିକ୍‌ ହେବ ନାହିଁ ।

 

ସେ ଆଖି ବୁଜିଦେଲା ଏବଂ ନିଜର ସୁଖଦୁଃଖକୁ ଅଦୃଷ୍ଟ ହାତରେ ଛାଡ଼ିଦେଲା । ଯାହା ହେବାର ଥିବ ତାହା ହିଁ ହେବ । ତା’ର ମୋବାଇଲ୍‌ ଫୋନ୍‌ଟା ବାଜି ଉଠିଲା । ସେପଟରୁ ମାଆ ଫୋନ୍‌ କରୁଥିଲେ । ପଚାରୁଥିଲେ, ଟ୍ରେନ୍‌ରେ ସିଟ୍‌ ମିଳିଲା ନା ନାହିଁ ।

 

ସୋନି କହିଲା, ମୁଁ ଇ-ଟିକେଟ୍‌ କରିଥିଲି ଓ ଆଗରୁ ଏହା କନଫର୍ମ ହୋଇଥିଲା । ଆରାମରେ ବସିଛି । ସେ ପଚାରିଲା ତା’ପରେ, ବାପାଙ୍କ ଦେହ କେମିତି ଅଛି? ମୁଁ ତୋ ସାଙ୍ଗେ କଥା ହେବାକୁ ଚାହୁଥିଲି, କିନ୍ତୁ ଫୋନ୍‌ ଲାଗୁ ନଥିଲା ।

 

: ନେଟ୍‌ୱାର୍କ କାମ କରୁ ନଥିବ । ବାପାଙ୍କ ଦେହ ଭଲ ଅଛି । ତୋ ଆସିବା ବାଟକୁ ସେ ଅନେଇଛନ୍ତି ।

ସୋନି ଫୋନ୍‌ ରଖିଦେଲା । ଘରେ ପହଞ୍ଚୁ ପହଞ୍ଚୁ ପୁଣି ବାପାଙ୍କର ସେଇ ପୁରୁଣା ରେକର୍ଡ଼ ବାଜିବ- ‘ବଂଶରକ୍ଷା’ । କ’ଣ ଯେ ତା’ର ଅର୍ଥ! ମଣିଷଟେ ମରିଗଲା ପରେ ତା ପରିବାରରେ କିଏ ରହିଲେ କି ନରହିଲେ ସେଥିରେ ତା’ର ଲାଭ କ’ଣ? ଏକଥାଟି ତାକୁ କିଭଳି ବା ସାହାଯ୍ୟ କରିବ? ଏବେ ଯେଉଁ ମଣିଷମାନେ ଅଛନ୍ତି ସେମାନେ କିଏ କେଉଁ ବଂଶର ସେ ନେଇ କି ଦୃଢ଼ ପ୍ରମାଣ ଅଛି? ଯେତେସବୁ ରକ୍ଷଣଶୀଳ ଧାରଣା ।

 

ସୋନି ଭାବିଲା, ବାହାଘରଟା ମୁଖ୍ୟତଃ ମଣିଷର ଗୋଟେ ଜୈବିକ ଆବଶ୍ୟକତା । ତା ଉପରେ ସାଂସ୍କୃତିକ ପରିଚିତିଟା ଜୋର୍‌ଜବରଦସ୍ତ ମଡ଼େଇ ଦିଆଯାଇଛି । ଦେହ ହିଁ ଏଠି ମୁଖ୍ୟ । ଯେଉଁଠି ଦେହ ପ୍ରତି ଆକର୍ଷଣ ନାହିଁ, ସେଇଠି ବାହାଘର ଶୀଘ୍ର ଭାଙ୍ଗିଯାଉଛି । ମାତ୍ର ସିଏ ଏପର୍ଯ୍ୟନ୍ତ ଦେହର ସେ ଆକର୍ଷଣ କଥାଟିକୁ ଥରେ ହେଲେ ଅନୁଭବ କରିନାହିଁ । ଯେଉଁ ପର୍ଯ୍ୟନ୍ତ ଦେହ କି ମନ ବାହାଘର ଲାଗି ପ୍ରସ୍ତୁତ ହୋଇନାହିଁ, ସେତେଦିନ ପର୍ଯ୍ୟନ୍ତ ବାପା-ମା’ କେବଳ ଚାହୁଛନ୍ତି ବୋଲି ସେ ‘ହଁ’ କହିଦେବ କିପରି?

 

- ମାଆ କହେ, ଏତେସବୁ କଥା ତୁମେ ଏଇ ଯୁଗର ଝିଅମାନେ ଭାବୁଛ । ଆମ ପାଇଁ ସେସବୁ ଭାବିବା ନିଷିଦ୍ଧ ଥିଲା । ବାପା-ମା’ ଯାହା ସାଙ୍ଗରେ ଗାଈ ବଳଦ ପରି ଛନ୍ଦିଦେଲେ ସିଏ ହେଲା ତୁମ ବର । ତାଆରି ସାଙ୍ଗରେ ସଂସାର କରିବା ଓ ତା’ର ସେବା କରିବା ତୁମର ଧର୍ମ । ତାହାଠାରୁ ଅଲଗା କିଛି କରି ବସିବା ତ ବହୁତ ବଡ଼ କଥା, ଭାବିବା ସୁଦ୍ଧା ପାପ ।

 

ସୋନି ଆଶ୍ଚର୍ଯ୍ୟ ହୁଏ ନାହିଁ । ଆଜି ବି ଅନେକ ଦେଶରେ ସେହି ପରମ୍ପରା ଚାଲିଛି । ନାରୀର ଗରୁତ୍ୱ ନାହିଁ । ତା ଭଲମନ୍ଦ କଥା ଅନ୍ୟମାନେ ଚିନ୍ତା କରିବେ । ସିଏ ଗୋଟିଏ ସାମଗ୍ରୀ କିମ୍ବା ଖଣ୍ଡିଏ ଜମି । ଆରବ ଦେଶର ବୁଢ଼ାମାନେ ତ ପଇସା ଦେଇ ନିଜର ଦେହସୁଖ ନିମନ୍ତେ ଆଜି ବି ନାତୁଣୀ ବୟସର ଝିଅଙ୍କୁ କିଣି ଆଣି ବାହା ହେଇ ପଡୁଛନ୍ତି । ନାରୀମାନଙ୍କର ଭାଗ୍ୟ ଆଜି ବି କୋଉଠି ସଂପୂର୍ଣ୍ଣ ବଦଳିଲାଣି?

 

ସେ ବାପା-ମାଆଙ୍କୁ ଭେଟିବା ଲାଗି ଓ ତାଙ୍କ ପ୍ରଶ୍ନର ଉତ୍ତର ଦେବାଲାଗି ନିଜକୁ ନିଜେ ପ୍ରସ୍ତୁତ କରୁଥିଲା । ତା’ର ଇଚ୍ଛା, ଏବର୍ଷ ଗୋଟେ ଯୋଡ଼େ ଡକ୍ୟୁମେଣ୍ଟାରି ଫିଲ୍ମ ତିଆରି କରିବ । ଉଲ୍ଲେଖନୀୟ କିଛି କାମ କରିସାରି ହିଁ ସେ ବାହାଘର ବିଷୟରେ ନିଷ୍ପତ୍ତି ନେବ ।

 

ଟ୍ରେନ୍‌ଟା ଦ୍ରୁତ ଗତିରେ ଧାଉଁଥିଲା ।

ମନକୁ ମନ କହିଲା, ମାଆ ପଚାରିଲେ କହିଦେବ, ‘‘ମୋ ବାପାଙ୍କ ପରି ଭଲ ପୁଅଟିଏ ପାଇଲେ ଖବର ଦେବୁ । ମୁଁ ତାଙ୍କୁ ବାହା ହୋଇ ପଡ଼ିବି ।’’

 

ପାଟପୁର ହାଟର ବିଜୁଳି ଖୁଣ୍ଟରେ ବତି ଜଳିଲାଣି ।

ଜଳଧର ପଚାରିଲା, ‘‘ଚିଠିଟା ଲେଖାଗଲା?’’

ଗୋବିନ୍ଦ ପରିଡ଼ା ଜଳଧରଙ୍କୁ ଆଖିଟେକି ଅନେଇଲା । ଆଜି ତା ଚେହେରା ଟିକିଏ ଅଲଗା ଦିଶୁଥିଲା । ମଳିଛିଆ କୁର୍ତା ପାଇଜାମା ବଦଳରେ ଜଳଧର ପିନ୍ଧିଥିଲା ସଫା ପ୍ୟାଣ୍ଟ୍‌ ସାର୍ଟ । ସାର୍ଟ ଉପରେ ଗୋଟେ କଳାରଙ୍ଗର ଜ୍ୟାକେଟ୍‌ ବି ପିନ୍ଧିଥିଲା । ଗୋବିନ୍ଦ ପଚାରିଲା, ‘‘କିହୋ, ଆଜି ତ ପୂରା ଅଲଗା ବେଶପୋଷାକ । କଥା କ’ଣ?’’

 

: ସୁବର୍ଣ୍ଣରେଖା ଅପେରାର ମ୍ୟାନେଜର ହେବି । ସମସ୍ତେ ସ୍ଥିର କରିଛନ୍ତି, ସାଆନ୍ତଙ୍କ ଅପେରା ପାର୍ଟିର ଦାୟିତ୍ୱଟା ମୋତେ ଦେବେ । ଭେକ ନଥିଲେ ତୁମକୁ ଭିକ କିଏ ଦେବ, କହୁନ!

 

: ଭଲ ହେଲା । ଖୁବ୍‌ ଭଲ ହେଲା । ଆମକୁ ତାହାହେଲେ ମଝିରେ ଖଣ୍ଡେ ଖଣ୍ଡେ ମାଗଣା ଟିକେଟ୍‌ ମିଳିବ ।

: ସନା ଦାସଟା ହଟିଲେ ସିନା ସେସବୁ ସମ୍ଭବ ହେବ । ନହେଲେ ସେ କ’ଣ ମୋତେ ଏ ବେପାରରେ ପୂରେଇ ଦେବ? ହଉ, ସେକଥା ପଛରେ । କ’ଣ ଲେଖିଛ ଟିକିଏ ମୋତେ ଶୁଣେଇଲ । - ଜଳଧର ଅଧୈର୍ଯ୍ୟ ହେଉଥିଲା ।

 

ଗୋବିନ୍ଦ ପରିଡ଼ା କହିଲେ, ‘‘ଗୁପ୍ତା ଦୋକାନ ଆଡ଼େ ଚାଲୁନ । ସେଇଠି ଟିକେ ନିରୋଳାରେ ବସିବା । ମୁଁ ବି ମୁଖ୍ୟ କଥାବସ୍ତୁଟା ଶୁଣେଇବି । ହେଲେ ତୁମେ ତ କିଛି ମଂଜିକଥା ଏ ପର୍ଯ୍ୟନ୍ତ କହିଲ ନାହିଁ! ଚିଠିଟା ପୂରା ହେବ କିପରି?’’

 

: ସେଦିନ ପରା ଏତେ କଥା କହିଲି । ଆଚ୍ଛା ତୁମେ ଯେ ସେ ଇଲେକ୍‌ସନ୍‌ ତଥ୍ୟ ଆଣିବ ବୋଲି କହୁଥିଲ ସେକଥା କେତେ ବାଟ ଗଲା ।

 

: ଏ ଦେଶରେ କୋଉ କଥା କ’ଣ ଶୀଘ୍ର ହୁଏ? ମାସଟେ ଟାଇମ୍‌ ଲାଗିବ । ସେଇଟା ପରା ସରକାରଙ୍କ ନିୟମ ।

: ଗୋଟାଏ ମାସ! ଆଚ୍ଛା, ଆଚ୍ଛା ହଉ ଅପେକ୍ଷା କରିବା । କୋଉ ମିଛ ‘ଆଫିଡାଭିଟ୍‌’ କଥାଟା ପ୍ରମାଣ ହୋଇଗଲେ ବୃନ୍ଦାବନ ସାଂଗେ ସାଂଗେ ଇସ୍ତଫା ଦେଇଦେବ ନା ଏ ସାମନ୍ତରା ଏମ୍‌ଏଲ୍‌ଏ ହେଇଯିବ । ଖାଲି ଯାହା ଓକିଲ ପୋଷା ଯିବେ ।

 

: ହଁ, ତାହା ନୁହେଁ ଆଉ କ’ଣ? ତେବେ ଏ ଅଞ୍ଚଳରେ ଗୋଟେ ଚର୍ଚା ହେବ । ପଲିଟିକ୍‌ସଟା ଗରମ ହେଇଯିବ ।

: ହେଉ, ସେ ସନା ଦାସ ଖବର କ’ଣ? ଶୁଣିଲି ତା ପୁଅ ରେଳବାଇରେ ଗୋଟେ ଭଲ ଚାକିରି ପାଇଯାଇଛି ।

 

: ଏଇଠୁ ଯୋଉ ପଇସା ମାରୁଛି ସେଇଥିରୁ ପୁଳାଏ ଲାଞ୍ଚଦେଇ ପୁଅ ଲାଗି ଚାକିରିଟେ ଖର୍ଦି କରିଥିବ । ତାକୁ କୋଉ କଥା ଅଜଣା! - ଜଳଧର ବ୍ୟସ୍ତ ସ୍ୱରରେ କହିଲା ।

 

ଗୋବିନ୍ଦ ପଚାରିଲା, ଲୋକଟା ବହୁବର୍ଷ ହେଲା ସେଇଠି ରହିଲାଣି । ଖଣ୍ଡେ ଦି’ଖଣ୍ଡ ଚିଠିରେ ସାଆନ୍ତରା ଆଉ ସନାଦାସଙ୍କ ଭିତରେ ଫାଟ ସୃଷ୍ଟି କରିବା କଷ୍ଟ ହେବ । କିଛି ନିଦା ପ୍ରମାଣ ବି ଦରକାର । ସେକଥା କିନ୍ତୁ ତୁମେ ବୁଝିବ ।

 

: ହେଲା । ବୁଝିବି । ମାତ୍ର ଉପାୟ କ’ଣ କୁହ?

: ସାମନ୍ତରାଙ୍କ ମନରେ ସନ୍ଦେହ ସୃଷ୍ଟି କରିବାକୁ ପଡ଼ିବ । ସନାତନ ଦାସ ତାଙ୍କ କଥା ଶୁଣୁନାହିଁ । ଗୋଟିଏ କାମ କହିଲେ ଓଲଟା କାମ କରୁଛି । ତା ମନରେ ତାଙ୍କ ପ୍ରତି ଆଗ ସମ୍ମାନ ନାହିଁ । ସେ ଜାଗାରେ ପୁଳାଏ ଅହଙ୍କାର ଭର୍ତି ହୋଇଗଲାଣି ବୋଲି ବତେଇ ଦେବାକୁ ପଡ଼ିବ । ତାହା ହେଲେ ଯାଇ ଆମ କାମଟି ସହଜ ହେବ ।

 

ଜଳଧର ଏସବୁ ବୁଝି ପାରୁ ନଥିଲା । ଭିତରେ ଭିତରେ ସେ ରାଗରେ କୁହୁଳୁଥିଲା । ଏଥର ବଡ଼ ସାମନ୍ତରାଙ୍କ କାମରେ ସିଏ ପୁରୀ ଯିବାକୁ ଆଗ୍ରହ ଦେଖେଇଥିଲା । ସାମନ୍ତରା ବି କହିଥିଲେ, ‘‘ଜଳଧର ଚିହ୍ନା ପରିଚିତ । ଗଲେ କିଛି କ୍ଷତି ନାହିଁ ।’’ କିନ୍ତୁ ସନା ଦାସ ସେତକ କରେଇ ଦେଲାନାହିଁ । ତା’ର ମନ ସବୁ ସରତକ ସିଏ ଏକୁଟିଆ ଚାଟିଚୁଟି ଖାଇବ ।

 

ଜଳଧର ଏମିତି ରାଗିବାର କାରଣ ଥିଲା । ତା’ ବାପା ଶଶଧର ଏଇ ସାମନ୍ତରାଙ୍କ ଘରେ ଗୁମାସ୍ତା ଥିଲେ । ସେଇ ନ୍ୟାୟରେ ସିଏ ବି ସାମନ୍ତରାଙ୍କ ସିରସ୍ତାରେ ଗୁମାସ୍ତା ହୋଇଥାଆନ୍ତା । ମାତ୍ର ମଝିରେ ପଶିଆସିଲେ ଏଇ ବେତନଟୀ କରଣ । ତିନି ପୁରୁଷ ଧରି ଚାଲି ଆସିଥିବା ପରମ୍ପରା ଭାଙ୍ଗିଗଲା ।

 

ଜଳଧର ହଳଲଙ୍ଗଳ ଧରିବାକୁ ଘୃଣା କରେ । ତା’ର ଯୁକ୍ତି, ଅନ୍ୟ ପଶୁଙ୍କ ମୁଣ୍ଡରେ ବୁଦ୍ଧି ନାହିଁ ବୋଲି ସେମାନେ ଶାରୀରିକ ପରିଶ୍ରମ କରନ୍ତି । ବିଧାତା ତ ମଣିଷ ମୁଣ୍ଡରେ ବୁଦ୍ଧି ଦେଇଛନ୍ତି । ସିଏ ସେଇ ବୁଦ୍ଧି ନ ଖଟେଇ ବଳଦଗୁଡ଼ାଙ୍କ ପରି ବଳ ଖଟେଇବ କାହିଁକି? ତେବେ ଏଇ କିଛିବର୍ଷ ହେଲା ସେ ଗୋଟେ ଭଲ ଉପାୟ ପାଇଛି । ନିର୍ବାଚନରେ ଛିଡ଼ା ହେବାଲାଗି ସାମନ୍ତରାଙ୍କୁ ଉସୁକେଇ ସେଥିରୁ ଦି’ ପଇସା ଉପାର୍ଜନ କରୁଛି । ତା ସାଙ୍ଗକୁ ନିଜ ଦୁଃଖସୁଖ କହି ମଝିରେ ମଝିରେ ଧାରଉଧାର ନାଆଁରେ ମଧ୍ୟ କିଛି କିଛି ନେଉଛି । ଏଥର ନିର୍ବାଚନରେ ହାୱା ଅନ୍ୟ ପ୍ରକାର ଥିଲା । ସାମନ୍ତରା ଜିତିଯିବେ ବୋଲି ସେ ଭାବିଥିଲେ । ମାତ୍ର ହାରିଗଲେ । ହଁ, ହାରିଗଲେ ଭଲ ହେଲା । ଜିତି ଯାଇଥିଲେ ତାକୁ ପଚାରି ନଥାନ୍ତେ । ତା’ଛଡ଼ା ସାମନ୍ତରା ହାରିଗଲେ ବି ତା’ର କ୍ଷତି ହୋଇନାହିଁ । ସିଏ ଯେତକ ଯାହା ଆଦାୟ କରିବା କଥା ସେତକ କରିସାରିଛି ।

 

ଗୋବିନ୍ଦ କହିଲା, ହଁ ନିର୍ବାଚନ ହାରଜିତ୍‌ର ଖେଳ । ସେଥିରେ ଆମର କରିବାର କ’ଣ ଅଛି?

ଜଳଧରର ମୁଣ୍ଡଟା ବୁଦ୍ଧିର ଖଣି । ସେଥିଲାଗି ସାମନ୍ତରାଙ୍କ ଏକନମ୍ବର କର୍ମୀ ହୋଇ ମଧ୍ୟ ସେ ଅକାଳେ ସକାଳେ ବୃନ୍ଦାବନ ମହାନ୍ତିଙ୍କ ଘରକୁ ଯାଇ ମୁଣ୍ଡିଆଟେ ମାରିଦେଇଆସେ । ସେ ତା ଚିନ୍ତାରୁ ବାହାରିଆସି କହିଲା, ‘‘ତମେ ତ ଯାହା କହିଲଣି, ସିଏ ଅଠରଖଣ୍ଡ ମହାଭାରତ ଲେଖିବା କଥା । ମୋର କିନ୍ତୁ ଏତେ କଥା ଲାଗି ଧେର୍ଯ୍ୟ ନାହିଁ । ଯାହା କରୁଛ ଚଟାପଟ୍‌ କର ।’’

 

ଗୋବିନ୍ଦ ହସିଲା । ପ୍ରସଙ୍ଗ ବଦଳେଇବା ଲାଗି ପଚାରିଲା, ‘‘ଆଚ୍ଛା ସାମନ୍ତରାୟଙ୍କ ଦେହ ପରା ଖରାପ । ତମକୁ ଅପେରା ପାର୍ଟି ମ୍ୟାନେଜର କଲା କିଏ? ତୁମେ ହେଲ କେମିତି?’’

 

: ହୋଇନାହିଁ, ହେବି । ରମାକାନ୍ତ ମହାପାତ୍ର ମୋତେ କଥା ଦେଇଛନ୍ତି । ସିଏ ସାମନ୍ତରାଙ୍କ ବିଜିନେସ୍‌ ପାର୍ଟନର । ସିଏ ଯାହା କୁହନ୍ତି, ସାମନ୍ତରା ପ୍ରାୟ ସେଇଆ କରନ୍ତି । ସିଏ କହିଛନ୍ତି, ମୁଁ ମ୍ୟାନେଜର ହେବି । ପୁଣି ମୋର ଏ ଦିଗରେ ବହୁତ ଅଭିଜ୍ଞତା ଅଛି ।

 

ଗୋବିନ୍ଦ ଅନେଇଲା । ଜଳଧରର ଏ ପ୍ରତିଭା ବିଷୟରେ ସିଏ ଆଗରୁ କିଛି ଜାଣି ନଥିଲା ।

ସେମାନେ ଗୁପ୍ତା ବିଦେଶୀ ମଦ ଦୋକାନ ପାଖରେ ପହଞ୍ଚି ସାରିଥିଲେ ।

ଜଳଧର କହିଲା, ‘‘ଟ୍ରକ୍‌ ବେପାର ପୁଅକୁ ଧରେଇ ଦେଇଛି । ସିଏ ସେକଥା ବୁଝିବ । ହାଟ ଉପର ଧାନକଳ କଥା ସାନ ବୁଝୁଛି । ଗାଁ ତେଜରାତି ଦୋକାନ କଥା ମଝିଆଁ ବୁଝାବୁଝି କଲାଣି । ମୁଁ ଏବେ ସଂପୂର୍ଣ୍ଣ ସ୍ୱାଧୀନ । ତେଣୁ ସାମନ୍ତରାଙ୍କ ଅପେରା ପାର୍ଟି କଥା ବୁଝିବି ।’’

 

ଗୋବିନ୍ଦ କହିଲା, ହଇଓ ଜଳଧର, ତୁମର ଲୋଭ ତ କମ୍‌ ନୁହେଁ! ମୁଁ ଯେତିକି ଜାଣେ, ତୁମ ବାପା ମରିଗଲା ବେଳକୁ ତୁମେ ଦଶବର୍ଷର ପିଲା ହୋଇଥିଲ । ସାମନ୍ତରାଙ୍କ ଘରର ଗାଈବଳଦ ଚରଉ ଚରଉ ଦି’ ଅକ୍ଷର ପାଠ ପଢ଼ିଲ । ସେଇଠୁ ଆସି ଆଜି ଲକ୍ଷପତି ହେଲଣି । ପୁଣି ସାମନ୍ତରାଙ୍କ ଜମିବାଡ଼ି ପଛେ ବିକାଯାଉଛି, ତୁମର ପ୍ରତିବର୍ଷ କିଣାଯାଉଛି । ଏଥର ନିର୍ବାଚନ ପଇସାରେ ଖଣ୍ଡେ ଜମି କ’ଣ ତୁମେ କିଣି ନଥିବ!

 

ଜଳଧର କହିଲା, ଟିକେ ତୁନି ତୁନି କୁହ । ଏସବୁ କଥା କ’ଣ ଏମିତି ହାଟଘାଟରେ ଚର୍ଚା ହୁଏ? ମୋତେ ଲାଗୁଛି ତମେ ବୋଧହୁଏ ସନା ଦାସ ସାଙ୍ଗରେ କେତେବେଳେ ବସିଥିଲ । ନହେଲେ ଏ ମିଛ କଥାଗୁଡ଼ାକ ତମକୁ କିଏ କହିଲା? ତା’ପରେ ସେ ପଛକୁ ମୁହଁ କରି ଡାକିଲା, ‘‘ଆରେ ମିକ୍‌ଶ୍ଚର ଆଉ ଗିଲାସ ପଠେଇଲୁ ନା ନାହିଁ? ସେ ଅରୁଣ କୁଆଡ଼େ ଗଲା କି?’’

 

ଦିହେଁ ମଦ ଦୋକାନର ପଛପଟ ଘରେ ବସିଥିଲେ । ଏଇ ଛୋଟ କୋଠରିଟିରେ ଦିନରେ ଅଫିସ୍‌ କାମ ଚାଲେ । ଜଳଧର ଏଠିକାର ନିୟମିତ ଗ୍ରାହକ ।

 

ପିଲାଟିଏ ଗୋଟେ ପ୍ଲେଟ୍‌ରେ ବାଦାମ ଭଜା, ଦିଇଟି ଗିଲାସ ଏବଂ ଗୋଟିଏ ହ୍ୱିସ୍କି ବୋତଲ ଆଣି ରଖିଦେଇଗଲା ।

ଗୋବିନ୍ଦର ମୁହଁ ଉତ୍ସାହିତ ଦିଶିଲା । ସେ ପଚାରିଲା, ‘‘ଆଚ୍ଛା ଜଳଧର, ସାମନ୍ତରାଙ୍କ ଘର ଭିତରେ ତୁମର କେହି ନିଜର ଲୋକ ଅଛନ୍ତି ନା ନାହିଁ?’’

 

ଜଳଧର ପଚାରିଲା, ‘‘କାହିଁକି?’’

: ଓହୋ, ଆଗେ ମୋ କଥାର ଉତ୍ତର ଦିଅ ।

ଜଳଧର କିଛି ଭାବିଲା ଭଳି ମୁହୂର୍ତେ ନିରବ ରହିଲା ଏବଂ ଉତ୍ତର ଦେଲା, ‘‘ଅଛି । ତାଙ୍କ ଚାକର ଟୋକାଟା ମୋଠାରୁ ମଝିରେ ମଝିରେ ପଚାଶ ଶହେ ନିଏ । ସିଏ ମୋ କଥା ଶୁଣିବ । ତା’ଛଡ଼ା ତାଙ୍କ ଘରର ରୋଷେଇଆ ବି ମୋର ପରିଚିତ ଲୋକ ।’’

 

: ଭଲ କଥା । ଏବେ ମୋତେ ସେ ସନା ଦାସ ବାବଦରେ ଟିକେ ସବିସ୍ତାରେ କୁହ ।

ଜଳଧର ଗିଲାସରେ ପାଣି ଓ ପାନୀୟ ସଜାଡ଼ି ଦେଲା । ବାଦାମରୁ ଚାରି ପାଞ୍ଚଟା ମଂଜି ପାଟିରେ ପକେଇ କହିଲା, ‘‘ସେ ବଜ୍ଜାତ୍‌ର ନିଜ ଘର ମୟୂରଭଞ୍ଜ ଜିଲ୍ଲା ବେତନଟୀ । ସାମନ୍ତରାୟଙ୍କ ବାପା ଥରେ ମୟୂରଭଞ୍ଜର ବଳରାମ ବାବା ମଠକୁ ଯାଇଥିବାବେଳେ ଏଇ ସନା ଦାସ ତାଙ୍କୁ ଭେଟିଥିଲା । ସେ ବୁଢ଼ାର ସଂସ୍କୃତ ଶାସ୍ତ୍ର ଉପରେ ଟିକେ ଦଖଲ ଥିଲା । ଇଏ କଅଣ ଦି’ ଚାରି ପଦ ଶ୍ଳୋକ ବୁଢ଼ାଙ୍କୁ ଶୁଣେଇଥିଲା । ତା’ପରେ ତ ଇଏ ଆସି ପାଟପୁରରେ ମ୍ୟାନେଜର । ତା ସ୍ତ୍ରୀ ଦଶବର୍ଷ ତଳୁ ମରିଗଲାଣି, ତମେ ଜାଣିଛ । ଗୋଟିଏ ପୁଅ, ତା କଥା ତ ଆମେ ଏବେ ଆଲୋଚନା କରୁଥିଲେ । ଲୋକଟାର ବେତନଟୀ ପାଖାପାଖି ଗାଁରେ କିଛି ପୈତୃକ ଜମିବାଡ଼ି ଅଛି । କିନ୍ତୁ ସେସବୁ ସିଏ ତା ସାନଭାଇର ପୁଅଙ୍କୁ ଛାଡ଼ିଦେଇଛି । ମଝିରେ ମଝିରେ ଦିନେ କି ଦି’ ଦିନ ପାଇଁ ଯାଏ । ନହେଲେ ତ ଏଇଠି ସବୁଦିନେ ଗୁଡ଼ ପାଖରେ ଜନ୍ଦା ପରି ପଡ଼ିକି ଥାଏ ।’’

 

ସାମନ୍ତରାୟଙ୍କର ତା ଉପରେ ଏତେ ବିଶ୍ୱାସ ରହିବାର କାରଣ କ’ଣ? - ଢୋକେ ପିଇଦେଇ ଗୋବିନ୍ଦ ପଚାରିଲା ।

ଜଳଧର ଲମ୍ବା ଢୋକଟେ ମାରିଲା । ଆଖି ବଡ଼ ବଡ଼ କରି କହିଲା, ‘‘ତେଲ ମାଲିସ୍‌ । ଇଏ ପରା ସକାଳୁ ସଂଜ ତେଲ ମାଲିସ୍‌ କଲା ଭଳି କହୁଥିବ- ଆମ ବାବୁଙ୍କ ମୁହଁ ସୁନ୍ଦର, କଥା ସୁନ୍ଦର, ମୁଣ୍ଡ ସୁନ୍ଦର, ଆଉ ଗା.... ।

 

: ହେ, ହେ । ଥାଉ, ଥାଉ ସେଇଠି ରୁହ । - ହସି ହସି ଗୋବିନ୍ଦ କହିଲା ।

: ତୁମେ ଯାହା କୁହ, ସେ ଶଳାଟିର କଥା ମନେ ପଡ଼ିଲେ ମୋ ମୁଣ୍ଡ ଗରମ ହୋଇଯାଉଛି । କିହୋ, ଖଳାରେ ପାହାଡ଼ ପ୍ରମାଣେ ଧାନ ଗଦା ହୋଇଛି । କୁଆ ସେଥିରୁ ଦି’ ଚାରି ଖୁମ୍ପା ନେଇଗଲେ କ’ଣ ଗଦା କମିଯାଉଛି! ଇଏ ଧେଡ଼ କୁକୁର ପରିକା ସବୁବେଳେ ଜଗିକି ବସୁଛି । ଏଇଟା ନଥିଲେ ଏତେବେଳକୁ ମୁଁ.... । ଜଳଧର ତା ଗିଲାସର ମଦତକ ତେଣ୍ଡିଦେଲା ।

 

ଗୋବିନ୍ଦ ଉତ୍ସାହିତ କଲା ପରି ପଚାରିଲା, ‘‘କୁହ, କୁହ । ଅଟକ ନାହିଁ । ମୁଁ ତମ ମନକଥା ବୁଝିପାରୁଛି । ତେବେ ସବୁକଥା ନ ଜାଣିଲେ ଆମେ କୌଶଳ ସ୍ଥିର କରି ପାରିବା ନାହିଁ ।’’

 

: ଦେଖ ଗୋବିନ୍ଦ । ତମେ ମୋର ପୁରୁଣା ସାଙ୍ଗ, ମୋର ବିଶ୍ୱସ୍ତ ବନ୍ଧୁ । ଏବେ ବି ସାମନ୍ତରାୟଙ୍କର ଭୁବନେଶ୍ୱର, କଟକ, ଭଦ୍ରକ, ନୂଆଗାଁ ହୋଇ ଚାରିଟା କୋଠା ଓ ଗାଁ ଆଉ ଏପାରି ସେପାରି ହୋଇ ଶହେ ଏକର ଜମି ଅଛି । କଟକ ଆଉ ଭଦ୍ରକର ତଳ ମହଲାରେ ଗୋଛାଏ ଦୋକାନ । ଏଠି ଏଇ ଯୋଉ ଖଂଜାଘର, ତା ତଳେ ସୁନା ବିସ୍କୁଟ୍‌ ଅଛି । ଏହାଙ୍କ ବାପା ସେସବୁ ଗଢ଼େଇ ରଖି ଯାଇଛନ୍ତି । ତା ସାଙ୍ଗକୁ ମହାଜନୀ କାରବାର । ଘଣ୍ଟେଶ୍ୱରରେ କରତକଳ, ବିଜୟପାଟଣାରେ ନଡ଼ିଆ ଫାର୍ମ । ସେ ଫାର୍ମଟାରେ ପରା ସାମନ୍ତରାୟଙ୍କର ଦଶହଜାର ନଡ଼ିଆ ଗଛ ଅଛି । ଏପଟେ ଏତେ ସଂପତ୍ତି, ଖାଇବା ପାଇଁ ଲୋକ ମାତ୍ର ତିନିଟି । ଝିଅଟି ତ ବାହାହୋଇ ଶାଶୂଘର ପଳେଇବ । ହେଇ ହେଇ ମୁଁ ଟଙ୍କା କିଛି ନେଇଥିବି । ପୁଣି କରଜ ହିସାବରେ, ଦାନ କି ଖଇରାତି ନୁହେଁ । ସେଇ ହିସାବକୁ ଏଇ ସନା ଦାସ ପ୍ରତି ହପ୍ତାରେ ସାମନ୍ତରାୟଙ୍କୁ ମନେ ପକଉଛି । ମୁଁ ଆଉ ଅଧିକା ତାଙ୍କୁ ମାଗିବି କ’ଣ?

 

ଗୋବିନ୍ଦ କହିଲା, ‘‘ହଉ, ଗିଲାସ ଖାଲି କର । ବ୍ୟସ୍ତ ହୁଅନାହିଁ । ହଁ, ଶୁଣିଲି, ତୁମେ ପରା ବାଲିପଡ଼ିଆରେ ଗୋଟେ କୋଠା କରୁଛ ।’’

 

ଜଳଧର ଚମକି ପଡ଼ିଲା । କହିଲା, ‘‘ହେ ରାମ୍‌ବୋଲ, ତୁମେ ବି ଶେଷକୁ ସେଇମାନଙ୍କ ପାଲରେ ପଡ଼ିଲ? ଚାରିବର୍ଷ କାଳ ଲାଗି ଲାଗି ଇନ୍ଦିରା ଆବାସ ଘରଟେ ପାଇଛି । ସେଇଟା କ’ଣ କୋଠାଘର?’’

 

: ତୁମେ ପୁଣି ଇନ୍ଦିରା ଆବାସ? ତମର କ’ଣ ଘରବାଡ଼ି ନାହିଁ? - ଆଶ୍ଚର୍ଯ୍ୟ ହୋଇ ଗୋବିନ୍ଦ ପଚାରିଲା ।

: ଏ ଯୁଗରେ ବିପିଏଲ୍‌ କାର୍ଡ଼ ଆଉ ଇନ୍ଦିରା ଆବାସ ଘର ଖଣ୍ଡେ ପାଇବା ଯେ କେତେ କଷ୍ଟ, ତୁମେ ଜାଣିପାରିବ ନାହିଁ । କାହିଁକି କେମିତି ବୃନ୍ଦାବନ ବାବୁର କଣ୍ଠରେ ସରସ୍ୱତୀ ବିଜେ ହେଲେ ମୁଁ ଜାଣିନାହିଁ, ମୋ ଲାଗି ସେ ଏ ଦିଇଟି ବ୍ୟବସ୍ଥା କରେଇ ଦେଇଛନ୍ତି ।

 

: ବୃନ୍ଦାବନବାବୁ ଏମ୍‌.ଏଲ୍‌.ଏ? - ଗୋବିନ୍ଦ ପଚାରିଲା ।

: ଧୀରେ କୁହ । କିଏ ଶୁଣିଲେ କହିବ, ସାମନ୍ତରାୟଙ୍କ ଲୋକ ଆର ଦଳ ସହ ନିଘନ ସମ୍ପର୍କ ରଖିଛି । ସେ ଲୋକଟି ଖରାପ ନୁହେଁ ।

 

: ହେ ଜଳଧର । ମୋତେ ସେଇ କାର୍ଡ଼ ଖଣ୍ଡିଏ କରେଇଦେଲ । ମୁଁ ତମ ଲାଗି ସବୁ କରିବି । ମୋର ଖଣ୍ଡେ ବିପିଏଲ୍‌ କାର୍ଡ଼ ଦରକାର ।

 

ଜଳଧର ଲକ୍ଷ୍ୟ କରୁଥିଲା, ଗୋବିନ୍ଦକୁ ନିଶା ଧରିଲାଣି । ତା ପାଟିର କଥାଗୁଡ଼ା ଏବେ ଗୋଟାଗୋଟା ହୋଇ ବାହାରୁନାହିଁ, ଖଣ୍ଡି ଖଣ୍ଡି ହୋଇ ବାହାରୁଛି । ସେ କହିଲା, ‘‘ତୁମେ ସନା ଦାସକୁ ହଟେଇ ଦିଅ, ମୁଁ ତମକୁ ଜମିଦାର କରିଦେବି । ଏ କାର୍ଡ଼ କଥା କ’ଣ କହୁଛ?’’

 

: ନାଇଁ, ନାଇଁ ମୋର ସେ କାର୍ଡ଼ ଖଣ୍ଡିଏ ଦରକାର ।

: ସେଗୁଡ଼ା ପରା ଦିଲ୍ଲୀ ସରକାର ସ୍ଥିର କରନ୍ତି । ଏଠି କ’ଣ ଆମେ ଚାହିଁଲେ ଖଣ୍ଡେ ଦି’ଖଣ୍ଡ ବଢ଼େଇ ପାରିବା? କିନ୍ତୁ ତମ କଥା ମୁଁ ବୁଝିବି । ସେଇଟା ମୋର ଦାୟିତ୍ୱ । ତୁମେ ମୋ ବାଟରୁ ସନା ଦାସକୁ ହଟେଇଦିଅ । ମୁଁ ହେବି ସାମନ୍ତରା କଂପାନିର ମ୍ୟା-ନେ-ଜ-ର । ତା’ପରେ ସେ ଦୁଇ ହାତକୁ ତଳ ଉପର କରି କହିଲା, ଦେଖିବ, ମୁଁ ତମକୁ କୋଉଠୁ ନେଇ କୋଉଠି ପହଞ୍ଚେଇ ଦେବି । - ଜଳଧର କଥା ସାରି ପାଟି କରି ଡାକିଲା, ‘‘ଆରେ, ମାଛଭଜା ଗଲା କୁଆଡ଼େ? ଶଳା, ଏଇ ବାଦାମଗୁଡ଼ାକୁ କ’ଣ ଆମେ ଖାଲି ଖାଉଥିବୁ?’’

 

ଗୋବିନ୍ଦ କହିଲା, ‘‘ଆଜି ମୋର ସୋମବାର ।’’

: ହେ, ହେ । ସୋମବାର ଶିବଙ୍କ ବାର । ସେଦିନ ବେଶି ଆଇଁଷ ଖାଇବା କଥା । ବୁଝିଲ? ଶିବ କହିଲେ, ମଶାଣିରେ ରୁହ, ପାଉଁଶ ବୋଳି ହୁଅ, ଗଂଜେଇ ଭିଡ଼ ଓ ଖୁସ୍‌ ରହୋ । ହା - ହା ।

 

ଗୋବିନ୍ଦ ବୁଝିଗଲା । ପ୍ରକୃତରେ ଏମିତି ବିଦେଶୀ ମଦ ସଂପୂର୍ଣ୍ଣ ମାଗଣା ମିଳିବା ସୁଲଭ ନୁହେଁ । ହାତରୁ କିଣି ମଦ ପିଇଲେ ସେଥିରେ ନିଶା ହୁଏନା । କେତେ ଖର୍ଚ ହେଲା କଥାଟା ଯଦି ମନରେ ରହିବ ତାହାହେଲେ ନିଶା ହେବ କେମିତି? ତେଣୁ ସେ କହିଲା, ‘ଠିକ୍‌ କଥା କହୁଛ । ବିଲ୍‌କୁଲ୍‌ ଠିକ୍‌ ।’

 

ଗୋବିନ୍ଦ ପରିଡ଼ା ବହୁ କୁଟୁମ୍ବୀ ଲୋକ । ଘରେ ଚାରି ଝିଅ ଓ ଦୁଇ ପୁଅ । ବୟସ ପଞ୍ଚାବନ କି ସତାବନ ହେବ, ଜଳଧରଠାରୁ ବଡ଼ । ବାପା ଥିବାବେଳେ ଗୋବିନ୍ଦ ଯାଇ ଭଦ୍ରକ କଚେରିରେ ନକୁଳ ନାୟକ ପାଖେ ଦଲିଲ ଲେଖାଲେଖି କାମ କରୁଥିଲା । ନକୁଳ ନାୟକ ଜେଲ୍‌ ଯିବା ପରେ ଏହାଙ୍କ କାମ ସୁଦ୍ଧା ବନ୍ଦ ହୋଇଗଲା । ଏବେ ଆସି ଗାଁରେ । ଚାଷବାସ ବିଶେଷ ନଥିଲେ ବି ଚଳିବାରେ କୌଣସି ଦିନ ଅସୁବିଧା ହୁଏ ନାହିଁ । ଅନ୍ୟମାନେ ଏହାର ରହସ୍ୟ ଜାଣନ୍ତି ନାହିଁ । ମାତ୍ର ଜଳଧର ପରି ଲୋକ ଜାଣନ୍ତି, ବେନାମି ଚିଠି ଲେଖିବା ଗୋବିନ୍ଦର ଗୋଟେ ବଡ଼ କାମ ।

 

ଜଳଧରର ଆଖିଯୋଡ଼ିକ ଛୋଟ ହୋଇ ଆସୁଥାଏ । ଚନ୍ଦାମୁଣ୍ଡର ସାମ୍ନାରେ ଗୋଟେ ହେଲେ କେଶ ନାହିଁ । ଆର ତିନିପଟେ ଧଳାକଳା କେଶ କେତୋଟି । ସିଏ ମଝିରେ ମଝିରେ ସେଗୁଡ଼ିକୁ ସାଉଁଳଉଥାଏ ।

 

ଗୋବିନ୍ଦ କହିଲା, ‘‘ବୁଝିଲ ଜଳଧର । ତମ ଚେହେରାକୁ ଏଇ ପୋଷାକଟା ବଢ଼ିଆ ମାନୁଛି । ତମେ ସେ ଧୋତିପଞ୍ଜାବୀ ଛାଡ଼ିଦିଅ । ପୂରାପୂରି ମ୍ୟାନେଜର ପରିକା ଦିଶୁଛ ।’’

 

ଜଳଧର ଉତ୍ସାହିତ ହେଲା । କହିଲା, ‘‘ଏଗୁଡ଼ା ଅପେରା ପାର୍ଟି ପୋଷାକ । ସାମନ୍ତରାୟ ପରା ‘‘ଦୁର୍ଗା ଗଣନାଟ୍ୟ’ କଂପାନିଟାକୁ କିଣି ପକେଇଲେ । ସେ କଂପାନିର ବଢ଼ିଆ ବଢ଼ିଆ ବେଶପୋଷାକ ଅଛି । ତୁମର ହଳେ ଦରକାର କି?’’

 

: ନାହିଁ, ନାହିଁ, ମୋର ଏ ଧୋତି କୁର୍ତା ଭଲ । - ଗୋବିନ୍ଦ ମନା କଲା ।

ଜଳଧର ଗିଲାସଟା ଖାଲି କରି କହିଲା, ‘‘ହଁ, ଚିଠି କଥାଟା ଟିକେ ଶୁଣାଅ । ସେଇଟା ତ ଅସଲ କାମ ।’’

ଗୋବିନ୍ଦ ନିଜ ଗିଲାସରେ ଆଉ ଗୋଟିଏ ପେଗ୍‌ ହୁଇସ୍କି ଢାଳିଲା । ମାଛଭଜାରୁ ଖଣ୍ଡେ ପାଟିରେ ଦେଇ ଗଁ ଗଁ କରି କହିଲା, ‘‘କହୁଛି-କହୁଛି । ଟିକିଏ ଧୈର୍ଯ୍ୟ ଧର ।’’

 

ଜଳଧର କହିଲା, ‘‘କିମିତି ଧୈର୍ଯ୍ୟ ଧରିବି? ତମକୁ ଯୋଉ ଘର ତୋଳିବା କଥା କହିଲି, ସେଇଥିପାଇଁ କିଛି ଟଙ୍କା ମାଗିବାକୁ ଯାଇ ଥାଆନ୍ତି । ମାତ୍ର ଏଇ ସନା ଦାସଟା ପରା ପୁରୁଣା କରଜ କଥା ମନେ ପକେଇ ହୁରୁଡେଇ ଦେବ ।’’

 

ଗୋବିନ୍ଦ କହିଲା, ‘‘ଅବ୍ୟର୍ଥ ଔଷଧ ସନ୍ଧାନରେ ଅଛି । ତୁମେ କଳ୍ପନା କରିପାରିବ ନାହିଁ । ବାହାରକୁ ସବୁ ଗୋଲଡଉଲ ଦିଶୁଥିବ, ମାତ୍ର ଭିତରେ ଭିତରେ ସେ ଔଷଧ ତା କାମ ଦେଖଉଥିବ ।’’

 

ଜଳଧର ଉତ୍ସାହିତ ହୋଇ ପଡୁଥିଲା । କହିଲା, ‘‘ତମକୁ ମୁଁ ଦଶ ହଜାର ଟଙ୍କା ଦେବି । ଦ-ଶ-ହଜାର । ମୋ କାମଟା କରିଦିଅ ।’’

 

ଗୋବିନ୍ଦ କହିଲା, ‘‘ଖାଲି ମାଛ ଗୁଡ଼ା । ଚିକେନ୍‌ ପକୋଡ଼ା ଟିକେ ମିଳନ୍ତା ନାହିଁ?’’

: କିହୋ, ଆଜି ପରା ସୋମବାର ବୋଲି କହୁଥିଲ ।

: କିହୋ, ଆଇଁଷ ଖାଇ ପାପ ତ କଲିଣି ଫେର୍‌ ଆଉ ଚିନ୍ତା କ’ଣ? କହିଲା, ଗୋଟାଏ ମଣିଷ ମାଇଲେ ଫାଶୀ, ଦଶଟା ମାଇଲେ ବି ସେଇ ଫାଶୀ ।

 

ଦିହେଁ ହୋ ହୋ ହେଇ ହସି ଉଠିଲେ ।

ତୋତେ ଦେଖିଦେଲି, ମୋ ଦେହ ଭଲ ହୋଇଗଲା । ହସି ହସି ଶିବପ୍ରସାଦ ଝିଅ ସୋନିକୁ କୋଳେଇନେଲେ । ସପ୍ତାହେ କାଳ ବିଛଣାରେ ପଡ଼ି ରହିବା ପରେ ଆଜି ଶିବପ୍ରସାଦଙ୍କୁ ଟିକେ ଭଲ ଲାଗୁଥିଲା ।

 

ସେ ତାଙ୍କ ମେଲାଘରେ ବସିଥିଲେ । ଏଇଟି ଘର ନୁହେଁ, ଗୋଟେ ହଲ୍‌ । ପଛପଟେ ଶାଗୁଆନ କାଠର ପ୍ରକାଣ୍ଡ ବହିଥାକ । କାଚ ସେପଟୁ ବହିଗୁଡ଼ିକ ଦିଶେ । ତା ଭିତରେ ଓଡ଼ିଆ, ଇଂରାଜି, ହିନ୍ଦୀ ଓ ବଙ୍ଗଳା ଭାଷାର ଅନେକ ବହି ଅଛି । ଶିବପ୍ରସାଦଙ୍କ ବ୍ୟକ୍ତିଗତ ପାଠାଗାର ଯେକୌଣସି ବେସରକାରୀ କଲେଜର ପାଠାଗାରକୁ ଟପିଯିବ । ସବୁଠୁ ବଡ଼କଥା ତାଙ୍କ ପାଖରେ ବହୁ ପୁରୁଣା ବହି ଅଛି । ଧର୍ମ, ଦର୍ଶନ, ସାହିତ୍ୟ, ରାଜନୀତି, ସମାଜ ବିଜ୍ଞାନ, ନୃତତ୍ତ୍ୱ ଏବଂ ଇତିହାସଠାରୁ ନେଇ ବିଭିନ୍ନ ଭାଷାରେ ଲିଖିତ ଗୀତା, ଭାଗବତ ଏବଂ ଉପନିଷଦ ମାନ ରହିଛି । ଏହାଛଡ଼ା, ପୃଥିବୀର ବଡ଼ ବଡ଼ ମଣିଷଙ୍କ ଜୀବନୀ ଏବଂ ଆତ୍ମଜୀବନୀ ତାଙ୍କ ପାଠାଗାରର ଏକ ବଡ଼ ବିଭାଗ । ବହିଥାକର ସାମ୍ନାପଟେ ଶିବପ୍ରସାଦଙ୍କ ବାପାଙ୍କର ବଡ଼ ଫଟୋ । ତା ଦେହରେ ଚନ୍ଦନର ବଡ଼ ମାଳଟିଏ ଝୁଲୁଛି । ମଝିରେ କୋଡ଼ିଏ ଜଣ ବସି ପାରିଲା ଭଳି କାଠ ତିଆରି ସୋଫା ଓ ଯୋଡ଼ିଏ ଗୋଲ୍‌ ଟି-ପୟ । ଖଣ୍ଡିଏ ଆରାମ ଚଉକିରେ ବସିଥିଲେ ଶିବପ୍ରସାଦ । ତାଙ୍କୁ ମଝିରେ ରଖି ତିନିପଟେ ଝିଅ ସୋନି, ପତ୍ନୀ ଏବଂ ମ୍ୟାନେଜର ସନାତନ ଦାସ । ସନାତନ ଛିଡ଼ା ହୋଇ ରହିଥିଲେ ।

 

ଶିବପ୍ରସାଦଙ୍କ ଚେହେରାରେ ସାମ୍ଭ୍ରାନ୍ତ୍ୟର ଛିଟା । ସେ ଧୋବ ଫରଫର ପଞ୍ଜାବୀ ଓ ଚଉଡ଼ା ନାଲି ଧଡ଼ିର ଧୋତି ପିନ୍ଧିଥାଆନ୍ତି । ଆଖିରେ କଳାଫ୍ରେମ୍‌ର ଚଷମା । କପାଳରେ ଛୋଟ ଚନ୍ଦନ କୁଙ୍କୁମ ଟିପା । ସକାଳୁ ସକାଳୁ ଏଇଟି ପତ୍ନୀ ଲଗେଇ ଦେଇଛନ୍ତି ।

 

ସନାତନ କହୁଥିଲେ, ‘‘ଆପଣ ଜଳଧରକୁ ଟାଣ କରି କୁହନ୍ତୁ । ଗଲା ସାତବର୍ଷ ଭିତରେ ସେ ଚାରିଲକ୍ଷରୁ ଅଧିକ ଟଙ୍କା ଆଡ୍‌ଭାନ୍ସ ନେଇସାରିଲାଣି । ମାତ୍ର ଶୁଝିବାର ନାଁ ଧରୁନାହିଁ । କେବଳ ସିଏ ନୁହେଁ, ସେମିତି ଆଉ ଆଠ ଜଣଙ୍କ ନାମରେ ମଧ୍ୟ ପଚାଶ ଷାଠିଏ ହଜାର ଟଙ୍କା ଗଡୁଛି । ମୋର ସନ୍ଦେହ, ଏସବୁ ଟଙ୍କା ମଧ୍ୟ ଅନ୍ୟମାନଙ୍କ ନାମରେ ସିଏ ନେଇ ହଡ଼ପ କରିଛି ।’’

 

ଶିବପ୍ରସାଦ ଗମ୍ଭୀର ମୁଦ୍ରାରେ ବସିଥିଲେ । ସନାତନଙ୍କୁ ସେ ଗତ ତିରିଶ ବର୍ଷ ହେଲା ଦେଖିଆସୁଛନ୍ତି । ଖାତକମାନଙ୍କ ସଂପର୍କରେ ସେ ଅବଶ୍ୟ ସବୁବେଳେ ଟାଣ କଥା କହନ୍ତି, ମାତ୍ର ଜଳଧର ସଂପର୍କରେ ତାଙ୍କର ମନ୍ତବ୍ୟ ଅତ୍ୟନ୍ତ କଠୋର ଥିଲା ।

 

ସୋନି କହିଲା, ‘‘ମୁଁ ଆସୁଛି । ତୁମର ଏ ଟଙ୍କା ପଇସା କାରବାର କଥା ଶୁଣିଲେ ମୋତେ ବିରକ୍ତ ଲାଗେ । ମୋର ଏଥିରେ କୌଣସି ଆଗ୍ରହ ନାହିଁ ।’’

 

ଶିବପ୍ରସାଦ କହିଲେ, ‘‘ସନାତନ, ତୁମେ ଟିକେ ଛାଡ଼ିକି ଆସ । ଆମେ ଏ ବିଷୟରେ କଥା ହେବା । ଜଳଧରକୁ ଖବର ପଠାଅ । ସେ ଆସି ମୋତେ ଭେଟିବ ।’’

 

ସନାତନ ମୁଣ୍ଡ ନୁଆଁଇ ଚାଲିଗଲେ । ମନକୁ ମନ କହିଲେ, ‘‘ଲକ୍ଷ ଲକ୍ଷ ଟଙ୍କା ଚୋର ଖାଇଯାଉଛନ୍ତି । ଅଥଚ ୟାଙ୍କର ସେ କଥା ଶୁଣିବାଲାଗି ବେଳ ନାହିଁ ।’’

 

ସନାତନ ଯିବାପରେ ଶିବପ୍ରସାଦ ମାଆ ଓ ଝିଅ ଦୁହିଙ୍କୁ ଲକ୍ଷ୍ୟ କରି କହିଲେ, ‘‘ମୁଁ ଗୋଟେ ଖାତାରେ ଆମ ସଂପତ୍ତି ବାଡ଼ିର ବିବରଣୀ ଲେଖିରଖିଛି । ସେଥିରେ ଆମର ବ୍ୟାଙ୍କ୍‌ ଆକାଉଣ୍ଟ୍‌, ପାସ୍‌ପୋର୍ଟ ନମ୍ବର ଏବଂ ଜୀବନବୀମାର ପଲିସି ନମ୍ବର ଗୁଡ଼ିକ ମଧ୍ୟ ଲେଖାହୋଇଛି । ଯଦି କେତେବେଳେ ମୋର କିଛି ହୋଇଯାଏ, ତାହାହେଲେ ତୁମେ ମାଆ-ଝିଅ କୌଣସି ସମସ୍ୟାରେ ପଡ଼ିବ ନାହିଁ । ନହେଲେ ତୁମେ ଘରକୋଣରେ ବସି କାନ୍ଦୁଥିବ, ତେଣେ ଚୋରମାନେ ଆମ ସଂପତ୍ତି ହଡ଼ପ କରି ବସିବେ ।’’

 

ଶିବପ୍ରସାଦଙ୍କ କଥାଗୁଡ଼ିକ ମା’-ଝିଅଙ୍କୁ ଭଲ ଲାଗିଲା ନାହିଁ । ସୋନି କହିଲା, ‘‘ସକାଳୁ ସକାଳୁ ଏପରି ଅଶୁଭ କଥା କହିବା ଉଚିତ ନୁହେଁ । ଯାହାଘରୁ ତୁମ ପରି ଲୋକ ଚାଲିଯିବେ ତା ପାଖେ ଅବଶିଷ୍ଟ ସଂପତ୍ତି ଆଉ ରହିବ କ’ଣ?’’

 

ଶିବପ୍ରସାଦ ହାତ ବଢ଼େଇ ଝିଅକୁ ପାଖକୁ ଟାଣି ନେଲେ । ତାଙ୍କ ଆଖି ଲୁହରେ ଜକେଇ ଆସିଲା ।

ସୋନି କହିଲା, ‘‘ମୋର ପ୍ରୋଜେକ୍ଟକୁ ସେଠି ସମସ୍ତେ ପ୍ରଶଂସା କରିଛନ୍ତି । ମୁଁ ଭାବୁଛି ମୋତେ ସେଇଠି ହିଁ କିଛି ଅଫର୍‌ ମିଳିଯିବ । କିନ୍ତୁ ତୁମ ଦେହ ଭଲ ନହେଲେ ମୁଁ ଯିବି କେମିତି?’’

 

ଶିବପ୍ରସାଦ କହିଲେ, ‘‘ତୁ ଜ୍ଞାନ ଅର୍ଜନ ଲାଗି ପାଠ ପଢୁଛୁ । ଧନ ଅର୍ଜନ ଲାଗି ନୁହେଁ । ଏଇଠି ଥାଇ ମଧ୍ୟ ତୁ ଅନେକ କାମ କରିପାରିବୁ ।’’

 

: ଏଇଠି ମୁଁ କ’ଣ କରିପାରିବି?

: କାହିଁକି ନୁହେଁ? ଏବେ ବି ଆମ ଅଞ୍ଚଳରୁ ପ୍ରତିବର୍ଷ ହଜାର ହଜାର ଲୋକ ଦାଦନ ଖଟିବା ଲାଗି କଲିକତା, ବମ୍ବେ, ସୁରଟ ଓ ବାଙ୍ଗାଲୋର ଯାଉଛନ୍ତି । ସେମାନଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ । ଆସିଲା ବେଳକୁ ରୋଗ ପୁଳାଏ ଧରି ଫେରୁଛନ୍ତି । ସେମାନଙ୍କ ପାରିବାରିକ ଜୀବନ ବିପର୍ଯସ୍ତ । ଯଦି ଆମ ଅଞ୍ଚଳରେ ଗୋଟେ ମଧ୍ୟମ ଧରଣର ଶିଳ୍ପ ହୋଇପାରନ୍ତା ତାହାହେଲେ ଅନେକ ଲୋକଙ୍କୁ ବର୍ଷକ ବାରମାସ କାମ ଯୋଗାଇ ଦିଆଯାଇ ପାରନ୍ତା । ତୁ ବରଂ ସେ ଦିଗରେ ଚିନ୍ତା କର । ଆମର ଅନେକ ଟଙ୍କା କେବଳ ମିଛଟାରେ ଜମା ରହୁଛି ।

 

ସେ ଆଉ କିଛି କହିବା ପୂର୍ବରୁ ପତ୍ନୀ କହିଲେ, ଆଗେ ତା ବାହାଘର କଥା ବୁଝ । ପରେ ତା’ର କାରଖାନା ବସେଇବା କଥା ବୁଝିବ ।

 

ଶିବପ୍ରସାଦ ତୁନି ହୋଇଗଲେ । ସୋନି ତାଙ୍କର ଏକମାତ୍ର ଝିଅ । ସିଏ ଦିନେ ବାହାହୋଇ ତାଙ୍କଠାରୁ ଦୂରକୁ ଚାଲିଯିବ, ଏଇ କଥାଟିକୁ ସେ ଆଦୌ ଗ୍ରହଣ କରିପାରୁ ନଥିଲେ । କିଛି ସମୟ ପରେ କହିଲେ, ‘‘ମୁଁ ସେ କଥା ବି ବୁଝୁଛି ।’’

 

ସୋନି ପଚାରିଲା, ‘‘ଶୁଣିଲି, ଆପଣ ଗୋଟେ ଅପେରା ପାର୍ଟି କରୁଛନ୍ତି । ସେଇଟାର କି ଦରକାର ଥିଲା?’’

ଶିବପ୍ରସାଦ ଉତ୍ତର ଦେଲେ, ‘‘ଗ୍ରାମାଞ୍ଚଳରେ ମନୋରଂଜନର ମୁଖ୍ୟ ମାଧ୍ୟମ ଏବେ ଅପେରା । ରମାକାନ୍ତ ମଉସା ପ୍ରସ୍ତାବ ଦେଲା । ପ୍ରଥମେ ମୁଁ ବି ତୋ ପରି ଆପତ୍ତି କରୁଥିଲି । କିନ୍ତୁ ପରେ ଭାବିଲି, ଏ ଶିଳ୍ପ ଜରିଆରେ କିଛି ଭଲ କଥାର ବି ଚର୍ଚା କରାଯାଇପାରିବ ।’’

 

ସୋନି ବୁଝିଲା ନାହିଁ । କହିଲା, ‘‘ବାପା, ଆପଣ ଯେତେବେଳେ ନୂଆ ନୂଆ କାମ ଆରମ୍ଭ କରୁଛନ୍ତି ସେତେବେଳେ ସେଥିରୁ କି କି ଲାଭ ମିଳିବ ସେକଥା କେବଳ ସ୍ଥିର କରି ତାହା ଆରମ୍ଭ କରୁଛନ୍ତି । ମାତ୍ର ଥରେ ଭାବନ୍ତୁ, ଯଦି ଗୋଟେ ସକାଳେ ଆପଣ ଆପଣଙ୍କର ସବୁ ବ୍ୟବସାୟର କ୍ଷତି ଖବର ଏକାଠି ଶୁଣନ୍ତି, ସେତେବେଳେ ଆପଣଙ୍କର ମନ କ’ଣ ହେବ? ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କ’ଣ ହେବ?

 

ଶିବପ୍ରସାଦ ଆଉ କ’ଣ କହିବାକୁ ଯାଉଥିଲେ । ଚା’ କପ୍‌ ନେବାକୁ ଆସିଥିବା ଭାଗବତ ଟି-ପୟ ଉପରେ ଚିଠି ଖଣ୍ଡେ ରଖି ଦେଇଗଲା । ଚିଠିଟି ସୋନି ନାଆଁରେ ଆସିଥିଲା ।

 

: ସକାଳୁ ସକାଳୁ ମୋ ପାଇଁ ଚିଠି? - ସୋନି ଆଶ୍ଚର୍ଯ୍ୟ ହେଲା ।

ଶିବପ୍ରସାଦ ପଚାରିଲେ, ‘‘କିଏ ଦେଇଗଲା ଏ ଚିଠି?’’

: ଭାଗବତ ଫେରି ଯାଉ ଯାଉ କହିଲା, ‘‘ବାବୁ ଜଣେ ଦେଇ ଚାଲିଗଲେ । କହିଲେ, ପଛକୁ ଆସିବେ ।’’

ସୋନି ଲଫାପାଟି ଖୋଲୁ ଖୋଲୁ ତା ମାଆଙ୍କୁ କହିଲା, ‘‘ତୁ ମୋ ପାଇଁ ବ୍ୟସ୍ତ ହଅନା । ବାପାଙ୍କ କଥା ବୁଝ୍‌ । ବିବାହଟା ସେତେ ଜରୁରି ନୁହେଁ ।’’

 

ସେ ଉଠି ଚାଲିଗଲା ।

ଶିବପ୍ରସାଦ ତା ଯିବା ବାଟକୁ ଚାହିଁ ହସୁଥିଲେ ।

ସୁଲକ୍ଷଣା କହିଲେ, ‘‘ଶୁଣୁଛ ତା କଥା?’’

: ପିଲାଲୋକ, ବଳେ ବୁଝିଯିବ । ଆଗେ ସେଭଳି ଭଲ ପ୍ରସ୍ତାବ ଆସୁ ।’’ - ଶିବପ୍ରସାଦ ଉତ୍ତର ଦେଲେ ।

ସୁଲକ୍ଷଣା କହିଲେ, ‘‘ସବୁ ଠାକୁରଙ୍କ ଇଚ୍ଛା ।’’

ସୁଲକ୍ଷଣା ଯିବା ପରେ ସନାତନ ଆସି କହିଲେ, ‘‘ଆପଣ ସେ ଜଳଧରର ମାୟା ବୁଝିପାରୁନାହାନ୍ତି । ତାକୁ ଟିକିଏ ଟାଣ କରି ନକହିଲେ ଟଙ୍କାତକ ବୁଡ଼ିଯିବ । ସେପରି ଲୋକକୁ ଆପଣ ପୁଣି ଅପେରାର ଦାୟିତ୍ୱ ଦେଉଛନ୍ତି । ଆପଣଙ୍କ ଇଚ୍ଛା ।’’

 

ଶିବପ୍ରସାଦ ଟିକିଏ ଗମ୍ଭୀର ଦିଶିଲେ । କହିଲେ, ‘‘ହେଉ । ତାକୁ ତ ଖବର ଦେଇଥିବ । ସିଏ ଆସିଲେ କଥା ହେବା । ତୁମେ ଖଣ୍ଡିଏ ଚେକ୍‌ ଲେଖେଇ ଆଣ, ବ୍ୟାଙ୍କ୍‌କୁ ଯିବ ।’’

 

ସନାତନ ମୁଣ୍ଡ ଟୁଙ୍ଗାରିଲେ ।

ଶିବପ୍ରସାଦ ପଚାରିଲେ, ‘‘ନିର୍ବାଚନ ହିସାବ ପତ୍ର ସବୁ ଦେଇ ଦିଆଗଲା ତ? ନହେଲେ ଇଲେକ୍‌ସନ୍‌ ଅଫିସ୍‌ରୁ ତାଗିଦା ଆସିବ ।’’

 

ସନାତନଙ୍କ ମୁହଁ ଶୁଖିଗଲା । ନିର୍ବାଚନ କଥା ଉଠିବାରୁ ଶିବପ୍ରସାଦଙ୍କ ହାରିଯିବା କଥା ପୁଣି ମନେ ପଡ଼ିଗଲା । ଏଥର ସାମନ୍ତରାଏ ଖରା ଗୁଳୁଗୁଳିରେ ବହୁ ପରିଶ୍ରମ କରିଥିଲେ । ସିଏ ବି ଏଥର ଯାହା ନକରିବା କଥା ତାହା କରିଥିଲେ । କିନ୍ତୁ ସବୁ ଶ୍ରମ ବିଫଳ ହେଲା ।

 

ସେ କହିଲେ, ‘‘ହଁ, ସେ ବିଷୟରେ ଆପଣ ଚିନ୍ତା କରନ୍ତୁ ନାହିଁ ।’’

: ଜାଣେ ସନାତନ । ତୁମେ ପାଖରେ ଥିବା ପର୍ଯ୍ୟନ୍ତ ମୋର କୌଣସି ଚିନ୍ତା ନାହିଁ ।

ସନାତନ ମୁଣ୍ଡ ତଳକୁ କରି ଠିଆ ହୋଇଥିଲେ । ଯୁଗ ବଦଳିବା ସହ ଲୋକଙ୍କ ଚରିତ୍ର କିପରି ବଦଳି ଚାଲିଛି ସେଇକଥା ସେ ଚିନ୍ତା କରୁଥିଲେ । ଗଲା ନିର୍ବାଚନ ପ୍ରଚାର ସମୟର ଗୋଟିଏ କଥା, ଯାହା ତାଙ୍କୁ ଖୁବ୍‌ କଷ୍ଟ ଦେଇଥିଲା, ସେଇ କଥାଟି ଏବେ ଆଉଥରେ ମନେ ପଡୁଥିଲା । ବରୁଣପୁର ବୁଥ୍‌କୁ ଯାଇଥାଆନ୍ତି । ତେରଚଉଦ ବର୍ଷର ପିଲା ଚାରିଜଣ ଆସି ପ୍ରଥମେ ମାଗିଲେ, ‘‘ଆମକୁ ପୋଷ୍ଟର ଦିଅ ।’’ ଯୋଗକୁ ସେଦିନ ସନାତନ ସେଠିକି ଯାଇଥିଲେ । ସେ ତାଙ୍କୁ କିଛି ପୋଷ୍ଟର ଦେଲେ । ତା’ପରେ ପିଲାଏ ମାଗିଲେ, ‘‘ତାସ୍‌ ଚାରିମୁଠା ଦିଅ ।’’ ସବୁ ଦଳ ନିଜ ନିଜର ଚିହ୍ନ ଛପେଇ ତାସ୍‌ମୁଠା ଯୋଗାଡ଼ କରିଥିଲେ । ସେଥିରୁ ଚାରିମୁଠା ଦିଆଗଲା । ତା’ପରେ ‘‘ଅଠା ମାରିବା ଲାଗି ପଇସା ଦିଅ’ ଟୋକାଙ୍କ ସଉକ ପାଇଁ ଗୁଟ୍‌ଖା ପ୍ୟାକେଟ୍‌ ପୁଳାଏ ଦିଅ । ଶେଷକୁ ଜଣେ ଆସି ତାଙ୍କ ଦଳର କର୍ମୀ ମାଗୁଣିକୁ କହିଲା, ‘‘ଟଙ୍କା ହଜାରେ ଦିଅ, ବିୟର ଗୋଟେ ଗୋଟେ ନ ପିଇଲେ ଏଇ ଖରାରେ କ’ଣ ପ୍ରଚାର କରିହେବ!’’

 

ସନାତନ ଚିତ୍କାର କରିବାକୁ ଯାଉଥିଲେ । ମାତ୍ର ବୁଥ୍‌ ଦାୟିତ୍ୱରେ ଥିବା ମାଗୁଣି ଅଟକେଇଦେଲା । ସେମାନଙ୍କୁ ପଛରେ ଆସ’ କହି ସେ ବିଦା କରିଦେଇଥିଲା ।

 

ସନାତନ ବୁଝିଥିଲେ, ଗଣତନ୍ତ୍ର ଆଜି କିଛି କିଛି ବର୍ଷ ବ୍ୟବଧାନରେ ପଡୁଥିବା ଗୋଟେ ପର୍ବ । ଗାଁମାନଙ୍କରେ ମାଛ, ମାଉଁସ, ମଦ ଓ ଟଙ୍କା ବଣ୍ଟାଯିବ । ମଞ୍ଚ ଉପରେ ମିଛ ପ୍ରତିଶ୍ରୁତିର ସ୍ଳୋଗାନ ଦିଆଯିବ । ଗାଁ ରାସ୍ତାରେ ମାଇଚିଆ ନାଚଠୁଁ ନେଇ ସଂକୀର୍ତନ ପର୍ଯ୍ୟନ୍ତ ସବୁ ପ୍ରକାର ମନୋରଂଜନର ବ୍ୟବସ୍ଥା କରାଯିବ । ସଂଜହେଲେ ଟଙ୍କା ବିଡ଼ା ହୁଗୁଳା ହେବ । ଦେଶୀ-ବିଦେଶୀ ମଦ ବୋତଲ ଉଛୁଳିବ କ୍ଲବ୍‌ ଘର, ଅଙ୍ଗନବାଡ଼ି ଆଉ ଗାଁମୁଣ୍ଡ ସ୍କୁଲ୍‌ ଅଗଣାରେ । ନେତାଏ ବୁଝନ୍ତି, ଏଇଟା ମୂଳଧନ । ଏହାପରେ ଲାଭକୁ ଲାଭ । ଲୋକେ ବୁଝନ୍ତି, ସାଙ୍ଗେ ସାଙ୍ଗେ ସେମାନେ କେତେ ଲାଭ ପାଇଲେ ସେଇଟା ବଡ଼ କଥା । ଦେଶ ଶାସନ, ଗଣତନ୍ତ୍ର- ଏଗୁଡ଼ାକ ତୁଚ୍ଛା ଖବରକାଗଜ ପାଠ । ସନାତନ ହିସାବ କରୁଥିଲେ, ଏଥର ଖଣ୍ଡେ ଖଣ୍ଡେ ଭୋଟ୍‌ର ହାରାହାରି ମୂଲ୍ୟ ପଡ଼ିଗଲା ଚାରିହଜାର ଟଙ୍କା । ତା ଭିତରେ କିଛି ଲୋକଙ୍କୁ ଟିଭି, ସାଇକେଲ୍‌ ଓ ଗ୍ରାଇଣ୍ଡର ମେସିନ୍‌ ଯୋଗାଣର ହିସାବ ମିଶିଛି ।

 

ଶିବପ୍ରସାଦ ପଚାରୁଥିଲେ, ‘‘କ’ଣ ଚିନ୍ତା କରୁଛ ସନାତନ?’’

ସନାତନ କହିଲେ, ‘‘ନାଇଁ, ଏଇ ଲୋକଙ୍କ କଥା ।’’

: ଛାଡ଼ ସେସବୁ । ଆମେ ପୁରୁଣା ହୋଇଗଲେଣି ।

ସନାତନ ଫେରି ଯାଉଥିଲେ । ପଛରୁ ଡାକି ଶିବପ୍ରସାଦ କହିଲେ, ‘‘ପଟ୍ଟନାୟକ ଘରର ପ୍ରସ୍ତାବ କଥା ଟିକେ ବୁଝୁଥିବ ।’’

 

ଆପଣ ପାନ ହେଲେ ଆମେ ଚୂନ ।

ଆପଣ ବରଗଛ ହେଲେ ଆମେ ଓହଳ ।

ଆପଣ ଆମର ଇଷ୍ଟ, ଆମେ ଆପଣଙ୍କ କଷ୍ଟ ।

ଏତିକି କହି ଜଳଧର ଶିବପ୍ରସାଦଙ୍କ ପାଦ ଧରି ପଡ଼ିଗଲା । ଯେତେ କହିଲେ ବି ଉଠିଲା ନାହିଁ । ଚାରି ପାଞ୍ଚ ଥର ‘‘ଉଠ, ଉଠ’ ବୋଲି କହିବା ପରେ ସେ ଅତି ଅନିଚ୍ଛାରେ ଉଠୁଥିବା ଭଳି ଧାରଣା ସୃଷ୍ଟି କରି ଚଟାଣ ଉପରୁ ଉଠିଲା ଏବଂ ମେଲା ଘରର ଗୋଟିଏ କୋଣକୁ ଯାଇ ଠିଆହେଲା । ତାକୁ ଚାହିଁଲେ ମନେହେବ ପୃଥିବୀର ସବୁଠୁ ସୁଧାର ମଣିଷ ସେଇ ।

 

ଶିବପ୍ରସାଦ ପଚାରିଲେ, ‘‘ତୁମର ତ ଦେଖା ନଥିଲା ।’’

ଜଳଧର ପ୍ରାୟ କାନ୍ଦି ପକେଇବା ଅବସ୍ଥାକୁ ଚାଲି ଆସିଲା । ରହି ରହି କହିଲା, ଆପଣଙ୍କ ପରି ଦିବ୍ୟ ମଣିଷ ହାରିଯିବେ, ଏକଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ସେଇ ଦୁଃଖରେ ଆପଣ ବିଛଣାଲାଗି ହୋଇଗଲେ । ଏଥିରେ ମୁଁ ବାହାରକୁ ବାହାରିଥାନ୍ତି କିପରି? ଘର କୋଣରେ ଅଧିଆ ପଡ଼ି ପ୍ରଭୁ ଚନ୍ଦ୍ରଶେଖରଙ୍କୁ ଦିନରାତି ସୁମରଣା କରୁଥିଲି । ଆପଣ ଜାଣି ନଥିବେ ଦିନକୁ ଶହେ ଆଠଥର ଲଗାତାର ଶହେ ଆଠ କରି ବେଲପତ୍ର ଲାଗି କଲିଣି ।

 

ଶିବପ୍ରସାଦ ଟିକିଏ ପ୍ରଭାବିତ ହେଲେ । ପଚାରିଲେ, ‘‘ପୁଣି ତୁମ ଘରକାମ କରୁଛି କିଏ? ପରିବାର ପ୍ରତିପୋଷଣ ଦାୟିତ୍ୱ ବୋଲି କିଛି ଅଛି ନା ନାହିଁ?’’

 

: ଯୁଆଡ଼େ ଯିବାର ଯାଆନ୍ତୁ ସେମାନେ । ମୁଁ ଆପଣଙ୍କ ଚାକର । ଆପଣଙ୍କ ପାଦତଳେ ମୋର ସ୍ଥାନ । ମୋର ଆଉ କିଛି ବୋଲି କିଛି ଦରକାର ନାହିଁ । ଘର ପରିବାର ପୁଅ ଝିଅ ସବୁ ଆପଣଙ୍କ ପଛରେ ।

 

ଶିବପ୍ରସାଦ ମୁରୁକି ହସ ହସିଲେ ।

ଏଥର ଜଳଧର ଦି’ ପଟକୁ କଣେଇ କଣେଇ ଚାହିଁଲା । ସେ ଚାହାଣିର ଅର୍ଥ ହେଲା, କିଛି ଗୋଟେ ଗୋପନୀୟ ତଥ୍ୟ ସେ ତା’ର ବାବୁଙ୍କୁ ଦେବାଲାଗି ଚାହୁଁଛି । ମାତ୍ର ଅନ୍ୟମାନଙ୍କ ସାମ୍ନାରେ ସେ ସେସବୁ କହିବାକୁ ଚାହୁଁ ନାହିଁ ।

 

ଶିବପ୍ରସାଦ ଇସାରା ଦେଲେ । ସନାତନଙ୍କୁ ଛାଡ଼ି ଅନ୍ୟ ଚାରିଜଣ ବାହାରକୁ ଚାଲିଗଲେ ।

ଶିବପ୍ରସାଦ କହିଲେ, ‘‘ଏଥର କୁହ ।’’

ଜଳଧର କୁନ୍ଥୁକୁନ୍ଥୁ ହେଲା । କହିଲା, ‘‘ଥାଉ ଆଜ୍ଞା, ପରେ କହିବି । ଗ୍ରହାଚାର୍ଯ୍ୟ କହିଛନ୍ତି, ଏକଥା ଚାରିକାନରୁ ଛଅକାନ ହେବନାହିଁ ।’’

 

ସନାତନ ଦାସ ପାଟି କଲେ । କହିଲେ, ‘‘ସେସବୁ ଅଭିନୟ ଆଜି ଆଉ ଚଳିବ ନାହିଁ ଜଳଧର । ପୁଣି ନୂଆ କିଛି ଉପାୟ ଆଜି ବତେଇବ - ପୋଖରୀରୁ ମାଛ ନେଇ ନଈରେ ଛାଡ଼, ପିମ୍ପୁଡ଼ି ଗାତ ପାଖରେ ଚିନି ଢାଳ ନହେଲେ ପଞ୍ଜୁରିରେ ଥିବା ଚଢ଼େଇଙ୍କୁ ନେଇ ଜଙ୍ଗଲରେ ଛାଡ଼ । ସେସବୁ କରି କରି ସାଆନ୍ତେ ଥକି ପଡ଼ିଲେଣି । ଆଗେ ତୁମ କରଜ ତୁମେ କେଉଁଦିନ ପରିଶୋଧ କରିବ କୁହ । ହିସାବ ମନେଅଛି ନା ଆଉଥରେ ମୁଁ ବତେଇବି ।’’

 

ସନାତନଙ୍କର ଏପରି ରୋକ୍‌ଠୋକ୍‌ କଥା ଲାଗି ଜଳଧର ପ୍ରସ୍ତୁତ ନଥିଲା । ତା ଦେହ ଭିତରଟା ଯେମିତି ନଡ଼ାଗଦା ଓ ସେଥିରେ କିଏ ନିଆଁ ଲଗେଇ ଦେଇଥିଲା । ଭିତରଟା ହୁତ୍‌ହୁତ୍‌ ହୋଇ ଜଳୁଥିଲା । ତା’ର ଇଚ୍ଛା ହେଉଥିଲା, ଧାଇଁଯାଇ ସନାତନର ଗଳାଟାକୁ କୋଚିଆ ପରି ମୋଡ଼ି ଦିଅନ୍ତା । ମାତ୍ର ଶିବପ୍ରସାଦଙ୍କ ଉପସ୍ଥିତି ତାକୁ ଅଟକେଇ ଦେଉଥିଲା ।

 

ସେ ଅସହାୟ ଭାବେ ଶିବପ୍ରସାଦଙ୍କୁ ଚାହିଁଲା । ଶିବପ୍ରସାଦ କହିଲେ, ‘‘ସନାତନ, ସେକଥା ଟିକିଏ ପରେ ଆଲୋଚନା କରିବା । ଗ୍ରହାଚାର୍ଯ୍ୟଙ୍କ ପରାମର୍ଶ ମୁଁ ଟିକେ ଶୁଣିନିଏ ।’’

 

ସନାତନ ନିରବ ପ୍ରତିବାଦ ଜଣାଇ ସେଠାରୁ ବାହାରକୁ ଚାଲିଆସିଲେ । ସିଏ ବାହାରକୁ ଆସିବା କ୍ଷଣି ଜଳଧର କଟା କଦଳୀଗଛ ପରି ଶିବପ୍ରସାଦଙ୍କ ଚଉକି ଆଗରେ ଆଉଥରେ ଲମ୍ବ ହୋଇ ପଡ଼ିଗଲା । ଉଠିବାଲାଗି ଯେତେ କହିଲେ ବି ଏଥର ସେ ଉଠିଲା ନାହିଁ ।

 

ଶିବପ୍ରସାଦ କହିଲେ, ‘‘ଉଠ ଜଳଧର । କ’ଣ କହିବାର କୁହ ।’’

ଜଳଧର ଉଠିଲା । ଆଖିରୁ ଲୁହ ବୋହି ଯାଉଛି । ମୁହଁଟି ଶୁଖିଯାଇଛି । ଶିବପ୍ରସାଦଙ୍କ ପାଦ ଦୁଇଟିକୁ ହାତରେ ଜାବୋଡ଼ି ଧରି କହିଲା, ‘‘ଆଜ୍ଞା ଆମେ ଜନ୍ମଜନ୍ମର ଖାତକ । ଆପଣ ଏଇ ହାତରେ ଦେଇଛନ୍ତି, ଆମେ ଏଇ ପାଟିରେ ଖାଇଛୁ । ଆମ ପରିବାରର ପିଲାକବିଲା ସବୁ ଆପଣଙ୍କଠାରେ ଋଣୀ । ଆପଣଙ୍କୁ ନିନ୍ଦିଲେ କି ଠକିଲେ ନର୍କରେ ସୁଦ୍ଧା ଆମକୁ ସ୍ଥାନ ମିଳିବ ନାହିଁ । ଆମେ ସଦାଦିନେ ଆପଣଙ୍କ ପାଖେ ଏମିତି ହାତପାତି ତଳେ ଠିଆ ହେଇଥିବୁ, ଆପଣ ଆମକୁ ଧାରକରଜ ଦେଇ ବଞ୍ଚଉଥିବେ । ଆମର ସେ ଅଭିମାନ ନାହିଁ ଯେ କହିବୁ, ସାମନ୍ତରାଙ୍କ ପାଖେ ଆମର କିଏ ହାତ ପତାଏ, ତାଙ୍କ ବଡ଼ଲୋକି ତାଙ୍କ ପାଖରେ ଥାଉ ।’’

 

: ଶିବପ୍ରସାଦ ଟିକିଏ ରୁଷ୍ଟ ହେଲେ । ଏମିତି କଥା କିଏ କହେ?

: ସବୁ କହିବି ସାଆନ୍ତେ, ସବୁ କହିବି । ସେ ବେଳ ଆସୁ । ଆପଣଙ୍କର ଏବେ ସମୟ ଭଲ ନାହିଁ । ଗୃହଶତ୍ରୁମାନେ ଆପଣଙ୍କୁ ଚାରିଆଡୁ ଜଗିକି ରହିଛନ୍ତି । ଖୁବ୍‌ ହୁସିଆର ରହନ୍ତୁ । ଏଇ ଅମାବାସ୍ୟାଟା ଚାଲିଗଲେ ପୁଣି ବେଳ ଭଲ ପଡ଼ିବ । ସେତିକିବେଳେ ମୁଁ ସବୁକଥା କହିବି ।

 

ଶିବପ୍ରସାଦ କହିଲେ, ‘‘ଗୃହଶତ୍ରୁ! କିଏ ସେମାନେ?’’

ଜଳଧର ନିଜ ଗାମୁଛାରେ ମୁହଁ ପୋଛି କହିଲା, ‘‘ଛାଡ଼ନ୍ତୁ ଆଜ୍ଞା, ସେମାନେ ଆପଣଙ୍କର କିଛି କରିପାରିବେ ନାହିଁ । ଗ୍ରହାଚାର୍ଯ୍ୟ କହିଛନ୍ତି, ଆପଣ ସତର ଶନିବାର ଆମିଷ ଭକ୍ଷଣ ଛାଡ଼ିଦିଅନ୍ତୁ । ପ୍ରତିଦିନ ସକାଳୁ ଶହେ ଦିନ ପର୍ଯ୍ୟନ୍ତ ଶନି ମନ୍ଦିରରେ ସୋରିଷ ତେଲର ଦୀପ ଜାଳନ୍ତୁ । ଆଉ ହାତରେ ଏଇ ତାବିଜଟି ପିନ୍ଧନ୍ତୁ,’’ ଏତିକି କହି ଜଳଧର ଗୋଟେ ରୁପାର ତାବିଜ ଶିବପ୍ରସାଦଙ୍କ ହାତକୁ ବଢ଼େଇଦେଲା ।

 

ଶିବପ୍ରସାଦ କହିଲେ, ‘‘ମୋ ଲାଗି ତୁମେ କେତେ ଚିନ୍ତା କରୁଛ ଜଳଧର! ତୁମ ପରି କର୍ମୀ ଆଜିକାଲି ମିଳିବା କଷ୍ଟ ।’’

ଜଳଧର କହିଲା, ‘‘କି କଥା କହୁଛନ୍ତି ଆଜ୍ଞା, ଆପଣ ସ୍ୱର୍ଗର ଚାନ୍ଦ, ଆମେ ମର୍ତ୍ୟର ବାମନ । ଆପଣଙ୍କ ପାଇଁ ଏ ଟଙ୍କା ପଇସା କ’ଣ, ଜୀବନ ଚାଲିଗଲେ ବି ଅଧିକ ପୁଣ୍ୟ ହେବ । ଆପଣ ଅଛନ୍ତି ବୋଲି ଏ ଗୋଳଚହଳ, ଏ ଯାନିଯାତ । ଯାହାକୁ କହନ୍ତି, କହ୍ନେଇ ଲାଗି ଦୋଳ ଯାତରା ।

 

: ହଉ, ହଉ । ଏ ତାବିଜ ପାଇଁ କେତେ ଖର୍ଚ କଲ? ଏହାର ମହିମା ଟିକେ କୁହ ।

ଜଳଧର ରୁଷିଲା ପରି ଟିକିଏ ଦୂରକୁ ଘୁଞ୍ଚିଗଲା । କହିଲା, ‘‘କ୍ଷୀର ଭାଣ୍ଡରେ ଆପଣ ଟୋପାଏ ଲେମ୍ବୁ ଚିପୁଡ଼ି ଦେଲେ ସାଆନ୍ତେ । ଖର୍ଚ ପୁଣି ଗୋଟେ କ’ଣ? ଏ ଦିହରେ ଲୋମ ଯେତେ, ମୋ ଉପରେ ଆପଣଙ୍କ ଋଣ ସେତେ । ଏ ରକ୍ତ ମାଉଁସର ଜଳଧର ଯିଏ ଆପଣଙ୍କ ଆଗରେ ଠିଆ ହେଇଛି ସିଏ କିଏ କି? ସିଏ ଆପଣଙ୍କର ଚାକର ପରା? ତା ସାଆନ୍ତଙ୍କ ପାଇଁ ସେ ଏତକ କରିପାରିବ ନାହିଁ?’’

 

ଶିବପ୍ରସାଦ ହସିଲେ । କହିଲେ, ହଉ, ହଉ । ତୁମେ ଅଭିମାନ କର ନାହିଁ । ଏଇଟା ପିନ୍ଧିଲେ କ’ଣ ଲାଭ ହେବ କୁହ? ଝିଅ ଆସିଛି । ସିଏ ଏସବୁ ତାବିଜ ଡେଉଁରିଆରେ ବିଶ୍ୱାସ କରେ ନାହିଁ । ଆଧୁନିକ ଯୁଗ ପିଲା ତ!

 

ଜଳଧର କହିଲା, ‘‘ଏଇଥିରେ ହନୁମାନଙ୍କ ବିଭୂତି ଅଛି । କଳିଯୁଗରେ ହନୁମାନ ହିଁ ସାକ୍ଷାତ ଦେବତା । ସିଏ ଆପଣଙ୍କୁ ସବୁ ପ୍ରକାର ଶତ୍ରୁ, ବ୍ୟାଧି ଏବଂ ଦୁଶ୍ଚିନ୍ତାରୁ ରକ୍ଷା କରିବେ ।’’

 

ଶିବପ୍ରସାଦ ମୁଣ୍ଡ ଟୁଙ୍ଗାରିଲେ । ଟିକିଏ ରହି କହିଲେ, ‘‘ସନାତନ କହୁଥିଲେ ବୋଲି କହୁଛି । ନହେଲେ ତୁମେ ତ ମୋର ନିଜର ଲୋକ । କିଛି ଟଙ୍କା ପରିଶୋଧ କରିଦେଲେ ସେ ତୁନି ପଡ଼ିଯାଆନ୍ତେ ।’’

 

ଜଳଧର ଉତ୍ସାହିତ ହେଲାଭଳି କହିଲା, ‘‘ଆଜ୍ଞା । ଆପଣ ଯାହା କହିଛନ୍ତି, ସିଏ ମୋ ପାଇଁ ଆଦେଶ । ମାସକୁ ମାସ କିଛି କିଛି କରି ମୁଁ ପରିଶୋଧ କରିଦେବି ।’’ ତା’ପରେ ଟିକିଏ ରହି ମୁଣ୍ଡ କୁଣ୍ଡେଇଲା ଓ କହିଲା, ‘‘ଅପେରା ପାର୍ଟି ଦାୟିତ୍ୱଟା ମୋତେ ଦେଲେ ମୁଁ ଚଳେଇ ପାରନ୍ତି ଆଜ୍ଞା ।’’

 

ଶିବପ୍ରସାଦ ଆଶ୍ଚର୍ଯ୍ୟ ହେଲେ । କହିଲେ, ‘‘ସେ ବିଷୟରେ ତୁମର ତ କିଛି ଅଭିଜ୍ଞତା ନାହିଁ । ନାଇଁ ଜଳଧର, ତୁମେ ନିଜେ କିଛି ଗୋଟାଏ ବେପାର ବଣିଜ କର । ମୁଁ ପଛକେ ତୁମକୁ ସାହାଯ୍ୟ କରିବି ।’’

 

: ମୁଁ ଭଲ ପାରିବି ଆଜ୍ଞା । ଛୁଆଟେ ଜନ୍ମ କରିବା ଆଗରୁ ଝିଅଟିଏ ମାଆପଣିଆ କ’ଣ ଜାଣି ନଥାଏ । ମାତ୍ର ସେଇ ଝିଅ ମାଆହୋଇ ପିଲାକୁ ପାଳେ, ତାକୁ ମଣିଷ କରେ । ଏହି ଅଭିଜ୍ଞତା ତାକୁ କିଏ ଶିଖାଏ ଆଜ୍ଞା! ପରିସ୍ଥିତି । ସେମିତି ମୁଁ ଛୁଆକୁ ମାଆ ପାଳିଲା ପରି ଆପଣଙ୍କ ଅପେରା ପାର୍ଟିକୁ ସମ୍ଭାଳିବି । ଗୋଟାଏ ସିଜିନ୍‌ ଦାୟିତ୍ୱ ମୋତେ ଦିଅନ୍ତୁ । ତା’ପରେ ଦେଖିବେ, ଜଳଧର ପାରୁଛି କି ନାହିଁ । ନହେଲେ ମୋତେ ବାହାର କରିଦେବେ ।

 

ଶିବପ୍ରସାଦ କୁଣ୍ଠିତ ଭାବେ କହିଲେ, ‘‘ମୁଁ ବୁଝିପାରୁନି, ତୁମେ କ’ଣ କେମିତି ଏ କାମ କରିବ । ହେଉ, ମୁଁ ଟିକେ ରମାକାନ୍ତଙ୍କ ସାଂଗେ କଥା ହୁଏ ।’’

 

: ମୁଁ ହେଇସାରିଛି ଆଜ୍ଞା । ରମାକାନ୍ତବାବୁ ତ ମହାତ୍ମା ମଣିଷ । ସିଏ କହିଲେ, ‘‘ସାମନ୍ତରା ଯାହା କହିବେ ମୋର ସେଥିରେ ‘ହଁ’ । ମୁଁ ଭରତ, ସିଏ ରାମଚନ୍ଦ୍ର ।’

 

: ରୁହ ରୁହ ଜଳଧର । ଗୋଟିଏ ଦିନରେ ଏତେ ଗୁଡ଼ାଏ ମିଠା ଖାଇଲେ ମୋର ଅବସ୍ଥା ଖରାପ ହେଇଯିବ । ତମେ ଯେଉଁ ଭୂଷଣ-ବିଶେଷଣ ବିଭୂଷଣ ସବୁ ଖଞ୍ଜିଲଣି, ମୁଁ ତ ଏ ଦେଶର ପ୍ରଧାନମନ୍ତ୍ରୀ ହୋଇଗଲା ପରି ଭାବୁଛି ।

 

: ପ୍ରଧାନମନ୍ତ୍ରୀଗୁଡ଼ା କ’ଣ ଆପଣଙ୍କଠାରୁ ଅଧିକ ଯୋଗ୍ୟ? ଦକ୍ଷିଣର ଜଣେ କିଏ ଦେବେଗୌଡ଼ା ପରା ଏ ଦେଶର ପ୍ରଧାନମନ୍ତ୍ରୀ ହେଇଥିଲେ । ସଭାରେ ଢୁଳେଇବା ଥିଲା ତାଙ୍କର ମୁଖ୍ୟ କାମ । ଆପଣ ତ ବିଲାତରୁ ପାଠପଢ଼ି ଆସିଛନ୍ତି । ଏ ଅପାଣ୍ଡବା ଅଞ୍ଚଳ କ’ଣ ବୁଝିବ ଚନ୍ଦନ ଗଛ କେଉଁଟା ଆଉ ଆକାଶିଆ ଗଛ କେଉଁଟା ।

 

: ହେଉ ହେଉ, ତୁମେ ଯାଅ । କିନ୍ତୁ ପ୍ରତି ମାସରେ କିଛି କିଛି କିସ୍ତି ପରିଶୋଧ ବ୍ୟବସ୍ଥା କର । ନହେଲେ ସନାତନ ଦାସଙ୍କ ତାଗିଦା ମୁଁ ସମ୍ଭାଳି ପାରିବି ନାହିଁ ।

 

: ସାଆନ୍ତେ, ଆମେ ତ ତେଲୁଣି ପୋକ । ସବୁଦିନେ ଆପଣଙ୍କ ପାଖେ ନସର ପସର ହେଉଛୁ । କିନ୍ତୁ ସେମାନଙ୍କ ପ୍ରତି ସାବଧାନ ରହିଲେ ଭଲ । ଆମେ ତାଙ୍କ ପରି କହୁନୁ ଯେ, ‘ଏ ମୁଣ୍ଡ କାହାରି ଆଗେ ନୋଇଁବ ନାହିଁ ।’

 

: ବୁଝିପାରିଲି ନାହିଁ । ତୁମେ ସନାତନ ଦାସଙ୍କ ସଂପର୍କରେ କିଛି କହିବା ପାଇଁ ଚାହୁଁଛ ନା କ’ଣ? ମୁଁ ପରା ତାଙ୍କୁ ପଚିଶ ବର୍ଷ ହେଲା ଦେଖି ଆସୁଛି ।

 

: ଆଜ୍ଞା ସତକଥା । ଏଇ ପାଟପୁରର ଭୋଟରମାନଙ୍କୁ ମଧ୍ୟ ଆପଣ ତାହାଠୁଁ ଆହୁରି ଆଗରୁ ଦେଖି ଆସୁଛନ୍ତି । ରାତି ଗୋଟାକରେ ଯଦି ଏତେଲୋକ ବଦଳିଗଲେ, ଗୋଟାଏ ଲୋକ କାହିଁକି ବଦଳିବ ନାହିଁ? ଛାଡ଼ନ୍ତୁ ଆଜ୍ଞା, ଗ୍ରହାଚାର୍ଯ୍ୟ କହିଛନ୍ତି, ଗୃହଶତ୍ରୁ ପ୍ରତି ସାବଧାନ ରହିବାକୁ ପଡ଼ିବ ।’’ ଏତିକି କହି ଜଳଧର ଟିକିଏ ବାହାରକୁ ଅନେଇଲା । ସନାତନ ଭିତରକୁ ଆସୁଥିବା ଦେଖି କହିଲା, ‘‘ମୁଁ ଆସୁଛି ସାଆନ୍ତେ । କାଲି ଶନିବାର ସକାଳୁ ଗାଧୋଇ ପଡ଼ି ଏଇଟାକୁ ପିନ୍ଧିବେ ।’’

 

ସିଏ ମେଲାଘରୁ ବାହାରିବା ବେଳକୁ ସନାତନଙ୍କ ସହ ଚାରିଚକ୍ଷୁ ହୋଇଗଲା । ସନାତନ ପୁଣି କିଛି କହିବାକୁ ଯାଉଥିଲେ । ଶିବପ୍ରସାଦ ହାତର ଇସାରାରେ ତାଙ୍କୁ ରୋକିଦେଇ କହିଲେ, ‘‘ସେ ବିଷୟରେ ମୁଁ କଥା ହୋଇଛି । ସିଏ କିସ୍ତିୱାରୀ କରଜ ପଇଠ କରିବେ ।’’

 

ସନାତନ ଦୀର୍ଘଶ୍ୱାସ ନେଲେ -ଜଳଧର ଆଉ କିସ୍ତି!

କିନ୍ତୁ କିଛି କହିଲେ ନାହିଁ ।

ଜଳଧର ତାଙ୍କୁ ଶୁଖିଲା ନମସ୍କାରଟେ ପକେଇ ସେଠୁ ଚାଲିଗଲା ।

ବାଡ଼ିପଟ ଆମ୍ବତୋଟା ଆଡ଼େ ଅନେଇ ସୋନି ଗୀତଟିଏ ଗୁଣୁଗୁଣଉଥିଲା । ତା’ର ମୁକୁଳା ବାଳ ପବନରେ ଉଡ଼ି ବାରମ୍ବାର ମୁହଁ ଉପରେ ପଡୁଥାଏ । ସେ ତାକୁ ପଛକୁ ଘୁଞ୍ଚେଇ ଦେଉଥାଏ ।

 

ସକାଳର ସମୟ ପରି ପିଲାଦିନ ତରବରରେ ଚାଲିଯାଏ । କେତେ ଶୀଘ୍ର ତା’ର ପିଲାଦିନ ସବୁ ବିତିଯାଇଛି । ନିଜ ଗାଁର ନଈ ପାହାଡ଼ମାନଙ୍କୁ ସୁଦ୍ଧା ସେ ଭଲ ଭାବେ ଚିହ୍ନିବାର ସୁଯୋଗ ପାଇନାହିଁ ।

 

ସେ ଖୁବ୍‌ ସାନ ବୟସରୁ ଘର ଛାଡ଼ିଛି । ପ୍ରଥମେ ପଢ଼ିଲା ପଣ୍ଡିଚେରୀରେ ଓ ତା’ପରେ ଦିଲ୍ଲୀରେ । ବର୍ଷରେ ଚାରି ପାଞ୍ଚଦିନ ପାଇଁ ଗାଁକୁ ଆସେ, ପୁଣି ଚାଲିଯାଏ । ଘରେ ଥିବା ସମୟତକ ମାଆ ହାତରୁ ଗୋଟାକ ପରେ ଗୋଟେ ତରକାରି ଚାଖୁ ଚାଖୁ ବିତିଯାଏ । ସୋନିର ଯିବା ସମୟ ଆସିଯାଏ ପଛେ ମାଆର ରୋଷେଇ ସରେ ନାହିଁ । ଯିବା ଦିନ ପର୍ଯ୍ୟନ୍ତ କହୁଥାଆନ୍ତି - ମୋ ଝିଅ ଦହିକଢି ଟିକେ ଖାଇ ପାରିଲା ନାହିଁ, ଚୁନାମାଛ ପତରବସା ବି କୋଉ ରାନ୍ଧିପାରିଲି! କଷ୍ଟାର୍ଡ଼ ଟିକେ ଖାଇଥାଆନ୍ତା ଯେ ନିଆଁଲଗା ସର୍ଦିକାଶଟା ମୋ ଝିଅକୁ ଖୁଆଇ ଦେଲା ନାହିଁ ।

 

ମାଆର କଥା ଶୁଣି ସୋନି ହସେ ।

ଶିବପ୍ରସାଦ କୁହନ୍ତି, ‘‘ଝିଅ ସାଙ୍ଗରେ ତୁମେ ଶାଶୂଘରକୁ ଯିବ । ସେଇଠି ପ୍ରତିଦିନ ତାକୁ ରୋଷେଇ କରି ଖାଇବାକୁ ଦେବ ।’’

 

ସୋନି ଦକ୍ଷିଣ ଏସିଆରେ ମହିଳାମାନଙ୍କ ସମସ୍ୟା ଉପରେ ଗବେଷଣା କରୁଛି । ମଝିରେ ମଝିରେ ଓଡ଼ିଶାର ଆଦିବାସୀ ମାନଙ୍କ ଜୀବନଚର୍ଯା ସମ୍ପର୍କରେ ବି ପ୍ରବନ୍ଧ ଲେଖୁଛି । ଏବେ ତା’ର ଗୋଟିଏ ପ୍ରବନ୍ଧ ବେଶ୍‌ ଚର୍ଚା ପରିସରକୁ ଆସିଛି । କିଛି ଗବେଷକ ଭାବନ୍ତି ଯେ ଆଦିବାସୀ ସମାଜରେ ନାରୀ-ପୁରୁଷ ତାରତମ୍ୟ କଥାଟି ନାହିଁ । ସେଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ । କନ୍ୟା ଭ୍ରୂଣହତ୍ୟା ସମସ୍ୟା ତ ଆଦୌ ନାହିଁ ସେ ସମାଜରେ! ମାତ୍ର ସୋନି ଏ ତତ୍ତ୍ୱର ବିରୋଧ କରିଚି ତା ପ୍ରବନ୍ଧରେ । କୋରାପୁଟର ଆଦିବାସୀମାନଙ୍କୁ ନେଇ ସେ ତା’ର ମନ୍ତବ୍ୟ ଲିପିବଦ୍ଧ କରିଛି । ତା’ର କହିବା କଥା ହେଲା, ଆଦିବାସୀ ସମାଜରେ ନାରୀ ହିଁ ଉପାର୍ଜନର ମୁଖ୍ୟ କେନ୍ଦ୍ର । ନାରୀଟି ପିଲା ଜନ୍ମ କରେ, ରୋଷେଇ କରେ, ପୁଣି ଜଙ୍ଗଲକୁ ଯାଇ ଜାଳ ଓ ଫଳମୂଳ ଆଣେ । ଘରର ଯାବତୀୟ କାମ କରେ ସେ । ସମୟେ ସମୟେ ସେ ବଳଦ ସାଙ୍ଗରେ ଆଉଗୋଟେ ବଳଦ ହୋଇ ହଳ ଲଙ୍ଗଳ ଟାଣେ । ପୁରୁଷଟି ମନ ହେଲେ କାମକୁ ଯାଏ, ନହେଲେ ସଳପ ମହୁଲ ପିଇ ଶୋଇରହେ । ତେଣୁ ଆଦିବାସୀ ସମାଜର ନାରୀଟିକୁ ସଭ୍ୟ ସମାଜର ନାରୀଠୁ ଅଧିକ ଭାଗ୍ୟବାନ ବୋଲି କହିହେବ ନାହିଁ ।

 

ଏଥର ଲଣ୍ଡନରେ ସେ ଏଇକଥା କହୁଥିବାବେଳେ ସୁଇଡେନ୍‌ର ହ୍ୟାରୀ ପାମେ ତାଙ୍କୁ ବଡ଼ ବଡ଼ ଆଖିରେ ଅନେଇଥିଲା । ଏଭଳି ନିର୍ଯାତନା ପ୍ରସଙ୍ଗ ସେ ଦେଶପାଇଁ ଅଜ୍ଜବ ଘଟଣା । ସୋନି ଆମନ୍ତ୍ରଣ କରିଥିଲା, ସମୟ ପାଇଲେ କେବେ ଭାରତ ଆସିବ । ତୁମକୁ ଲାଗିବ, ଜୀବନର ଅନେକ ଅଭିଜ୍ଞତା ତମ ପାଖେ ଆଜି ଯାଏଁ ଅଜଣା ଅଶୁଣା ହୋଇ ରହିଛି ।

 

ହ୍ୟାରୀ ପାମେ କହିଛି, ସେ ନିଶ୍ଚୟ ଭାରତ ଆସିବ । ଶାହାଜାହାନଙ୍କ ଭାରତ ଓ ସୋନିର ଭାରତ ଉଭୟଙ୍କୁ ଦେଖିବ ।

 

ସୋନି ହାତରେ ସକାଳେ କିଏ ଜଣେ ଦେଇଯାଇଥିବା ଚିଠିଟିଏ । ସେ ସେଇଟିକୁ ଖୋଲିଲା । ଓଡ଼ିଆରେ ଲେଖା ହେଇଛି ଚିଠିଟା ।

 

ଦୁଇପୃଷ୍ଠାର ଚିଠିଟି ପଢ଼ିବାଲାଗି ଦଶ ପନ୍ଦର ମିନିଟ୍‌ ସମୟ ଲାଗିଗଲା । କାରଣଟି କେବଳ ଚିଠି ଲେଖିଥିବା ଲୋକଟିର ଅକ୍ଷର ଖରାପ ନୁହେଁ, ତାହାଠାରୁ ବଡ଼ କଥା ହେଲା ଚିଠିଟିର ଜଟିଳ ବିଷୟବସ୍ତୁ ।

 

ସେ ଚିଠିଟି ବନ୍ଦ କରି ଦୀର୍ଘଶ୍ୱାସ ନେଲା ।

ତା ଆଖି ଆଗରେ ତା ବାପାଙ୍କର ମୁହଁଟି ଅସହାୟ ଦିଶିଲା ।

ପ୍ରଥମଥର ପାଇଁ ଲାଗିଲା ଯେ ସେ ପୁଅଟିଏ ହୋଇଥିଲେ ତା ବାପାଙ୍କୁ ବେଶି ସାହାଯ୍ୟ କରିପାରୁଥାଆନ୍ତା । ସିଏ ଚାଲିଯିବା ପରେ ଏଠି ତା ବାପା-ମାଆଙ୍କ କଥା ବୁଝିବ କିଏ? ଏ ଭିଡ଼ ଭିତରେ ତା ବାପା ତାକୁ ଏକାକୀ ବୋଲି ମନେ ହେଉଥିଲେ ।

 

: କୁଆଡ଼େ ଗଲୁ ସୋନି - ମାଆ ଭିତରୁ ଡାକ ପକଉଥିଲେ ।

ସୋନି ଜବାବ ଦେଲା, ‘‘ମୁଁ ଏଇଠି ଅଛି ମା’ ।’’

ସୁଲକ୍ଷଣା ଗୋଟେ ଗିନାରେ କେତେଟା ତୁଳସୀପତ୍ର ଧରି ସୋନିକୁ ଖୋଜୁଥିଲେ । ପାଖକୁ ଆସି କହିଲେ, ‘‘ନେ, ଚୋବେଇ ଦେ । ଥଣ୍ଡା ଛାଡ଼ିଯିବ ।’’

 

: କିନ୍ତୁ ମୋତେ ଥଣ୍ଡା କେଉଁଠି ହେଇଛି?

: ତୁ ଜାଣିପାରୁନୁ । ପାଟି ଗଣଗଣିଆ ଶୁଭୁଛି । ଖାଇ ଦେ ।

ସୋନି ତୁଳସୀପତ୍ରଗୁଡ଼ାକୁ ହାତରେ ଧରି ଏକାଥରେ କଳରେ ଗୁଞ୍ଜିଦେଲା । ସୁଲକ୍ଷଣା ଗିନାଟି ନେଇ ଫେରିଯାଉଥିଲେ । ସୋନି କହିଲା, ‘‘ମା’, ଏ ଚିଠିଟା ପଢ଼ିଲୁ ।’’

 

: କି ଚିଠି? ତୋ ସାଙ୍ଗ କିଏ ଦେଇଛି?

: ମା! ମୋ ସାଙ୍ଗ କେହି ଚିଠି ଲେଖନ୍ତି ନାହିଁ । ଇ-ମେଲ୍‌ ନହେଲେ ଏସ୍‌ଏମ୍‌ଏସ୍‌ । ଏଇଟା ବାପାଙ୍କ ବିଷୟରେ ଲେଖାଯାଇଛି । ତୁ ପଢ଼ ।

 

ସୁଲକ୍ଷଣା ଚଷମା ପିନ୍ଧି ନଥିଲେ । କହିଲେ, ‘‘ତୁ ରଖ୍‌ । ବାପାଙ୍କୁ ଦେଖେଇବୁ ।’’

ସୋନି ମନାକଲା । କହିଲା, ‘‘ବାପାଙ୍କୁ ପଢ଼େଇବା ଉଚିତ ହେବ ନାହିଁ । ସେ ବ୍ୟସ୍ତ ହେବେ । ଏ ଚିଠିଟା ସନାତନ ମଉସାଙ୍କ ସଂପର୍କରେ । ସିଏ ପରା ବାପାଙ୍କର ଖୁବ୍‌ ବିଶ୍ୱସ୍ତ ଲୋକ?’’

 

: ଏକଥା କ’ଣ ତୁ ଜାଣିନୁ? ତାଙ୍କୁ ସନ୍ଦେହ କରିବା ଅର୍ଥ ନିଜକୁ ସନ୍ଦେହ କରିବା । ଏସବୁ କୌଣସି ଶତ୍ରୁଲୋକର କାମ ହୋଇଥିବ । ଦି’ ଜଣଙ୍କ ଭିତରେ ସନ୍ଦେହ ଠିଆ କରେଇବା ଲାଗି ହୁଏତ ଲୋକଟା ଚାହୁଁଥିବ । ବାପା ସବୁ ବୁଝିପାରିବେ । ତୋର ବ୍ୟସ୍ତ ହେବା ଦରକାର ନାହିଁ ।

 

ସୋନି ଟିକିଏ ଆଶ୍ୱସ୍ତ ଦିଶିଲା । କହିଲା, ‘‘ଲୋକଟା ମୋ ପାଖକୁ କାହିଁକି ଏ ଚିଠି ଲେଖିଲା? ସିଧା ବାପାଙ୍କୁ ଲେଖିଲା ନାହିଁ?’’

 

: କିଏ ଜାଣେ? ହେଉ, ସେକଥା ଛାଡ୍‌ । ଚାଲ୍‌, ଜଳଖିଆ ଖାଇବୁ । ତୋ ପାଇଁ କୋବି ପରଟା କରିଛି ।

ସୋନି ମା’ ପଛେ ପଛେ ଗଲା । ମାତ୍ର ମନ ଭିତରେ ଟିକିଏ ଚିନ୍ତା ରହିଗଲା, ସୂତା ମଝିରେ ଗଣ୍ଠି ପରି । ସେ ତା ବାପାଙ୍କୁ ନେଇ ଚିନ୍ତିତ ହୋଇପଡ଼ିଥିଲା ।

 

ଶିବପ୍ରସାଦ କହନ୍ତି, ସମୟେ ସମୟେ ଖ୍ୟାତି ବା ପ୍ରତିଷ୍ଠାର ବୋଝ ବୋହିବା ମଣିଷ ପକ୍ଷେ କଷ୍ଟକର ହୋଇପଡ଼େ । ଅଥଚ ସେ ଚାହିଁଲେ ସୁଦ୍ଧା ତା’ର ଭୂମିକାକୁ ବଦଳେଇ ପାରେ ନାହିଁ ।

 

ବ୍ରିଟିଶ ଶାସନ ଅମଳରେ ଏଇ ଭାରତର ରାଜା ଜମିଦାରମାନେ ଭାରତୀୟଙ୍କଠାରୁ ଖଜଣା ଆଦାୟ କରି ବ୍ରିଟିଶ ସରକାରକୁ ଦେଉଥିଲେ । କାଳକ୍ରମେ ବ୍ରିଟିଶ ଚାଲିଗଲେ, ଏଠି ରହିଗଲେ ଭାରତୀୟ ରାଜା, ଜମିଦାର ଓ ତାଙ୍କର ଅନୁଗତ । ସେମାନଙ୍କୁ ଦେଶବାସୀ ସନ୍ଦେହ ଦୃଷ୍ଟିରେ ଆଗରୁ ଦେଖୁଥିଲେ, ଏବେ ବି ଦେଖନ୍ତି । ଲୋକଙ୍କର ଦୃଷ୍ଟିଭଙ୍ଗୀ ବଦଳେଇବା ଲାଗି ସେମାନଙ୍କ ଭିତରୁ କେତେକ ‘ସେବକ’ ଭୂମିକାରେ ଅବତୀର୍ଣ୍ଣ ହେଲେଣି । ପାର୍ଲାମେଣ୍ଟ ଏବଂ ବିଧାନସଭାକୁ ଗଲେଣି । ମାତ୍ର ତା ସତ୍ତେ୍ୱ ଲୋକଙ୍କ ବିଶ୍ୱାସ ଫେରି ପାଇନାହାନ୍ତି ।

 

ଶିବପ୍ରସାଦଙ୍କର ମହାଜନୀ କାରବାର ଅନେକ ଦିନର । ସେ ସମୟରେ ବ୍ୟାଙ୍କ୍‌ କିମ୍ବା ସମବାୟ ସମିତି ଭଳି ଅନୁଷ୍ଠାନ ନଥିଲା । ବିଭିନ୍ନ ଅଞ୍ଚଳରେ ତାଙ୍କ ପରି ମହାଜନମାନେ ତିରୋଟ ସମୟରେ ଲୋକଙ୍କ ଅଭାବ ମେଣ୍ଟଉଥିଲେ । ତେବେ ସେମାନଙ୍କ ଭିତରୁ କିଛି ଥିଲେ ସୁଧଖୋର୍‌ । ସୁଧ ଦେଇ ଦେଇ ଖାତକ ସର୍ବସ୍ୱାନ୍ତ ହୋଇପଡୁଥିଲା ସିନା, ମୂଳଧନ ପରିଶୋଧ କରିପାରୁ ନଥିଲା । ଚକ୍ରବୃଦ୍ଧି ହାରରେ ସୁଧରାଶି ବଢ଼ି ବଢ଼ି ଚାଲୁଥିଲା । ଗୋଟିଏ ଋଣର ସୁଧ ଶୁଝିବା ପାଇଁ ଅବଶିଷ୍ଟ ଜମି ବିକ୍ରୟ କରିବାକୁ ପଡୁଥିଲା । ମହାଜନଙ୍କ ଗୁମାସ୍ତା ଓ ପିଆଦା ଏହାର ଅନୁଚିତ ଲାଭ ଉଠଉଥିଲେ ।

 

ତାଙ୍କ ନିର୍ବାଚନ ହାରିଯିବା ଘଟଣା ପଛରେ ବି ଲୋକଙ୍କର ଏଇ ଚିନ୍ତାଧାରା ଦାୟୀ ବୋଲି ଶିବପ୍ରସାଦ କହନ୍ତି । ତାଙ୍କ ମତ ହେଲା, ଦଶଟି ଭଲକଥାର ସ୍ମୃତି ଭୁଲି ହୋଇଯାଏ, ମାତ୍ର ଗୋଟିଏ ଖରାପ କଥାର ଅଭିଜ୍ଞତା ଭୁଲି ହୁଏନାହିଁ । ବରଂ ପୁରୁଷ ପୁରୁଷ ଧରି ସେଇ କଥାଟି ସାଧାରଣ ଲୋକଙ୍କ ଚର୍ଚାରେ ରହିଥାଏ । ସମୟେ ସମୟେ ସେଥିରେ ନୂଆ ନୂଆ କିମ୍ବଦନ୍ତୀ ଯୋଡ଼ି ହୋଇଯାଉଥାଏ । ସେଇ କାରଣରୁ ଏବେ ବି ଶିବପ୍ରସାଦଙ୍କୁ ପାଟପୁରର ଲୋକେ ଭାବନ୍ତି, ଅତ୍ୟାଚାରୀ ପରମ୍ପରାର ହିତାଧିକାରୀ, ଯଦିଓ ଶିବପ୍ରସାଦ ନିଜେ ଆଚରଣ ଓ ଚିନ୍ତାଧାରାରେ ସମାଜବାଦୀ ।

 

ସୋନି କହେ, ‘‘ଆମେ ଏସବୁ ବିକିଦେଇ ଦିଲ୍ଲୀ କିମ୍ବା ଭୁବନେଶ୍ୱର ଚାଲିଗଲେ ବିଶେଷ କ୍ଷତି ହୁଅନ୍ତା ନାହିଁ । କ’ଣ ଅଛି ଏହି ହାତୀଶାଳ ପରି ବିରାଟ ଅନୁଷ୍ଠାନରେ? ଏହାକୁ ଚଳେଇ ରଖିବା କଷ୍ଟ ଏବଂ ଅନାବଶ୍ୟକ ।’’

 

ଶିବପ୍ରସାଦ ଭାବପ୍ରବଣ ହୁଅନ୍ତି । ପରିଚିତ ଜାଗାରେ ପ୍ରଶଂସା ମିଳୁ ବା ନମିଳୁ ନିନ୍ଦା ତ ଶୁଣିବାକୁ ମିଳୁଛି । କିନ୍ତୁ ବାହାରେ କିଏ ତାଙ୍କୁ ଚିହ୍ନିବ? ନା ପ୍ରଶଂସକ ନା ନିନ୍ଦୁକ । ସେମିତି ଗୋଟିଏ ଅପରିଚିତ ସ୍ଥାନରେ ରହିବା ତାଙ୍କ ଲାଗି ଖୁବ୍‌ କଷ୍ଟକର ହେବ ।

 

ସୋନି ଏ ଧରଣର ଭାବପ୍ରବଣତାର ଅର୍ଥ ବୁଝେ ନାହିଁ । ମଣିଷ ସଭ୍ୟତାର ଗତିପଥ କେବେ ସରଳରୈଖିକ ତ କେବେ ବକ୍ରାକାର । ଦିନେ ଜଳ ଓ ଚାରଣ ଭୂମିକୁ ଆଶ୍ରା କରି ମଣିଷ ତା ଚଲାପଥ ବଦଳଉଥିଲା । ତା’ପରେ ଆସିଲା ଶସ୍ୟଭୂମି । ପୁଣି ସମୟ ବଦଳିଲା । କୃଷି ସାଙ୍ଗେ ବ୍ୟବସାୟ ଯୋଡ଼ିହେଲା । ତା’ପରେ ଆସିଲା ଶିଳ୍ପ । ଜୀବିକାକୁ ଅନୁସରଣ କଲା ଜୀବନ । ଏଥିରେ ଭାବପ୍ରବଣତାର ସ୍ଥାନ କାହିଁ? ପୁଣି ଅପରିଚୟ ଠାରୁ ଅନାଦର ତ ବେଶି କଷ୍ଟକର ।

 

ବାପାଙ୍କର ଆଉ ଗୋଟିଏ ଅଭ୍ୟାସ ଦୁର୍ବଳତାକୁ ନେଇ ସୋନି ଚିନ୍ତିତ ହୁଏ । ସବୁକଥାରେ ସେ ଅନ୍ୟ ଉପରେ ନିର୍ଭରଶୀଳ । କୌଣସି କଥା ନିଜେ କରିବେ ନାହିଁ । ଇଂଲଣ୍ଡରେ ଥିବାବେଳେ ନିଜେ ଗାଡ଼ି ଚଳଉଥିଲେ, ରୋଷେଇ ବି କରୁଥିଲେ ନିଜ ହାତରେ । ମାତ୍ର ଏଠି ପାନଡବା ହାତକୁ ବଢ଼େଇ ଦେବାଠାରୁ କାହାକୁ ଡକେଇବା କାମ ପର୍ଯ୍ୟନ୍ତ ସବୁ କଥାରେ ଅନ୍ୟ ଉପରେ ନିର୍ଭରଶୀଳ । ସେଥିପାଇଁ ସନାତନ ଦାସଙ୍କ ପରି ଲୋକଙ୍କୁ ନିଯୁକ୍ତି ଦେବାକୁ ପଡ଼ିଛି ତା ବାପାଙ୍କୁ ।

 

ଶିବପ୍ରସାଦ କହନ୍ତି, ‘‘ଭାରତରେ ଲୋକବଳ ଶସ୍ତାରେ ମିଳେ, ତେଣୁ ତା’ର ଉପଯୋଗ କରାଯିବା ଦରକାର । ଇଂଲଣ୍ଡରେ ମଣିଷର ଜାଗା ନେଇଛି ମେସିନ୍‌ । ସେଠି ମଣିଷ ଯନ୍ତ୍ର ଉପରେ ନିର୍ଭର କରୁଛି । ଏଠି ମଣିଷ ନିର୍ଭର କରୁଛି ଅନ୍ୟ ମଣିଷ ଉପରେ ।’

 

ସୋନି ବାପାଙ୍କୁ ବୁଝେଇ ପାରେନାହିଁ । କିନ୍ତୁ ତା’ର ଚିନ୍ତା ବଢ଼େ । ଏଇ ପରିଚିତମାନଙ୍କ ଭିଡ଼ ଭିତରେ ବାପା ଗୋଟେ ଅପରିଚିତ ମଣିଷ । ସେଇ ମଣିଷଟିର କଥା ବୁଝିବା ଦାୟିତ୍ୱ ତା’ର । ସିଏ ପୁଅ-ଝିଅ ଭିତରର ତାରତମ୍ୟ ବୁଝେନାହିଁ । ସିଏ ତା ବାପାଙ୍କର ଉତ୍ତରାଧିକାରୀ । ତାଙ୍କ ଚିତାରେ ମୁଖାଗ୍ନି ଦେବ ସିଏ, ତାଙ୍କ ବ୍ୟବସାୟର ଭଲମନ୍ଦ ମଧ୍ୟ ବୁଝିବ ସିଏ ।

 

ସନାତନ ଦାସ ଲଣ୍ଠନଟିକୁ ତେଜି ଦେଲେ ।

ସନ୍ଧ୍ୟା ସାତଟାବେଳୁ ବିଜୁଳି ଯୋଗାଣ କଟିଯାଇଛି ଯେ ରାତି ନଅଟା ହେଲାଣି ଫେରିନାହିଁ ।

ଝାଳ ବୋହି କେମିତି କିତିକିତିଆ ଲାଗୁଛି ଦେହ ହାତ ।

ସେ ଘର ବାହାରକୁ ଆସି ସାମନ୍ତରାଙ୍କ ଘର ଆଡ଼କୁ ଚାହିଁଲେ । ଜେନେରେଟରର ଘଡ଼ ଘଡ଼ ଶବ୍ଦ ଶୁଭୁଛି । ମେଲାଘରେ ଆଲୁଅ ଜଳୁଛି । ସାଆନ୍ତେ ବସି ସାଆନ୍ତାଣୀଙ୍କ ସହ ଗପସପ କରୁଥିବେ ।

 

ବାଡ଼ିପଟର ନଡ଼ିଆଗଛ ଛାଇଗୁଡ଼ିକ ଗୋଟିଏ ଗୋଟିଏ ଅଶରୀରୀ ପରି ଦିଶୁଥାଆନ୍ତି । ପବନ ବନ୍ଦ, କୃଷ୍ଣପକ୍ଷର ଅନ୍ଧାର ଚାରିପଟେ । ସେ ଚାରିଆଡ଼କୁ ଅନେଇ ଦେଇ ନିଜ କୋଠରିକୁ ଚାଲି ଆସିଲେ ।

 

ସାଆନ୍ତଙ୍କ ପୁରୁଣା କାଳିଆ ଖଞ୍ଜାଘର ଗୋଟେ ଆୟତକ୍ଷେତ୍ର ପରି । ଘର ଆଗରେ ସିମେଣ୍ଟ ତିଆରି ପ୍ରଶସ୍ତ ମେଜିଆ । ତା’ପରେ ମେଲାଘର । ଆଗେ ଏହାକୁ କଚେରି ଘର ବୋଲି କୁହାଯାଉଥିଲା । ତା’ର ବିପରୀତ ପାଖରେ ସନାତନ ଦାସଙ୍କ ସିରସ୍ତା । ମେଲାଘର ଓ ଅବଶିଷ୍ଟ ଘର ମଝିରେ ଗୋଟେ ଅଣଓସାରିଆ ରାସ୍ତା । ରାସ୍ତା କଡ଼େ କଡ଼େ ବଉଳଗଛ, ସେ ଗଛ ମୂଳେ ପଥର ଚାନ୍ଦିନୀ । ରାସ୍ତା ଶେଷରେ ଠାକୁର ଘର ଓ ଠାକୁର ଘର ଏପଟେ ଛଅ ବଖରା ଘର । ସେଇ ଆୟତ କ୍ଷେତ୍ରର ଶେଷକୁ ଲମ୍ବା ଧାଉଡ଼ିଏ ଘର । ଆଗେ ଏଠି ହଳିଆମୂଲିଆ ରହୁଥିଲେ । ଆଜିକାଲି ବନ୍ଦ ପଡ଼ିଛି । ତା ଶେଷକୁ ଗୋଟେ ତିନିବଖରା ସାନଖଞ୍ଜା । ସେଇଠି ସନାତନ ରହନ୍ତି । ତାଙ୍କ ଘରଠାରୁ ଟିକିଏ ଦୂରରେ ପ୍ରାଣକୃଷ୍ଣର ବସା । ପ୍ରାଣକୃଷ୍ଣ ବସା ପଛପଟେ ବଡ଼ପୋଖରୀ । ରାତିରେ ମାଛମାନେ ସେଠି କୁଦା ମାରନ୍ତି ବୋଲି ପ୍ରାଣକୃଷ୍ଣ କହେ । ପୋଖରୀ ଚାରିପଟେ ବଡ଼ ବଗିଚା । ସେ ବଗିଚାରେ ତେନ୍ତୁଳି, କରମଙ୍ଗାଠାରୁ ନେଇ ପିଜୁଳି, ଡାଳିମ୍ବ, କମଳା ଲେମ୍ବୁ ପରି ଅନେକ ଫଳ ଗଛ ।

 

ସାମନ୍ତରାୟଙ୍କର ତିନିଟି ସଉକି । ମାଛଧରା, ଗଛଲଗା ଏବଂ ବହିପଢ଼ା । ଏ ତିନିଟିରୁ କୌଣସି ଗୋଟିଏ କାମରେ ସେ ବ୍ୟସ୍ତ ଥିଲେ କେହି ତାଙ୍କୁ ବିରକ୍ତ କରନ୍ତି ନାହିଁ । ମାଛ ଆଉ ଗଛ ବିଷୟରେ ସେ ଜଣେ ବିଶାରଦ କହିଲେ ଭୁଲ୍‌ ହେବନାହିଁ! ଏହା ସାଙ୍ଗକୁ ନିଜର ଲାଇବ୍ରେରୀ । ପୁରୁଣା ପୁରାଣଶାସ୍ତ୍ରଠାରୁ ଏବର ବହି ମିଶି ଦଶ, ଏଗାର ହଜାର ହେବ ସେଗୁଡ଼ିକର ସଂଖ୍ୟା ।

 

ପାଟପୁର ସହର ନୁହେଁ କି ମଫସଲ ନୁହେଁ । ପିଚୁ ରାସ୍ତା ରହିଲା ପନ୍ଦର କିଲୋମିଟର ଦୂରରେ, ନାଲିଗୋଡ଼ି ରାସ୍ତା ଆସିଛି ଗାଁ ଭିତରକୁ । ଆଗରୁ ଏ ଅଞ୍ଚଳ କନିକା ଇଲାକାର ଅଂଶବିଶେଷ ଥିଲା । ଏବେ ଭଦ୍ରକ ଜିଲ୍ଲାର ଗୋଟିଏ ଅସଂରକ୍ଷିତ ନିର୍ବାଚନ ମଣ୍ଡଳୀ । ପାଟପୁର ଗାଁର ନାମ ଅନୁସାରେ ପାଟପୁର ବଜାର । ଗାଆଁଠୁ ବଜାରର ଦୂରତା ଚାରି ମାଇଲ୍‌ ।

 

ସମୟେ ସମୟେ ସନାତନ ଭାବନ୍ତି, ମୟୂରଭଞ୍ଜର ପାହାଡ଼ଜଙ୍ଗଲ ଅଞ୍ଚଳରୁ ଉପକୂଳର ଏ ପାଟପୁର ଅନେକ ଦୂର । ଅଥଚ ସେ ଏଇଠି ବିତେଇ ଦେଲେଣି ନିଜ ଜୀବନର ଦୀର୍ଘ ତିରିଶ ବର୍ଷ । ଅନେକ ସମୟରେ ଭାବିଛନ୍ତି, ଏଠୁ ଯାଇ ଆଉ ଗୋଟାଏ କିଛି ନୂଆ କାମ କରିବେ । ମାତ୍ର ଯେତେଥର ଏମିତି ଭାବିଛନ୍ତି ସେତେଥର ଶିବପ୍ରସାଦଙ୍କ ସ୍ନେହଆଦର ତାଙ୍କ ହାତଧରି ଅଟକେଇ ଦେଇଛି । ଯେଉଁଠିକୁ ଗଲେ ଯଦି କାମ କରିବେ, ତାହାହେଲେ ପାଟପୁରରେ କାମ କଲେ କ୍ଷତି କ’ଣ?

 

ଶିବପ୍ରସାଦ କହନ୍ତି, ‘‘ଖାଲି ଏକା ମା’ ପେଟରୁ ଜନ୍ମହେଲେ ଦି’ଜଣ ଭାଇ ଭାଇ ହୁଅନ୍ତି ନାହିଁ । ରକ୍ତ ସମ୍ପର୍କ ବାହାରେ ଆଉ ଗୋଟିଏ ସମ୍ପର୍କ ବି ଅଛି । ତାକୁ ବୁଝି ହୁଏ, କିନ୍ତୁ ବୁଝାଇ ହୁଏ ନାହିଁ ।’’ ସତକଥା ।

 

ସନାତନ ଦୀର୍ଘ ନିଃଶ୍ୱାସ ନେଲେ । ଏଇ ପ୍ରଲମ୍ବିତ ଅନ୍ଧକାର ପରି ତାଙ୍କର ପିଛିଲା ଜୀବନ । ମୟୂରଭଞ୍ଜର ସେଇ କୁମାର ପୂର୍ଣିମା ଆସର କଥା ମନେ ପଡ଼ିଗଲା । ସେଇଠି ସେ ଗୀତଟିଏ ଗାଇ ଓ ଶ୍ଳୋକ ଚାରିଟି ଆବୃତ୍ତି କରି ଶିବପ୍ରସାଦଙ୍କ ପିତା ଶାନ୍ତନୁଙ୍କ ମନ ଜିଣିଥିଲେ । ପରଦିନ ସକାଳୁ ବଡ଼ ସାଆନ୍ତ ପ୍ରସ୍ତାବ ଦେଇଥିଲେ, ଯଦି ଆପତ୍ତି ନଥାଏ, ସିଏ ତାଙ୍କ ସାଙ୍ଗରେ ପାଟପୁର ଯାଇପାରନ୍ତି । ସିଏ ତାଙ୍କର ସବୁ ଦାୟିତ୍ୱ ବୁଝିବେ ।

 

ରାଜାରାଜୁଡ଼ା ଅମଳ ହୋଇଥିଲେ ସନାତନ ସଭାକବିର ପଦବି ପୂରଣ କରିଥାନ୍ତେ ପରା- ପାଟପୁରରେ ତାଙ୍କୁ ଯେମିତି ସେଦିନ ଆଦରର ସହ ଅଭ୍ୟର୍ଥନା କରାଯାଇଥିଲା ସେକଥା ଦେଖି ସେ ମନକୁ ମନ କହିଥିଲେ । ପିଲାଦିନେ ସନାତନଙ୍କର ସ୍ୱପ୍ନ ଥିଲା ସେ ଗାୟକ ହେବେ । ପରେ ତାହା ବଦଳି ‘କବି’ ପାଖରେ ରହିଲା । କେହି ଜଣେ ଭବିଷ୍ୟବାଣୀ କରିଥିଲେ, ଜୀବନସାରା ସନାତନ ଅକ୍ଷର ସାଙ୍ଗେ ସଂପର୍କ ରଖିବେ । ଅବଶ୍ୟ ସେଇ ‘ଅକ୍ଷର’ ଜାଗାରେ ସେ ‘ସଂଖ୍ୟା’ କହିଥିଲେ ଅଧିକ ଯଥାର୍ଥ ହୋଇଥାଆନ୍ତା । ଏକ, ଦୁଇ, ତିନି, ଚାରିରୁ ନେଇ ଶୂନ ପର୍ଯ୍ୟନ୍ତ ସଂଖ୍ୟାଗୁଡ଼ିକ ସହ ସନାତନଙ୍କର ଘନିଷ୍ଠ ସମ୍ପର୍କ ।

 

ବଡ଼ ସାଆନ୍ତ ଶାନ୍ତନୁ ସାମନ୍ତରାୟଙ୍କର ଭାରତୀୟ ସଂଗୀତ ଏବଂ ସଂସ୍କୃତ ଶାସ୍ତ୍ର ସମ୍ପର୍କରେ ଅଗାଧ ପାଣ୍ଡିତ୍ୟ ଥିଲା । କେହି ଟିକିଏ ସାମାନ୍ୟ ତାଳ ହୁଡ଼ିଲେ ସେ ନାଗସାପ ପରି ଲାଞ୍ଜ ଉପରେ ଠିଆ ହୋଇ ଯାଉଥିଲେ । ତାଙ୍କ ବିଚାରରେ ସଂଗୀତରେ ତାଳ ହୁଡ଼ିବା, ଗୃହଲକ୍ଷ୍ମୀଙ୍କୁ ସଭାରେ ବିବସନା କରିବା ପରି ଅପମାନ ।

 

କ୍ରମେ ସନାତନ ଦାସ ଏ ପରିବାରର ତତ୍ତ୍ୱାବଧାରକ ପାଲଟି ଗଲେ । ତାଙ୍କର କାମ କ’ଣ ବୋଲି ପୁଅ ପଚାରିଲେ ସେ କହନ୍ତି, ମୋର ନିର୍ଦିଷ୍ଟ କାମ କିଛି ନାହିଁ । କିନ୍ତୁ ସବୁଯାକ ଦାୟିତ୍ୱ ମୋର ।

 

ସନାତନ ମନକୁ ମନ କହିଲେ, ‘‘ଆଜି ବୋଧହୁଏ ଲାଇନ୍‌ ଆସିବ ନାହିଁ । ଆଉ ଟିକକ ପରେ ପ୍ରାଣକୃଷ୍ଣ ତାଙ୍କୁ ଖାଇବା ଲାଗି ଡାକି ଆସିବ । କାଳିଦାସଙ୍କ ‘କୁମାର ସମ୍ଭବମ୍‌’ ବହିଟି ଆଉଥରେ ପଢ଼ିବା ଲାଗି ଆରମ୍ଭ କରିଥିଲେ, ସରିପାରିବ ନାହିଁ ।

 

ପତ୍ନୀ ଚାଲିଯିବାଦିନୁ ତାଙ୍କ ଘରେ ରୋଷେଇ ହୁଏ ନାହିଁ । ପ୍ରାଣକୃଷ୍ଣ ଆଣି ଖାଇବା ଦେଇଯାଏ । ତାଙ୍କ ଚଳିବାଲାଗି ତିନି ବଖରା ଘର । ମଝିରେ ବଡ଼ ଅଗଣା । ଅଗଣାରେ ଫୁଲଗଛ । ଗୋଟେ ବାଙ୍ଗରା ପିଜୁଳି ଗଛ ବି ଅଛି ସେଇ ମେଳରେ । ତା’ର ଡାଳଗୁଡ଼ିକ ଓହଳି ପଡ଼ିଛି ରାସ୍ତାପଟକୁ ।

 

ସନାତନଙ୍କର ନିଜ ପିଲାଦିନ ମନେପଡ଼େ । କମ୍‌ ବୟସରେ ବାପା-ମା’ ଚାଲିଗଲେ । ବେତନଟୀର ମଠରେ ରହି ସେ ପାଠ ପଢ଼ିଥିଲେ । ଦିନରେ ମଠ କାମ କରନ୍ତି, ରାତିରେ ପାଠ ପଢ଼ନ୍ତି । ସକାଳୁ ସକାଳୁ ଗାଈ ଚରଉ ଚରଉ ସେ ପଣିକିଆ ମୁଖସ୍ଥ କରୁଥିଲେ ସେଦିନ । ଠାକୁରଙ୍କ ଲାଗି ଫୁଲହାର ଗୁନ୍ଥିଲା ବେଳେ ଗୀତ ଗାଉଥିଲେ । ଅଇଁଠା ବାସନକୁସନ ମାଜିବାବେଳେ ସେଗୁଡ଼ିକର ଶବ୍ଦରୁ ସେ ସଂଗୀତର ତାଳ ଶିଖୁଥିଲେ । ଏହା ମଝିରେ ଯେତିକି ସମୟ ବଳେ ସେତିକିରେ ଚାଲେ ତାଙ୍କର ପାଠପଢ଼ା ।

 

ପିଲାଦିନେ ଖୁବ୍‌ ନିକଟରୁ ଦାରିଦ୍ର୍ୟକୁ ଦେଖିଛନ୍ତି ସନାତନ । ତେବେ ସେ ବୁଝିଛନ୍ତି, ଭାତ-ରୁଟିର ଅଭାବକୁ ବରଦାସ୍ତ କରିହୁଏ, ମାତ୍ର ସ୍ନେହ ଆଦରର ଅଭାବକୁ ବରଦାସ୍ତ କରିବା ଖୁବ୍‌ କଷ୍ଟ । ଭାତରୁଟିର ଅଭାବ ତ ଆରବେଳା ଖାଇବା ସହିତ ଦୂର ହୋଇଯାଏ, ମାତ୍ର ସ୍ନେହ-ଆଦରର ଅଭାବ ମନ ଭିତରେ ଯେଉଁ ଶୂନ୍ୟସ୍ଥାନ ତିଆରି କରିଦିଏ ସିଏ ଆଉ କେବେ ବି ପୂରଣ ହୁଏନାହିଁ । ଛୋଟ ପାଣିଫୋଟକା ଆକାରର ହେଉ ପଛକେ, ସେ ମନ ଭିତରେ ସେଇପରି ରହିଯାଏ ।

 

ଶିବପ୍ରସାଦ ତାଙ୍କର ସେଇ ଅଭାବକୁ ପୂରଣ କରିଛନ୍ତି ସ୍ନେହ-ଶ୍ରଦ୍ଧା ଦେଇ । ସୁକଲ୍ୟାଣ କହେ, ଏହା ପଛରେ ତାଙ୍କର ସାମନ୍ତବାଦୀ ସତର୍କ ବୁଦ୍ଧି ରହିଛି । ମଣିଷ ଗୋଟେ ଏପରି ପ୍ରାଣୀ, ଯାହାକୁ କେବଳ ଅନ୍ୟ ପଶୁଙ୍କ ପରି ଖାଦ୍ୟ ଦେଇ, ଅର୍ଥ ଦେଇ କି ଉପଢୌକନ ଦେଇ ସବୁବେଳେ କିଣାଯାଇ ପାରେନାହିଁ । ଯାହା ହଜାର ଲକ୍ଷ ଟଙ୍କା ବିନିମୟରେ ସମ୍ଭବ ହୁଏ ନାହିଁ, ତାହା ମହୁବୋଳା କଥା କେଇପଦ ମାଧ୍ୟମରେ ସମ୍ଭବ ହୁଏ । ଶିବପ୍ରସାଦ ସେଇ ବିଦ୍ୟାକୁ ପ୍ରୟୋଗ କରିଛନ୍ତି । ନହେଲେ ଜୀବନସାରା ତାଙ୍କପରି ଗୋଟେ ଗ୍ରାମ୍ୟ-ଧନୀକର ପରିବାର ଦାୟିତ୍ୱ ବୁଝିବା ପାଇଁ କ’ଣ କେହି ପାଟପୁର ପରି ଅଞ୍ଚଳରେ ରହିଯାଇପାରେ?

 

ବାରମ୍ବାର ଠିକଣା ବଦଳେଇବା କଷ୍ଟକର - କହନ୍ତି ସନାତନ । ଅଧିକ କ’ଣ ମୁଁ କେଉଁଠି ପାଇଥାଆନ୍ତି? ଈଶ୍ୱର ଯାହା ଦେବାର କଥା ସବୁ ଦେଇଛନ୍ତି ।

 

ସୁକଲ୍ୟାଣ ବୁଝେ ନାହିଁ । କହେ, ‘‘ବୟସ ହୋଇଗଲାଣି, ତୁମେ ମୋ ପାଖକୁ ଚାଲିଆସ । ସେଠି ମୋର ବହୁତ ବଡ଼ ଘର । ତୁମକୁ ଭଲ ଲାଗିବ । ଯଦି କଲିକତା ଆସିବାକୁ ଚାହୁଁନାହଁ ତାହାହେଲେ ମୟୂରଭଞ୍ଜ ଚାଲିଆସ । ସେଠି ତ ତୁମର ପରିଚିତ ଲୋକ ଢେର୍‌ ଅଛନ୍ତି । ବାରିପଦାରେ ଖଣ୍ଡେ ଭଲ ଘର ତିଆରି କରିବା ।

 

ଯେତେଥର ସୁକଲ୍ୟାଣ ଏପରି ପ୍ରସ୍ତାବ ଦିଏ ସେତେଥର କିଛି ଗୋଟେ ବାହାନା କରି ସନାତନ ତାକୁ ଏଡ଼େଇ ଯାଆନ୍ତି । ଆଗେ କହୁଥିଲେ, ‘‘ତୋ ପଢ଼ା ସରୁ ।’’ ତା’ପରେ କହିଲେ, ‘‘ଚାକିରି ହେଉ’’ ଏବଂ ଏବେ କହୁଛନ୍ତି, ‘‘ତୁ ଆଗେ ଘରସଂସାର କରିବାକୁ ସ୍ଥିର କରିସାର, ତା’ପରେ ଘର ତୋଳିବା ।’’

 

ସୁକଲ୍ୟାଣ କହେ, ‘‘ଅଦ୍ଭୁତ ଉପାଦାନରେ ତୁମେ ଗଢ଼ା ଯାଇଛ ।’’

ସନାତନ ହସିଦିଅନ୍ତି । ପୁଣି ଆରମ୍ଭ କରନ୍ତି, ସାମନ୍ତରା ଘର ପୋଖରୀରେ ମାଛ ଯାଆଁଳ ଛାଡ଼ିବାର ଅନୁଭୂତି କିମ୍ବା ନଡ଼ିଆଗଛଗୁଡ଼ିକ ଝଡ଼ାଯିବା ସମୟର ମଧୁର ଅଭିଜ୍ଞତା । ମାତ୍ର ସୁକଲ୍ୟାଣର ଏସବୁ ଶୁଣିବାଲାଗି ଆଦୌ ଆଗ୍ରହ ନଥାଏ ।

 

ସନାତନ ଦେଖିଲେ, ‘‘ପ୍ରାଣକୃଷ୍ଣ ଆସୁଛି । ସେ କବାଟଟିକୁ ଆଉଜେଇ ଆଣି କହିଲେ, ଚାଲ୍‌, ଆଜି ସେଇଠି ଖାଇଦେବା । ଲାଇନ୍‌ ବୋଧହୁଏ ଆସିବ ନାହିଁ ।’

 

ପ୍ରାଣକୃଷ୍ଣ କହିଲା, ‘ଚାଲନ୍ତୁ, ଚାଲନ୍ତୁ । ଆଜି ଗୋଟାଏ ଭଲ ଖବର ଦେବି । କଟକର ପଟ୍ଟନାୟକବାବୁ ଖବର ପଠେଇଛନ୍ତି, ଏହା ଭିତରେ ସେ ସୋନି ମାଆଙ୍କୁ ଦେଖିବା ଲାଗି ଆସିବେ ।’

 

ସନାତନ ହସି ହସି କହିଲେ, ‘‘ମୁଁ ଜାଣେ । ଉପରଓଳି ମୁଁ ପରା ଯାଇ ସେକଥା ମାଆଙ୍କୁ କହିଆସିଥିଲି ।’’

ପ୍ରାଣକୃଷ୍ଣ କହିଲା, ‘‘ଆପଣଙ୍କୁ ନଜଣେଇ ଏଇ ପାଟପୁରର ଚନ୍ଦ୍ର ସୂର୍ଯ୍ୟ ସୁଦ୍ଧା ଉଦୟ ଅସ୍ତ ହେଉ ନଥିବେ ।’’

ସନାତନ ଏ କଥାର କିଛି ଉତ୍ତର ଦେଲେ ନାହିଁ ।

 

ସୋନି ମାଆର ବାହାଘରଟି ସରିଗଲେ ସାଆନ୍ତେ ଟିକିଏ ନିଶ୍ଚିନ୍ତ ହେବେ । ସମୟ ଅପେକ୍ଷା କରୁନାହିଁ । ସୋନିର ବୟସ ଏଇ ଦୁର୍ଗାଷ୍ଟମୀକୁ ପଚିଶ ଚାଲିବ । ଝିଅପିଲା, ବାହାଘରଟି ନ ହୋଇଗଲେ ସମସ୍ତଙ୍କର ଚିନ୍ତା ଲାଗି ରହିିଥିବ । ତା ବାହାଘର ସରିବା ପରେ ସେ ବି ଫୁରୁସତ ଦେଖି ସାଆନ୍ତଙ୍କଠାରୁ ମେଲାଣି ମାଗିବେ ।

 

ଗୋବିନ୍ଦ କହିଲା, ‘‘ଦେଖ ଜଳଧର, ଏଇଠୁ ନୂଆନଈ ପର୍ଯ୍ୟନ୍ତ ବାରମାଣିଆ ଚକଟି କେତେ ସୁନ୍ଦର ଦିଶୁଛି । କିଏ ଯେମିତି ନେଳିଡବା ଧରି ସମାନ ଢଙ୍ଗରେ ରଙ୍ଗ ବୋଳିଦେଇ ଯାଇଛି । ସେଇ ଯେଉଁ ଦୂରରେ ତାଳବଣ ଦିଶୁଛି ସେଇଯାଏ ଲମ୍ବିଛି ସାମନ୍ତରାଙ୍କ ଚାଷଜମି । ସେଇଠୁ କିଆବଣ ଆରମ୍ଭ ଓ ବଣ ସେପଟେ ନଈ । ତୁମ ସାଆନ୍ତେ ତାଙ୍କ ବିଲାତୀ ବୁଦ୍ଧି ଲଗେଇ ଏମିତି ଚାଷ କରୁଛନ୍ତି ଯେ କୋଉ ବର୍ଷ ତାଙ୍କର ଲୋକସାନ ହେଉନାହିଁ । ଏ ବାରମାଣିଆ ଚକକୁ ଦେଖିଲେ ପେଟ ପୂରିଯାଉଛି ।’’

 

: ଧେତ୍‌ । କି ଅଲଣା କଥା ଗୁଡ଼ା କହୁଛ ଆଁ? ତେମେ ତ କ’ଣ ଗୋଟେ ଫୁଲକୋବି କି ବନ୍ଧାକୋବି ହେଇଗଲା ପରି ମୋତେ ଲାଗିଲାଣି । ମୁଁ କ’ଣ ତମକୁ ଏଠି ସାମନ୍ତରାଙ୍କ ସଂକୀର୍ତନ କରିବାପାଇଁ ଡାକିଛି, ଆଁ? ବୁଝିଲ ଗୋବିନ୍ଦ! ଜମି, ସୁନା ଓ ନାରୀ - ଇଏ ନୁହନ୍ତି କାହାରି । ଯାହା ବାହୁରେ ବଳ ଅଛି ଏସବୁ ତାଆର । ଯାହା ମୁଣ୍ଡରେ ବୁଦ୍ଧି ଅଛି ଜମି, ସୁନା ଓ ନାରୀ ତାଆର । ତୁମେ କ’ଣ ମହାଭାରତ ପଢ଼ିନ? ଏଇଆ ଲେଖା ହୋଇଛି ନା ନାହିଁ? - ଜଳଧର ଜେରା କଲା ।

 

ଗୋବିନ୍ଦ ମୁରୁକି ହସିଲା ।

ଜଳଧର କହିଲା, ‘‘ଶାସ୍ତ୍ର କହିଲା, ଗରିବ ହେଇ ତମେ ଯଦି ଜନ୍ମ ହେଇଛ ସେଥିରେ ତମର ଦୋଷ ନାହିଁ । କିନ୍ତୁ ଗରିବ ହୋଇ ଯଦି ମଲ, ତାହାହେଲେ ସେଥିରେ ତମର ସଂପୂର୍ଣ୍ଣ ଦୋଷ । ଜାଣିବ, ତମର ପୂରା ଜୀବନଟା ବେକାର ହୋଇଗଲା । ତମେ ଆଉ ମୁଁ କାହିଁକି ଗରିବ? କୁହ, କହୁନ?’’

 

: ନା, ତମେ କୁହ । - ଗୋବିନ୍ଦ କହିଲା ।

: କାରଣ, ଏ ସାମନ୍ତରା ଧନୀ । ସିଏ ଧନୀ ହେଇଥିବାରୁ ଆମେ ଗରିବ । ଏସବୁ ସଂପତ୍ତି ଦିନେ ବାଣ୍ଟିହୋଇ ଅନେକଙ୍କ ପାଖରେ ଥିଲା । ଏବେ ଏଗୁଡ଼ା ଏହାରି ପାଖରେ ଅଛି । ଏଠିକି କେମିିିତି ଆସିଲା? ସେଇ ବଳ-ବୁଦ୍ଧି ବଳରେ । ଆମେ ଚାହିଁଲେ ଏସବୁ ପୁଣି ଆମ ପାଖକୁ ଯାଇପାରିବ । ପଚାର, କେମିତି?

 

: କେମିତି?

: ବଳ - ବୁଦ୍ଧି ବଳରେ ।

: ହେଃ, ତୁମର ଯେଉଁ କଥା! ଆମ ପାଖେ କି ବଳ ଅଛି? ସମନ୍ତରା ପରା ପାଟପୁର ଫାଣ୍ଡିକୁ ନିଜ ପକେଟ୍‌ରେ ରଖିଛନ୍ତି । ସିଏ ‘ଧ’ କହିଲେ ପୁଲିସ୍‌ ଆସି ବାନ୍ଧି ପକେଇବ ।

Unknown

 

: ଆଉ ବୁଦ୍ଧି? - ଜଳଧର କୁଟିଳ ହସ ହସି ପଚାରିଲା ।

ଗୋବିନ୍ଦ କହିଲା, ‘‘ତମେ ଯାହା ଦିଶୁଛ ସେଇଆ ନୁହଁ ହୋ ଜଳଧର । ତମ ମୁଣ୍ଡରେ ବହୁତ ମସଲା ଅଛି, ଦେଖୁଛି ।

 

: କିନ୍ତୁ ଏକାକୀ ମୁଁ କିଛି କରିପାରିବି ନାହିଁ । କହିଲା ଏକ ଆଖି ଆଖି ନୁହେଁ, ଏକ ସାକ୍ଷୀ ସାକ୍ଷୀ ନୁହେଁ । ଗୋଟାଏ ହାତରେ କୋଉଠି ତାଳି ବାଜିଲାଣି? ସେଇଥିପାଇଁ ତୁମର ସାହାଯ୍ୟ ଦରକାର ।

 

: ମୁଁ ପ୍ରଥମ ଚିଠି ପଠେଇସାରିଛି । ଏବେ ଘଟଣା ଘଟେଇବା ଦାୟିତ୍ୱ ତମର । ତା’ପରେ ମୁଁ ଦ୍ୱିତୀୟଟା ପଠେଇବି ।

 

: ବାଃ, ବଢ଼ିଆ କରିଛ । ସତକଥା ଗୋବିନ୍ଦ, ଏ ସାମନ୍ତରା ଘର ଜମିବାଡ଼ି ଦେଖିଲେ ମୋ ଦେହ କେମିତି ଜଳିଯାଏ । ମୁଁ ଧୈର୍ଯ୍ୟ ଧରିପାରେ ନାହିଁ । ତମେ ତାକୁ ଈର୍ଷା କୁହ କି ଲୋଭ କୁହ, ମୋର ଆପତ୍ତି ନାହିଁ । ମାତ୍ର ତମକୁ ମିଛ, ମୋତେ ସତ, ମୋ ଦେହମୁଣ୍ଡ କଅଣ ହେଇଯାଏ । ମନହୁଏ କ’ଣ ବୋଲି କ’ଣ କରିପକାନ୍ତି । ସେଇ ବଜ୍ଜାତ ବୁଢ଼ାଟା ନଥିଲେ ମୁଁ ପରା କୋଉଦିନୁ ସାମନ୍ତରା ଡଙ୍ଗାରେ ଘଳିଆ କରିସାରନ୍ତିଣି?

 

ଦିହେଁ ହସିଲେ ।

ଜଳଧର ପଚାରିଲା, ‘‘ତମେ ପରା ସେଦିନ ଇଲେକ୍‌ସନ୍‌ ଆଫିଡେଭିଟ୍‌ କଥା କହୁଥିଲ ।’’

: ନାଇଁ ହୋ, ସେଇ ବାହାନାରେ ଉଭୟପଟରୁ କିଛି ଖର୍ଚ ଝଡ଼େଇବା ଲାଗି ଚାହୁଁଥିଲି । ମାତ୍ର ମଉକା ଜୁଟୁନାହିଁ । ସେ କାଗଜଟା ହାତକୁ ଆସୁ ।

 

: ଆସୁ, ଆସୁ । ମାତ୍ର ବୃନ୍ଦାବନ ମହାନ୍ତି ବି କମ୍‌ ଲୋକ ନୁହେଁ । ସିଏ ବି ୟାଙ୍କ ପଛପଟେ ହାବେଳି ଖଞ୍ଜିବା ଲାଗି ତୟାର ହୋଇଗଲେଣି । ସାମନ୍ତରା ତାଙ୍କ ସତ୍ୟପାଠରେ ବିଜୟ ପାଟଣା ଜମି ଓ କଟକ ଘରକଥା ଛପେଇଥିଲେ । ଏପଟୁ ‘ସୁର୍‌ର’ କିନା ଶବ୍ଦ ହେଲେ ସେପଟୁ ଫୁଟିବ ‘ଢୋ’ ।

 

ଦିହେଁ ପୁଣି କିସ୍ତିଏ ହସିଲେ ।

ଜଳଧର କହିଲା, ‘‘ହଉ, ଆମେ ଯିବା । ଆଜି ହେଲା ମଙ୍ଗଳବାର । ଗୁରୁବାର ଦିନ ଘଟଣାଟି ଘଟୁ ।’’

ଗୋବିନ୍ଦ ପରାମର୍ଶ ଦେଲା, ‘‘ଏଥର ଉଦ୍ଦେଶ୍ୟ ସଂପତ୍ତି ନୁହେଁ, ବିଶ୍ୱାସ, ମନେ ରଖିଲଟି? ସାମନ୍ତରାଙ୍କ ବିଶ୍ୱାସ ଉପରେ ଶକ୍ତ ପାହାରଟିଏ ଦେବାକୁ ପଡ଼ିବ । ଲୋଭରେ ପଡ଼ି ଭୁଲ୍‌ଭାଲ କରିବ ନାହିଁ ।

 

: ରାମ୍‌ ବୋଲ, ମୁଁ କ’ଣ ଛୁଆ ହେଇଛି?

: ଛୁଆ ନୁହଁ ବୋଲି ତ କହୁଛି । ତମର ଯେଉଁ ଲୋଭ, ସୁନା କି ରୁପା ଖଣ୍ଡେ ଦେଖିଲେ ପରା ଜାମାପଟା ଲାଳରେ ବୁଡ଼ିଯିବ ।

 

ଗୋବିନ୍ଦ ପୁଣି କହିଲା, ‘‘ସକାଳୁ ସକାଳୁ ଯେମିତି ପୁଲିସ୍‌ ଆସି ପହଞ୍ଚିବ, ସେ ବ୍ୟବସ୍ଥା କରିବାକୁ ହେବ । ନହେଲେ କଥାଟା ପାଣିଚିଆ ହେଇଯିବ ।’’ ଆଉ ଶୁଣ, ‘‘ବୁଧବାର ରାତିରେ ସନାତନ ଦାସ ଯେମିତି ପାଟପୁରରେ ରହେ । ନହେଲେ ଆମ ଯୋଜନା ଅନ୍ୟ ଆଡ଼କୁ ଚାଲିଯିବ । ସବୁଠୁ ବଡ଼କଥା ଆମର କଥାବାର୍ତା ଯେମିତି ଚାରି କାନରୁ ଛଅ କାନ ନହୁଏ ।’’

 

: ତମେ ବି କାହା ସାଙ୍ଗେ ଆଲୋଚନା କରିବ ନାହିଁ?

: ହରିବୋଲ, ମୋ ବେଉସାର ମୂଳମଞ୍ଜି ପରା ବିଶ୍ୱାସ । ମୋ କାରବାର ବିଷୟରେ ଅନ୍ୟ କିଏ ଦୂରେ ଥାଉ, ତମ ଭାଉଜ ସୁଦ୍ଧା କିଛି ଜାଣନ୍ତି ନାହିଁ । ଇଏ, ମୁଁ ନକୁଳ ନାୟକର ଶିଷ୍ୟଟି? ଆଚ୍ଛା, ମୋ କଥା କ’ଣ ବୁଝିଲ? ଭାରି ଅସୁବିଧାରେ ଅଛି ।

 

ଆଣିଛି, ଆଣିଛି! କଥା ନଅସରେ ଅସଲ କାମଟା ଭୁଲି ଯାଇଥିଲି । ଏଇ ନିଅ କହି ଟଙ୍କା ଦି’ ହଜାର ଗୋବିନ୍ଦ ହାତରେ ଗୁଞ୍ଜିଦେଲା ଜଳଧର ।

 

ମଳୟ ପବନ ଦେହରେ ବାଜିଲେ ଦେହ ଯେମିତି ଉଲୁସିଯାଏ, ଟଙ୍କାଛୁଆଁ ପାଇ ଗୋବିନ୍ଦ ସେମିତି ଉଲୁସିଗଲା । କହିଲା, ‘‘ତମେ ଗୋଟେ ହୀରା ଜଳଧର, ହୀରା । ତମକୁ ଏପର୍ଯ୍ୟନ୍ତ ଏ ପାଟପୁର ଅଞ୍ଚଳ ଚିହ୍ନି ପାରିନାହିଁ । ଆଉ କୋଉ ଅଞ୍ଚଳ ହୋଇଥିଲେ ତୁମର ପ୍ରତିମୂର୍ତିମାନ ଗାଁ ଛକମାନଙ୍କରେ ଶୋଭା ପାଆନ୍ତାଣି । କି ବିଚକ୍ଷଣ ବୁଦ୍ଧି!

 

: ହଉ ହଉ ସେତିକି ଅଲଣା ପ୍ରଶଂସା ଥାଉ । ମୋଅରି ମଲମ ମୋଅରିଠେଇଁ ଘଷ ନାଇଁ । ରଖିଥାଅ, ସେଗୁଡ଼ା ଭବିଷ୍ୟତରେ ଢେର୍‌ କାମରେ ଆସିବ ।

 

: ହଉ, ମୁଁ ଆସିଲି । କାଲି ସଂଜବେଳେ ଗୁପ୍ତା ଦୋକାନରେ ଦେଖାହେବ । - ଗୋବିନ୍ଦ ଚାଲିଗଲା ।

ସିଏ ଯିବାପରେ ତା ବାଟକୁ ଚାହିଁ ଜଳଧର କହିଲା, ‘‘ଧେତ୍‌ ବିରାଡ଼ି ବୈଷ୍ଣବ । ମୋ କାମ ସରୁ, ତୋତେ ବି ଏ ଗାଁରୁ ବିଦା କରୁଛି ।’’ ସିଏ ପାଟିରୁ ପାନ ପିକ ପକେଇ, ବାରମାଣିଆ ଚକ ଦିଗରେ ଆଉ ଥରେ ଚାହିଁଲା । ଏ ଆଖିରେ ଲୋଭ ଏବଂ ଆର ଆଖିରେ ଈର୍ଷା, ଈର୍ଷା ଓ ଲୋଭ । ଅଶିଣମାସର ପବନ ପିଠିରେ ଥୋଡ଼ଭର୍ତି ଧାନଫୁଲର ବାସ୍ନା ଝୁଲି ଝୁଲି ଆସୁଥିଲା । ନଈପଟକୁ କାଶତଣ୍ଡୀ ଫୁଲ ଚଅଁର ମେଲିଲେଣି । ଦଶହରା ଆସୁଛି । କୁଆଁର ପୁନେଇ ବେଳକୁ ସାମନ୍ତରାଙ୍କ ଅପେରା ପାର୍ଟିର ବହିପୂଜା ହେବ । ତା ଆଗରୁ ତା’ର ମ୍ୟାନେଜର ଚାକିରିଟା ପକ୍କା ହେଇଯିବା ଦରକାର ।

 

ଗୋବିନ୍ଦ ତା ଶଳା ନରସିଂହ ଜରିଆରେ ବୁଝିଛି, ଅପେରା ପାର୍ଟି ମ୍ୟାନେଜରର ଫି ରାତି ପିଛା ଲାଭ ପାଞ୍ଚହଜାର । ମାସକୁ ଦେଢ଼ଲକ୍ଷ ଟଙ୍କା । ରାତି ଅନିଦ୍ରା ହେବା ଦରକାର ନାହିଁ । ସଂଜବୁଡ଼େ ବୋତଲେ ବିୟର ପକେଇ ଶୁଅ । ଦିନ ଥାଉ ଥାଉ ତୁମ ଖର୍ଚ ତୁମ ପକେଟ୍‌ରେ ।

 

ନରସିଂହ କହେ, ଅସଲ ଲାଭ ବୁକିଂ ବେଳେ । ହାତରେ ବଇନା ଥାଉ ନଥାଉ ମୁହଁତୋଡ଼ ଦେଖେଇବାକୁ ପଡ଼ିବ । କହିବାକୁ ପଡ଼ିବ, ଭାରି ଡିମାଣ୍ଡ । ମାସେ ପର୍ଯ୍ୟନ୍ତ ବୁକିଂ ଫୁଲ୍‌ । ତା’ପରେ ଆୟୋଜକମାନେ ତମ ସହ ଦେଖା କରିବେ - ଆଜ୍ଞା, ଆମ ଏରିଆକୁ ଦିଇଟା ରାତି ପାଇଁ ପଛେ ହେଉ ଚାଲନ୍ତୁ । ମକର ବେଳକୁ ଦି’ ରାତି ଅପେରା ନହେଲେ ନଚଳେ । ଆମେ ଆପଣଙ୍କ ସବୁ କଥା ବୁଝିବୁ । ସେଇଠୁ ତମେ ଅସଲ ଦାନ୍ତ ଦେଖେଇବ । ନିଜେ କିଛି କହିବା ଦରକାର ନାହିଁ । ତମ ତରଫରୁ ତମ ଲୋକ ଯାଇ ତମ୍ବୁ ସେପଟେ ବେପାର କରିବେ । ଟଙ୍କା ପାଞ୍ଚହଜାର ହାତଗୁଞ୍ଜା ମିଳିଲା ପରେ, ସେମାନଙ୍କ ପାଇଁ ଚା’ କପେ କପେ ମଗେଇବ । ସେମାନେ ଜାଣିଲେ, ତାଙ୍କ ବୁକିଂ କାଏମ୍‌ ରହିଲା ।

 

ନରସିଂହ କହେ, ଅପେରା ପାଇଁ ଖାଲି ପ୍ରଚାର ଦରକାର । ମଫସଲଠୁଁ ନେଇ ସହର ଯାଏ ସବୁଠି ସାମ୍ବାଦିକ ଗଣ୍ଡେ ଦି’ଗଣ୍ଡା ଅଛନ୍ତି । ସେଗୁଡ଼ାଙ୍କ ଭିତରୁ ବାରଣା ମାଗଣାଖିଆ । ଖା ବୋଲି କହିଲେ ଛେରିଲା ଯାଏ ଖାଉଥିବେ, ପିଇ ବୋଲି କହିଲେ ବାନ୍ତିକଲା ଯାଏ ପିଉଥିବେ । ତାଙ୍କ ମାଇପମାନଙ୍କର ମାଗଣା ଖିଆରେ ଭାରି ମନ । ପୁଲିସ୍‌ବାଲାଙ୍କ ଠାରୁ ବଳି ତାଙ୍କର ଲୋଭ । ସେମାନଙ୍କୁ ରାତି ପିଛା ଦଶ ପନ୍ଦରଟା ମାଗଣା ଟିକେଟ୍‌ ଦେଇଦେଲେ, ବହି ଉଠିବା ଆଗରୁ ଲେଖିଦେବେ - ସୁପର ଡୁପର ହିଟ୍‌ । ଆଉ ଚିନ୍ତା କ’ଣ? ସେତିକି ପାଇଁ ଆୟୋଜକଙ୍କୁ କହି ଅଧିକା ଚଉକି କିଛି ପକେଇଦବ । ଏଣେ ମାଲିକଙ୍କୁ କହିବ - ପ୍ରଚାର ଲାଗି ଖର୍ଚ ହେଲା ପାଞ୍ଚ ହଜାର ଟଙ୍କା ।

 

ପ୍ରଥମେ ଏଇ ‘ଆୟୋଜକ’ କଥାଟିକୁ ଜଳଧର ବୁଝି ପାରି ନଥିଲା । ନରସିଂହ ବୁଝେଇଦେଲା । କହିଲା, ତମ ପାର୍ଟି ରହିଲା ପାଟପୁରରେ । ଏ ରାଜ୍ୟର କୋଉଠି କେତେବେଳେ ଅପେରା ପାର୍ଟି ଦରକାର ସେକଥା ତୁମେ କେମିତି ଜାଣିବ? ସେମିତି ରାଇଜସାରା ଲୋକମାନେ ତମର ଗୋଟେ ଅପେରା ପାର୍ଟି ଅଛି ବୋଲି କିମିତି ଜାଣିବେ? ତମେ ଯେମିତି ଅର୍ଡ଼ର ଖୋଜୁଚ, ସେମିତି ଭିନ୍ନ ଭିନ୍ନ ଅଞ୍ଚଳର ଲୋକ ତାଙ୍କ ପର୍ବପର୍ବାଣିକି ଅପେରା ପାର୍ଟି ଖୋଜୁଛନ୍ତି । ତମେ ତୁମ ପାର୍ଟିର ଫୋନ୍‌ ନମ୍ବର ଖବରକାଗଜରେ ବିଜ୍ଞାପନ ଆକାରରେ ଛପେଇଦେଲ । କିଛି ଖବରକାଗଜ ଲୋକଙ୍କୁ ହାତରେ ରଖିଥିଲେ ସିଏ ବି ମଝିରେ ମଝିରେ ତାଙ୍କ ରବିବାରିଆ ସଂଖ୍ୟାରେ ତମ ବିଷୟରେ ଭଲ ଭଲ କଥା ଛପଉଥିବେ । ସେଇଆକୁ ଦେଖି ବିଭିନ୍ନ ଅଞ୍ଚଳରୁ ଫୋନ୍‌ ଆସିବ । ଧର ଫୋନ୍‌ ଆସିଲା କଟକର ଚଉଦ୍ୱାରରୁ । ଚଉଦ୍ୱାରର ଦଶ-ପନ୍ଦର କି କୋଡ଼ିଏ-ପଚିଶ ଲୋକ ମିଶି ଗୋଟେ ସଂଘ ଗଢ଼ିଥିବେ । ସେମାନେ ପ୍ରଥମେ ନିଜ ନିଜ ହାତରୁ ପାଞ୍ଚ ଦଶ ହଜାର ଦେଇ ତୁମକୁ ବଇନା ଦେବେ ଦେଢ଼ଲକ୍ଷ । ତମର ରାତିକୁ ଦର ଯଦି ପଚାଶ ହଜାର ଟଙ୍କା ହେଲା ତାହାହେଲେ ତମେ ତମର ତିନି ରାତିର ସଂପୂର୍ଣ୍ଣ ଟଙ୍କା ଦେଢ଼ଲକ୍ଷ ଆଗରୁ ପାଇଗଲ । ଆୟୋଜକମାନେ ତମକୁ ପଡ଼ିଆ ଯୋଗେଇଦେଲେ । ବାକି ତମ୍ବୁ, ଗ୍ରୀଲ, ପରଦା, ଚଉକି, ସାଜ ସରଞ୍ଜାମ, ଲାଇଟ୍‌, ବାଜା ଏବଂ ଅଭିନେତା-ଅଭିନେତ୍ରୀ, ଗୀତ-ନାଚବାଲା ଏ ସମସ୍ତ ଦାୟିତ୍ୱ ତମର । ଆୟୋଜକମାନେ ଟିକେଟ୍‌ ବିକିଲେ । ଯଦି ସେମାନେ ତିନି ରାତିକୁ ତିନି ଲକ୍ଷ ପାଇଲେ ତାହାହେଲେ ତମ ଦେଢ଼ଲକ୍ଷ ଯିବା ପରେ ତାଙ୍କର ରହିଲା ଆଉ ଦେଢ଼ଲକ୍ଷ । ସେଇଟା ତାଙ୍କର ଲାଭ ।

 

ଜଳଧରର ଜିଭ ଲାଳେଇ ଯାଇଥିଲା ।

ନରସିଂହ କହିଥିଲା, ସେଇଥିପାଇଁ ମ୍ୟାନେଜରର ଭାରି ଚାହିଦା । ସିଏ ଅପେରା ପାର୍ଟିର ମେନ୍‌ ସୁଇଚ୍‌ । ପୁଣି ଇଏ ତ ଗଲା ଏପଟ କଥା, ଆରପଟେ ପୁଅ-ଝିଅ ପାର୍ଟିଆରିମାନେ ତମକୁ ତେଲ ଲଗେଇବେ । କାହିଁକିନା ତମ ହାତରେ ଅଛି ଅସଲ ଚାବିକାଠି ।

 

ଜଳଧର ପଚାରିଥିଲା, ‘‘ଶୁଣୁଛି, ବଡ଼ ବଡ଼ ହିରୋ ଭିଲିଆନ ତାଙ୍କର ବର୍ଷକର ଦରମା ଚାରି ପାଞ୍ଚ ଲକ୍ଷ ଆଗରୁ ନେଇଯାଉଛନ୍ତି । ସେମାନେ କାହିଁକି ମ୍ୟାନେଜର କଥା ଶୁଣିବେ?

 

: ଶୁଣିବେ, ଶୁଣିବେ । ସେଇ ଆୟୋଜକ ଓ ଖବରକାଗଜବାଲାଙ୍କୁ ଧରି ଛାପିଦିଅ - ଅମୁକ ହିରୋଇନ ଆଉ କନ୍ଦେଇ ପାରୁନାହିଁ । ସମୁକ କମେଡ଼ିଆନ୍‌ର ହସଦୋକାନ ବନ୍ଦ ହୋଇଗଲାଣି, ଢମୁକ ଭିଲିଆନ୍‌ର ଡାଇଲଗ୍‌ ଆଉ ଲୋକଙ୍କୁ ଟାଣିଧରି ରଖିପାରୁନି । ଦେଖିବ, ସେମାନେ ଆସି ତମର ଶରଣ ଲୋଡ଼ିବେ । ଆଖୁ ଖଣ୍ଡକୁ ଯେଉଁଠି ଚୋବେଇଲେ ଯେମିତି ମିଠା ଏ ବେପାରରେ ଯୋଉଠି ଧରିଲେ ଲାଭ । ସବୁ ପ୍ରକାର ଲାଭ - ପଇସା, ପ୍ରଚାର ଏବଂ ଦରକାର ବେଳେ ...

 

ଜଳଧର ପଚାରିଥିଲା, ‘ଦରକାର ବେଳେ?’

ନରସିଂହ କହିଥିଲା, ‘‘ନିଦ କି ଜାଣେ ଘର ବାହାର, ଭୋକ କି ଜାଣେ ଆପଣା ପର । ଘରଠୁ ଦି’ ମାସ ଦୂରରେ ରହିଛ । ରାତି ଅଧକୁ ଭୋକ ଡାକୁଛି, ପେଟ ଭୋକ ନୁହେଁ ବା ତା ତଳର ଭୋକ । କ’ଣ କରିବ? ସେ ବ୍ୟବସ୍ଥା ବି ଯୋଗାଡ଼ ହୋଇପାରିବ ।’’

 

ଉତ୍ତେଜନାରେ ଜଳଧର ଦେହରୁ ଗୋଟାପଣେ ଝାଳ ବୋହି ଯାଇଥିଲା । ତାକୁ ଲାଗିଥିଲା, ନରସିଂହ ତାକୁ ଆଉଗୋଟେ କେଉଁ ନୂଆ ପୃଥିବୀର କଥା ଶୁଣଉଛି । ନରସିଂହ ଜଳଧରର ମନୋଭାବ ବୁଝି ପାରିଥିଲା । କହିଲା, ‘‘ସେଗୁଡ଼ାଙ୍କର ଦସ୍ତୁର ସେଇଆ । ତାଆରି ଭିତରେ ଯୋଡ଼ି ଯୋଡ଼ି ପଡ଼ିବେ । ବାପ ମାଆ ହେବେ । ଘରସଂସାର କରିବେ ପୁଣି ଛାଡ଼ପତ୍ର ଦେବେ । ତେଣେ ନିଜ ନିଜ ଘରେ ଆଉ ଗୋଟେ ଗୋଟେ ସମାନ୍ତରାଳ ସଂସାର ଥିବ । ଏପଟେ ଆଉ ଗୋଟେ ଗୋଟେ ।

 

ଜଳଧର କହିଲା, ‘‘ଏଥିରେ ତ ସେଗୁଡ଼ାକ ବଦନାମ ହେଇ ଯାଉଥିବେ ।’’

: ହଉଛନ୍ତି, ଯାହାର ଯେତେ ବଦନାମ୍‌, ତାଆର ସେତେ ଦାମ୍‌ । ଏ ବର୍ଷର ରେଟ୍‌ ଛଅ ଲକ୍ଷ ହୋଇଥିଲେ ଆର ବର୍ଷର ରେଟ୍‌ ଆଠ ଲକ୍ଷ । ବଦନାମକୁ କିଏ ଡରୁଛି ହେ?

 

ସଂଜ ନୋଇଁ ଆସିଲାଣି । ଗୋବିନ୍ଦ ଡାହାଣା ଆଉ ଟିକକୁ ଆସି ଗୁପ୍ତା ଦୋକାନରେ ମାଗଣା ମଦ ପିଇବା ଲାଗି ପହଞ୍ଚିଯିବ । ଶଳା, ଘରସଂସାର ବୁଡ଼ା, ସୋମବାର ସଂକ୍ରାନ୍ତି କିଛି ମାନୁନାହିଁ - ଜଳଧର ମନକୁ ମନ କହିଲା । ଶିବ ସାଆନ୍ତଙ୍କ ଏ ଅସ୍ଥାୟୀ କର୍ମୀ କାମ ଆଉ ଚଳୁନାହିଁ । ଅପେରା ପାର୍ଟି ମ୍ୟାନେଜର କାମଟା ଖାସା କାମ । ପଇସା ଅଛି, ପ୍ରଚାର ଅଛି, ତା ସାଙ୍ଗକୁ ... ସେ ଆଗକୁ ଆଉ ଭାବି ପାରିଲାନି । ତା ଦେହ ଶିର୍‌ଶିରେଇ ଉଠିଲା ।

 

ଦମକାଏ ପବନରେ ବାରମାଣିଆଚକର ଧାନଗଛ ଗୁଡ଼ାକ ବି ସେତିକିବେଳେ ଦୋହଲି ଉଠୁଥିଲେ ।

ଗୁରୁବାର ସକାଳୁ ସକାଳୁ ପୁଲିସ୍‌ ଗାଡ଼ିକୁ ଦେଖି ପାଟପୁର ଗାଁ ଲୋକେ ଆଶ୍ଚର୍ଯ୍ୟ ହେଲେ । ଅଧାଲୋକଙ୍କର ନିଦ ଭାଙ୍ଗି ନଥିଲା । ପୁଲିସ୍‌ ଜିପ୍‌ ହର୍ଣ୍ଣରେ ସେମାନଙ୍କ ନିଦ ଭାଙ୍ଗିଲା । ଜିପ୍‌ ଯେତେବେଳେ ସାମନ୍ତରାଙ୍କ ଘରଆଡ଼େ ମୁହାଁଇଲା ସେତେବେଳେ ଲୋକମାନେ ବି ତା ପଛେ ପଛେ ଯାଇ ସାଆନ୍ତଙ୍କ ଘର ଆଗରେ ରୁଣ୍ଡହେଲେ । ସମସ୍ତଙ୍କ ଆଖିରେ ପ୍ରଶ୍ନ - କ’ଣ ହେଇଛି । ତେବେ ସାମନ୍ତରା ଘରର ଲୋକମାନେ ସେତେବେଳକୁ ସବୁକଥା ଜାଣି ସାରିଥିଲେ । କାଲି ରାତିରେ ଚୋର ପଶି ସାମନ୍ତରାଙ୍କ ଭଣ୍ଡାର ଘରୁ ସୁନାରୂପା ଗହଣାତକ ଚୋରି କରିନେଇଛି ।

 

ପାଟପୁର ଫାଣ୍ଡି ସବ୍‌ଇନିସ୍‌ପେକ୍ଟର ଏବଂ ତାଙ୍କର ସହଯୋଗୀମାନେ ତଦନ୍ତ କଲେ । ସନାତନ ଦାସ ସେମାନଙ୍କର ସତ୍କାର ଦାୟିତ୍ୱ ବୁଝୁଥାଆନ୍ତି । ତାଙ୍କ ମୁହଁଟି ଶୁଖି ଯାଇଥାଏ । ଗଲା ତିରିଶ ବର୍ଷ ଭିତରେ କୌଣସି ଦିନ ସାମନ୍ତରାଙ୍କ ଘରୁ ଗହଣାଗାଣ୍ଠି ଦୂରେ ଥାଉ, ବାସନ ଖଣ୍ଡେ ବି ଚୋରି ହୋଇ ନଥିଲା । ଆଜି ଗୁରୁବାର । ଗୁରୁବାରଟାରେ ଘରୁ ସୁନା ଚୋରି ହେବା ଭଲ ଲକ୍ଷଣ ନୁହେଁ ।

 

ପୁଲିସ୍‌ର ମତ, କେହି ଜାଣିବା ଶୁଣିବା ଲୋକ ଏ କାମ କରିଛି । ଆଲମିରା ଭଙ୍ଗା ହୋଇନାହିଁ, ଆଉ ଗୋଟେ ଚାବିକାଠି ତିଆରି କରାଯାଇ ଆଲମିରା ଭିତରୁ ଗହଣାଗୁଡ଼ିକ କାଢ଼ି ନିଆଯାଇଛି । ପୋଖରୀ ପଟୁ ପାଚିରି ଡେଇଁ ଚୋର ଆସିଛି ଏବଂ ସେଇପଟ ଦେଇ ପୁଣି ପଳେଇଛି ।

 

ଶିବପ୍ରସାଦ ଗହଣାଗାଣ୍ଠିର କ୍ଷୟକ୍ଷତି ନେଇ ବେଶି ଚିନ୍ତା କରୁ ନଥିଲେ । ସେ ଚିନ୍ତା କରୁଥିଲେ, ଏପରି ଏକ ଘଟଣା ଘଟିଲା କେମିତି? ଏତେ ଦିନ ପର୍ଯ୍ୟନ୍ତ ଗାଁଲୋକ ଓ ପଡ଼ୋଶୀଙ୍କ ଶ୍ରଦ୍ଧା ହିଁ ତାଙ୍କ ଘରକୁ ସୁରକ୍ଷାର ବଳୟ ଭିତରେ ରଖିଥିଲା । ସେଥିଲାଗି କେବେ କୌଣସି ଦିନ ବାହାରର ଚୋର ତାଙ୍କ ଘରକୁ ପଶିବାଲାଗି ସାହସ କରି ନଥିଲେ । ଆଜି ସେଇ ସୁରକ୍ଷାର ବଳୟ ଆଉ ରହିଲା ନାହିଁ । ଗହଣାଗାଣ୍ଠି ଅପହରଣଠାରୁ ଲୋକଙ୍କ ଶ୍ରଦ୍ଧା-ବିଶ୍ୱାସର ଅପହରଣ ତାଙ୍କୁ ବେଶି କଷ୍ଟ ଦେଉଥିଲା ।

 

ଗାଁର ସାନ ସାନ ପିଲାମାନେ ପୁଲିସ୍‌ ଜିପ୍‌ ଚାରିପଟେ ଜମା ହୋଇଥିଲେ । ଆଉ କେତେଜଣ ପୁଲିସ୍‌ କୁକୁରର ଗତିବିଧି ନିରେଖୁଥିଲେ । ତାଙ୍କଠାରୁ ଟିକିଏ ଦୂରଛଡ଼ା ହୋଇ ଛିଡ଼ା ହୋଇଥିଲେ ବୟସ୍କ ମଣିଷ । ସେମାନଙ୍କ ପଛରେ, ନିଜ ନିଜ ଘରର ଦୁଆରବନ୍ଧ ଓ ଝରକା ସେପଟୁ ଥାଇ ସ୍ତ୍ରୀ ଲୋକମାନେ ପୁଲିସ୍‌ଙ୍କ କାରବାର ଦେଖୁଥିଲେ ।

 

ଶିବପ୍ରସାଦ କହିଲେ, ଘରେ ସେ, ତାଙ୍କ ପତ୍ନୀ ଏବଂ କନ୍ୟା ରହନ୍ତି । ଏହାଛଡ଼ା ସନାତନ, ପ୍ରାଣକୃଷ୍ଣ, ଘର କାମ କରିବାଲାଗି ଦୁଇଜଣ ସ୍ତ୍ରୀଲୋକ ଓ ଚାକର ପିଲା ଅଛି । ଅନ୍ୟ ଯେଉଁମାନେ କାମ କରିବାକୁ ଆସନ୍ତି ସେମାନେ ମୂଲମଜୁରି ନେଇ ସଂଜ ପୂର୍ବରୁ ଚାଲିଯାଆନ୍ତି । ଚୋରି ହେବା ଦିନ ବଢ଼େଇ ସାହିରୁ ପଲସ୍ତରା ମିସ୍ତ୍ରୀ ଓ ତା ସାଙ୍ଗରେ ଜଣେ ମୂଲିଆ ଆସିଥିଲେ । ସେମାନେ ବାଡ଼ିପଟେ କାମ କରି ସନ୍ଧ୍ୟା ପୂର୍ବରୁ ଫେରି ଯାଇଥିଲେ ।

 

ପୁଲିସ୍‌ ସମସ୍ତଙ୍କୁ ଡକେଇ ପଠେଇଲା ।

ଜଣ ଜଣ କରି ସମସ୍ତଙ୍କୁ ପଚରାଉଚୁରା କଲା ।

ଯେତେବେଳେ ସନାତନ ଦାସଙ୍କୁ ଡକରାଗଲା, ଶିବପ୍ରସାଦ ଚଉକିରୁ ଉଠିପଡ଼ି ବାରଣ କଲେ । କହିଲେ, ‘‘ସବ୍‌ଇନିସ୍‌ପେକ୍ଟରବାବୁ, ସନାତନଙ୍କୁ ଜେରା କରିବା ଅର୍ଥ ମୋତେ ଜେରା କରିବା ।’’

 

ସେତିକିବେଳେ ପୋଖରୀ ପଟକୁ ଯାଇଥିବା କନେଷ୍ଟବଳ ଜଣେ ହାତରେ ଗୋଟେ ରୁପା ପାଉଁଜି ଧରି ପହଞ୍ଚିଲା । ତା ହାତର ଗହଣାଟିକୁ ଦେଖି ସବ୍‌ଇନିସ୍‌ପେକ୍ଟର ପଚାରିଲେ, ‘‘ଏଇଟା କେଉଁଠୁ ପାଇଲ?’’

 

କନେଷ୍ଟବଳ ତାଙ୍କୁ ସାଙ୍ଗରେ ଡାକିନେଲା । ଅନ୍ୟମାନେ ମଧ୍ୟ ତାଙ୍କ ପଛେ ପଛେ ଗଲେ । ସେମାନେ ପୋଖରୀ ପାଖକୁ ଥିବା ସନାତନ ଦାସଙ୍କ ଘର ପଛପଟେ ଠିଆ ହୋଇଥିଲେ । କନେଷ୍ଟବଳ କହିଲା, ଏ ଗହଣାଟି ଦୁଆର ବନ୍ଧ ପାଖେ ଗୋଟିଏ କୋଣକୁ ପଡ଼ିଥିଲା । ମୋର ମନେହୁଏ, ଗହଣା ଗୁଡ଼ିକ ଏହି ଘରେ ଲୁଚେଇ ରଖାଯାଇଛି ।

 

ସନାତନ ଦାସ ସତେ କି ଗୋଟେ ବିଜୁଳି ଆଘାତ ପାଇଲେ । ଏଭଳି ଆଘାତ ଆଗରୁ ସେ କୌଣସି ଦିନ ପାଇ ନଥିଲେ । ସେ ଆଗେଇ ଯାଇ ଦରଜା ଖୋଲିଦେଲେ । ଘର ଭିତରକୁ ଯାଇ ନିଜେ ଝରକାଗୁଡ଼ାକ ଖୋଲି ଦେବାକୁ ଚାହୁଁଥିଲେ, ମାତ୍ର ପୁଲିସ୍‌ ତାଙ୍କୁ ଭିତରକୁ ଯିବା ଲାଗି ବାରଣ କଲା । ସେ ବାହାରେ ଠିଆ ହୋଇ ରହିଲେ ।

 

ଘରସାରା ଖୋଜାଖୋଜି ଚାଲିଲା । ଗାଁ ଗୋଟାକଯାକର ଲୋକ ଜମା ହୋଇଥାଆନ୍ତି । ଘର ଭିତରୁ ପୁଲିସ୍‌ କିଛି ହେଲେ ପାଇଲା ନାହିଁ । ସେତେବେଳକୁ ଦି’ ପହର ହେଲାଣି ।

 

ଶିବପ୍ରସାଦ କହିଲେ, ‘‘ଯାହା ଘଟିବାର ଥିଲା ଘଟିଗଲା । ଆପଣମାନେ ଯାଆନ୍ତୁ । କେତେ ସମୟ ଆଉ ଖୋଜିବେ?’’

ସନାତନଙ୍କ ଦୁଆରବନ୍ଧ କୋଣରୁ ରୁପା ପାଉଁଜି ପାଇଥିବା କନେଷ୍ଟବଳଟି ପୋଖରୀ ଚାରିପଟେ ପଇଁତରା ମାରୁଥାଏ । ତା’ର ଦୃଢ଼ ସନ୍ଦେହ ଏଇପଟେ ପାଚେରି ଡିଆଇଁ ଜିନିଷଗୁଡ଼ା ଚାଲାଣ ହୋଇଛି । ସାମନ୍ତରାଙ୍କ ପୋଖରୀ ଚାରିପଟେ ବିରାଟ ବଗିଚା । ଫଳ ଫୁଲ ଗଛର ଗହଳି ଭିତରେ ଦି’ପହର ବି ସଂଜ ପରି ଜଣାଯାଏ । ମାତ୍ର ସିଏ ନିଷ୍ଠାର ସହ ଖୋଜୁଥାଏ ।

 

ପୁଲିସ୍‌ କୁକୁର ଗୋଟିଏ ଜାଗାରେ ଯାଇ ଅଟକି ଗଲା । ସେଇଠି ତା ଆଗ ଗୋଡ଼ରେ ମାଟି ଦରାଣ୍ଡି ଭୋ-ଭୋ ଭୁକିଲା । ସବ୍‌ଇନିସ୍‌ପେକ୍ଟର ଫେରିଯିବାକୁ ବସିଥିଲେ । ମାତ୍ର କୁକୁରର ଶବ୍ଦ ଶୁଣି ସେ ତା ପାଖକୁ ଗଲେ । ଗୋଟାଏ ଗଛ ଚାରିପଟେ ମନ୍ଦା ହେଲାପରି ନୂଆ ମାଟି କିଛି ଘୋଡ଼ାଯାଇଛି । ତାଆରି ଭିତରୁ ବାହାରିଲା ଗୋଟେ ଗାମୁଛାରେ ବନ୍ଧା ହୋଇ ପୋତା ହୋଇଥିବା ପୁଟୁଳାଟିଏ । କନେଷ୍ଟବଳଟି ସେ ପୁଟୁଳା ବାହାର କରି ଆଣି ସମସ୍ତଙ୍କ ଆଗରେ ଖୋଲିଲା । ଖରା ଆଲୁଅରେ ତା ଭିତରର ଗହଣାଗୁଡ଼ିକ ଚକ୍‌ଚକ୍‌ କରି ଉଠିଲା । ଶିବପ୍ରସାଦ ଦେଖିଲେ, ଗହଣାଗୁଡ଼ା ଗଣାହେଲା ପରି ସବୁ ସେଇଠି ଅଛି ।

 

ଇନିସ୍‌ପେକ୍ଟର କହିଲେ, ‘‘ଏଇଟା ଆପଣଙ୍କ ଘର ଭିତର ଲୋକଙ୍କ କାମ । କାଲି ଚୋରି ହୋଇଛି, ଆଜି ସଂଜବେଳକୁ ହୁଏତ ଏସବୁ ଚାଲାଣ ହୋଇଥାଆନ୍ତା ।’’

 

ଶିବପ୍ରସାଦ କ’ଣ କହିବେ କିଛି ବୁଝିପାରୁ ନଥିଲେ । ସବୁଦିନ ସେ ଏଇ ଗହଣା ଆଲମିରାଟି ଖୋଲନ୍ତି ନାହିଁ । ଆଜି ସେ ମା’-ଝିଅ ଦିହିଙ୍କୁ ହିସାବ ବୁଝେଇବା ଲାଗି ଆଲମିରା ଖୋଲିଥିଲେ । ସେଇ ଆଲମିରାରେ ଖଣ୍ଡେ ଡାଏରି ଅଛି, ଯେଉଁଥିରେ ତାଙ୍କ ସଂପତ୍ତିବାଡ଼ି ତାଲିକା, ବ୍ୟାଙ୍କ୍‌ ଆକାଉଣ୍ଡ ନମ୍ବର, ଏଲ୍‌ଆଇସି ପଲିସି ଏବଂ ଅଂଶଧନର ବିବରଣୀ ଲେଖା ଅଛି । ତାଙ୍କର ପୁରୁଣା ଗହଣାଗାଣ୍ଠି ସେ କଟକ ବ୍ୟାଙ୍କ୍‌ ଲକରରେ ରଖେଇଛନ୍ତି । ଏଠି ଅଳ୍ପ କିଛି ପୁରୁଣାପୁରୁଣି ଗହଣାଗାଣ୍ଠି ଓ ନଗଦ ଟଙ୍କା ରହିଥାଏ । ତା’ର ଗୋଟେ ଚାବି ତାଙ୍କ ପାଖରେ ଏବଂ ଆରଟି ସନାତନଙ୍କ ପାଖରେ ରହେ । ଏହା ସତ୍ତେ୍ୱ କିଏ ଲୁହା ଆଲମିରା ଖୋଲି ଗହଣାତକ ନେଇ ପଳଉଥିଲା?

 

ଇନିସ୍‌ପେକ୍ଟର କହିଲେ, ‘‘ସାର୍‌, ଆଉ କାହା କଥା ହୋଇଥିଲେ ଆମେ ଏ ଜିନିଷଗୁଡ଼ା ଥାନାକୁ ନେଇଥାଆନ୍ତୁ ଓ ଥାନାରୁ କଚେରି । ଆପଣ ପ୍ରମାଣ ଦେଇ କଚେରିରୁ ସେସବୁ ଆଣିଥାଆନ୍ତେ । ତା ପାଇଁ ଅଯଥା ଶ୍ରମ ଓ ସମୟ ଯାଇଥାଆନ୍ତା । ମାତ୍ର ସବୁ ତ ଆପଣଙ୍କ ଘର ବାଡ଼ିରୁ ବରାମଦ ହୋଇଛି । ତେଣୁ ଆପଣ ସେସବୁ ପାଇଲେ ବୋଲି ଲେଖିଦିଅନ୍ତୁ । ପାରିବେ ଯଦି ଥାନାକୁ ଟିକେ ଜଣାଇଦେବେ । ମୋର କିଛି ଆପତ୍ତି ନାହିଁ । ଶିବପ୍ରସାଦ ସବ୍‌ଇନିସ୍‌ପେକ୍ଟରଙ୍କୁ କୃତଜ୍ଞତା ଜଣାଇଲେ । ସବ୍‌ଇନିସ୍‌ପେକ୍ଟର ମଝିରେ ମଝିରେ ସନାତନ ଦାସଙ୍କୁ ନିରିଖେଇ ଚାହୁଁଥାଆନ୍ତି । ସେଇ ଚାହାଣିର ସନ୍ଦେହ ଓ ଅବିଶ୍ୱାସରେ ସନାତନଙ୍କ ଅସ୍ତିତ୍ୱ ପୋଡ଼ିଜଳି ଗଲା ପରି ଲାଗୁଥାଏ । ତାଙ୍କର ମନେ ହେଉଥାଏ, କିଏ ଯେମିତି ଭିତରେ ଭିତରେ ତାଙ୍କୁ କୋରି ବିଦାରି ପକଉଛି । କେହି କିଛି ଉପରକୁ ନ କହିଲେ ବି ସେ ଜାଣି ପାରୁଥାଆନ୍ତି ଯେ, କିଛି ଗାଁଲୋକ ତାଙ୍କୁ ହିଁ ସନ୍ଦେହ ନକରି ଆଉ କାହାକୁ ସନ୍ଦେହ କରିବେ । ପୁଣି ତାଙ୍କରି ଦୁଆରବନ୍ଧ ପାଖରୁ ତ ରୁପା ପାଉଁଜି ବରାମଦ କରିଛି ପୁଲିସ୍‌ । ହୁଏତ ସେମାନେ ତାଙ୍କୁ ଲକ୍ଷ୍ୟ କରି କହୁଛନ୍ତି, ‘ଢୋଲ ଭିତରେ ମୂଷା ।’

 

ପୁଲିସ୍‌କୁ ବିଦାୟ ଦେବାପରେ ଶିବପ୍ରସାଦ ଆସି ମେଲାଘର ସୋଫାରେ ବସିଲେ । ପ୍ରାଣକୃଷ୍ଣ ଆଣି ଆଉ ଗିଲାସେ ଲେମ୍ବୁ ସରବତ ଦେଲା । ଶିବପ୍ରସାଦ କହିଲେ, ‘‘ତୁ କବାଟ ଆଉଜେଇଦେଇ ଯାଆ । ମୁଁ ଟିକିଏ ଚୁପ୍‌ଚାପ୍‌ ବସେ ।’’

 

ପାଟପୁର ଗାଁ ସାରା ସାମନ୍ତରାଙ୍କ ଘରୁ ଗହଣା ଚୋରିର ଚର୍ଚା । ଗହଣାଗୁଡ଼ିକ ମିଳିଯାଇଥିଲେ ବି ସେକଥା ବେଶି ଆଲୋଚନାକୁ ଆସୁ ନଥାଏ । ଅସଲ କଥା ହେଲା, କିଏ ଏତେ ସାହସ କରି ଚୋରି କରୁଥିଲା? ଶିବପ୍ରସାଦ ତାକୁ ଅବଶ୍ୟ ଖୋଜି ବାହାର କରିବେ ।

 

ସନାତନ କବାଟ ଆଉଜେଇ ଆଣି ଶିବପ୍ରସାଦଙ୍କ ପାଖରେ ଛିଡ଼ାହେଲେ । ସବୁଦିନେ ଯେମିତି ‘‘ଆପଣଙ୍କ ଆଜ୍ଞାଧୀନ’’ ମୁଦ୍ରାରେ ସେ ଛିଡ଼ା ହୁଅନ୍ତି, ସେମିତି ମୁଦ୍ରାରେ । ଶିବପ୍ରସାଦ ତାଙ୍କୁ ଦେଖି ଇସାରାରେ ପଚାରିଲେ, ‘‘କିଛି କହିବ?’’ ସନାତନ ନିଜ ହାତମୁଠାରେ ଧରିଥିବା ଚାବିନେନ୍ଥାଟି ଟି-ପୟ ଉପରେ ଥୋଇଦେଲେ । ଆଖି ଛଳ ଛଳ, କଣ୍ଠ ବାଷ୍ପାକୁଳ । ‘‘ମୋତେ କ୍ଷମା କରିବେ ସାଆନ୍ତେ, ମୁଁ ମୋ ଦାୟିତ୍ୱ ଠିକ୍‌ ଭାବେ ତୁଲେଇ ପାରିଲି ନାହିଁ ।’’

 

ଶିବପ୍ରସାଦ ସିଧାହୋଇ ବସିଲେ । ଟିକିଏ ଟାଣ ଗଳାରେ କହିଲେ, ‘‘ମୋତେ ଚାବି ଦେଲେ କ’ଣ ହେବ? ଆପଣ ନିଜେ ବରଂ ସତର୍କ ରହନ୍ତୁ ।’’

 

: କ୍ଷମା କରିବେ । ମୁଁ ବୋଧହୁଏ ଆଉ ଏସବୁ ଦାୟିତ୍ୱ ତୁଲେଇ ପାରୁନାହିଁ । କେତେଦିନ ହେଲା ଭାବିଲିଣି, ଆପଣଙ୍କଠାରୁ ମେଲାଣି ମାଗିବି । କେବଳ ସୋନି-ମା’ର ବାହାଘର ପର୍ଯ୍ୟନ୍ତ ଅପେକ୍ଷା କରିଥିଲି । ମାତ୍ର ବିଧାତାର ଇଚ୍ଛା ଭିନ୍ନ । ଆଜି ଯାହାସବୁ ଘଟିଗଲା, ତା’ପରେ ମୋର ଆଉ ଏଠି ରହିବା ଉଚିତ ହେବନାହିଁ ।

 

ଶିବପ୍ରସାଦ ସେହିପରି ରୁଷ୍ଟ ଗଳାରେ କହିଲେ, ‘‘କ’ଣ ଏଣୁତେଣୁ କହୁଛନ୍ତି! ଏଇବେଳେ କ’ଣ ଏସବୁ କହିବା କଥା? ମୁଁ କ’ଣ ଆପଣଙ୍କୁ କିଛି କହିଲିଣି? ଆପଣ ଯିବେ ଯଦି ମୋର ଆପତ୍ତି ନାହିଁ । ମାତ୍ର ଆଉ ଜଣେ ଦକ୍ଷ ମ୍ୟାନେଜର ପାଇବା ପର୍ଯ୍ୟନ୍ତ ମୋତେ ସମୟ ଦିଅନ୍ତୁ ।’’

 

ସନାତନ ଭିତରେ ଭିତରେ ଚମକି ପଡ଼ିଲେ । ଏମିତି ଗୋଟେ ଉତ୍ତର ସେ ଆଦୌ ଆଶା କରୁ ନଥିଲେ । ସେ ଆଶା କରୁଥିଲେ ଶିବପ୍ରସାଦ ତାଙ୍କୁ ଗାଳିଦେବେ, ଟାଣଟାଣ କଥା କହିବେ । ମାତ୍ର ଶେଷକୁ କହିବେ, ‘‘ତୁମେ ଏଠୁ ଅନ୍ୟ କୁଆଡ଼େ ଯାଇ ପାରିବ ନାହିଁ ।’’ ମାତ୍ର ଶିବପ୍ରସାଦ ଇଏ କ’ଣ କହିଲେ? ଆଉ ଜଣେ ମ୍ୟାନେଜର ମିଳିବା ପର୍ଯ୍ୟନ୍ତ ସେ ରହିବେ । ତା ଅର୍ଥ ମନ ଭିତରୁ ସେ ସନାତନଙ୍କୁ ବିଦାୟ ଦେଇ ସାରିଲେଣି । ଆଉ ଯାହା ବାକି ଅଛି ତାହା କେବଳ ବିକଳ୍ପ ବ୍ୟବସ୍ଥା ପର୍ଯ୍ୟନ୍ତ ଅପେକ୍ଷା । ଅଭିମାନରେ ତାଙ୍କ କଣ୍ଠ ରୁନ୍ଧି ହୋଇଗଲା ।

 

ଶିବପ୍ରସାଦ ବୁଝିପାରିଲେ । ସେ ଗଳା ଟିକିଏ ନରମ କରି କହିଲେ, ‘ପ୍ରତି ଦି’ ବର୍ଷରେ ଥରେ ତୁମର ଏ ‘ମେଲାଣି ମାଗୁଣି’ ବେମାର ବାହାରେ । ଚୋରି ଜିନିଷ ତ ସବୁ ମିଳିଗଲା । ହୁଏତ ଚୋର ଧରାପଡ଼ିଯିବ । ତୁମର ଏତେ ବ୍ୟସ୍ତ ବିବ୍ରତ ହେବାର କ’ଣ ଅଛି?’’

 

ମାତ୍ର ସନାତନଙ୍କ ମନ ବୁଝିଲା ନାହିଁ । ସେ ଜାଣିପାରିଲେ, ବିଶ୍ୱାସ ଗଛର ଡାଳଟା ମଡ଼ମଡ଼ ହେଲାଣି । ଆଉ ଦମକାଏ ପବନ ବୋହିଲେ ଭାଙ୍ଗିଯିବ । ସେ କିଛି ନକହି ଚାବି ନେନ୍ଥାଟି ଉଠେଇ ଆଣିଲେ ଓ କବାଟ ଆଉଜେଇ ଦେଇ ମେଲାଘରୁ ଚାଲି ଆସିଲେ ।

 

ନିଜ ଘରକୁ ଫେରି ଟେବୁଲ୍‌ ଡ୍ରୟାରରୁ ଇନ୍‌ଲ୍ୟାଣ୍ଡ ଲେଟରଟିଏ ବାହାର କଲେ ସନାତନ । ଖଟ ଉପରେ ବସି ପୁଅ ପାଖକୁ ଚିଠି ଲେଖିଲେ - ଆୟୁଷ୍ମାନ ସୁକଲ୍ୟାଣ, ଆଜି ଦିନଟି ମୋ ଜୀବନର ସବୁଠାରୁ ଦୁଃଖର ଦିନ ... ।’’

 

ରେଳଯାତ୍ରୀ ନିବାସ ଲିଫ୍ଟ ପାଖରେ ହିଁ ସୋନିର ଦେଖାହେଲା ଅବିନାଶ ମହାପାତ୍ର ସାଙ୍ଗରେ । ପ୍ରାୟ ଦଶବର୍ଷ ତଳେ ଶେଷ ଦେଖା ହୋଇଥିଲା । କିନ୍ତୁ ଦିହେଁ ଦିହିଙ୍କୁ ଦେଖିଲା କ୍ଷଣି ଚିହ୍ନି ପାରିଲେ ।

 

ଦିଇଟି ଦିନ ପାଇଁ ସୋନି ଆସିଥିଲା କଲିକତା । ନ୍ୟାସ୍‌ନାଲ ଲାଇବ୍ରେରୀରେ ତା’ର କାମ ଥିଲା । ହାୱଡ଼ା ଷ୍ଟେସନ୍‌ ପାଖରେ ହିଁ ରେଳଯାତ୍ରୀ ନିବାସ । ଯିବା- ଆସିବା ରେଳ ଟିକେଟ୍‌ ଦେଖେଇ ଏଠି ରହିବାଲାଗି ବ୍ୟବସ୍ଥା କରେଇ ନେଇହୁଏ ।

 

ଅବିନାଶ ପଚାରିଲା, ‘‘ତୁମେ ଲଣ୍ଡନ ଯାଇଥିଲ, ଜାଣେ । ପୁଣି କୁଆଡ଼େ ଯିବ କି?’’

: ମୋ ବାପାଙ୍କର ଇଚ୍ଛା, ମୁଁ ପୃଥିବୀ ବୁଲେ । ମୁଁ କିନ୍ତୁ ଆଉ କୁଆଡ଼କୁ ଯିବାଲାଗି ଚାହୁନାହିଁ । ତୁମ ଖବର କ’ଣ?

 

ସୋନିର ପ୍ରଶ୍ନ ଶୁଣି ଅବିନାଶର ମୁହଁଟି ଟିକେ ଝାଉଁଳି ପଡ଼ିଲା ।

ସୋନି କହିଲା, ‘‘ମୁଁ ତୁମକୁ କଷ୍ଟ ଦେଲି ବୋଧହୁଏ । ଛାଡ଼, ତମର ‘ଗେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ’ କଥା ମନେଅଛି ଅବିନାଶ?’’

 

ଅବିନାଶ ହସିଲା । କହିଲା, ‘‘ହଁ ହଁ ।’’

ସେମାନେ ଦିଲ୍ଲୀ ଆକାଶବାଣୀ କେନ୍ଦ୍ରର ଅଭିଜ୍ଞତା କଥା କହୁଥିଲେ । ସେତେବେଳେ କିଛି ଗୋଟାଏ ପ୍ରୋଗ୍ରାମ କଲେ ଆକାଶବାଣୀ ଦେଢ଼ଶହ ଦିଇଶହ ଟଙ୍କାର ଚେକ୍‌ଟିଏ ଦେଉଥିଲା । ସେଇଟା ‘ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ’ର ଚେକ୍‌ । ମାତ୍ର ସୋନି ଏବଂ ଅବିନାଶ ପରି ଅନେକ କଲେଜ ପଢୁଆ ଯୁବକ ଯୁବତୀ ଥାଆନ୍ତି ଯେଉଁମାନଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ ହିଁ ନଥାଏ । ଆଜିକାଲି ‘ଏଟିଏମ୍‌’ ବ୍ୟବସ୍ଥା ଯୋଗୁଁ ଖୁବ୍‌ ସାନ ଦିନରୁ ପିଲାମାନଙ୍କର ଆକାଉଣ୍ଟ୍‌ ଖୋଲା ଗଲାଣି । ସେଦିନ ପରିସ୍ଥିତି ଅଲଗା ଥିଲା । ତେବେ ଚେକ୍‌ ଭଙ୍ଗେଇବା ଲାଗି ସେମାନଙ୍କୁ ବ୍ୟାଙ୍କ୍‌ ପର୍ଯ୍ୟନ୍ତ ଯିବାକୁ ପଡୁ ନଥିଲା । ଆକାଶବାଣୀ ଅଫିସ୍‌ର ଗେଟ୍‌ ପାଖେ ଥିବା ପାନଦୋକାନୀଟି ଦଶ ପନ୍ଦର ଟଙ୍କା କମିସନ୍‌ ନେଇ ଚେକ୍‌ ଭଙ୍ଗେଇ ଟଙ୍କା ଦେଉଥିଲା । ଗେଟ୍‌ ପାଖେ ଥିବା ସେଇ ପାନଦୋକାନୀକୁ ସମସ୍ତେ ପରିହାସରେ କହୁଥିଲେ ‘ଗେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ।’

 

ସୋନି ସେଦିନର ସ୍ମୃତି ମନେ ପକେଇଦେବାରୁ ଅବିନାଶ ହସିଦେଲା ।

ଅବିନାଶ ପଚାରିଲା, ‘‘କଫି?’’

ସୋନି ଉତ୍ସାହର ସହିତ କହିଲା, ‘‘ନିଶ୍ଚୟ ।’’

ସେମାନେ ନିଜ ନିଜ ରୁମ୍‌ରେ ବ୍ୟାଗ୍‌ପତ୍ର ରଖିଦେଇ ଲାଉଞ୍ଜକୁ ଆସିଲେ । ବୟ ଜଣକ ଦି’ କପ୍‌ କଫି ଦେଇଗଲା । ଦିହେଁ କଫି ପିଇଲେ ।

 

ସୋନି ମନରେ କୌତୂହଳ । ‘‘ଖବର କ’ଣ’’ ପଚାରୁ ପଚାରୁ ଅବିନାଶର ମୁହଁ ଝାଉଁଳିଗଲା କାହିଁକି? ତେବେ ସେ ତା ପ୍ରଶ୍ନକୁ ଦୋହରେଇବାକୁ ଚାହୁଁ ନଥିଲା ।

 

ଅବିନାଶ କହିଲା, ‘‘ଅନେକ ବର୍ଷ ପରେ ଲାଗୁଛି, ମୁଁ ହସିବାଟା ସଂପୂର୍ଣ୍ଣ ଭୁଲିଯାଇ ନାହିଁ ।’’

: ଏସବୁ କ’ଣ? ତୁମେ ତ ପୂରା ଦାର୍ଶନିକ ।

: ମୋର ବାହାଘର ହୋଇଛି ତିନିବର୍ଷ ହେଲା । ଏବେ ମୁଁ ଗୋଟେ ବାପ । ମାତ୍ର ମୋ ପୁଅ ନ୍ୟୂନକ୍ଷମ ।’’

: ହେ ଭଗବାନ! ଡାକ୍ତରଙ୍କୁ ଦେଖଉଛ?

: ସେଇଟି ତ ଏବେ ମୋର ମୁଖ୍ୟ କାମ । ଦ୍ୱିତୀୟ କାମଟି ହେଉଛି ପତ୍ନୀର ପ୍ରଶ୍ନକୁ ମୁକାବିଲା କରିବା ।

 

ସୋନି ବାସ୍ତବିକ ଦୁଃଖୀ ହୋଇଗଲା । ତା’ଠାରୁ ଦି’ବର୍ଷ ବଡ଼ ଅବିନାଶକୁ କଲେଜରେ ସମସ୍ତେ ଭଲ ପାଉଥିଲେ । ଖୁବ୍‌ ଲାଜୁଆ ସ୍ୱଭାବର ପିଲା ଅବିନାଶ । ସାଙ୍ଗମାନେ ସମସ୍ତେ ଜାଣନ୍ତି ଯେ ଅବିନାଶ ସୋନି କ୍ଲାସ୍‌ର ବର୍ଷାକୁ ମନେ ମନେ ଭଲ ପାଉଥିଲା । ବର୍ଷା ବି ଭଲ ପାଉଥିଲା ଅବିନାଶକୁ । ମାତ୍ର ତିନିବର୍ଷ ବିତିଗଲା, କୌଣସି ଦିନ ଅବିନାଶ ସାହସ ସଞ୍ଚୟ କରି ବର୍ଷାକୁ ‘ମୁଁ ତୁମକୁ ଭଲପାଏ’ ଏଇ ତିନିଟା ଶବ୍ଦ କହିପାରିଲା ନାହିଁ । ଯେଉଁଦିନ ସାଙ୍ଗମାନଙ୍କ ଉତ୍ସାହରେ ଉତ୍ସାହିତ ଅବିନାଶ ଏ ବାକ୍ୟଟି କହିବା ଲାଗି ଯାଇଥିଲା ସେଦିନ ସେ କିଛି କହିବା ଆଗରୁ ବର୍ଷା ତାକୁ ତା ବାହାଘର କାର୍ଡ଼ରୁ ଖଣ୍ଡେ ଦେଇଥିଲା । ଏଇଥିପାଇଁ ଅନେକ ଦିନ ପର୍ଯ୍ୟନ୍ତ ଅବିନାଶକୁ ସାଙ୍ଗମାନେ ‘ଶିଶୁପାଳ’ କହି ଚିଡ଼ଉଥିଲେ । ସେମିତି ଗୋଟେ ଭଲ ପିଲା ଏତେ କଷ୍ଟ ଭୋଗୁଛି!

 

ବାହାଘର ବିପକ୍ଷରେ ଗୋଟେ ବଡ଼ ଯୁକ୍ତି ପାଇସାରିଥିଲା ସୋନି ।

ଅବିନାଶ କହିଲା, ‘‘ଛାଡ଼ ମୋ କଥା । ତୁମ କଥା କୁହ । ଏଯାଏ ଏକଲା ଅଛ! ଆଉ ଡେରି କରନି, ଷ୍ଟକ୍‌ ସରିଯିବ ।’’

 

ସୋନି ହସିଲା ଓ କହିଲା, ‘‘ନୂଆ ଷ୍ଟକ୍‌ ପାଇଁ ଅପେକ୍ଷା କରିବା ।’’

ଅବିନାଶ ପୁଲିସ୍‌ ବିଭାଗରେ ଭର୍ତି ହେଇଛି । ଏବେ ସେ ବାଲେଶ୍ୱରର ଏସ୍‌ଡିପିଓ ଅଛି ।

ସେମାନଙ୍କର ସମୟ ହୋଇଯାଉଥିଲା । ଅବିନାଶ କହିଲା, ‘‘ମୋ ଫୋନ୍‌ ନମ୍ବର ରଖିଥାଅ । କେବେ ବାଲେଶ୍ୱର ଆସିଲେ ଫୋନ୍‌ କରିବ । ଅବଶ୍ୟ ଆଉ କିଛିଦିନ ପରେ ମୋର ବଦଳି ହେବାର ଅଛି ।’’

 

କହିଲା, ‘‘ତୁମେ ପୁଲିସ୍‌ ବିଭାଗରେ? ବାଃ । ରୁହ ରୁହ, ତୁମ ନମ୍ବର ମୁଁ ରଖେ । ତୁମ ପାଖେ ମୋର ନିଶ୍ଚୟ କାମ ପଡ଼ିବ ।’’

 

ଅବିନାଶ ତା ନମ୍ବର ବତେଇଦେଲା ଓ ହସି ହସି ନିଜ ରୁମ୍‌କୁ ଫେରିଗଲା । ସୋନି ସହିତ ଦେଖା ହୋଇ ତାକୁ ଭଲ ଲାଗୁଥିଲା । ଏଇ ଝିଅଟା ଗୋଟେ ଗ୍ରନ୍ଥକୀଟ । ଜୀବନସାରା ଖାଲି ତା’ର ପାଠ ଆଉ ପାଠ ।

 

ସୋନି ନିଜ କୋଠରୀରେ ବସି ଅବିନାଶର କଥା ଭାବୁଥିଲା । ଏତେ ଭଲ ପିଲାଟିକୁ ଈଶ୍ୱର ଏତେ କଷ୍ଟ ଦେଉଛନ୍ତି କାହିଁକି? ସେ ପ୍ରାର୍ଥନା କଲା, ଅବିନାଶକୁ ତା ସ୍ତ୍ରୀ ଭଲ ପାଉ ଏବଂ ସେମାନଙ୍କର ପୁଅକୁ ଈଶ୍ୱର ସୁସ୍ଥ କରିଦିଅନ୍ତୁ ।

 

ସେ ନ୍ୟାସ୍‌ନାଲ୍‌ ଲାଇବ୍ରେରୀକୁ ଯିବାଲାଗି ପ୍ରସ୍ତୁତ ହେଲା । ମନେ ମନେ ଭାବୁଥିଲା, ତାଙ୍କ ଘରୁ ଗହଣା ଚୋରି କରିଥିବା ଅସଲ ଚୋରଟି କିଏ ସେକଥା ଜାଣିବା ଦିଗରେ ଅବିନାଶ ସାହାଯ୍ୟ କରିପାରନ୍ତା ବୋଧହୁଏ । ନାଁ, ଏମିତି ସର୍ବସାଧାରଣରେ ଜଣେଇ ନୁହେଁ, ଟିକେ ଗୋପନ ଭାବରେ କଥାଟାର ତଦନ୍ତ କରାଗଲେ ସେ ସତ କଥାଟା ଜାଣିପାରନ୍ତା ।

 

ଢୋଲ ଭିତରେ ମୂଷା ।

: ଢୋଲ ଭିତରେ ମୂଷା ।

ଏତେଦିନ ପରେ ମୂଷା ଯନ୍ତାରେ ପଡ଼ିଛି, ଯିବ କୁଆଡ଼େ, ଆଁ? - ଜଳଧର ରହସ୍ୟ କରି ଗୋବିନ୍ଦକୁ ପଚାରୁଥିଲା । ସେ ଆଜି ବହୁତ ଖୁସି ଥିଲା ।

 

ଗୋବିନ୍ଦ କିନ୍ତୁ ପଥର ମୂର୍ତି ପରି ବସିଥିଲା । ଗିଲାସରୁ ମଦ ପିଉଥିଲା, ପ୍ଲେଟ୍‌ରୁ ବାଦାମ ଭଜା ନେଇ ପାଟିରେ ପକଉଥିଲା ଓ ବାଁ ହାତର ଅଧାଜଳା ସିଗ୍ରେଟ୍‌ରୁ ସୁଡୁକେ ସୁଡୁକେ ଟାଣୁଥିଲା । ମାତ୍ର ନିରବ ଥିଲା ସଂପୂର୍ଣ୍ଣ ।

 

ଜଳଧର ଗିଲାସରୁ ଢୋକେ ପାଟିରେ ଦେଇ କହିଲା, ‘‘ମାନିଗଲି । ତମେ ପ୍ରକୃତରେ ଗୋବିନ୍ଦ ମୂଷା । ତା’ପରେ ସେ ଡାହାଣ ହାତ ଆଙ୍ଗୁଳି ତିନିଟାକୁ ମୂଷା ଆକୃତିର କରି ଅଦୃଶ୍ୟ ଆଲମିରା ଥାକ ଉପରେ ଚଳେଇବାର ଅଭିନୟ କଲା - ଚଁ, ଚଁ, ଚୁ-ଚୁ - ଯା ଗୋବିନ୍ଦ ମୂଷା, ସବୁ ଖୋଳ କରି ଦେ । ସବୁ ଖୋଳ କରିଦେଏରେ ମୋ ଗୋବିନ୍ଦୀ ମୂଷା ।

 

ଗୋବିନ୍ଦ ତଥାପି ନିରବ ଥିଲା ।

ଏଥର ଜଳଧର ଗୋବିନ୍ଦ ପିଠିରେ ନିଜ ଆଙ୍ଗୁଳି ଚଳେଇ ରହସ୍ୟ କଲା, ‘‘ଶାଶୁ ଭୁଆସୁଣୀ ଘର, ଦେଢ଼ଶୁର ବସିଛନ୍ତି - କୂଅରୁ କେମିତି ପାଣି କାଢ଼ିବୁରେ ଗୋବିନ୍ଦୀ ମୂଷା.... ।’’

 

‘‘ଟାଉ ଟାଉ କରି ସାମନ୍ତରା ତେଜୁଡ଼ିକୁ କିମିତି ଖୋଳ କରିବୁରେ ଗୋବିନ୍ଦୀ ମୂଷା... ।

ତା ସତ୍ତ୍ୱେ ଗୋବିନ୍ଦ ମୁହଁରେ କୌଣସି ଭାବାନ୍ତର ନ ଦେଖିବାରୁ ଜଳଧର ରହସ୍ୟ କରି କହିଲା, ‘‘ହେ ମଇତ୍ରେ, ତୁମର ମୁଖଟି ଆଜି ଶୁଷ୍କ କାହିଁକି?’’

 

ଗୋଟେ ଦୀର୍ଘଶ୍ୱାସ ନେଇ ଗୋବିନ୍ଦ କହିଲା, ‘‘ତୁମେ ତୁମ କଥାଗୁଡ଼ା ଭୁଲିଯାଉଛ ଜଳଧର । ତୁମେ ସିନା ଅପେରା ପାର୍ଟି ମ୍ୟାନେଜର ହେବ । ମାତ୍ର ମୋର କ’ଣ ଲାଭ ହେବ?’’

 

: ଆମ ସଂପର୍କ ପରା ଯୁଗଯୁଗର । ଆତ୍ମା-ପରମାତ୍ମାର ସଂପର୍କ । ଏହା ଭିତରେ ଲାଭ-କ୍ଷତି କଥା କେଉଁଠୁ ଆସିଲା? - ଜଳଧର ଜବାବ ଦେଲା ।

 

ଏ ବିପଦରୁ କେମିତି ଉଦ୍ଧାର ପାଇବି, ବୁଦ୍ଧିବାଟ ଦିଶୁନାହିଁ । ତମକୁ ସେଦିନ କହୁଥିଲି, ତମ ଭାଉଜକୁ କ୍ୟାନ୍‌ସର ହେଇଛି ।

 

ମଦ ଗିଲାସଟାକୁ ଟେବୁଲ୍‌ ଉପରେ ରଖିଦେଇ, ଖୁବ୍‌ ଗୋଟାଏ ଦୁଃଖୀ ହେଲା ପରି ଜଳଧର କହିଲା - ଆହା, ଚୁ, ଚୁ ।

 

: ଗୋବିନ୍ଦ କହିଲା, ଭଦ୍ରକ ଡାକ୍ତର ତ ଜାଣିପାରିଲେ ନାହିଁ । କଟକ ଡାକ୍ତର କହୁଛନ୍ତି, ଶୀଘ୍ର ମୁମ୍ବାଇ ନେଇଯାଅ । କାଳେ କିଛି ହୋଇପାରେ । କିନ୍ତୁ ସେଠିକି ତ ଖାଲି ହାତରେ ଗଲେ ହେବ ନାହିଁ । ଲକ୍ଷେଟି ଟଙ୍କା ଦରକାର । ଏ ଅଶିଣ ମାସରେ କିଏ କିଣିବ, ନହେଲେ ସେପାରି ଜମି ଦି’ ପା ଅଛି ବିକି ଦିଅନ୍ତି । ମୋ ବୁଦ୍ଧି ବାଟ ଦିଶୁନାହିଁ ।

 

: ସେଇଆ କହୁନ । ମୁଁ ଭାବୁଛି, ଭାଇର ମନଟି କାହିଁକି ଆଜି ଏମିତି ଶୁଖିଯାଇଛି? ଇଏ ତ ଗୁରୁତର ସମସ୍ୟା । -ଜଳଧର ମୁଣ୍ଡ ହଲେଇ କହିଲା ।

 

: ମୁଁ ଭାସିଯିବି ଜଳଧର । ତୁମେ ହିଁ ଏକା ମୋତେ କୂଳରେ ଲଗେଇ ପାରିବ । ନିଜ ଗର୍ବକୁ ନିଜେ ଖର୍ବ କରି ବୃନ୍ଦାବନ ବାବୁଙ୍କ ପାଖକୁ ଯାଇଥିଲି । ସେ କହୁଛନ୍ତି, ମୁଖ୍ୟମନ୍ତ୍ରୀ ପାଣ୍ଠିରୁ କିଛି ସାହାଯ୍ୟ କରେଇ ଦେବେ । ମାତ୍ର ସେଥିପାଇଁ ମୁମ୍ବେଇ ଡାକ୍ତରଖାନା କାଗଜପତ୍ରର ନକଲ ଦରକାର । ମୁଁ ଇଆଡ଼େ ରୋଗିଣୀ କଥା ବୁଝିବି ନା ସିଆଡ଼େ କାଗଜପତ୍ର ଯୋଗାଡ଼ କରିବି?

 

ଜଳଧର ନିରୁତ୍ତର ଥିଲା । ଇଏ ତା ନିୟନ୍ତ୍ରଣର କଥା ନୁହେଁ । କହିଲା, ‘‘ଆଉ ଦଶଟା ଦିନ ଆଗରୁ ଏକଥା କହିଥାଆନ୍ତ ଭଲା? ସେଇ ଗହଣାରୁ ଦି’ ଚାରିଖଣ୍ଡ ରଖି ଦେଇଥାଆନ୍ତେ?’’

 

ଗୋବିନ୍ଦ କହିଲା, ‘‘ଚୁପ୍‌, ଚୁପ୍‌ । କାନ୍ଥବାଡ଼ର କାନ ଅଛି । ସେଇଟା ପରା ‘‘ଢୋଲ ଭିତର ମୂଷା’ର ନିପାତ ପାଇଁ ବ୍ୟବସ୍ଥା ଥିଲା । ଆମେ ଯାହା ଚୋରି କରିବାର କଥା କରି ନେଇଛନ୍ତି । ସେଇଟା ହେଲା ସନାତନ ବୁଢ଼ା ପ୍ରତି ସାମନ୍ତରାଙ୍କ ବିଶ୍ୱାସ । ଆଉ ସେଇଟାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । ପୁଣି ମୁଁ ପରା କାଲି କଟକ ଡାକ୍ତର ପାଖରୁ ଏ ଚଣ୍ଡାଳ ଖବର ପାଇଲି ।’’

 

ଜଳଧର କହିଲା, ‘‘ଏଣେ ଆମ କାମଟି ଅଧା ପଡ଼ିଛି । ସନାତନ ଦାସ ଘାଇଲା ବାଘ ପରି ବାଡ଼େଇ କଚାଡ଼ି ହେଉଛି । ଦିନରାତି ଏକ କରି ପଞ୍ଚାଅଶୀ ମସିହାରୁ କାହା କାହା ଉପରେ କରଜ କେତେ ଅଛି ତାହାର ହିସାବ କାଢୁଛି । ଶଳାଟିର ମୁଖ୍ୟ ଶତ୍ରୁ ହେଲି ମୁଁ । ମୋତେ ଧରିବା ଲାଗି ପୂରା ପୋଖରୀ ପାଣି ଗୋଳଉଛି । ଏମିତିକା ସମୟରେ ତୁମେ ପାଖରେ ନ ରହିଲେ ସିଏ ମୋ ଶଣ୍ଢାଟାକୁ ମୋଡ଼ି ବସିବ । ମୁଁ କ’ଣ କରିବି ବୁଝିପାରୁନାହିଁ । ଏବେଳେ କେବଳ ସାମନ୍ତରା ସାହାଯ୍ୟ କରିପାରନ୍ତେ । କିନ୍ତୁ ସିଏ କ’ଣ ସାହାଯ୍ୟ କରିବେ?

 

ମୋ ମନ କହୁଛି ଜଳଧର, ତମେ ହିଁ ମୋତେ ଏ ବିପଦରୁ ଉଦ୍ଧାର କରିପାରିବ । ଥରେ ଚେଷ୍ଟା କର, ତା’ପରେ ଯଦି ନହେଲା, ତାହାହେଲେ ସେଇଟା ମୋ ଭାଗ୍ୟ ।

 

କଥା କହି ସାରିଲାବେଳକୁ ଗୋବିନ୍ଦର ସ୍ୱର କାନ୍ଦିଲା ପରି ଶୁଭିଲା ।

: ହଉ, ହଉ । ମୁଁ କିଛି ଗୋଟାଏ ଚିନ୍ତା କରେ । ନିଅ, ତମ ଗିଲାସଟା ଖାଲି କରିଦିଅ । ଯିଏ ସମସ୍ୟା ଦେଇଛି, ସିଏ ଅବଶ୍ୟ ସମାଧାନ ବାଟ ବତେଇବ ।

 

ଗୋବିନ୍ଦ ଗିଲାସର ଅବଶିଷ୍ଟ ମଦତକ ଏକାଥରେ ତେଣ୍ଡିଦେଲା । ଦିହେଁ ନିରବ ଥିଲେ । ମନେ ମନେ ସେମାନେ ଉପାୟ ଚିନ୍ତା କରୁଥିଲେ ।

 

ଗୋବିନ୍ଦ କହିଲା, ‘‘ସାମନ୍ତରାଙ୍କ ଉପରେ ବଡ଼ ବିପଦ ମାଡ଼ି ଆସୁଛି । ଗୁରୁବାର ଲକ୍ଷ୍ମୀଙ୍କ ବାରରେ ସୁନା ଚୋରି । ଏଣେ ଝିଅ ବାହାଘର ପ୍ରସ୍ତାବ ଗୋଟାକ ପରେ ଗୋଟାଏ ଭାଙ୍ଗିଯାଉଛି । ନିର୍ବାଚନରେ ହାରିଥିଲେ । ତା ସାଙ୍ଗକୁ ହାର୍ଟ ଆଟାକ୍‌ । ଶେଷକୁ ଗୃହଶତ୍ରୁଙ୍କ ଷଡ଼ଯନ୍ତ୍ର । ଗୋଟେ ବଡ଼ ଯଜ୍ଞ କି କୀର୍ତନ ନ କରେଇଲେ ଏସବୁ ରିଷ୍ଟ କିପରି ଖଣ୍ଡନ ହେବ?’’

 

ଜଳଧରର ଆଖି ଜୁଳୁଜୁଳିଆ ପୋକ ପରି ଚମକି ଉଠିଲା । ସତ କଥାଟେ କହିଲ । କାଲି ମୁଁ ସାଆନ୍ତଙ୍କ ପାଖକୁ ଯିବି । ଅଷ୍ଟପ୍ରହରୀ କୀର୍ତନଟିଏ ନକଲେ ରିଷ୍ଟ ଖଣ୍ଡନ ହେବନାହିଁ ।

 

ଏତେ ସମୟ ପରେ ଗୋବିନ୍ଦ ହସିଲା ।

ଜଳଧର କହିଲା, ‘‘ଆହା ମୋ ଗୋବିନ୍ଦୀ ମୂଷା । ଟାଉ ଟାଉ କରି ଆଠପହରିଆ କୀର୍ତନ ଯୋଗାଡ଼ କରିଯାଆରେ ଗୋବିନ୍ଦୀ ମୂଷା ।’’

 

ଗୋବିନ୍ଦ କହିଲା, ‘‘ତମ ନାଁ ଜଳଧର ଦେଇ ତୁମ ବାପମା’ ଠିକ୍‌ କରିଛନ୍ତି । ଶୁଖିଲା ଅପନ୍ତରାରେ ତୁମେ ପାଣି ଟୋପେ ଛିଞ୍ଚି ଦେଲ ।’’

 

: ହେ ମୋ ବାପ ମାଆ କାହିଁକି ଏ ନାଁ ଦେବେ? ବଡ଼ ସାଆନ୍ତେ ଏ ନାଁ ଦେଇଥିଲେ । ସେଦିନ କୁଆଡ଼େ ମେଘ ଉଠଉଥିଲା । ମୋ ବାଆ ଯାଇ ପୁଅର ନାଁ କ’ଣ ରଖିବ ବୋଲି ପଚାରିଲାରୁ ବଡ଼ ସାଆନ୍ତେ କହିଥିଲେ - ଜଳଧର ।

 

ଜଳକୁ ଧର୍‌, ଜଳଧର ।

ଗୋବିନ୍ଦ କହିଲା, ‘‘ଖୁବ ବଡ଼ ଆକାରରେ ସଂକୀର୍ତନ ଆଉ ଭୋଜିଟା କରିବାକୁ ହେବ । ନହେଲେ ଆମ ସମସ୍ୟା ସମାଧାନ ହେବନାହିଁ ।’’

 

: ସେକଥା କ’ଣ କହିବାକୁ ପଡ଼ିବ? ତୁମେ ଉଠୁନ, ଯେମିତି ହେଲେ ତମକୁ ତମ ଟଙ୍କା ମିଳିବ । ମୁଁ ଥାଉ ଥାଉ ତୁମେ କ’ଣ ହଟହଟା ହେବ?

 

ଗୋବିନ୍ଦ ନିରବ ରହିଲା ।

ଜଳଧର ପଚାରିଲା, ‘‘ସେ ଦ୍ୱିତୀୟ ଚିଠିଟା ତ କାଇଁ ଲେଖିଲ ନାହିଁ?’’

: ଆରେ ସେଇଟା ତ ବ୍ରହ୍ମଅସ୍ତ୍ର । ମୁଣ୍ଡ ଉପରେ ପାହାର ଯାହା ସେ ଚିଠି ସେଇଆ । ଏବେ ମାଗୁର ମାଛ ପିଠି ଉପରେ ପାହାର ବସିଛି । ସେଇଥିରେ ସେ ଛଟପଟ ହେଉଛି । କୁଆଡ଼େ ଯିବ? ବଳ ହଟିଆସୁ, ଠିକଣାବେଳେ ଆଉ ଗୋଟେ ପାହାର, ବାସ୍‌ ।’’

 

: ଧନ୍ୟରେ ଗୋବିନ୍ଦୀ ମୂଷା । ଟାଉ ଟାଉ କରି ପାହାରେ ପକା ରେ ଗୋବିନ୍ଦୀ ମୂଷା । - ଗୀତ ଗାଇଲା ପରି ଜଳଧର କହିଲା । ତାକୁ ଖୁବ୍‌ ନିଶା ହୋଇଯାଇଥିଲା ।

 

ସନାତନଙ୍କର ଦେହ ଭଲ ନଥିଲା । ସେ ଜ୍ୱରରେ କମ୍ପୁଥିଲେ ।

ଏଇ ଦଶ ମିନିଟ୍‌ ତଳେ ପ୍ରାଣକୃଷ୍ଣ ଆସି ଔଷଧ ଦେଇଯାଇଥିଲା । ଭାବୁଥିଲେ, ଝାଳଟା ବୋହିଗଲେ ଜ୍ୱର ଟିକିଏ କମିଯିବ । ମାତ୍ର ଜ୍ୱର ଓହ୍ଲଉ ନଥିଲା । ତାଙ୍କର ସନ୍ଦେହ ହେଉଥିଲା କାଳେ ତାଙ୍କୁ ମ୍ୟାଲେରିଆ ହୋଇଥିବ ।

 

ସେ ଘରର ଛାତକୁ ଚାହିଁ ଗଲାଦିନର କଥାସବୁ ମନେ ପକଉଥିଲେ । କେତେ ହଜାର ହଜାର ସ୍ମୃତି ସେସବୁ । ଆକାଶର ସଂଖ୍ୟାହୀନ ତାରାମାନଙ୍କ ସମାବେଶ ପରି ସେମାନଙ୍କର ସମାବେଶ । ସେଇ ସ୍ମୃତିର ଆକାଶରେ ସୁଦ୍ଧା ଚନ୍ଦ୍ରପରି ଜଳ ଜଳ ଦିଶୁଥିଲା ସାମନ୍ତରାଙ୍କ ମୁହଁ । ତାଙ୍କ ବାହାଘର, ଝିଅଜନ୍ମ, ଜମିଦାରୀ ଦାୟିତ୍ୱ ବୁଝା, ସେପାରି ନଡ଼ିଆ ଫାର୍ମ ପ୍ରତିଷ୍ଠା, କରତ କଳ, କଟକ ଓ ଭୁବନେଶ୍ୱର ଘର ତିଆରି, ଏ ଅଞ୍ଚଳର ପ୍ରଥମ ଜିପ୍‌ ଗାଡ଼ି କିଣା- ଯୁଆଡ଼େ ଯୁଆଡ଼େ ଶିବପ୍ରସାଦ ଯାଇଛନ୍ତି, ସିଆଡ଼େ ସିଆଡ଼େ ଯାଇଛନ୍ତି ସନାତନ, ଶିବପ୍ରସାଦଙ୍କ ଛାଇ ପରି । ତାଙ୍କରି ସୁଖ ସନ୍ତୋଷରେ ସନାତନଙ୍କର ଆନନ୍ଦ । ସେଇ ବିଶ୍ୱାସରେ ତ ସେଦିନ ବଡ଼ ସାଆନ୍ତେ ତାକୁ ବେତନଟୀରୁ ସାଙ୍ଗରେ ଧରି ଆଣିଥିଲେ ପାଟପୁର ।

 

ବଡ଼ ସାଆନ୍ତେ କହୁଥିଲେ, ‘‘ମଲା ପରେ କେହି ମନେ ରଖିବେ ନାହିଁ, ତୁମେ କେତେ କୋଠାବାଡ଼ି କରିଚ, କେତେ ଜ୍ଞାନଗାରିମାର ମକର କୁଣ୍ଡଳ ପିନ୍ଧିଛ । ଲୋକେ ମନେ ରଖିବେ, ତୁମେ କେତେ ଭୋକିଲା ଲୋକକୁ ଭାତ ଓ ଶୋଷିଲା ଲୋକକୁ ପାଣି ଦେଇଛ । କେତେ ବାସହରାଙ୍କୁ ବାସ ଦେଇଛ ମୁଣ୍ଡ ଗୁଞ୍ଜିବାକୁ ।’’

 

ଆଖିରେ ତାଙ୍କର ଲୁହ ଜକେଇ ଆସୁଥିଲା । ସତ କଥା ତ! କେତେ ରାଜାରାଜୁଡ଼ା ଗଲେଣି, କିଏ ତାଙ୍କୁ ମନେରଖିଛି? ଏଇ ପାଟପୁର ଅଞ୍ଚଳର କେତେ ଧନୀମାନୀ ମରି ହଜିଗଲେଣି । ତାଙ୍କର କୌଣସି ଚିହ୍ନ ବର୍ଣ୍ଣ ନାହିଁ । ବଡ଼ ସାଆନ୍ତଙ୍କ ତିଆରି ସ୍କୁଲ ଖଣ୍ଡକ ଯୋଗୁଁ ତାଙ୍କ ନାଁ ଏବେ ବି ରହିଛି, ଆଗକୁ ରହିଥିବ ।

 

ସେଇ ବଡ଼ ସାଆନ୍ତଙ୍କ ପୁଅ ସାନ ସାଆନ୍ତ । ରୂପରେ ଗୁଣରେ କାର୍ତିକ । ସ୍ନେହ ଆଦରର ସମୁଦ୍ର । ସେଇଥିପାଇଁ ତ ସେ ରହୁ ରହୁ ଏଠି ରହିଗଲେଣି ତିରିଶ ବର୍ଷ । ସାଆନ୍ତଙ୍କର ସବୁ ଦାୟିତ୍ୱ ନିଜର ବୋଲି ଭାବି ସେ ବୁଝି ଆସିଛନ୍ତି । ନିଜେ ସାନ ସାଆନ୍ତ ତାଙ୍କର କୋଉ କୋଉଠି ଜମିବାଡ଼ି ଅଛି ହୁଏତ କହି ପାରିବେ ନାହିଁ, ମାତ୍ର ସନାତନ କହିଦେବେ । କୋଉ ବଗିଚାର କୋଉ ଗଛର ଚାରା କେଉଁଠୁ ଆସିଛି ତାଆର ଟିପ୍ପଣା ଅଛି ତାଙ୍କ ପାଖରେ ।

 

ସେଇ ସାଆନ୍ତଙ୍କ ମନରେ ଆଜି ସନ୍ଦେହର କୁହୁଡ଼ି । ଏହାପରେ ସେ କାହିିଁକି ପାଟପୁରରେ ଆଉ ପଡ଼ିରହିବେ? ଏଇ ପେଟ ଚାଖଣ୍ଡଙ୍କ ପାଇଁ ନା ମାସକୁ ପାଞ୍ଚହଜାର ଟଙ୍କାର ଦରମା ପାଇଁ? ଏଠି କିଏ ତାଙ୍କର? ଯିଏ ଥିଲେ ସିଏ ତ ଆଉ ତାଙ୍କୁ ଆଗପରି ଆଦର କରୁନାହାନ୍ତି ।

 

ସେ ବୁଝିପାରନ୍ତି, ଏହା ପଛରେ କେଉଁମାନଙ୍କର ଷଡ଼ଯନ୍ତ୍ର ଅଛି । ତିରିଶ ବର୍ଷ କାଳ ସେ ଯଖ ପରି ସାଆନ୍ତଙ୍କ ଧନସଂପତ୍ତି ଜଗିକି ବସିଛନ୍ତି । ସେଥିପାଇଁ ସେମାନେ ନିଜ ନିଜର ଉଦ୍ଦେଶ୍ୟ ପୂରଣ କରିପାରିନାହାନ୍ତି । ନହେଲେ ପାଟପୁର ବଜାରର କେଉଁ ଖଟିରେ କେଉଁମାନେ ବସି ପ୍ରତିଦିନ ସାମନ୍ତରାଙ୍କ ସର୍ବନାଶର ଷଡ଼ଯନ୍ତ୍ର କରନ୍ତି ସେକଥା ସେ ଜାଣନ୍ତି । ମାତ୍ର ଆଗରୁ ସେମାନଙ୍କ ସେହି କାରବାରକୁ ଗୁରୁତ୍ୱ ଦେଉ ନଥିଲେ ସନାତନ । କେବେ ବି ସେମାନଙ୍କ ବିଷୟରେ ସାଆନ୍ତଙ୍କୁ ସତର୍କ କରିଦେଇନାହାନ୍ତି । ସେତେବେଳେ ଭାବିଛନ୍ତି, କାଳେ ଶିବପ୍ରସାଦ ଭାବିବେ ସନାତନ ଗୋଟେ କାନକୁହା ଲୋକ । ୟା ତା ନାଁରେ କାନରେ କିଛି ନକହିଲେ ତାକୁ ଶାନ୍ତି ମିଳୁନାହିଁ । ମାତ୍ର ଏବେ ଭାବୁଛନ୍ତି, ଯାହା ଭାବିଥାଆନ୍ତେ ପଛକେ ଏସବୁ କଥା ଟିକିଏ ଆଗରୁ ସାଆନ୍ତଙ୍କୁ କହିଥିଲେ ଭଲ ହୋଇଥାଆନ୍ତା । ଆଜି ଆଉ ତାହା ସେ କହିପାରିବେ ନାହିଁ । ଏବେ କହିଲେ ସାଆନ୍ତେ ପଚାରିବେ, ଆଗରୁ ଏସବୁ କହୁ ନଥିଲ କାହିଁକି? ସନାତନ ତା’ର କି ଉତ୍ତର ଦେବେ? ଦେଲେ ବି ସାଆନ୍ତେ କ’ଣ ଆଜି ସେସବୁ ବିଶ୍ୱାସ କରିବେ?

 

ସନାତନ ଦୀର୍ଘଶ୍ୱାସ ନେଲେ ।

ଏଇ ତିରିଶ ବର୍ଷ ଭିତରେ ସେ କେତେ ଗରିବଗୁରୁବାଙ୍କୁ ସାହାଯ୍ୟ କରିଥିବେ । କେତେ ଦୁଃଖୀରଙ୍କି ଆସନ୍ତି, ସାଆନ୍ତଙ୍କଠାରୁ ସାହାଯ୍ୟ ନେବାପାଇଁ । ମାତ୍ର ତାଙ୍କ ସାମ୍ନାରେ ତୁଣ୍ଡ ଖୋଲି ପାରନ୍ତି ନାହିଁ । ସେମାନଙ୍କ ପାଟି ଅଠା ଅଠା ହୋଇଯାଏ । ସେମାନଙ୍କର ଲୁଣ ଖୋସେଇ ଯାଇଥିବା ଚେହେରା ଓ ରତାଳିଆ ବେଶଭୂଷା ଦେଖି ସନାତନ ବୁଝି ଯାଆନ୍ତି । କାହାର ପୁଅ ଗଛରୁ ପଡ଼ି ହାତଗୋଡ଼ ଭାଙ୍ଗିଥାଏ, କାହାର ଝିଅ ବାହାଘର ଭାଙ୍ଗିଯାଉଥାଏ ଟଙ୍କା ଲାଗି, ଆଉ କାହାର ବାପ ବେମାରରେ କତରାଲାଗି ହୋଇଥାଏ । ସନାତନ ମଣିଷର ମୁହଁରୁ ତା ଦୁଃଖ ପଢ଼ିପାରନ୍ତି । ସାଆନ୍ତଙ୍କୁ କହନ୍ତି, ଆପଣ ଏମାନଙ୍କର ଶେଷ ଆଶ୍ରୟ । ଆପଣ ଦୁଆର କିଳିଦେଲେ ହତଭାଗାମାନେ ଯିବେ କୁଆଡ଼େ?

 

ସାଆନ୍ତଙ୍କ ଦୁଆରୁ କେହି ଖାଲି ହାତରେ ଫେରି ନାହାନ୍ତି । ବାପାଙ୍କ ନାଁରେ ପ୍ରତିଷ୍ଠା କରିଥିବା ଦାତବ୍ୟ ସଂସ୍ଥା ତରଫରୁ ସେଇ ଗରିବ ଲୋକଙ୍କୁ ସେ ସାହାଯ୍ୟ ଦିଅନ୍ତି ।

 

ସେସବୁ ପୁଣ୍ୟ ସାଆନ୍ତଙ୍କର, କିନ୍ତୁ ସାହାଯ୍ୟ ପାଇ ଖୁସିରେ ଫେରିଯାଉଥିବା ସେଇ ହତଭାଗା ମଣିଷମାନଙ୍କ ଓଠରେ ଯେଉଁ ଚିରୁଡ଼ାଏ ହସ ଉକୁଟି ଉଠେ, ତାହାର ଟଙ୍କାକରୁ ଦଶ ପଇସା ସନାତନଙ୍କର, ତାଙ୍କ ନିଜ ହିସାବରେ ।

 

ଆଖିରୁ ଲୁହ ନିଗିଡ଼ି ଜାଲୁଜାଲୁଆ ଦିଶିଲା । ସିଏ ଗାମୁଛା କାନିରେ ଆଖି ପୋଛିଦେଲେ ।

ଏଥର ସେଇ ଅଧାଛାଇ ଅଧାଅନ୍ଧାର ଭିତରେ ସୁକଲ୍ୟାଣ ମାଆର ମୁହଁ ନାଚି ଉଠିଲା । ସେ ଯେମିତି କହୁଥିଲେ, ‘‘ମୋ କଥା ଶୁଣୁ ନଥିଲ, ଏବେ ଦେଖିଲ ତ? ଆଉ କ’ଣ ପାଇଁ ଅପେକ୍ଷା କରୁଛ? ଏବେ ଯାଅ । ନିଜ କଥା ନିଜେ ବୁଝ ।’’

 

ସନାତନ ଅନ୍ୟମନସ୍କ ହୋଇ ପଡ଼ିଲେ ।

ବଡ଼ ପାଟିରେ କହିଲେ, ଯିବି । କିନ୍ତୁ ପାହୁଲା ପାହୁଲା ହିସାବ ବୁଝେଇ ଦେଇଯିବି । ଏମିତି ପଳେଇ ଯିବି ନାହିଁ ।

 

ସାଇକେଲ୍‌ ଘଣ୍ଟି ଶବ୍ଦରେ ତାଙ୍କର ଚିନ୍ତା ଚହଲିଗଲା । ଦୁଆର ମୁହଁରେ ପୋଷ୍ଟ ମ୍ୟାନ୍‌ । କିନ୍ତୁ ବିଛଣାରୁ ଉଠିକି ଯିବାଲାଗି ତାଙ୍କୁ କଷ୍ଟ ହେଉଛି । ସେ ବଡ଼ ପାଟିରେ କହିଲେ, ‘ସେଇଠି ପକେଇ ଦେଇଯାଆ’ । ଡାକ ପିଅନ ଚିଠିଟି ପକେଇ ଦେଇ ଚାଲିଗଲା । ଧୀରେ ଧୀରେ ତା ସାଇକେଲ୍‌ର ଘଣ୍ଟି ଶବ୍ଦ ପାଟପୁର ରାସ୍ତାରେ ହଜିଗଲା ।

 

ରାତି ପାହିଲେ ଅଷ୍ଟପ୍ରହରୀ ଅଧିବାସ ଆରମ୍ଭ ହେବ । ସବୁ ସାଜସଜ୍ଜା ସରିଛି । କଟକରୁ ଓ ଭଦ୍ରକରୁ ଚାରିଦଳ କୀର୍ତନିଆ ଆସିଛନ୍ତି । ମୁଣ୍ଡ ଉପରେ କେତେ କାମ । ଏ ସତ୍ୟାନାଶ ଜ୍ୱରକୁ ଏତିକିବେଳେ ହେବାର ଥିଲା?

 

ପ୍ରାଣକୃଷ୍ଣ ଆସୁ, ରିକ୍ସାଟିଏ ଡକେଇ ସେ ବଜାରକୁ ଯିବେ । ଏଇଠି ଶୋଇ ରହିଲେ ଅଷ୍ଟପ୍ରହରୀ ଦାୟିତ୍ୱ କିଏ ବୁଝିବ? ଦହିହାଣ୍ଡି ଭଙ୍ଗାଯିବା ଦିନ ପୁଣି ଗାଁସାରା ଭୋଜି ଖାଇବେ ।

 

ଶୋଇବା ବିଛଣାରେ ସନାତନ ପଡ଼ିରହି ଜ୍ୱରରେ କମ୍ପୁଥିବାବେଳେ ସେଇଠୁ ଶହେ ହାତ ଦୂର ସାଆନ୍ତଙ୍କ ମେଲାଘରେ ଜଳଧର ହାତବାଡ଼େଇ କହୁଥିଲା, ‘‘ଏ ସମୁଦାୟ ଭଦ୍ରକ ଜିଲ୍ଲାରେ ଶିବପ୍ରସାଦ ସାମନ୍ତରାଙ୍କ ପରି କେହି ଧନୀ, ମାନୀ ଆଉ ଦାନୀ, ଏ ତିନି ଗୁଣରେ ଗୁଣୀ ମଣିଷ ନା ଆଗରୁ ଜନ୍ମ ହୋଇଛନ୍ତି ନା ଆଗକୁ ଜନ୍ମହେବେ । ଏକଥା ଧ୍ରୁବ ସତ୍ୟ ।

 

ଶିବପ୍ରସାଦ ମୁରୁକି ମୁରୁକି ହସୁଥିଲେ ।

ଆଜି ଜଳଧର ଆଉ ଦରଜା ପାଖରେ ଠିଆହୋଇ ନଥିଲା । ମେଲାଘରର ମଝି ଖୁଣ୍ଟ ପର୍ଯ୍ୟନ୍ତ ତା’ର ପାଦ ଆଗେଇ ଯାଇଥିଲା । ଅନ୍ୟଦିନେ ସେ ଦୁଆର ବନ୍ଧ ପାଖରେ ଠିଆହୁଏ । ମାତ୍ର ଆଜି ସନାତନ ନଥିବାରୁ ତା’ର ସତେ କି ପଦୋନ୍ନତି ହୋଇଯାଇଥିଲା ।

 

ସେ କହିଲା, ‘‘ଆମେ ଆମ ସାଆନ୍ତଙ୍କର ଖାଉଛୁ । କାଲି ଶୁଝିବୁ, ନହେଲେ ପଅରଦିନ । ନହେଲେ ତା ପରଦିନ । ଏ ଜନ୍ମରେ ନିଶ୍ଚୟ ଶୁଝିବୁ । ଯଦି ତାହା ସମ୍ଭବ ନହେଲା, ତାହାହେଲେ ଆରଜନ୍ମରେ ଶୁଝିବୁ । ଲଙ୍କାଗଛ ହୋଇ ଶୁଝିବୁ । ସିଏ ଜନ୍ମ ଜନ୍ମ ଧରି ସବୁଦିନ ଦାତା ହୋଇ ଉପର ହାତରେ ଦେଉଥିବେ, ଆମେ ଯୁଗେ ଯୁଗେ ଖାତକ ହୋଇ ତଳ ହାତରେ ନେଉଥିବୁ । ଏମିତି ତାଙ୍କରି ଓଳିତଳେ ତେଲୁଣି ପୋକ, ଜିଆ ନହେଲେ ଗୋବର ପୋକ ହୋଇ ସଦାଦିନେ ଲୋଟୁଥିବୁ । କୌଣସିଦିନ ତାଙ୍କ ଆଗରେ ଆମେ ମୁଣ୍ଡ ଟେକି ବାଟ ଚାଲିନାହୁଁ, ଚାଲିବୁ ନାହିଁ । ତାଙ୍କ ଦୟା ବିନା ଆମର କୌଣସି କାର୍ଯ୍ୟ ହେଇନାହିଁ କି ହେବ ନାହିଁ । ଆମେ ସେଇମାନଙ୍କ ପରି ନୁହେଁ ଯେଉଁମାନେ ପଚାଶ ଜାଗାରେ ମୁଣ୍ଡ ନୋଉଁଥିବେ ମାତ୍ର ଆମ ସାଆନ୍ତଙ୍କ କଥା ପଡ଼ିଲେ ହେଣ୍ଟିବେ - ଯାଅ ହେ, କେତେ ସାମନ୍ତରା ଦେଖିଛୁ । ଆମେ କାହିଁକି ତାଙ୍କ ଆଗରେ ଆମ ମୁଣ୍ଡ ନୋଇଁବୁ? ସିଏ କିଏ କି?

 

: କାହା କଥା କହୁଛ କି ହେ ଜଳଧର?

: ଆଗେ ଶୁଣନ୍ତୁ । ଆଜ୍ଞା ଆମେ ପ୍ରତିମାସ ଦେଣା କରଜ କରୁଛୁ, ତା ସତ୍ତେ୍ୱ ଆମର ବାର ଅଭାବ । ୟାଙ୍କର କ’ଣ ତିରିଶ ବର୍ଷ ଭିତରେ ଥରୁଟେ ଦେଣାକରଜ ଦରକାର ପଡ଼ିନାହିଁ! ୟାଙ୍କର କ’ଣ ସବୁଦିନେ ଯେତିକି ଚାଉଳ ସେତିକି ପାଣି । ପେଜ ନିଗାଡ଼ିବାକୁ ପଡ଼ିନାହିଁ । ସ୍ତ୍ରୀ ଦେହ ବେମାର ହେଲା, ପୁଅକୁ ପାଠ ପଢ଼େଇଲେ, ହଜାର ହଜାର ଟଙ୍କା ଖର୍ଚ କରି ଦିଲ୍ଲୀରେ ରଖେଇ ଟ୍ରେନିଂ ଦେଲେ, ପୁଣି କିଏ ଜାଣେ କେତେ ଲକ୍ଷ ହାତଗୁଞ୍ଜା ଦେଇ ଚାକିରି କରେଇଲେ । କିନ୍ତୁ କାହିଁ, ଦିନେ ହେଲେ ତ ସାଆନ୍ତଙ୍କ ପାଖେ ନ୍ୟୂନ ହେଇନାହାନ୍ତି କି ତାଙ୍କଠୁଁ ଉଧାର ନେଇନାହାନ୍ତି! କାହିଁକି ନା, ସିଏ ସାଆନ୍ତଙ୍କ ସାମ୍ନାରେ ମୁଣ୍ଡ ନୋଇଁବେ ନାହିଁ । ମାନୀ ଦୁର୍ଯ୍ୟୋଧନ ତ! ମୁଁ ପଚାରୁଛି କେଉଁଟା ବେଶି ବଡ଼ ଗର୍ବ? କେଉଁଟାରେ ବେଶି ଅପମାନ ମିଳିଛି ଆମ ସାଆନ୍ତଙ୍କୁ? ଉଧାର ନେଇ ଫେରେଇ ନ ପାରିବାରେ ନା କାଳେ ସାଆନ୍ତଙ୍କ ଅଭିମାନ ହୋଇଯିବ ବୋଲି ତାଙ୍କୁ ଉଧାର ନ ମାଗିବା? ସେଇଥିପାଇଁ ମୁଁ କହେ, କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ ।

 

ଶିବପ୍ରସାଦ କହିଲେ, ‘‘ଆରେ କାହା କଥା କହୁଛ ଟିକେ ଫିଟେଇ କୁହ । ତୁମେ ଏମିତି କହିଚାଲିଥିଲେ ମୁଁ କ’ଣ ବୁଝିବି?’’

 

ଜଳଧର ଦେଖିଲା, ଏଇଟା ଠିକ୍‌ ବେଳ । ସଆନ୍ତଙ୍କ ଧୈର୍ଯ୍ୟ ତୁଟିବାକୁ ବସିଲାଣି । ସିଏ ଉଡ଼ିଗଲା ଚଢ଼େଇର ପର ଗଣିଦେବା ଲୋକ । ବାହାର ଲୋକ ପାଟି ନ ଫିଟଉଣୁ ସିଏ ଜାଣିଦିଅନ୍ତି ସେ ଲୋକଟା କାହିଁକି ଓ କ’ଣ କହିବ ବୋଲି ଆସିଛି । ସିଏ କ’ଣ ଏତେବେଳଯାଏ ତା କଥାର ମଞ୍ଜି ଠଉରେଇ ପାରିନଥିବେ । ଖାଲି ବିଡ଼ିବା ଲାଗି ତାକୁ ପଚାରୁଛନ୍ତି । ସେଇଠୁ ସେ କହିଲା, ‘‘ଆଜ୍ଞା, ଛୋଟ ମୁହଁରେ ବଡ଼ କଥା, ଥରେ ଭାବିଲେ, କୌଣସି ଦିନ ଆମ ମ୍ୟାନେଜରବାବୁ କେବେ ଆପଣଙ୍କୁ ଟଙ୍କା ଶହେଟି ଉଧାର ମାଗିଛନ୍ତି କି?’’

 

: କ’ଣ କହୁଛ?

ଜଳଧର ଟିକେ ଶଙ୍କିଗଲା । ସେ ଭାବିଲା, ତା’ର ଏ କଥାକୁ ସାମନ୍ତରା ପସନ୍ଦ କରୁନାହାନ୍ତି । ସେ ଟିକେ ପଛକୁ ଘୁଞ୍ଚିଆସି କାନମୁଣ୍ଡ ଆଉଁସିଦେଲା ।

 

ଶିବପ୍ରସାଦ ପଚାରିଲେ, ମୋତେ ଶୁଭିଲା ନାହିଁ । କ’ଣ ପଚାରୁଥିଲ?

ଜଳଧର ତା ପ୍ରଶ୍ନଟିକୁ ଦୋହରେଇଲା ।

ତା କଥା ଶୁଣି ଶିବପ୍ରସାଦ ଟିକେ ଥକ୍କା ମାରି ବସିଲେ ।

ତା’ପରେ ମୁଣ୍ଡ ହଲେଇ ମନା କଲେ- ନା ।

ଜଳଧର କହିଲା, କିନ୍ତୁ ଏଇ ତିରିଶ ବର୍ଷ ଭିତରେ କ’ଣ ମ୍ୟାନେଜରବାବୁଙ୍କର କେତେବେଳେ ହେଲେ ଧାରଉଧାର ଦରକାର ପଡ଼ିନାହିଁ?

 

ଶିବପ୍ରସାଦ ନିରବ ରହିଲେ ।

ଜଳଧର ଦେଖିଲା, ଆଜି ତା’ର ମୁହୂର୍ତ ମଙ୍ଗଳ । ଜୋର୍‌ ଦେଇ କହିଲା, ‘‘ଅହଙ୍କାର । ତାଙ୍କ ମୁଣ୍ଡ ଆମ ସାଆନ୍ତଙ୍କ ପାଖେ ନୋଇଁବ ନାହିଁ । ଆମେ ଗୁଡ଼ା ଜିଆ, ଗୋବର ପୋକ କିନ୍ତୁ ସେ ହେଲେ ଚନ୍ଦ୍ରଶେଖର ମହାଦେବଙ୍କ ଷଣ୍ଢ ।’’

 

ଶିବପ୍ରସାଦ ନିରବରେ ବସିଥିଲେ । ଚିନ୍ତା କରୁଥିଲେ, ସତକଥା । ସନାତନଙ୍କ ଚେହେରାରେ ସବୁବେଳେ କେମିତି ଗୋଟେ ଅଭିମାନୀ ମଣିଷର ଛାପ ଥାଏ । କିନ୍ତୁ ତା ପଛରେ ଯେ ଏପରି ଏକ କାରଣ ଥିବ ତାହା ସେ କୌଣସି ଦିନ ଭାବି ନଥିଲେ ।

 

ଜଳଧର କହି ଚାଲିଥାଏ, ‘‘ତାଙ୍କର ଦରକାର ବେଳେ ସେ ଧାରଉଧାର କରନ୍ତି । ଅନ୍ୟମାନଙ୍କ ପାଖରୁ ଯାଇ ବାକିକାଳିରେ ଜିନିଷପତ୍ର କିଣନ୍ତି । ମାତ୍ର ଆପଣଙ୍କୁ ମାଗନ୍ତି ନାହିଁ । କହନ୍ତି, ‘‘ସାମନ୍ତରାଙ୍କ ନାଲି ଖାତା ଯେତେ ମୋଟା ହେଉ ନା କାହିଁକି ସେଥିରେ ସେ ଏ ଜନ୍ମରେ ସନାତନ ଦାସର ନାଁ ଯୋଡ଼ି ପାରିବେ ନାହିଁ ।’’

 

ଗୋଟେ ବିଛାଟିଏ ସତେ କି କାମୁଡ଼ିଦେଲା ଶିବପ୍ରସାଦଙ୍କୁ । ଏମିତି ଜଣେ ଅହଙ୍କାରୀ ବ୍ରାହ୍ମଣକୁ ଥରେ ତାଙ୍କ ଜେଜେବାପା ଘରୁ ଡାକିଆଣି, ବେଲଭର୍ତି ବସ୍ତାରେ ବାଡ଼େଇ ବାଡ଼େଇ ଠିକଣା ବାଟକୁ ଆଣିଥିଲେ । ସନାତନର ସରଳ ଓ ଆଜ୍ଞାଧୀନ ଚେହେରା ପଛରେ ସତରେ କ’ଣ ଏଭଳି ଅହଙ୍କାରୀ ଆଉ ଉଦ୍ଧତର କୁତ୍ସିତ ଚେହେରା ଛପିରହିଛି?

 

ସିଏ ଚଉକିରୁ ଉଠିପଡ଼ି ଡାକ ପକେଇଲେ, ‘‘ଭାଗବତ!’’

ଭାଗବତ ଦଉଡ଼ି ଦଉଡ଼ି ଆସି କଡ଼ପଟିଆ ହୋଇ ଛିଡ଼ାହେଲା ।

ଶିବପ୍ରସାଦ କହିଲେ, ‘‘ଗଲୁ, ମ୍ୟାନେଜରଙ୍କୁ ଡାକିଆଣିବୁ ।’’

: ଯାଉଛି ଆଜ୍ଞା । - କହି ଭାଗବତ ଚାଲିଯାଉଥିଲା ।

ଜଳଧର କ’ଣ ଭାବିଲା କେଜାଣି, ‘ଆଜ୍ଞା, ଗୋଟେ ଛୋଟିଆ କାମ’ ବୋଲି କହି ଭାଗବତ ପଛେ ପଛେ ଗଲା ।

ଶିବପ୍ରସାଦ ଜଳଧର ତିଆରି କରି ଆଣିଥିବା ଅଷ୍ଟପ୍ରହରୀ କୀର୍ତନର ଚିଠା ଉପରେ ଆଖି ବୁଲେଇ ଆଣିଲେ । ଏ କୀର୍ତନ ଓ ଭୋଜିଭାତ ସରିବା ପରେ ତାଙ୍କର ରିଷ୍ଟ ଖଣ୍ଡନ ହେବ । ଗ୍ରହାଚାର୍ଯ୍ୟ କହିଛନ୍ତି ଅକ୍‌ଟୋବର ପରଠାରୁ ତାଙ୍କର ଭଲ ସମୟ ଆସିବ ।

 

ହୁଁ, ଭଲ ସମୟ!

ବର୍ଷରେ କୌଣସି ନା କୌଣସି ବାହାନାରେ ସାରା ଗାଁକୁ ସେ ଦିଇଟି ଭୋଜି ଦେଉଛନ୍ତି । ଏବର୍ଷ ନିର୍ବାଚନ ଆଗରୁ ପଞ୍ଚାୟତୱାରି ଭୋଜି ଦେଇଥିଲେ । ଆଜିକାଲି ନିରାମିଷ ଭୋଜି କଥା ଛାଡ଼, ମାଛ ତରକାରିରେ ମଧ୍ୟ କେହି ସନ୍ତୁଷ୍ଟ ନୁହନ୍ତି । ଅଥଚ ତାଙ୍କ ପିଲାଦିନେ ମାଛଝୋଳଟିଏ ହୋଇଯାଉଥିଲେ ତାକୁ କୁହାଯାଉଥିଲା ବଡ଼ ଭୋଜି । ଏବେ ସମସ୍ତଙ୍କର ଦରକାର କୁକୁଡ଼ା ନହେଲେ ଖାସି ମାଉଁସ । ଏଥର ନିର୍ବାଚନ ପ୍ରଚାର ସମୟରେ ବି ସବୁ ପଞ୍ଚାୟତରେ ଭୋଜିଭାତ ହୋଇଥିଲା । ମାତ୍ର ତା’ର ସୁନାମ ତ ମିଳିଲା ନାହିଁ ବରଂ ବଦନାମ ହେଲା ଯେ, ନରିପୁର ପଞ୍ଚାୟତ ଭୋଜି ମାଉଁସ କଡ଼େଇରେ ପଡ଼ି ଦି’ଜଣ ଦରମଲା ହେଲେ ।

 

ଅଦ୍ଭୁତ ଲୋକ - ମନକୁ ମନ କହିଲେ ଶିବପ୍ରସାଦ । ଭାତ ମାଉଁସର ବାସ୍ନା ଶୁଙ୍ଘିଲେ ଏ ଲୋକମାନେ ଯେମିତି ଉଚ୍ଛନ୍ନ ହୁଅନ୍ତି, ଭୋକିଲା କୁକୁର ବି ସେମିତି ଉଚ୍ଛନ୍ନ ହେବ ନାହିଁ । ଠେଲାପେଲା, ଦଳାଚକଟା - ସତେ କି ସବୁ ସରିଯାଉଛି । ଗୋଟେ ଧାଡ଼ି ଲୋକ ଖାଇସାରି ନ ଉଠୁଣୁ ଆଉ ଧାଡ଼ିଏ ପଶିଗଲେଣି । ନରିପୁରରେ ଏମିତି ଠେଲାପେଲା ହେଉ ହେଉ ଦଳେ ପଶିଆସିଲେ ଖନ୍ଦାଶାଳକୁ । ରକ୍ଷା ହୋଇଛି, ସେତେବେଳକୁ ଅନ୍ୟସବୁ ତରକାରି କଡ଼େଇ ସେଠୁ ହଟିଯାଇଥିଲା । ଚୁଲି ବି ଲିଭିଯାଇଥିଲା । ନହେଲେ ଆହୁରି ଅଧିକା ଲୋକ ସେଦିନ ପୋଡ଼ି ଫୋଟକା ହୋଇଥାଆନ୍ତେ!

 

ଶିବପ୍ରସାଦ ଏସବୁ କଥା ଚିନ୍ତା କରୁଥିବାବେଳେ ଜଳଧର ଧାଇଁଯାଇ ଭାଗବତକୁ କ’ଣ ଜରୁରି କଥାଟିଏ କହି ପୁଣି ଫେରିଆସିଲା । ପଚାରିଲା, ‘‘ତାଲିକାଟା ଦେଖିଲେ ଆଜ୍ଞା!’’

 

: ହଁ ଦେଖିଲି, ଟିକେ ମ୍ୟାନେଜରଙ୍କୁ ଦେଖେଇଦେବା । ସେ ଆସୁଛନ୍ତି ।

ଅବିଶ୍ୱାସ କଲା ଭଳି ଜଳଧର କହିଲା, ‘‘ହେଉ । ସିଏ କ’ଣ ଜଳଧର ହେଇଛନ୍ତି ଯେ ତଲବ ପାଇବା କ୍ଷଣି ବସିବା ଠାଆରୁ ଉଠି ଆସିବେ । ସିଏ ପରା କହନ୍ତି, ସାମନ୍ତରାଙ୍କ ନାଆଁରେ ସଂସ୍ଥା ଚାଲିଲେ କ’ଣ ହେବ ସବୁ ସିଏ କରୁଛନ୍ତି । ଦରକାର ପଡ଼ିଲେ ସାଆନ୍ତ ତାଙ୍କ ପାଖକୁ ଯିବେ କି ଖବର ପଠେଇବେ । ସିଏ ଯାଇ ଆଗତୁରା ତାଙ୍କ ଆଗରେ ଠିଆ ହେବେ ନାହିଁ ।

 

ଶିବପ୍ରସାଦ ଚିଡ଼ି ଉଠିଲେ । କହିଲେ, ‘କ’ଣ ଗୋଟାଏ ସେତିକିବେଳୁ ମ୍ୟାନେଜରଙ୍କ ବିଷୟରେ କହି ଚାଲିଛ । ମୋ କଥାକୁ ସେ କୌଣସି ଦିନ ତଳେ ପକାନ୍ତି ନାହିଁ । ସେ ଆସନ୍ତୁ, ଦେଖିବ ।’

 

ଜଳଧର ଶଙ୍କିଗଲା । ପାଣି ଅଧିକ ତାତିଲେ ଜିଭ ପୋଡ଼ିଯିବ, ବରଫ ହେଇଗଲେ ତଣ୍ଟିରେ ଗଳିବ ନାହିଁ । ତାପମାପ ଠିକ୍‌ ରଖିଲେ ଯାଇ ପିଇବାକୁ ସୁବିଧା ।

 

ସିଏ କହିଲା, ‘‘ତାହାହେଲେ ମୁଁ ଟିକେ ଘରଆଡୁ ଯାଇ ଆସେ ।’’

ଶିବପ୍ରସାଦ କିଛି କହିଲେ ନାହିଁ ।

ଜଳଧର ଶିବପ୍ରସାଦଙ୍କ ପାଦଛୁଇଁ ପ୍ରଣାମ କଲା ଓ ନୋଇଁ ନୋଇଁ ଦୁଆର ବାହାରକୁ ଗଲା । ବାହାରକୁ ଯିବାପରେ ପଛକୁ ମୁହଁ ବୁଲେଇ ଗୋଟେ କୁଟିଳ ହସ ହସିଲା ସେ । ମନକୁ ମନ କହିଲା, ‘‘ଶହେଟା ଟଙ୍କା ଯାଉ ପଛକେ, ଭାଗବତ ଆଜି କାମ ଦେଖେଇବ ।’’

 

ତା’ପରେ ସେ ତା ସାଇକେଲ୍‌ ଧରି ବାହାରିଗଲା । ଗୋବିନ୍ଦ ତେଣେ ଏମ୍‌.ଏଲ୍‌.ଏ ବୃନ୍ଦାବନ ମହାନ୍ତିଙ୍କ ଅଫିସ୍‌ ପାଖରେ ତାକୁ ଅନିଶା କରିଥିବ ।

 

ଜୀବନରେ ଅନେକ ବେନାମୀ ଚିଠି ଲେଖିଛି ଗୋବିନ୍ଦ । ହେଲେ କାଲି ଯେମିତିକା ଚିଠିଟେ ଲେଖିଛି ସେମିତିକା ଚିଠି ସେ ଆଗରୁ କେବେ ଲେଖିନାହିଁ । ଚିଠିଟାକୁ ଲେଖିସାରି ଆଉଥରେ ପଢ଼ିବା ବେଳେ ସେ ନିଜେ ଚମକି ପଡ଼ିଥିଲା । ତା’ପରେ ନିଜକୁ ନିଜେ ସାବାସି ଦେଇଥିଲା ଗୋବିନ୍ଦ । ଚାରି ପୃଷ୍ଠାର ସେ ଚିଠିଟାରେ ମଝିରେ ମଝିରେ ଏମିତି ଛୁଙ୍କ ଦେଇଛି ଯେ ଯୋଗୀଋଷି ବି ରାଗିପାଚି ନିଆଁ ହେଇଯିବ । ସମନ୍ତରାଙ୍କ ସ୍ତ୍ରୀ ବାବଦରେ ସନା ଦାସର ମତାମତ କଥାଟା ଲେଖିବା ପାଇଁ ତାଙ୍କ ବିବେକ ମନା କରୁଥିଲା । ମାତ୍ର ସେତେବେଳକୁ କଲମ କ’ଣ ଆଉ ତାଙ୍କ ବୋଲ ମାନିବା ଅବସ୍ଥାରେ ଥିଲା? ସିଏ ତ ଯୁଦ୍ଧଭୂଇଁର ଘୋଡ଼ା ପରି ଆଗକୁ ଆଗକୁ ମାଡ଼ି ଚାଲିଥିଲା ।

 

ନିଜ ହାତବନ୍ଧା ଘଣ୍ଟାକୁ ଅନେଇଲା ଗୋବିନ୍ଦ । ଦିନ ଏଗାରଟା ହେଲାଣି - ଜଳଧର କୁଆଡ଼େ ଗଲା? ଶକତ ଗଣ୍ଠିଟାଏ । ଅନ୍ୟ କିଛି କାରଣ କହିଥିଲେ କ’ଣ ଏତେଗୁଡ଼ା ଟଙ୍କା ଯୋଗାଡ଼ କରିବା ପାଇଁ ସେ ରାଜି ହୋଇଥାଆନ୍ତା? ସେଇଥିପାଇଁ ‘କ୍ୟାନ୍‌ସର୍‌’ ରୋଗଟାକୁ ଆବିଷ୍କାର କରିବାକୁ ପଡ଼ିଲା । ହଉ, କହିଦେଲେ କ’ଣଟା ପାପ ହେଉଛି? ଏଇ ବାହାନାରେ ଆଠଦଶଦିନ ଯାଇ ଶଳାଘରୁ ବୁଲି ଆସିଲେ ଭଲ ହେବ । ସିଏ ବି ତ ମୁମ୍ବାଇରେ ରହୁଛି । ଜଳଧରଟା ଘୋର ସନ୍ଦେହୀ । ସବୁବେଳେ ସନ୍ଦେହ କରୁଛି । ସେଥିପାଇଁ ସେ ଚିଠିଟାର ପ୍ରଥମ କପିଟା ନିଜ ପାଖରେ ରଖିଛି । ଗୋବିନ୍ଦ ଆସିଲେ ତାକୁ ଦେଖେଇବ ।

 

ଜଳଧରର ଆସିବାରେ ଡେରି ହେଉଥିବାରୁ ଗୋବିନ୍ଦ ଟିକିଏ ବ୍ୟସ୍ତ ହେଲା ।

ଜଳଧରକୁ ଦେଖିଲେ ବୃନ୍ଦାବନ ମହାନ୍ତି ନିଶ୍ଚୟ କିଛି ଟଙ୍କା ଦେବେ । କହିଥିଲା, ଦଶଟା ବେଳକୁ ଆସି ପହଞ୍ଚିବ, ଅଥଚ ଏଗାରଟା ବାଜିଲାଣି । ଏମ୍‌ଏଲ୍‌ଏ ଯଦି ଭୁବନେଶ୍ୱର ପଳେଇବେ ପୁଣି ଦେଖା ପାଉ ପାଉ ପନ୍ଦର ଦିନ ।

 

ତାଳଗଛ ଉହାଡ଼ରୁ ବଗ ପରିକା ଦିଶୁଥିଲା ଜଳଧରର ଚେହେରା । ଗୋବିନ୍ଦ ଆଶ୍ୱସ୍ତ ହେଲା । ପକେଟ୍‌ରୁ ଆଉ ଖିଲେ ପାନ କାଢ଼ି କଳରେ ଗୁଞ୍ଜିଲା । ଯାହା ଖାଇଥିବ ପେଟକୁ, ଯାହା ରଖିଥିବ ଖଣ୍ଟକୁ । ଜଳଧରଟା ଦେଖୁ ଦେଖୁ ମାଗିଥାଆନ୍ତା - ପାନଖଣ୍ଡେ ଦେଲ । ହ୍ୟାପ, ବିକଳିଆଟା । ସବୁବେଳେ ତା ପାଟିରୁ ଲାଳ ଗଡୁଛି । କେମିତି ଦାଣ୍ଡରୁ ଗୋଟେଇ ନେଇ ନିଜ ଭାଣ୍ଡ ଭିତରେ ଭର୍ତି କରିବ ।

 

ଜଳଧର କହିଲା, ‘‘ପାଗଯୋଗ ଠିକ୍‌ ଅଛି । ଆଜି ସାମନ୍ତରାଙ୍କ ମୁଣ୍ଡ ଭିତରେ ବୋମା ଖଂଜିଦେଇଛି । ଯେତେବେଳେ ‘ଢୋ’ କିନା ଫୁଟିବ, ସେତେବେଳେ ତା ପ୍ରଭାବରେ ସନା ଦାସ ଛତ୍ରଛାଳ ହେଇଯିବ । ହେଃ, ହେଃ ।

 

: ହଉ, ହଉ ଚାଲ । ଏମ୍‌ଏଲ୍‌ଏ ଭୁବନେଶ୍ୱର ପଳେଇବ କହୁଥିଲା ।

ସେମାନେ ଏବେ ବୃନ୍ଦାବନ ମହାନ୍ତିଙ୍କ ଭିତିରି ଅଫିସ୍‌ରେ ବସିଥିଲେ । ପୁରୁଣା କାଳିଆ ଘର । ମେଲାଘରର ବାଁ କଡ଼କୁ ଛୋଟିଆ କୋଠରିରେ ତାଙ୍କ ସହକାରୀ ବସିଛି । ଡାହାଣ କଡ଼କୁ ଚାରିଟି ଚଉକି ଓ ଖଣ୍ଡେ ସୋଫା । ଜରୁରି ଆଲୋଚନା ପାଇଁ ଏମ୍‌ଏଲ୍‌ଏ ସେଇଠିକି ଉଠିଆସନ୍ତି ।

 

ମେଲାଘରେ କୋଡ଼ିଏ ବାଇଶଜଣ ଲୋକ । ଜଳଧରକୁ ଦେଖି ତାଙ୍କ ଭିତରୁ ଦି’ ତିନିଜଣ ନମସ୍କାର କଲେ । ଆଉ କେତେଜଣ ଫୁସୁରୁଫାସର ହେଲେ - ଇଏ କ’ଣ ଏଠି?

 

ଜଳଧର ଯାଇ ବୃନ୍ଦାବନଙ୍କ ପାଦଛୁଇଁ ପ୍ରଣାମ କଲା । ତା’ପରେ ମେଲାଆଡ଼କୁ ଶୁଣେଇ ଗଳାଝାଡ଼ି କହିଲା, ‘‘ଆଜ୍ଞା, ଆମର ବାପା ଗୋଟିଏ, ନେତା ଗୋଟିଏ । ଦି’ଥର କ’ଣ ଦଶଥର ହାରିଲେ ବି ଶିବପ୍ରସାଦ ସାମନ୍ତରା ଆମର ନେତା, ଆମେ ତାଙ୍କର କର୍ମୀ । ତେବେ ଆପଣ ହେଲେ ବିଧାୟକ । ଆପଣ ଯେଉଁ ଦଳର ହୁଅନ୍ତୁ ନା କାହିଁକି ଜିତିଲା ପରେ ଆମ ସମସ୍ତଙ୍କର ପ୍ରତିନିଧି । ତେଣୁ ଆମ ଗ୍ରାମର ସମସ୍ୟା ନେଇ ଆପଣଙ୍କ ପାଖକୁ ଆମେ ଧାଇଁ ଆସିଛୁ ।

 

ବୃନ୍ଦାବନ ତାଙ୍କ ଫ୍ରେଞ୍ଚ୍‌କଟ୍‌ ଦାଢ଼ି ସାଉଁଳେଇ ସାଉଁଳେଇ ଟିକିଏ ଧୀର ସ୍ୱରରେ କହିଲେ, ‘‘ମୁଁ ଶୁଣୁଥିଲି, ତମକୁ କୁଆଡ଼େ ସାଆନ୍ତରା ତାଙ୍କ ଅପେରା ପାର୍ଟିର ମ୍ୟାନେଜର କରିବ ବୋଲି କହିଛି । ଦେଖୁଛି, ତମେ ତ ଅପେରାର ହିରୋ ଭଳିଆ ଡାଇଲଗ୍‌ କହିଲଣି!’’

 

ତିନିହେଁ ହସିଲେ ।

ବୃନ୍ଦାବନ କହିଲେ, ‘‘ୟାଙ୍କରି କଥା କହୁଥିଲ? କ’ଣ କରିବା କୁହ?’’

: ଇଏ ଆଜ୍ଞା ଆପଣଙ୍କ ଲୋକ । ଆଗରୁ ବି ଦେଖିଥିବେ । ଆପଣଙ୍କ ପାଖକୁ ବଡ଼ ଭରସା କରି ଧାଇଁ ଆସିଛନ୍ତି । ତାଙ୍କ ସ୍ତ୍ରୀଙ୍କୁ କ୍ୟାନ୍‌ସର୍‌ ।

 

ବୃନ୍ଦାବନ କ’ଣ କହି ଆସୁଥିଲେ । ଗୋବିନ୍ଦ ଚଟ୍‌କିନା ଉଠିପଡ଼ି କହିଲା, ‘‘ଆଜ୍ଞା, ଛୋଟ ମୁହଁରେ ବଡ଼ କଥା । ଆପଣଙ୍କ କର୍କଟ ରାଶିକୁ ଏ ମାସଟା ଖରାପ ଚାଲିଛି । କିଛି ଗୋଟାଏ ମିଛ ମାଲିମୋକଦ୍ଦମାରେ ଆପଣ ପଡ଼ି ପାରନ୍ତି ।’’

 

ବୃନ୍ଦାବନ ଅଟକିଗଲେ । ଦେଖୁ ଦେଖୁ ଲୋକଟି କ’ଣ ତାଙ୍କୁ ଏମିତି କହିଲାଣି! ଇଏ କ’ଣ ଜ୍ୟୋତିଷ ନା ସାଧକ? ସିଏ ଖବର ପାଇଛନ୍ତି, ସୂଚନା ଆଇନ ବଳରେ କିଏ ଗୋଟେ ତାଙ୍କ ନିର୍ବାଚନ ଆଫିଡାଭିଟ୍‌ର ନକଲ ମାଗିଛି । ତାକୁ ନେଇ ସେ ଚିନ୍ତିତ ଅଛନ୍ତି । ତେବେ ସିଏ ତ ନିର୍ବାଚନ ଅଧିକାରୀଙ୍କ ଅଫିସ୍‌ର କାମ । ଇଏ ଲୋକଟି କେମିତି ଜାଣିଲା?

 

ଗୋବିନ୍ଦ ସେହିପରି ବୃନ୍ଦାବନଙ୍କ କପାଳକୁ ଅନେଇ କହିଲା, ‘‘ଆମ ପରି ପଚାଶ ଶହେ ମରିଗଲେ କି ବଂଚିଲେ କିଛି ଯାଏ ଆସେ ନାହିଁ । ମାତ୍ର ଆପଣ ରାଜଚକ୍ରବର୍ତୀ ଲକ୍ଷଣ ନେଇ ଜନ୍ମ ହୋଇଛନ୍ତି । ଆପଣଙ୍କୁ ହାନି ପଡ଼ିଲେ ଏ ରାଜ୍ୟକୁ ହାନି, ଏ ନିର୍ବାଚନ ମଣ୍ଡଳୀକୁ ହାନି ।

 

ବୃନ୍ଦାବନ ଡାକ ପକେଇଲେ, ‘‘ଆରେ ତିନିଟା ଚା’ ପଠାଅ ।’’ ସିଏ ଗୋବିନ୍ଦର କଥାରେ ପ୍ରଭାବିତ ହେଉଥିଲେ । ଉପରକୁ ଅବଶ୍ୟ ବୃନ୍ଦାବନ ଜଣେ କମ୍ୟୁନିଷ୍ଟ । ମାତ୍ର ତାଙ୍କ ଘରେ ବିଭିନ୍ନ ସମୟରେ ପୂଜାପାଠ ହୁଏ । ମାଣିପୁରରୁ ନେଇ ହଳଦିଗଡ଼ ପର୍ଯ୍ୟନ୍ତ ଚାଳିଶ ପଚାଶ ଏକର ଜମି । ନିଜ ଏରିଆରୁ ବାହାରି ଭୁବନେଶ୍ୱର ଚାଲିଗଲେ, ବୃନ୍ଦାବନ ଜାମା ଧୋତି ଛାଡ଼ି ସଫାରି ସୁଟ୍‌ ପିନ୍ଧନ୍ତି । ଜୀବନକୁ ଭଲ ଭାବେ ଜିଇଁବା ଦରକାର ବୋଲି ତାଙ୍କର ଦୃଢ଼ ମତ । ସେ ଅନୁସନ୍ଧିତ୍ସୁ ଗଳାରେ ପଚାରିଲେ, ‘କ’ଣ କରିବା?’

 

: ଗୋଟେ ବାଳଭୋଜି ଦିଅନ୍ତୁ । ଭଗବାନ କୃଷ୍ଣଙ୍କର ସବୁ ଲୀଳାଠାରୁ ବାଲ୍ୟଲୀଳା ବା ଗୋପଲୀଳା ଚମତ୍କାର । ସେଇ ବାଳକୃଷ୍ଣମାନଙ୍କୁ ଭୋଜିଟେ ଦେଇ ତାଙ୍କରି ପ୍ରସାଦ ଖାଇଲେ ଏ ଗ୍ରହ ଶାନ୍ତ ହୋଇଯିବ ।

 

ବୃନ୍ଦାବନ ହସିଦେଲେ । କହିଲେ, ‘‘ମୋତେ ଲାଗୁଛି, ଏଇ ଭୋଜିଭାତ ପ୍ରତିଯୋଗିତା କରି କରି ଆମେ ଦିହେଁ ବି କେନ୍ଦ୍ରାପଡ଼ାର ସେ ଜମିଦାର ଦି’ ଭାଇଙ୍କ ପରି ସର୍ବସ୍ୱାନ୍ତ ହୋଇଯିବୁ ।’’

 

ଜଳଧର କହିଲା, ‘‘ବୁଝି ପାରିଲି ନାହିଁ ଆଜ୍ଞା ।’’

ବୃନ୍ଦାବନ କହିଲେ, ‘କେନ୍ଦ୍ରାପଡ଼ାରେ ଦି’ ଭାଇ ଥିଲେ, ଜମିଦାର । ବର୍ଷାଦିନେ ଗୁଡ଼ାଏ ଗୁଡ଼ାଏ ବାବାଜୀ ଆସି ଡେରା ପକାନ୍ତି । ସେତେବେଳେ ଖରାପ ପାଗ ଯୋଗୁଁ ଅନ୍ୟଆଡ଼େ ଭିକ୍ଷା ସଂଗ୍ରହ ପାଇଁ ଯାଇପାରନ୍ତି ନାହିଁ । କେଉଁ ଭାଇ କେତେ ଅଧିକ ବାବାଜୀଙ୍କୁ ଖୁଆଇ ପାରିବ - ଏ ନେଇ ପ୍ରତିଯୋଗିତା ଚାଲେ । ଦି’ ଭାଇ ନିଜ ନିଜର ଲୋକ ପଠେଇ ଆଖପାଖ ଅଞ୍ଚଳରୁ ବାବାଜୀ ଯୋଗାଡ଼ କରନ୍ତି । ଜଣେ ଯଦି ଦିଇଶହ ବାବାଜୀଙ୍କୁ ଖୁଆଇଲାଣି, ଆର ଜଣକ ଅଢ଼େଇଶହଙ୍କୁ ଖୁଆଇଲା । ବାବାଜୀ ଗୁଡ଼ାକ କର୍ମକୋଢ଼ି । ଦିନସାରା ଭଜନ କୀର୍ତନ । ମାଗଣାରେ ତିନିବେଳା ଭୋଜି । ସେମାନେ ଅନ୍ୟ କୁଆଡ଼େ ନଯାଇ ସେଇଠି ପଡ଼ିରହନ୍ତି । ସେଇଠି ଖାଆନ୍ତି । କେବଳ ଏଇ ଖର୍ଚରେ ଦି’ ଭାଇ ଦେବାଳିଆ ହୋଇଗଲେ ।

 

ଗୋବିନ୍ଦ ମୁହଁ ତଳକୁ କରି ବସିରହିଲା ।

ବୃନ୍ଦାବନ ପୁଣି କହିଲେ, ‘‘ହଇଓ ଜଳଧର, ତୁମ ସାମନ୍ତରା ଫି ବର୍ଷ ଦି ତିନିଟା ଭୋଜି ଦେଉଛନ୍ତି । ମାଛ-ମାଉଁସ ଖୁଆଉଛନ୍ତି । ସେଥିରୁ ଲାଭ କ’ଣ ମିଳୁଛି, ଆଁ । ସେଇ ଲୋକଗୁଡ଼ା ମୋତେ ଭୋଟ୍‌ ଦେଉଛନ୍ତି । ଓଲଟି ଆସି ମୋତେ ବି ସେମାନେ ଭୋଜି ମାଗନ୍ତି । ମୁଁ କହେ, ‘‘ସାମନ୍ତରାର ଚଉଦପୁରୁଷ ଯାକ ତୁମକୁ ଶୋଷି ଶୋଷି ଟଙ୍କା ଜମେଇଛନ୍ତି । ତାଙ୍କ ସଂପତ୍ତିଗୁଡ଼ା ପ୍ରକୃତରେ ତାଙ୍କର ନୁହଁ, ତୁମର । ତେଣୁ ଯେତେ ପାରୁଛ ଖାଅ, ନିଜର ଭାବି ଖାଅ । ମାତ୍ର ମନେରଖ ଭୋଟ୍‌ ଦେବନାହିଁ । ଥରେ ଜିତିଆସିଲେ, ସିଏ ବର୍ଷ ବର୍ଷ ଭୋଜିର ଖର୍ଚ ଏକାଥରେ ଉଠେଇ ନେବ ।’’

 

ଗୋବିନ୍ଦ କହିଲା, ‘‘ଆପଣ ମୋ କଥାକୁ ଭୁଲ୍‌ ବୁଝୁଛନ୍ତି ।’’

ବିମ୍ବାଧର କହିଲେ, ‘‘ନାଇଁ, ନାଇଁ । ଆମେ ବି ଭୋଜିଟେ ଦେବା । କାର୍ତିକ ପୂର୍ଣ୍ଣମୀକୁ ମୋ ନାତିର ଜନ୍ମଦିନ । ଦିଇଟା କାମ ଏକାଥରେ ହୋଇଯିବ । ତା’ପରେ ସେ ଟିକିଏ ରହି କହିଲେ, ‘‘ତୁମର ମେଡ଼ିକାଲ୍‌ କାଗଜପତ୍ର ଆଣିଛ?’’

 

ଭୁଲିଲା ଭଳି ଗୋବିନ୍ଦ କହିଲା, ‘‘ଆଜ୍ଞା, ସେଗୁଡ଼ା ଭୁଲିଆସିଲି । ଅଧବାଟରେ ମନେପଡ଼ିଲା ।’’

ବୃନ୍ଦାବନ କହିଲେ, ‘ହଉ - ହଉ ।’ ତା’ପରେ ସେ ଉଠି ଭିତର ଘରକୁ ଗଲେ ।

ଜଳଧର ବିରକ୍ତ ସ୍ୱରରେ କହିଲା, ‘କି ବିଚିତ୍ର ଲୋକ ତୁମେ! ଅସଲ କାଗଜଗୁଡ଼ା କିମିତି ଘରେ ଛାଡ଼ିକି ଚାଲି ଆସିଲ?’

 

ମୁହଁ ଶୁଖେଇ ଗୋବିନ୍ଦ କହିଲା, ‘‘ଦୁଶ୍ଚିନ୍ତା ଯୋଗୁଁ ମୁଣ୍ଡ କିଛି କାମ କରୁନାହିଁ । କ’ଣ କରିବି?’’

: ହଉ, ହଉ । ଆଚ୍ଛା, ଏ ବାଳଭୋଜି କଥାଟି କ’ଣ?

: ଗୋବିନ୍ଦ କହିଲା, ‘‘ସେଥିରେ ୟାଙ୍କର ପୁଣ୍ୟ ହେବ । ସେ ଜାଣି ପାରୁ ନାହାନ୍ତି ।’’

ବୃନ୍ଦାବନ ଭିତର ଘରୁ ଫେରିଆସି କିଛି ଟଙ୍କା ଗୋବିନ୍ଦକୁ ଦେଲେ । କହିଲେ, ‘‘ନିଅ ଏବେ ଏତକ ରଖିଥା । କାଗଜପତ୍ର ନେଇ ଭୁବନେଶ୍ୱର ଆସ । ମୁଁ ଫୋନ୍‌ କରି ମନ୍ତ୍ରୀଙ୍କୁ କହିବି । ମନ୍ତ୍ରୀ ସୁପାରିସ କରିଦେଲେ ଚିଫ୍‌ ମିନିଷ୍ଟର ପାଣ୍ଠିରୁ ସାହାଯ୍ୟ ମିଳିବା ସୁବିଧା ହେବ ।’

 

ଗୋବିନ୍ଦ ମୁଣ୍ଡ ନୁଆଁଇ ପ୍ରଣାମ କଲା । କହିଲା, ‘ଆପଣଙ୍କ ବିଷୟରେ ଶୁଣିଥିଲି । ଆଜି ଦେଖିକି ଜାଣିଲି, କାହିଁକି ଲୋକେ ଆପଣଙ୍କୁ ଏତେ ଭଲ ପାଆନ୍ତି ।’

 

ସେ ବାହାରି ଆସିଲା । ଜଳଧର ବି ଆସିଥାଆନ୍ତା । କ’ଣ ଭାବି କେଜାଣି ଜଳଧର କହିଲା, ‘‘ତମେ ଗୋବିନ୍ଦ ଆଗେ ଆଗେ ଚାଲ । ମୁଁ ଆଜ୍ଞାଙ୍କୁ ଗୋଟେ କଥା କହିଦେଇ ଯାଉଛି ।’’

 

ନିଜ ଶୋଇବା ଘରର ପଲଙ୍କ ଉପରେ ବସି ସୁଲକ୍ଷଣା ଗୋଟେ ଚିଠି ପଢୁଥିଲେ । ତାହାର ବାକ୍ୟ ଗୁଡ଼ାକ ପଢ଼ିଲାକ୍ଷଣି ତାଙ୍କ ସର୍ବାଙ୍ଗ ଜଳିଯାଉଥିଲା । ତାଙ୍କୁ ଲାଗୁଥିଲା, କେହି ଯେମିତି ତାଙ୍କ ଦେହରେ ଏସିଡ୍‌ ବୋତଲେ ଅଜାଡ଼ି ଦେଇଛି । ସେ ଚିଠିଟାକୁ ନା ପଢ଼ିପାରୁଥିଲେ ନା ତାକୁ ଫୋପାଡ଼ି ଦେଇ ପାରୁଥିଲେ । ଯେତେବେଳେ ଫୋପାଡ଼ି ଦେବାକୁ ଚାହୁଁଥିଲେ ସେତେବେଳେ ସେଥିରେ ଆଉ ସବୁ କ’ଣ କ’ଣ ଲେଖାଯାଇଛି, ତାହା ଜାଣିବାଲାଗି ତାଙ୍କ ମନରେ କୌତୂହଳ ସୃଷ୍ଟି ହେଉଥିଲା । ଯେତେବେଳେ ପଢ଼ିବାକୁ ଚାହୁଁଥିଲେ ସେତେବେଳେ ସେ ଚିଠିଟାର କଦର୍ଯ୍ୟ ଇଙ୍ଗିତ ଯୋଗୁଁ ସେଇଟିକୁ ଫିଙ୍ଗି ଦେବାକୁ ଚାହୁଁଥିଲେ ।

 

ତାଙ୍କ ମନ ଭିତରେ ଝଡ଼ ।

ଏତେ ବର୍ଷ ଧରି ସେମାନେ କ’ଣ ଗୋଟେ ବିଷଧର ସାପକୁ କ୍ଷୀର ପିଆଇ ପୋଷି ଆସିଛନ୍ତ! ଯେଉଁ ଲୋକଟିର ମନ ଏତେ କୁତ୍ସିତ, ସିଏ କେମିତି ଜଣେ ଭଲ ମଣିଷ ହୋଇପାରିବ?

 

‘ସନାତନ ଦାସ ହାଟରେ ଘାଟରେ ଆପଣଙ୍କ ଶରୀର ସମ୍ପର୍କରେ ଯେଉଁ ଅଶ୍ଳୀଳ କଥାବାର୍ତା କରୁଛନ୍ତି ସେକଥା ଶୁଣି ଆମର ମୁହଁ ତଳକୁ ହୋଇଯାଉଛି । ପୂର୍ବରୁ ସେ ସୀମା ଭିତରେ ରହୁଥିଲେ । ମାତ୍ର ତାଙ୍କର ପତ୍ନୀ ବିୟୋଗ ପରଠାରୁ ସେ ଆପଣଙ୍କୁ ସର୍ବସାଧାରଣରେ ଉଲଗ୍ନ କରି ଚାଲିଛନ୍ତି । ତାଙ୍କର ମତ ହେଲା ବୟସର ବ୍ୟବଧାନ ହେତୁ ସାମନ୍ତରା ଆପଣଙ୍କ ଦେହଦୁଃଖ ବୁଝିପାରୁ ନଥିବାରୁ ଆପଣଙ୍କ ଭିତରେ ବିକୃତି ଦେଖାଦେଉଛି ।’

 

ସୁଲକ୍ଷଣା ମୁହଁରେ ହାତଦେଇ କାନ୍ଦି ଉଠିଲେ ।

ବର୍ଷ ବର୍ଷର ବିଶ୍ୱାସର ପୁରୁଣା ପକ୍କାଘର ଭାଙ୍ଗି ଭୁଶୁଡ଼ି ପଡୁଥିଲା ।

ସେ ପୁଣି ଲୋଚକୋଚା ଚିଠିଟାକୁ ଖୋଲି ପଢ଼ିଲେ, ଆପଣଙ୍କର ସବୁ ସଂପତ୍ତିବାଡ଼ିର କାଗଜପତ୍ର ସନାତନ ଦାସଙ୍କ ପାଖରେ । ତାଙ୍କ ପ୍ରତି ସତର୍କ ରହନ୍ତୁ । ନହେଲେ ସେ ଆପଣ ଏବଂ ମା’-ଝିଅ ଦୁଇଙ୍କୁ ଯଦି ରାଜରାସ୍ତାରେ ଠିଆ କରେଇ ନଦେବ ତାହାହେଲେ ଆମକୁ କହିବେ । ଇତି ଆପଣଙ୍କର ଚରଣାଶ୍ରିତ ସେବକଗଣ ।

 

ଏଇ ଶେଷ ବାକ୍ୟ ଯୋଡ଼ିକ ପଢୁ ପଢୁ ସେ ଆଶଙ୍କାରେ ଶିହରି ଉଠିଲେ । ତାଙ୍କ ସଂପର୍କରେ ଯିଏ ଯାହା କହୁ, ତାଙ୍କର ପଛେ ଯାହା ହେବାର କଥା ହୋଇଯାଉ, ମାତ୍ର ବାପ-ଝିଅ ଦିହିଙ୍କର କିଛି ନହେଉ । ଏତିକି ପାଇଁ ତ ତାଙ୍କର ବାର ଓଷାବ୍ରତ, ପୂଜାପାଠ ଓ ଦିଅଁଦେବତା ଦର୍ଶନ । ତାଙ୍କୁ ଏସବୁ ପଢ଼ି ବଡ଼ ଅସ୍ଥିର ଲାଗୁଥିଲା । ଏଡ଼େ ବଡ଼ ଘର, ସଂପତ୍ତି ବାଡ଼ି, ଚାକରବାକର ଏବଂ ଗହଳ ଚହଳ ସତ୍ତେ୍ୱ ସମୟେ ସମୟେ ତାଙ୍କୁ ଖୁବ୍‌ ଏକଲା ଲାଗେ । ଅସହାୟ ଲାଗେ ନିଜକୁ । ଆଜି ସେହି ଏକଲାପଣ ଆହୁରି ଗାଢ଼ ହୋଇଥିଲା । ଚାରିପଟ ତାଙ୍କୁ ଖାଁ ଖାଁ ଲାଗୁଥିଲା । କେତେଥର ଶିବପ୍ରସାଦଙ୍କୁ କହିଲେଣି, ଏ ରାଜନୀତି, ଏ ତୁଚ୍ଛା ଦରବାର - ଏସବୁରୁ କ’ଣ ଲାଭ ମିଳୁଛି? ବରଂ ଏସବୁ ଛାଡ଼ିଦେଇ ଶାନ୍ତିରେ ବିଶ୍ରାମ କର । କେତେ ରାଜାରାଜୁଡ଼ାଙ୍କ ପିଲାପିଲି ଯାଇ ସହରରେ ରହିଲେଣି । ଆମେ କଟକ କି ଭୁବନେଶ୍ୱରରେ ଯାଇ ରହିଲେ ଅସୁବିଧା କ’ଣ ହେବ?

 

ଶିବପ୍ରସାଦ କିନ୍ତୁ ଏକଥାକୁ ଏଡ଼ାଇଯାଆନ୍ତି । କହନ୍ତି, ଲୋକେ କହିବେ ସାଆନ୍ତରା ଉଠାକୁଳିଆ ହୋଇଗଲେ । ବିରୋଧୀଏ କହିବେ, ହାରିକି ପଳେଇଗଲା । ଏଠି ଏତେ ବର୍ଷର ଖାନଦାନୀ ଘର, ୟାକୁ ଛାଡ଼ି ଚାଲିଗଲେ ପରିବାରର ପରଂପରା ହଜିଯିବ । ସହରରେ ଘର ଅଛି । ଯେବେ ଚାହିଁବ ଯାଇକି ସେଠି କିଛିଦିନ ପାଇଁ ରହିପାରିବ ।

 

ମାତ୍ର ସୁଲକ୍ଷଣାଙ୍କ ମନ ବୁଝେ ନାହିଁ । ଏଗୁଡ଼ା ତୁଚ୍ଛା ଭାବପ୍ରବଣତା । ଦେହ ଖରାପ ହେଲେ ଡାକ୍ତରଙ୍କୁ ଅପେକ୍ଷା କରି କରି ଅଧଓଳି ବିତି ଯାଉଛି । ଏଠି କି ସୁବିଧା ବା ଅଛି? ସୋନିର ବାହାଘରଟି ଠିକଣା ହୋଇଯାଉ । ସେ କାହା କଥା ନଶୁଣି ଭୁବନେଶ୍ୱର ପଳେଇବେ । ସେ ଆଗତୁରା ଚାଲିଗଲେ ସୋନି ବାପା ବଳେ ବଳେ ଯାଇ ପଛରେ ପହଞ୍ଚିବେ ।

 

କିନ୍ତୁ ସେସବୁ ତ ପଛକଥା । ଏବେ ଏଇ ବିଷଧର ସର୍ପଟିର କଥା କ’ଣ ହେବ? ଏହାର ଦଂଶନରେ ତ ତାଙ୍କ ସଂସାର ଉଚ୍ଛନ୍ନ ହୋଇଯିବ । ଏହା କବଳରୁ ସେ କେମିତି ମୁକ୍ତି ପାଇବେ?

 

ରାତି ପାହିଲେ ଅଷ୍ଟପ୍ରହରୀର ଅଧିବାସ । କାଲିଠୁଁ ଆରମ୍ଭ ହୋଇ ପଅରିଦିନ ସରିବ । ସେଦିନ ଦି’ପହରେ ଦହିହାଣ୍ଡି ଭଙ୍ଗା ଏବଂ ଭୋଜି ଭାତ । ଏହା ମଝିରେ ଏଇ ଚିଠିକଥା ଉଠେଇଲେ କୀର୍ତନ କାମରେ ବିଘ୍ନ ଉପୁଜିବ । ବରଂ ତିନିଟା ଦିନ ଯାଉ - ସୁଲକ୍ଷଣା ଭାବିଲେ ।

 

ସେ ଚିଠିଟାକୁ ଚଉଭାଙ୍ଗ କରି ତାଙ୍କ ଆଲମାରିର ଶାଢ଼ିଥାକ ତଳେ ଗୁଂଜିଦେଲେ । ସୋନିକୁ ଆଣିବାଲାଗି ଜିପ୍‌ ଯିବା କଥା । ସେ ଡାକ ପକେଇଲେ, ‘‘ଭାଗବତ, କୁଆଡ଼େ ଗଲୁ?’’

 

ଭାଗବତ ଆସୁଥିଲା । କହିଲା, ‘‘ମ୍ୟାନେଜରଙ୍କ ଦେହ ଖରାପ । ସାଆନ୍ତେ ତାଙ୍କୁ ଡାକିବାଲାଗି କହିଥିଲେ.. ।’’

: ଖବରଦାର୍‌, ସେ ମ୍ୟାନେଜରଙ୍କ କଥା ଯଦି ଆଉଥରେ ମୋତେ କହିଛୁ । ଷ୍ଟେସନ୍‌କୁ ଗାଡ଼ି ଗଲାଣି?

: ହଁ । - ଭାଗବତ ଉତ୍ତର ଦେଲା । ମାଆଙ୍କର ଏଭଳି ରାଗର କାରଣ ବୁଝିପାରୁ ନଥିଲା । ସେପଟେ ସାଆନ୍ତ ରାଗିପାଚି ଲାଲ୍‌ । ଏପଟେ ସାଆନ୍ତାଣୀ । ତାକୁ କାହିଁକି ଏସବୁ ବଡ଼ ଅଡୁଆ ଅଡୁଆ ଲାଗୁଥିଲା ।

 

ତା ପକେଟ୍‌ରେ ଜଳଧରବାବୁ ଦେଇଥିବା ଶହେଟଙ୍କିଆ ନୋଟ୍‌ଟି ଖସ୍‌ଖସ୍‌ ହେଉଥିଲା । ସେଇଟାକୁ ଛୁଇଁବା କ୍ଷଣି ତାକୁ ନିଆଁ ଧରିବା ପରି ଲାଗୁଥିଲା । ସେ ବୁଝି ପାରୁ ନଥିଲା, ଜଳଧର ବାବୁ ତାଙ୍କୁ କାହିଁକି ଏ ଟଙ୍କା ଦେଲେ । ସେ ମନେ ପକେଇଲା, ସାଆନ୍ତେ ତାକୁ ମ୍ୟାନେଜରଙ୍କୁ ଡାକିବାକୁ କହିଥିଲେ । ସିଏ ବି ମ୍ୟାନେଜରଙ୍କ ଘରକୁ ଯାଉଥିଲା । ମାତ୍ର ଜଳଧର ବାବୁ ଆସି କହିଲେ, ‘ସାଆନ୍ତେ ଖୁବ୍‌ ରାଗିଛନ୍ତି । ଏବେ ମ୍ୟାନେଜରଙ୍କୁ ଡାକିବା ଦରକାର ନାହିଁ । ତାଙ୍କ ଉପରେ ଅଯଥା ଗାଳି ହେବ । ତୁ ଯାଇ ମୋଲାଗି ପାନ ଚାରିଖଣ୍ଡ ଭାଙ୍ଗ୍‌, ମୁଁ ଯାଉଛି ।’

 

ତେବେ ମ୍ୟାନେଜରଙ୍କ ଉପରେ ମା’ ସାଆନ୍ତାଣୀ ରାଗିବାଟାକୁ ସେ ବୁଝିପାରୁ ନଥିଲା । ମନକୁ ମନ କହିଲା, ‘ପ୍ରାଣଭାଇ ପାଖକୁ ଗଲେ କଥାଟା ଜଣାପଡ଼ିପାରେ ।’

 

ସନାତନ ଟେବୁଲ୍‌ ପାଖରେ ବସି ଚିଠି ଖଣ୍ଡେ ଲେଖୁଥିଲେ । ମଝିରେ ମଝିରେ ଝରକା ଦେଇ ସେ ଆକାଶକୁ ଚାହୁଁଥିଲେ । ବର୍ଷା ଆସୁଛି । ଅଶିଣର ମେଘ ପୋଛାପୋଛି ମେଘ । ହେଲେ ମେଞ୍ଚାଏ, ନହେଲେ କେଞ୍ଚାଏ । ସେ ମନକୁ ମନ କହିଲେ, କୀର୍ତନ ସମୟକୁ ମେଘଟା ଛାଡ଼ିଗଲେ ଭଲ ହେବ ।

 

ସେ ଭାବିଛନ୍ତି କି ନାହିଁ ଟପ୍‌ଟପ୍‌ ହୋଇ ବରକୋଳିଆ ବର୍ଷା ବର୍ଷିବାକୁ ଆରମ୍ଭ କଲା । ଭାଗବତ ତଉଲିଆଟା ମୁଣ୍ଡ ଉପରେ ଦେଇ ଘର ଭିତରକୁ ଆସୁ ଆସୁ କହିଲା - ଏ ବର୍ଷାଟା ଛାଡ଼ିବାର ନାଁ ନେଉନାହିଁ ।

 

ସନାତନ ଚିଠି ଲେଖା ବନ୍ଦ କରି ପଚାରିଲେ, ‘‘ସୋନି ମା’ ଆସିଲାଣି?’’

: ଗାଡ଼ି ଯାଇଛି ।

: ହଉ । - ସନାତନ ଚଉକି ଦେହରେ ପିଠି ଆଉଜେଇ ବସିଲେ । ପଚାରିଲେ, ‘ପ୍ରାଣକୃଷ୍ଣ କୁଆଡ଼େ ଗଲା? ନଈପାଖ ଜମିରେ ଔଷଧ ପକେଇବା ପାଇଁ ମୂଲିଆ ଗଲେଣି ତ? କୀର୍ତନ ସରୁ, ସେପାରି ନଡ଼ିଆ ବଗିଚାର ପୂର୍ବପଟ ଗଛଗୁଡ଼ାକ ଝଡ଼ାଯିବ । ତୁ ପ୍ରାଣକୃଷ୍ଣକୁ ଦେଖିଛୁକି?’

 

ଭାଗବତ କହିଲା, ‘ଆପଣ ଟିକେ ବିଶ୍ରାମ ନିଅନ୍ତୁ । ଦିନେ ଓଳିଏ ବିଶ୍ରାମ ନେଇଗଲେ କ’ଣ ସଂସାର ଅଚଳ ହେଇଯିବ? ସେ ଔଷଧ ପାଇଁ ଯାଇଛି । ତାଆରିଠାରୁ ତ ଆପଣଙ୍କ କଥା ଶୁଣିଲି ।’

 

: ସାଆନ୍ତ କ’ଣ କରୁଛନ୍ତି କିରେ? ତାଙ୍କୁ ମୋ ଦେହ କଥା କହିବୁ ନାହିଁ । ଇଏ ଥଣ୍ଡା ଜ୍ୱର, ଦିନେ ଦି’ ଦିନରେ ଛାଡ଼ିଯିବ ।

 

ଭାଗବତ ଭାବିଲା, ସକାଳେ ସାଆନ୍ତେ ମ୍ୟାନେଜରଙ୍କୁ ଖୋଜୁଥିବା କଥାଟା ଏବେ କହିବ ନା ନାହିଁ । କିନ୍ତୁ ତା’ପରେ ତ ମନେ ପଡ଼ିଗଲା ଜଳଧର ବାବୁ ତାକୁ ମନା କରିଥିଲେ । ପୁଣି ବର୍ତମାନ ସେକଥା କହିଲେ ମ୍ୟାନେଜରବାବୁ ତା ଉପରେ ରାଗି ପାରନ୍ତି । ସେ କଥାଟିକୁ ଢୋକିଦେଲା ।

 

ସନାତନ କହିଲେ, ‘‘ଅଷ୍ଟପ୍ରହରୀ ଚିଠାଟା ସାଆନ୍ତଙ୍କୁ ଦେଖିବାକୁ ଦେଇଥିଲି । କାଳେ କିଛି ଭୁଲ୍‌ରେ ଛାଡ଼ି ଦେଇଥିବି । ସବୁ ତ ହାଟରୁ ଆସିବ । ଭୁଲିଯାଇଥିଲେ, ପୁଣି ଥରେ କାହାକୁ ଧାଇଁବାକୁ ହେବ । ସାଆନ୍ତେ ପଚାରି ପାରନ୍ତି, ଖଲିପତ୍ର କଥା କାହିଁକି ଲେଖିଛି । କିନ୍ତୁ ଜାଣିଚୁ ଭାଗବତ, ଏ ବେଳଟାରେ କଦଳୀଗଛ ପତ୍ର କାଟିରେ ଗଛ ଆଉ ବଢ଼ିବ ନାହିଁ । ପୁଣି ବର୍ଷା ପବନରେ ତ କଦଳୀ ଗଛର ପତ୍ରସବୁ ଚିରିଛି । ଭଲ ପତ୍ର କାହିଁ?

 

ଭାଗବତ ଭାବିଲା, ସାଆନ୍ତାଣୀ ଚିଡ଼ିଚିଡ଼ି ହୋଇ କଥାଗୁଡ଼ା କହୁଥିଲେ । ସେ କଥାଟି ମ୍ୟାନେଜରଙ୍କୁ କହିବ କି? ପୁଣି ଭାବିଲା, ବଡ଼ ଘର ବଡ଼ ଗୁମର କଥା । ସେ ତା ଭିତରକୁ ଅଯଥାରେ ପଶିବା ଭଲ ହେବ ନାହିଁ ।

 

ବର୍ଷା ବର୍ଷୁଥିଲା । ପୋଖରୀ ପାଣି ଉପରେ ଟୋପା ଟୋପା ବର୍ଷା ବୁନ୍ଦା ପଡ଼ି ଅଦ୍ଭୁତ ଦୃଶ୍ୟ ସୃଷ୍ଟି କରୁଥିଲା । ସନାତନ କହିଲେ, ସେ ଖଟ ଉପରୁ ମୋ ସାଲ୍‌ଟା ଟିକେ ଆଣି ଦେଲୁ ଭାଗବତ ।’

 

ଭାଗବତ ସାଲ୍‌ଟା ଆଣି ସନାତନକୁ ଘୋଡ଼େଇଦେଲା । ତାଙ୍କ କପାଳରେ ହାତ ଛୁଆଁଇ ଦେଖିଲା, ଦେହରେ ତାତି ଅଛି । ସେ କହିଲା, ‘‘ଆପଣଙ୍କ ଦେହରେ ବହୁତ ଜ୍ୱର ।’’

 

ସନାତନ ହସିଦେଲେ । କହିଲେ, ‘‘ତୁ ଆମର ଡାକ୍ତର ହୋଇଯା । ସେସବୁ କିଛି ନୁହେଁ । ତୁଳସୀପତ୍ର, ଅଦା ଓ ଗୋଲମରିଚ ଚାରିଟା ବାଟିକି ଦୁଇ ପାନ ପିଇଦେଲେ ଘଣ୍ଟାକରେ ତାତି ପଳେଇବ ।’’

 

: ହଉ, ମୁଁ ନେଇକି ଆସେ ।

ଭାଗବତ ଛତାଟେ ନେଇ ଚାଲିଗଲା ।

ସନାତନ ପୁଣିଥରେ କଲମର ଠିପି ଖୋଲିଲେ । ଚିଠିଟାକୁ ଆଉଥରେ ମୂଳରୁ ପଢ଼ିଲେ । ବର୍ଷାଟା ହେଉ ନଥିଲେ ସେ ଯାଇ ସାଆନ୍ତଙ୍କୁ ଥରେ ଦେଖା କରି ଆସିଥାଆନ୍ତେ । ଝିଅଟିର ବାହାଘର ନେଇ ଦି’ ପରାଣୀ ଭାରି ଚିନ୍ତାରେ ରହୁଛନ୍ତି । କିନ୍ତୁ ସୋନି ମା’ ପରି ଯୋଗ୍ୟ କନ୍ୟା ଲାଗି ସେଇମିତି ଯୋଗ୍ୟ ପାତ୍ରଟିଏ ବି ଦରକାର । ଦେଖାଯାଉ, ଏଇ ପଟ୍ଟନାୟକ ଘର ପ୍ରସ୍ତାବଟି ଯଦି ଲାଗିଯାଏ! ସେ ପୁରୀ ଯାଇ ଜଗନ୍ନାଥଙ୍କ ପାଖରେ ଶହେ ଆଠ ଦୀପ ଜାଳିବେ ।

 

ଚନ୍ଦ୍ରଶେଖର ମହାଦେବ ପଡ଼ିଆଟି ଗୋଟେ ମେଲଣ ପଡ଼ିଆ ପରି ଦିଶୁଥାଏ । ସାଆନ୍ତରାଙ୍କ ଅଷ୍ଟପ୍ରହରୀ କୀର୍ତନ ଲାଗି ଏଇ ଆୟୋଜନ ।

 

ପାଟପୁର ଗାଁର କିଛି ଲୋକ କଥାବାର୍ତା ହେଉଥାଆନ୍ତି, ଆଗରୁ ବି କେତେଥର ସାମନ୍ତରାଙ୍କ ଅଷ୍ଟପ୍ରହରୀ କୀର୍ତନ ଏଇଠି ହୋଇଛି । କିନ୍ତୁ ଏଥର ଏତେ ଜାକଯମକ କାହିଁକି? ଈର୍ଷୁକ ଲୋକ ପରିହାସରେ ଜବାବ ଦେଉଥାଆନ୍ତି, ନିର୍ବାଚନରେ ହାରିଯିବା ଦୁଃଖରେ ।

 

ଆଉ କିଛି ଲୋକ କହୁଥାଆନ୍ତି, ତାଙ୍କର ଝିଅ ବାହାଘର ଯୋଗାଡ଼ ହୋଇଯାଇଥିବ । ଭୋଜି ଭାତ ଲାଗି କୋଉ ହାତରୁ ଖର୍ଚ କରୁଛନ୍ତି! ତେଲ ଲୁଣ ଛାଡ଼ିଦେଲେ ସବୁ ତ ତାଙ୍କରି ବାଡ଼ିବଗିଚାର । ଲୀଳାବତୀ ଚାଉଳ ଖମାରରୁ ଆସିବ, ନଡ଼ିଆ, କଦଳୀ, ସାରୁ ଓ ମାଟିଆଳୁ ବାଡ଼ିରୁ । ସାମନ୍ତରାଙ୍କରର କୋଉ କଥାରେ ଅଭାବ ଯେ ସେ ଖର୍ଚକୁ ଡରିବେ ।

 

ମାତ୍ର ଅଳ୍ପକିଛି ଲୋକ ଏ ରହସ୍ୟର କାରଣ ଜାଣୁଥିଲେ । ଆଗରୁ ଯେତେସବୁ ଅଷ୍ଟପ୍ରହରୀ କୀର୍ତନ ଓ ଭୋଜିଭାତ ହେଉଥିଲା, ତାହାର ଖବର ସାମନ୍ତରା ଘରର ମ୍ୟାନେଜର ସନାତନ ଦାସ ବୁଝୁଥିଲେ । ମାତ୍ର ଏଥରର ଦାୟିତ୍ୱ ବୁଝୁଛନ୍ତି ଜଳଧର । ସେ ହେବେ ସାମନ୍ତରାଙ୍କ ଅପେରା ପାର୍ଟିର ମ୍ୟାନେଜର । ତାଙ୍କରି ବୁଦ୍ଧିରେ ଏସବୁ କାମ ହେଉଛି । ସବୁ ଥର ଯେତିକି ଖର୍ଚ ହୁଏ ଏଥର ପାଖାପାଖି ସେତିକି ଖର୍ଚ ହେଉଥିଲେ ବି କାମଟା ବେଶ୍‌ ସରସା ଦିଶୁଛି ।

 

ଏପରି କଥାବାର୍ତାର ଖବର ଜଳଧରଙ୍କ ପାଖେ ପହଞ୍ଚୁଥାଏ । ଶିବପ୍ରସାଦ ଓ ସୁଲକ୍ଷଣାଙ୍କ ପାଖେ ମଧ୍ୟ ପହଞ୍ଚୁଥାଏ ଏବଂ ପହଞ୍ଚୁଥାଏ ସନାତନଙ୍କ ବସାରେ ।

 

ଶିବପ୍ରସାଦ ଭାବୁଥାଆନ୍ତି, ‘ଜଳଧର ଲୋକଟା ଟିକେ ଟାଉଟର ସ୍ୱଭାବର ହେଲେ କ’ଣ ହେବ ତା’ର ନିଷ୍ଠା ଅଛି । ଟିକିଏ ଜଗିଦେଲେ ସେ ସବୁକଥା ନେଇ ଆଣି ଥୋଇପାରିବ । ସବୁଠାରୁ ବଡ଼କଥା ହେଲା ଲୋକଟା ଅନୁଗତ । ତାକୁ ଯେତେ ଯାହା କହିଗଲେ ବି ସେ ଉଁ କି ଚୁଁ କିଛି କହିବ ନାହିଁ ।’

 

ସୁଲକ୍ଷଣା ସ୍ୱାମୀଙ୍କ କଥାକୁ ସମର୍ଥନ କଲାପରି କହୁଥାଆନ୍ତି, ‘ମୋର ମନେ ହେଉଛି, ଜଳଧର ଲୋକଟା ଅପେରା ପାର୍ଟି ଦାୟିତ୍ୱ ଭଲ ସମ୍ଭାଳିବ । ରମାକାନ୍ତବାବୁ ଏହାକୁ ଠିକ୍‌ ଚିହ୍ନିଛନ୍ତି । ତେବେ ତା ପଛେ ପଛେ ଯେଉଁ ଲୋକଟା ଧପାଲୁଛି, ସେଇଟି କିଏ? ସିଏ ତ ଆମ ଗାଁର ଲୋକ ପରି ଦିଶୁନାହିଁ ।’

 

: ଇଏ ଇଂଜିନ୍‌, ସିଏ ଏହାର ଡବା । ତା ନାଁ ଗୋବିନ୍ଦ । ଲୋକଟି ଦୁଃଖୀ । ମାତ୍ର ଆମର ହିତୈଷୀ ।

ସୁଲକ୍ଷଣା ପ୍ରସଙ୍ଗ ବଦଳେଇ, ‘‘କଟକରୁ କିଛି ଖବର ଆସିଲା ନାହିଁ ତ? ସୋନି ବାହାଘର ନେଇ ବନ୍ଧୁବାନ୍ଧବ ସମସ୍ତେ ମୋତେ ପଚାରୁଛନ୍ତି । ତମ ସାନଭଉଣୀ ତ ପ୍ରତିଦିନ ଥରେ ଲେଖା ସେହିକଥା ଦୋହରଉଛନ୍ତି । ମୁଁ ସେମାନଙ୍କୁ କିଛି ଉତ୍ତର ଦେଇ ପାରୁନାହିଁ ।

 

ଶିବପ୍ରସାଦ ଗମ୍ଭୀର ଦିଶିଲେ । ସୋନିର ବାଇଶ-ତେଇଶ ବର୍ଷ ହୋଇଥିବା ବେଳେ ତା ପାଇଁ ଭଲ ଭଲ ପ୍ରସ୍ତାବ ଆସୁଥିଲା । ମାତ୍ର ସେତେବେଳେ ନିଜେ ସୋନି ସେଗୁଡ଼ିକୁ ଏଡ଼େଇଗଲା । ଏବେ ତାକୁ ପଚିଶ ବର୍ଷ ହେଲାଣି । ତାଙ୍କ ଘରର ପ୍ରତିଷ୍ଠା ଓ ସୋନିର ପାଠପଢ଼ାକୁ ନେଇ ସେପରି ଭଲ ପ୍ରସ୍ତାବ ଗୋଟିଏ ବି ଆସୁନାହିଁ । ସୋନିକୁ ସିନା ସେ ଏକଥା କହି ପାରୁନାହାନ୍ତି । ମାତ୍ର ଭିତରେ ଭିତରେ ସାଙ୍କୁଡ଼ି ଯାଉଛନ୍ତି ।

 

ସୁଲକ୍ଷଣା ହାତ ଯୋଡ଼ିଲେ - ହେ ପ୍ରଭୁ ଜଗନ୍ନାଥ, ମୋ ଝିଅ ଲାଗି ଭଲ ପାତ୍ରଟିଏ ଯୋଗାଡ଼ କରିଦିଅ । ଆମେ ସପରିବାର ଯାଇ ଶ୍ରୀମନ୍ଦିରରେ ଦୀପ ଜଳେଇବୁ ।

 

ଶିବପ୍ରସାଦ ନିରବ ରହିଥିଲେ ।

ମହାଦେବ ପଡ଼ିଆରେ ଘଣ୍ଟ ମୃଦଙ୍ଗ ବାଜିଲାଣି । ସେ ସୁଲକ୍ଷଣାଙ୍କୁ କହିଲେ, ‘‘ତୁମେ ଦିହେଁ ପଛରେ ଆସିବ, ମୁଁ କୀର୍ତନ ଜାଗାକୁ ଯାଏ ।’’

 

ସେ ବଡ଼ ବଡ଼ ପାହୁଣ୍ଡ ପକେଇ ପଡ଼ିଆ ଦିଗରେ ଆଗେଇଲେ । ଧୋବ ଫରଫର ଧୋତି ସାଙ୍ଗକୁ ନୂଆ ପଂଜାବୀ ସାମନ୍ତରାଙ୍କୁ ଖୁବ୍‌ ମାନୁଥାଏ । ବାମ କାନ୍ଧରେ ଗୋଟେ ନାଲିଧଡ଼ିର ପାଟ ଚାଦର ଚଉଭାଙ୍ଗ ହୋଇ ପଡ଼ିଥାଏ ।

 

ଅଷ୍ଟପ୍ରହରୀ କୀର୍ତନ ଆରମ୍ଭ ହୋଇଯାଇଥାଏ ।

ମଝିରେ ଠାକୁରମାନଙ୍କ ଆସ୍ଥାନ, ତାଙ୍କ ଉପରେ ଚାନ୍ଦୁଆ ଘେରା ମଣ୍ଡପ । ତାଆରି ଚାରିପଟେ କୀର୍ତନିଆ ମାନେ କୀର୍ତନ ଗାଇ ପ୍ରଦକ୍ଷିଣ କରୁଥାଆନ୍ତି । ଆଜି ସଂଜ, କାଲି ସାରାଦିନ ଓ ରାତି ତମାମ ସଂକୀର୍ତନ ଚାଲିବ । ପଅରିଦିନ ସକାଳ ଦଶଟାବେଳକୁ ହେବ ନଗରକୀର୍ତନ । ସେଇ ନଗରକୀର୍ତନ ସମୟରେ କୀର୍ତନିଆମାନେ କୀର୍ତନ କରି କରି ସାରା ଗାଁ ପ୍ରଦକ୍ଷିଣ କରିବେ । ଆଗରେ ଦହି ହାଣ୍ଡିଟିକୁ ଜଣେ ମୁଣ୍ଡେଇଥିବ । ଗୋଟେ ଆମ୍ବଡାଳ ସେଇ ଦହି ହାଣ୍ଡିରେ ବୁଡ଼େଇ ସେ ରାସ୍ତାସାରା ଛିଞ୍ଚୁଥିବ । ସେହି ପାଣି ପଡ଼ି ପବିତ୍ର ହେଉଥିବ । ଗାଁ ଗୋଟାକ ବୁଲା ସରିବା ପରେ କୀର୍ତନିଆମାନେ ଆଉଥରେ କୀର୍ତନ ଜାଗାକୁ ଫେରିବେ । ସେଇଠି ପୁଣି ପରସ୍ତେ ଉଦ୍ଦଣ୍ଡ କୀର୍ତନ ହେବ । ଶେଷକୁ ଦହି ହାଣ୍ଡିଟି ତଳେ ପକେଇ ଭଙ୍ଗାଯିବ । ଭକ୍ତ କୀର୍ତନିଆ ମାନେ ସେଇ ଦହି ପାଣିରେ ଗଡ଼ିବେ । ବଡ଼ ପୋଖରୀରୁ ଶହେ ଆଠ ଗରା ପାଣି ଆଣି କୀର୍ତନ ପଡ଼ିଆରେ ଢଳାହେବ ଓ ଭକ୍ତମାନେ ସମସ୍ତେ ସେଇ ଧୂଳି-କାଦୁଅରେ ଗଡ଼ିବେ । ଏମିତି ମାଟିକାଦୁଅ ସରସର ହୋଇ ସେମାନେ ଯିବେ ସାମନ୍ତରାଙ୍କ ବଡ଼ ପୋଖରୀକୁ । ପୋଖରୀରୁ ଗାଧୋଇ ଆସିବା ପରେ ସାମନ୍ତରା ନିଜ ହାତରେ ସମସ୍ତଙ୍କୁ ନୂଆ ଲୁଗା ଓ ଚାଦର ଦେବେ । ସେମାନେ ସେଇ ଲୁଗା ପିନ୍ଧି ପ୍ରଥମ ଧାଡ଼ିରେ ଖାଇ ବସିବେ । ଭୋଜି ପରସା ଯିବ । କୀର୍ତନିଆ ଖାଇସାରି ସେମାନଙ୍କ ମଜୁରି ଓ ଦକ୍ଷିଣା ନେଇ ଯିବାବେଳକୁ ଗାଁଲୋକଙ୍କ ଭୋଜି ଆରମ୍ଭ ହୋଇଯାଇଥିବ । ସେମାନଙ୍କ ଭୋଜି ସରିବାବେଳକୁ ଉପର ଓଳି ଚାରିଟା ।

 

ଜଳଧର ତାଲିକା ବନେଇଛି, ଅରୁଆ ଅନ୍ନ ସାଙ୍ଗକୁ ମାଟିଆଳୁ, ସାରୁ, ବାଇଗଣ, କଦଳୀ ଓ ଅଳ୍ପ ଓଉ ପଡ଼ି ଗୋଟେ ଘାଣ୍ଟ, ଡାଲି ଓ ଖିରି । କୀର୍ତନିଆ ଏବଂ ମାନ୍ୟଗଣ୍ୟ ଲୋକଙ୍କ ପାଇଁ ମାଟିଆଳୁ ଓ ବନ୍ତଳ କଦଳୀ ଭଜା ହେଇଛି । ଏସବୁ ସାଙ୍ଗକୁ ଓଉଖଟା । ଯିଏ ଯେତେ ଖାଇବେ ଖାଆନ୍ତୁ, ମନା ନାହିଁ । ‘ଖାଇପିଇ ଆନନ୍ଦରେ ଯାଅ ଏବଂ ଆମ ସାଆନ୍ତଙ୍କୁ ସାବାସି ଦେଇଯାଅ ।’ - ଜଳଧର କହୁଛି ।

 

ତେବେ ଏସବୁ ପଅରିଦିନ । ଆଜି ତ ପ୍ରଥମ ଦିନ ।

ଅଧିବାସ- ଅନୁକୂଳ ।

ପୁରୁଷୋତ୍ତମପୁର, କରଂଜଆଡ଼ିଆ ଏବଂ ତୋଟାପଡ଼ା କୀର୍ତନିଆ ଆସିଛନ୍ତି । ଏମାନେ କେହି କଟକିଆ କି ଭଦ୍ରକିଆଙ୍କ ଠାରୁ କମ୍‌ ନୁହନ୍ତି । ଭଜ ନିତାଇ ଗୌର ରାଧେଶ୍ୟାମ, ଜପ ହରେ କୃଷ୍ଣ ହରେ ରାମ - ଏଇ ଗୀତ ପଦକକୁ ସେମାନେ କିଏ କେତେ ଅଧିକ ସ୍ୱରରେ ଗାଇପାରିବେ ସେଇଆକୁ ଅପେକ୍ଷା କରିଛନ୍ତି ସମସ୍ତେ ।

 

ଜଳଧର କହିଛି, କେହି ଭେରସା ସିନେମା ଗୀତ ସୁରରେ ଏ ଭଜନ ଗାଇବେ ନାହିଁ । ଛାନ୍ଦ କି ଚମ୍ପୂ ଚଳିଯାଇପାରେ ।

 

ପାଟପୁର ଗାଁ ଗୋଟାକର ବୟସ୍କ ଲୋକ ଏଇଠି । ପିଲାମାନେ ଚିନାବାଦାମ ଓ ଲଜେନ୍ସ ଦୋକାନ ପାଖରେ ଠିଆହୋଇ ମଜ୍ଜା ନେଉଛନ୍ତି । ତାଙ୍କ ପାଇଁ ଇଏ ଗୋଟେ ଯାତ୍ରା ।

 

ଏବେ ପୁରୁଷୋତ୍ତମପୁରିଆଙ୍କ ପାଳି ।

ମୃଦଙ୍ଗ ବାଜୁଛି ଧେ, ତେରେକଟେ, ଧେ-

ଝାନ୍‌ଜ ବାଜୁଛି ଝଣ୍‌-ଝଣ୍‌ - ଝଣ୍‌

ମୁଖ୍ୟ କୀର୍ତନିଆ ଗୋଟେ ସ୍ୱର ଲହରଉଛନ୍ତି - ଭଜ...ନିତାଇ...ଗୌର ।

ପୁରୁଷ ଲୋକମାନେ ‘ହରିବୋଲ’ ଓ ସ୍ତ୍ରୀଲୋକମାନେ ହୁଳହୁଳି ଦେଉଛନ୍ତି ।

ମହାଦେବ ପଡ଼ିଆ ଭକ୍ତିରେ ଝୁଲୁଛି ।

ସନାତନଙ୍କ କବାଟ ଦେହରେ କ’ଣ ଗୋଟାଏ ଢୋ କରି ବାଜିଲା ।

ସେ ପାଟି କରି ଡାକିଲେ, ‘‘କିଏ?’’

ତା’ପରେ ଆଉ ଦୁଇ ଚାରିଟା ଢେଲା । ପରେ ପରେ ଦଶ ପନ୍ଦରଟି ଢେଲା ପଡ଼ିଲା ତାଙ୍କ ଘର ଉପରେ ।

ସନାତନ ରାଗିଗଲେ ।

ତାଙ୍କ ଘର ଉପରେ ଏପ୍ରକାର ଢେଲା ପଡ଼ିବା ପ୍ରଥମ ନୁହେଁ ।ୠଲା ତିନି ଚାରିଦିନ ହେଲା ଏମିତି ଲଗାତାର ଢେଲା ପଡୁଛି । ସେ ଦ୍ୱିତୀୟ ଦିନ ଏକଥା ସାଆନ୍ତରାଙ୍କୁ ଜଣେଇଥିଲେ । ସାମନ୍ତରା କିନ୍ତୁ କୌଣସି ପ୍ରତିକ୍ରିୟା ଦେଖାଇଲେ ନାହିଁ । ସନାତନ ତାଙ୍କ ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ନିଜର କୌଣସି ସମସ୍ୟା କଥା କେବେ ସେ ଶିବପ୍ରସାଦଙ୍କୁ କହିନାହାନ୍ତି । ସେଦିନ ବି କହି ନଥାନ୍ତେ । ତେବେ ଏତେସବୁ କହିବା ପରେ ସୁଦ୍ଧା ଶିବପ୍ରସାଦ କୌଣସି ପ୍ରତିକ୍ରିୟା ନଦେଖେଇବା ତାଙ୍କୁ କଷ୍ଟ ଦେଉଥିଲା ।

 

ସେଦିନ ସେ ବଡ଼ ଅପମାନିତ ବୋଧ କରିଥିଲେ । ଫେରିଆସିବାବେଳକୁ ଶିବପ୍ରସାଦ କହିଥିଲେ, ‘‘କିଏ ଦୁଷ୍ଟ ପିଲା ନଡ଼ିଆ କି ପିଜୁଳି ଗଛକୁ ଟେକା ଫୋପାଡୁଥିବ, ସେଇଥିରେ ଡରିଗଲେ ହେବ?’’

 

ସନାତନ ହସିଥାଆନ୍ତେ ନା କାନ୍ଦିଥାଆନ୍ତେ! ପଞ୍ଚାବନ ବର୍ଷର ମଣିଷ ସେ । ପିଲାଙ୍କ ଟେକା ଓ ଶତ୍ରୁର ଇଟାପଥର ଭିତରେ ଫରକ କ’ଣ ସେ ବୁଝିପାରନ୍ତି ନାହିଁ?

 

ମନ ଭିତରେ କଣଟାଏ ଭାଙ୍ଗିଗଲା ପରି ତାଙ୍କୁ ଲାଗିଥିଲା । କିନ୍ତୁ ସେଇଟା କ’ଣ ସେ ଜାଣି ପାରି ନଥିଲେ ।

ଆଜିର ଏ ଟେକାପଥର ବୃଷ୍ଟି ତାଙ୍କୁ ଉତ୍ତ୍ୟକ୍ତ କରିଦେଲା । ସେ କିଛି ସମୟ ଚୁପ୍‌ ରହି ଲକ୍ଷ୍ୟ କଲେ, ଖୁବ୍‌ ନିକଟରୁ କିଏ ଟେକାପଥର ଫିଙ୍ଗୁଛି ।

 

ସନାତନ ଏଥର ଖୁବ୍‌ ରାଗିଗଲେ । ଇଏ କି ପ୍ରକାର ମାଙ୍କଡ଼ାମି! ତାଙ୍କ ଘର ଉପରକୁ ଢେଲା ପକେଇବାକୁ କିଏ ସାହସ କରୁଛି? ସେ ଜରୁଆ ଦେହଟାକୁ ଘୋଷାଡ଼ି ଘୋଷାଡ଼ି କବାଟ ଖୋଲିଲେ ଓ ପିଣ୍ଡା ତଳକୁ ଆସିଲେ ।

 

ଗୋଟାଏ ବଡ଼ ଟେକା ଆସି ବାଜିଲା ତାଙ୍କ କପାଳ ଓ ନାକ ଉପରେ । ସେ ‘ହେ ଭଗବାନ’ କହି ତଳେ ପଡ଼ିଗଲେ । ତାଙ୍କ ନାକରୁ ରକ୍ତ ବୋହି ଚାଲିଲା ।

 

ଟେକା ପଡ଼ିବା ବନ୍ଦ ହୋଇଗଲା । ଏଥର କିଛି ମିଳିତ ପାଦଶବ୍ଦ ସନାତନଙ୍କ ଘର ପାଖରୁ ଦୂରରୁ ଦୂରକୁ ଚାଲିଗଲା । ସନାତନ ସେଇଠି ନିଶ୍ଚେଷ୍ଟ ହୋଇ ପଡ଼ି ରହିଥିଲେ ।

 

ରାତି କେତେ ହେଲାଣି ଜଣାନାହିଁ ।

ବର୍ଷା ଛାଡ଼ି ଯାଇଛି । ଆକାଶରେ ଶରତର ଚାନ୍ଦ ।

ତାରାଗୁଡ଼ିକ ବି ମେଘପଖଳା ଆକାଶରେ ତୋଫା ଗୋରା ଦିଶୁଥାନ୍ତି । ବଗିଚାରୁ ପୋକ ଜୋକଙ୍କ ଚିଁ ଚିଁ ଶବ୍ଦ ଶୁଭୁଛି ।

 

ସନାତନ ନିଜ ନାକ ପାଖକୁ ହାତ ନେଲେ । ତାଙ୍କୁ ଓଦାଓଦା ଲାଗିଲା, ବହୁତ ଯନ୍ତ୍ରଣା ହେଲା ବି । ସେ ନିଜେ ବଡ଼ କଷ୍ଟରେ ଉଠି ଘର ଭିତରକୁ ଗଲେ । ଅଇନା ଉପରେ ନଜର ପଡୁ ପଡୁ ସେ ଚମକି ପଡ଼ିଲେ । ତାଙ୍କର ଫୁଲିଯାଇଥିବା ମୁହଁଟା ତାଙ୍କୁ ଅଚିହ୍ନା ଦିଶୁଥିଲା । ସେ ଲଥ୍‌ କରି ଖଟ ଉପରେ ବସିପଡ଼ିଲେ ।

 

ସନାତନ ଜାଣିପାରୁଥିଲେ, ପାଟପୁରରୁ ତାଙ୍କର ମେଲାଣି ନେବାର ସମୟ ଆସିଯାଇଛି । ଯେଉଁ ଶକ୍ତିଗୁଡ଼ାଙ୍କୁ ସେ ନିଜର ଏଇ ଦୁର୍ବଳ ହାତରେ ବାଧା ଦେଇ ତିରିଶ ବର୍ଷ କାଳ ସାମନ୍ତରାଙ୍କ ନିକଟରୁ ଦୂରେଇ ରଖିଥିଲେ ସେମାନେ ଶେଷରେ ଜିଣିଯାଇଛନ୍ତି । କିନ୍ତୁ ସିଏ ବା କ’ଣ କରିବେ? ଯାହାର ସ୍ୱାର୍ଥ ରକ୍ଷାପାଇଁ ସେ ଅବଶିଷ୍ଟ ଦୁନିଆ ସହ ଶତ୍ରୁତା କରୁଥିଲେ ସେଇ ତ ଶେଷରେ ତାଙ୍କର ଶତ୍ରୁ ପାଲଟିଯାଇଛି । କାହା ପାଖକୁ ଯାଇ ଆଜି ସେ ଗୁହାରି କରିବେ? ଶତ୍ରୁମାନେ ଆଜି ହସିବେ ନାହିଁ? ନାକରେ କାଠି ଗେଞ୍ଜି ନିଶ୍ଚୟ ହସିବେ ।

 

ନିଜ ପାଇଁ କୌଣସି ଦିନ କିଛି ଚିନ୍ତା ନଥିଲା ସନାତନଙ୍କର । ସିଏ ବାପ-ମା’ ଛେଉଣ୍ଡ ମଣିଷଟିଏ, ମଠ ମହନ୍ତଙ୍କ ପାଖେ ଘଣ୍ଟା ବାଡ଼େଇ, ଗାଈ ଜଗି ଦି’ ବେଳା ଖାଉଥିଲେ । ଈଶ୍ୱର କୃପାରୁ ଦି’ ଅକ୍ଷର ପାଠ ପଢ଼ିଥିଲେ ବୋଲି ତାଙ୍କୁ ସାଙ୍ଗରେ ଡାକି ଆଣିଥିଲେ ବଡ଼ ସାମନ୍ତରା । ସେ ଆଜି ଅଛନ୍ତି, କାଲି ଚାଲିଯିବେ । କିନ୍ତୁ ସେ ଯିବା ପରେ ସାଆନ୍ତଙ୍କର କ’ଣ ହେବ? ସିଏ ନିଜେ ତ ନିଜର ହିସାବପତ୍ର ଜାଣନ୍ତି ନାହିଁ! ଏ ଶାଗୁଣା ବିଲୁଆଙ୍କ କବଳରୁ ସେ କେମିତି ନିଜ ସଂପତ୍ତିବାଡ଼ିକୁ ବଂଚେଇ ରଖିବେ? ସିଏ ଥାଉ ଥାଉ ଲୋକେ ସାମନ୍ତରାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିନେଇଗଲେଣି । ଖାତାରେ ନ ଲେଖେଇ କିଛି ଲୋକ ସାଆନ୍ତଙ୍କ ପାଖରୁ ବରାବର ଟଙ୍କା ନେଉଛନ୍ତି । ଏମିତି ଚାଲିଲେ, ଆଉ କେତେ ଦିନ ଏସବୁ ବଂଚି ରହିବ?

 

ବହୁ ଜମିଦାର ଓ ରାଜପରିବାର ଏମିତି ନିର୍ଦ୍ଧନ ହୋଇ ଆଖି ବୁଜିଛନ୍ତି । ଶେଷକୁ ଶିବପ୍ରସାଦଙ୍କ ବଂଶଧର କ’ଣ ସେହି ଦୁର୍ଭାଗ୍ୟ ଭୋଗିବେ? ତାହାହେଲେ ସନାତନଙ୍କର ଦୀର୍ଘ ବର୍ଷର ପରିଶ୍ରମ ଓ ନିଷ୍ଠାର ମହତ୍ତ୍ୱ ଆଉ ରହିଲା କେଉଁଠି?

 

ତୋଷାମଦି ଏବଂ ଶୂନ୍ୟଗର୍ଭ ପ୍ରଶଂସା ପ୍ରତି ଶିବପ୍ରସାଦଙ୍କର ଦୁର୍ବଳତା ଦେଖି ସନାତନ ଆଶ୍ଚର୍ଯ୍ୟ ହୁଅନ୍ତି । ଏଇ ଲୋକ ପୁଣି ବିଲାତରୁ ପାଠ ପଢ଼ି ଫେରିଥିଲେ । ହେତୁବାଦ ଓ ଯୁକ୍ତିବାଦର କଥା କହୁଥିଲେ ନିଜ ବାପାଙ୍କୁ । ବାରବ୍ରତ, କୀର୍ତନ-ଭଜନ ଏବଂ ଯଜ୍ଞ-ପୂଜା ଆଦି ଅର୍ଥହୀନ ବୋଲି ଦିନେ ଯୁକ୍ତି କରୁଥିଲେ । ଅଥଚ ଆଜି ସେଇ ଶିବପ୍ରସାଦ ଅନ୍ଧବିଶ୍ୱାସକୁ ନିଜର ପୋଷାକ ପରି ପିନ୍ଧୁଛନ୍ତି । ମିଥ୍ୟାବାଦୀ ଜ୍ୟୋତିଷ ଏବଂ ଭଣ୍ଡ ବାବାଜୀମାନଙ୍କର ପୃଷ୍ଠପୋଷକତା କରୁଛନ୍ତି । ହାତରେ ଆଠ ପ୍ରକାର ମୁଦି, ଗଳାରେ ମାଳ ଓ କହୁଣିରେ ତାବିଜ ପିନ୍ଧୁଛନ୍ତି । ଡାହାଣ ହାତ କଚଟିରେ ତ ବର୍ଷସାରା କଳାନାଲି ରଙ୍ଗର ଗୋଛାଏ ସୂତା ବନ୍ଧାଯାଇଛି ।

 

ସନାତନ ଦୀର୍ଘଶ୍ୱାସ ନେଲେ ।

ଏ ଖୋସାମତି ଜିନିଷଟିର ପୁଣି ଏତେ ପ୍ରଭାବ! ହଁ, ସାମାନ୍ୟ ମେଘ ଖଣ୍ଡେ ପ୍ରବଳ ପ୍ରଚଣ୍ଡ ସୂର୍ଯ୍ୟଙ୍କ ଜ୍ୟୋତିକୁ ଢାଙ୍କି ପକାଏ, ଶିବପ୍ରସାଦ ତ ରକ୍ତମାଂସର ମଣିଷ!

 

ସେ ମୁହଁଟାକୁ ଆଇନା ପାଖରୁ ଦୂରେଇନେଲେ । ଆଖି ଯୋଡ଼ାକ ଯାହା ଆଘାତରୁ ବଂଚି ଯାଇଛି । ଟେବୁଲ୍‌ ତଳୁ ତାଙ୍କ ହୋମିଓପ୍ୟାଥି ଔଷଧର ବାକ୍ସଟା ଖୋଜିଲେ ସନାତନ । ଦରଜଟା ଆଗେ କମିଯାଉ । ତା’ପରେ ସେ ନିଜେ ବ୍ୟାଣ୍ଡେଜ୍‌ କରେଇନେବେ । ସକାଳ ହେଲେ ଅଟୋରିକ୍ସା ଖଣ୍ଡେ ଡାକି ସେ ଯିବେ ଡାକ୍ତରଖାନା ।

 

ଝରକା ବାଟେ ରାତିର ଶୀତଳ ପବନରୁ ଦମକାଏ ବୋହି ଆସିଲା । କେତେ ଉଦାର ଏ ପବନ - ନା ତା’ର ନିଜ ପର ବିଚାର ଅଛି ନା ଶତ୍ରୁ ମିତ୍ର!

 

ସନାତନଙ୍କ ମୁଣ୍ଡ ଭିତରେ ସାମନ୍ତରାଙ୍କ ତିରିଶ ବର୍ଷ ତଳର ମ୍ୟାନେଜରିର ଅନୁଭୂତି । ତାଙ୍କ ନାଲିଖାତାର ହିସାବ - ଏକରୁ ନେଇ ନଅ ପର୍ଯ୍ୟନ୍ତ ସଂଖ୍ୟାର ଖେଳ ଏବଂ ଅନେକ ‘ଶୂନ’ର ସମାବେଶ । ତା ଭିତରେ କେତେ କାଟ, କେତେ ମୁଣ୍ଡୁଳା, ଛକି ଓ ଗାରର ବାଘଛେଳି ଖେଳ । ସେସବୁର ହିସାବ ନ ବୁଝେଇ ସେ ପାଟପୁରରୁ ଯିବେ କେମିତି? ଲୋକେ କ’ଣ କହିବେ? କିନ୍ତୁ ସିଏ ଆଉ ଏଠି ବେଶିଦିନ ରହିପାରିବେ ନାହିଁ । ଯେଉଁଠି ବିଶ୍ୱାସର ପଲସ୍ତରା ହୁଗୁଳି ଗଲାଣି, ସେଠି ମନର ଇଟାପଥର ଆଉ ଦୃଢ଼ ରହିବ ନାହିଁ ।

 

ସନାତନ ଜଗନ୍ନାଥଙ୍କୁ ଡାକିଲେ, ‘‘ମୋତେ ଦିନ ତିନିଚାରିଟା ସୁସ୍ଥ ରଖ । ମୁଁ ସାମନ୍ତରାଙ୍କୁ ତାଙ୍କ ହିସାବ ବୁଝେଇ ଦେଇ ତୁମରି ପାଖକୁ ଯିବି । ତୁମ ଦର୍ଶନ କଲାପରେ ତେଣିକି ମୋର ଭାଗ୍ୟ ଯୁଆଡ଼କୁ ନେବ ମୁଁ ସିଆଡ଼କୁ ପଳେଇବି ।’’

 

ମହାଦେବ ପଡ଼ିଆରୁ କୀର୍ତନର ଶବ୍ଦ ଶୁଭୁଛି । ସନାତନଙ୍କର ମନ ହେଉଥିଲା, ଘଡ଼ିଏ ପାଇଁ ହେଉ ପଛକେ କୀର୍ତନ ପାଖରୁ ଯାଇ ବୁଲି ଆସନ୍ତେ । ଜ୍ୱର କମିଗଲାଣି । କିନ୍ତୁ ନାକ, ପାଟି ଓ ଓଠ ସମେତ କପାଳଟି ଯେମିତି ଫୁଲିଛି ସେଥିରେ ତାଙ୍କୁ ଦେଖି କେହି ଚିହ୍ନିବେ ନାହିଁ । ଓଲଟି ସମସ୍ତେ ଆଶ୍ଚର୍ଯ୍ୟ ହେବେ । ନିଜ ନିଜ ଭିତରେ ଟୁପୁରୁଟାପର ହେବେ । କୀର୍ତନ କାମରେ ବିଘ୍ନ ଉପୁଜିବ । ଥାଉ, ସକାଳେ ସେ ସାମନ୍ତରାଙ୍କୁ ଭେଟି ଏକଥା ଜଣାଇ ଦେବେ ।

 

ଏଥରର ଅଷ୍ଟପ୍ରହରୀ ଦାୟିତ୍ୱ ଜଳଧର ବୁଝୁଛି ।

ସନାତନ ଦୀର୍ଘଶ୍ୱାସ ନେଲେ ।

ସେ ବୁଝିପାରୁ ନଥିଲେ, ଏ ଜଳଧର ଲୋକଟି କେମିତି ଅସମ୍ଭବ କାମକୁ ସମ୍ଭବ କରେଇ ନେଇ ପାରୁଛି । ତା ନାଆଁରେ, ତାଙ୍କରି ଖାତାରେ ସୁଧ ମୂଳ ମିଶି ପାଞ୍ଚ ଲକ୍ଷ ଟଙ୍କାର କରଜ ପଡ଼ିଛି । ଏହା ବାହାରେ ସେ ମାସକୁ ମାସ ସାଆନ୍ତଙ୍କଠାରୁ କିଛି କିଛି ନେଉଛି । ଯେତେବେଳେ ଯାହା କାମ କଲା ତା ପାଇଁ ମଜୁରି ଅଳଗା । ପୁଣି ସବୁ କାମରେ କମିସନି, ସବୁ ଆୟୋଜନରେ ଆଡ୍‌ଭାନ୍‌ସ । ତା ସତ୍ତେ୍ୱ ଚୋର ହାତରେ ଚାବିକାଠି ଧରେଇବା ପରି ନିଜେ ସାଆନ୍ତ କୀର୍ତନ ଦାୟିତ୍ୱ ଦେଇଛନ୍ତି ଜଳଧରକୁ ।

 

ଶେଷଥର ଲାଗି ସେ ତାଙ୍କ ଆପତ୍ତି ଜଣେଇ କହିଥିଲେ, ‘‘ଲୋକଟା ଠକ । ତାକୁ ଏତେ ବିଶ୍ୱାସ କରନ୍ତୁ ନାହିଁ’’ । ମାତ୍ର ସାଆନ୍ତେ ତାଙ୍କ କଥାକୁ ଶୁଣି ନଶୁଣିଲା ପରି ଚାଲିଯାଇଥିଲେ । ଓଲଟି କହିଥିଲେ, ‘‘ମୋ ବାପା କହନ୍ତି, ସମସ୍ତଙ୍କୁ ବିଶ୍ୱାସ କରିବା ବୋକାମି, ମାତ୍ର ସମସ୍ତଙ୍କୁ ଅବିଶ୍ୱାସ କରିବା ବିପଜ୍ଜନକ ।’’

 

ରାତି ଦେଢ଼ଟା କି ଦିଇଟା ହେବ ।

ଅଷ୍ଟପ୍ରହରୀ କୀର୍ତନ ଜାଗାର ଅଳ୍ପ ଦୂରରେ ମହାଦେବ ମନ୍ଦିର ।

ସେଇ ମନ୍ଦିର ପଛପଟକୁ ପୂଜାରୀଙ୍କ ଘର । ଘରର ଅଗଣାରେ ଛଅ ସାତଜଣ ଲୋକ ବସିଥାଆନ୍ତି । ସେମାନଙ୍କ ମଝିରେ ଥାଏ ଗଂଜେଇ ଚିଲମ ।

 

ଜଳଧର କହିଲା, ଜୟ ଶିବଶଙ୍କର । ତୁମରି ଦୟା ପ୍ରାପ୍ୟ ହେଲେ ମୁଁ ସାତ ସାଗର ଲଂଘିଯିବି ।

ତା’ପରେ ସେ ଚିଲମ ଉଠେଇ ଓଠରେ ଲଗେଇଲା । ଶଂଖ ଫୁଙ୍କିବା ପରି ହାତ ପାପୁଲି ଦୁଇଟିକୁ ଚିଲମ ଦି’ ପଟେ ଧରି ଦେଲା ଟାଣ ସୁଡୁକାଏ । ଶେଷବେଳକୁ ସେ ବସିବା ଜାଗାରୁ ଉଠି ପଡୁଥାଏ ।

 

ଗୋବିନ୍ଦ କହିଲା, ‘‘ତୁମେ ଯୋଗ ଫୋଗ କର କିହୋ! ଏତେ ବଡ଼ ଟାଣ ତ ସାଧକମାନେ ବି ଦେଇପାରନ୍ତି ନାହିଁ ।’’

ଜଳଧର ମୁଣ୍ଡଟାକୁ ଝାଡ଼ି ଦେଇ କହିଲା, ‘‘ବଢ଼ିଆ ମାଲ୍‌ । ନିଅ ନିଅ, ତମେମାନେ ଏଥର ନିଅ ।’’

 

ଚିଲମ ଓଠରୁ ଓଠ ବୁଲିଲା ।

ଜଳଧର କହିଲା, ‘‘ଶଳା ଯେତେ ନିଶା ଅଛି, ସବୁ ଏ ଗଂଜେଇ ତଳେ । ସବୁ ଠାକୁର ମହାଦେବ ତଳେ, ସବୁ ନିଶା ଗଂଜେଇ ତଳେ । ବିଅର୍‌, ହୁଇସ୍କି, ରମ୍‌, ଭଦ୍‌କା, ଚାଉଳି, ହାଣ୍ଡିଆ, ମହୁଲି, ଆସ୍କା ଫର୍ଟି ଶଳା ସବୁ ୟା ତଳେ । ଦିଅ, ଦିଅ, ଆଉ ଗୋଟେ ସୁଡୁକା ନିଏ ।’’

 

ଗୋବିନ୍ଦ ଚିଲମଟାକୁ ଆଣି ଜଳଧର ହାତକୁ ବଢ଼େଇଦେଲା ।

ଜଳଧର କହିଲା, ‘‘ଆଜ୍ଞାମାନେ, ତମେମାନେ ଯାଅ । କରଂଜଆଡିଆବାଲାଏ ଏବେ ଉଠିବେ । ଆମେ ତୁମମାନଙ୍କ ପାଇଁ ଟିକିଏ ଛାଡ଼ି ଚା’ ଜଳଖିଆ ବନ୍ଦୋବସ୍ତ କରୁଛୁ ।’’

 

ଅନ୍ୟମାନେ ଉଠିଗଲେ । ସମସ୍ତେ ଜଳଧରର ଆୟୋଜନକୁ ପ୍ରଶଂସା କରୁଥଲେ ।

କୀର୍ତନିଆମାନେ ଉଠିକି ଗଲା ପରେ ଜଳଧର ଉଠିଯାଇ ଏପଟ ସେପଟ ଅନେଇଲା । ସେ ଗଞ୍ଜେଇ ନିଶାରେ ଟଳୁଥିଲା । ତା’ପରେ ଆସି ଗୋବିନ୍ଦକୁ କହିଲା, ‘‘ସାଙ୍ଗ, ଆଉ ଚିଲମେ ସଜାଡ଼ ।’’

 

ଗୋବିନ୍ଦ ନଡ଼ିଆକତାର ଝୁଲରେ ଦିଆସିଲି ମାରି ଚିଲମ ସଜାଡ଼ିଲା । ତହିଁରେ ଗଂଜେଇ ଖଞ୍ଜିଲା । ଜଳଧର ହାତକୁ ବଢ଼େଇ ଦେଲା ବେଳକୁ କହିଲା, ‘‘ଏକାଥରେ ଏତେ ନିଅନାହିଁ । ଅଜୀର୍ଣ୍ଣ ହେବ ।’’

 

ଜଳଧରର ଆନନ୍ଦ ଅଟକୁ ନଥିଲା । ସେ ଗୋବିନ୍ଦଙ୍କୁ କୁଣ୍ଢେଇ କହିଲା, ‘‘ଆଜି ମୁଁ ବହୁତ ଖୁସି । ବହୁତ ଖୁସି । ଶଳାଟି ତିରିଶ ବର୍ଷ କାଳ ଏଠି ରାଜୁତି ଚଳଉଥିଲା । ସବୁ ପୂଜାପର୍ବାଣି, ମେଳା ମଉଛବରେ ସିଏ ଆଗରେ ଥିବ । ଆମେ ତା ପଛରେ ଠିଆହୋଇ ତାକୁ ଟଙ୍କା ପଚାଶ ଶହେ ପାଇଁ ତେଲ ଲଗଉଥିବୁ ।’’

 

ଗୋବିନ୍ଦ କହିଲା, ‘‘ମୋ ଚିଠିର ନକଲଟା ପଢ଼ିଥିଲ ତ? କେମିତି ହେଇଛି?’’

ଜଳଧର କହିଲା, ‘‘ସେ ଚିଠିଟା ପଢ଼ୁ ପଢ଼ୁ ସାଆନ୍ତାଣୀ ଦେହରେ ବିଷ ଚରିଥିବ । ତମେ ଯେମିତିକା କଥା ଲେଖିଛ ଶଳା କାଳିଦାସ ବି ସେମିତି ଲେଖିପାରି ନଥାନ୍ତା । କିଛି ଆଇଁଷିଣିଆ କଥା ବି ଲେଖିପକେଇଛ ହୋ ସାଙ୍ଗ ।’’

 

ଗୋବିନ୍ଦ କହିଲା, ‘‘ଚୁପ୍‌, ଚୁପ୍‌, ତମକୁ ନିଶା ହେଇଗଲାଣି । ଆଉ ଶୁଣ, ସେ ଗହଣା ଚୋରି କଥାଟାରେ ଯେମିତି ଆମ ନାଁ ନଆସେ ଦେଖିବ । ଏତେ ସକାଳୁ ସକାଳୁ ପୁଲିସ୍‌କୁ ଡାକିବାଟା ତମ ପକ୍ଷେ ଉଚିତ ହେଲା ନାହିଁ ।

 

: ହେ, ହେ, ସେ ବୁଦ୍ଧି ମୋତେ ଦିଅନାହିଁ । ସାଆନ୍ତଙ୍କ ସାଙ୍ଗେ ସନା ଦାସର ଯେଉଁ ସମ୍ପର୍କ, ତାକୁ କୁରାଢ଼ି କି କଟୁରି କାଟି ପାରିନଥାନ୍ତା । ତାଙ୍କ ବିଶ୍ୱାସ ଭାଙ୍ଗିବା ଲାଗି ସେଇଟା ବିଲକୁଲ ଦରକାର ଥିଲା । ଗୋବିନ୍ଦ କଥା ଛଡ଼େଇଲା, ‘‘ସେଇଟା ସତ । କିନ୍ତୁ ଏତେ ସକାଳୁ-’’

 

ନହେଲେ ଯଦି ଫାଣ୍ଡିବାଲା ଅନ୍ୟ କିଛି ଇନ୍‌କ୍ୱାରିରେ ପଳେଇ ଯାଇଥାଆନ୍ତେ ତାହାହେଲେ ଆମେ କ’ଣ କରିଥାଆନ୍ତେ? ପୁଲିସ୍‌ ଆସି ନଥିଲେ ଗାଁଟା ସାରା ଲୋକ ଜାଣିଥାଆନ୍ତେ କିମିତି? କଥାଟାର କ’ଣ ଏତେ ପ୍ରଚାର ହୋଇପାରିଥାଆନ୍ତା । ଯାହା ହୋଇଛି ଠିକ୍‌ ହୋଇଛି । - ଜଳଧର କହିଲା ।

 

ସେଇଟା ସତ । କିନ୍ତୁ ପୁଲିସ୍‌ ଫୁଲିସ କଥାରେ ମୋର ଡର । ତମର ସିନା କିଛି ନାହିଁ, ଏ ବେନାମି ଚିଠି ଲେଖା କାରବାର ଯୋଗୁଁ ମୁଁ ଟିକେ ସବୁ କଥାରେ ଜଗିରଖିକି ଥାଏ ।

 

: ଓହୋ ଚିନ୍ତା କାହିଁକି? ଟଙ୍କା ହଜାରେ ଦେଖେଇଲେ ପୁଲିସ୍‌ ତମ ପଛେ ପଛେ ଗୋଡ଼େଇବ । ନହେଲା ଯଦି, ଜିଅଲ ଯିବାକୁ ପଡ଼େ, ଯିବ । ଏ ଦେଶରେ ଗାନ୍ଧୀ ଗୋପବନ୍ଧୁ ଜେଲ୍‌ ଯାଇଥିଲେ ନା ନାହିଁ?

 

ଗୋବିନ୍ଦ ଚିଲମରେ ସୁଡୁକା ଦେବାକୁ ଭୁଲିଯାଉଥିଲା । ତାକୁ ଟିକେ ଡର ମାଡ଼ୁଥିଲା । ତାକୁ ଜଳଧରର ଯୁକ୍ତି ଅଲଗା ଲାଗୁଥିଲା ।

 

ଜଳଧର କହିଲା, ‘‘ଦିଅ ସୁଡୁକାଏ । ସବୁ ଡରଭୟ ଏକାଥରେ ପଳେଇବ । ହଇଓ ମୁଁ ଥାଉ ଥାଉ ତମର ଭୟ କାହିଁକି?’ ଗୋବିନ୍ଦ ନିରବ ରହିଲା ।

 

ଜଳଧର କହିଲା, ‘‘ଆଚ୍ଛା ଗୋଟେ କଥା ଚିନ୍ତା କରି କହିଲ । -ଆମ ସାମନ୍ତରାଙ୍କ ମୋଟ୍‌ ମାନେ ଟୋଟାଲ୍‌ ଧନସଂପତ୍ତିର ମୂଲ୍ୟ କେତେ ହେବ?’’

 

ଗୋବିନ୍ଦ ଚଟ୍‌କିନା କହିଲା, ‘‘ତମେ କୁହ ।’’

ଜଳଧର କହିଲା, ‘‘ଭାବ, ଟିକିଏ ଭାବ ମୋ ଗୋବିନ୍ଦୀ ମୂଷା ।’’

ଗୋବିନ୍ଦ କହିଲା, ‘‘ଦୁଇକୋଟି ।’’

: ଧେତ୍‌ ବଣଭାଲୁ । ତମେ କ’ଣ ସାଆନ୍ତଙ୍କୁ ଭିକାରୀ ଭାବିଲ କି?

ଗୋବିନ୍ଦ କହିଲା, ‘‘ସେଇଥିପାଇଁ ତ କହିଲି, ତୁମେ କୁହ ।’’

: ଶହେ କୋଟି । ବୁଝିଲ ଏକ୍‌ରେ ଦୁଇଟା ଶୂନ, ତା’ପରେ ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସାତ, ଆଠ, ସେଇଠି ରହ ।

 

ଗୋବିନ୍ଦ ହସିଦେଲା । କହିଲା, ‘‘ତମକୁ ନିଶା ହେଇ ଗଲାଣି । ଦିଅ ସେ ଚିଲମ ମୋତେ ଦିଅ ।’’

ଜଳଧର ରାଗିଗଲା । ପାଟିକଲା, ‘‘ଚୋ-ଅ-ପ, ଜଳଧରକୁ ନିଶା ହୁଏ ନାହିଁ । କୋଉ ନିଶାର ଏତେ ଦମ୍‌ ଅଛି, ଜ-ଳ-ଧରକୁ ହବ, ଆଁ? ମୁଁ ମ୍ୟାନେଜର, ତମେ ମୋର ଆସିଷ୍ଟାଣ୍ଟ । ହେଲା? କୁହ, ‘‘କାମ କେତେ ବାଟଯାଏ ଗଲା?’’

 

- କୋଉ କାମ?

- ବୋଲୁଅ । - ଜଳଧର ଆଖି ବଡ଼ ବଡ଼ କରି କହିଲା ।

- ପଡ଼ିଛି ।

- ଶଳାଟା ଦେହରେ ବାଜିନାହିଁ ତ?

- ହଁ ପଡ଼ିଛି ।

ଜଳଧର ରାଗିଗଲା । ଗଳା ଧୀର କରି କହିଲା, ମୁଁ ପରା କହିଥିଲି, ଘର ଉପରକୁ ଫୋପାଡ଼ିବ । ତା ଉପରେ ବାଜିଲା କେମିତି?

 

- ସିଏ ପରା ଦୁଆର ଖୋଲି ବାହାରକୁ ଚାଲି ଆସିଲା ।

- ଆଚ୍ଛା । କହିବା, ଶଳାଟି ଅନ୍ଧାରରେ ଝୁଣ୍ଟି ପଡ଼ିଥିବ । ହା-ହା-ହା ।

ଜଳଧର ଚିଲମରେ ପୁଣି ସୁଡୁକାଏ ଦେଲା । ଗୋବିନ୍ଦ କହିଲା, ‘‘ମୁଁ କାଲି ସକାଳେ ଘରୁ ବାହାରିବି । ଟଙ୍କାଟା .. ।’’

ଜଳଧର କହିଲା, ‘‘ଅଧୈର୍ଯ୍ୟ ହଉଛ କାହିଁକି? ରୁହ । ଭୋଜିଭାତଟା ସରିଯାଉ । ଏଥର ଆଉ ଗୋଟାଏ ବେନାମୀ ଚିଠି ଲେଖା ହେବ ସାଆନ୍ତଙ୍କୁ । ସେଇଟା ତମେ ଲେଖିବ ନାହିଁ । ସିଏ ମହାହୁସିଆର ଲୋକ । ତମ ହସ୍ତାକ୍ଷର ଜାଣିଦେଇ ପାରନ୍ତି ।

 

ସେତିକିବେଳେ ଗୋଟିଏ ମୁହଁ ମନ୍ଦିର କାନ୍ଥପାଖେ ଉଙ୍କିମାରି ପୁଣି ଘୁଞ୍ଚିଗଲା ।

ଗୋବିନ୍ଦ କହିଲା, ‘‘କିଏ ଶୁଣିଲା କି?’’

ଜଳଧର ନିଶାରେ ଟୁଳୁଟୁଳୁ ହେଉଥିଲା । ତା ହାତ ଗୋଡ଼ ଶୂନ୍ୟରେ ପହଁରୁଥିଲା । ବିଡ଼ି ବିଡ଼ି ହେଲା ପରି କହିଲା, ‘‘କିଏ ମୋର କ’ଣ କରିବ ବେ? ମୁଁ ମ୍ୟାନେଜର । ମୁଁ ଯାହା ଚାହିଁବି, ସେଇଆ କରିବି । ସନାଦାସ ମୁହଁରେ ଚୁନକାଳି ବୋଳି ତାକୁ ମାଈ କୁକୁର ପିଠିରେ ବସେଇ ବୁଲେଇବି । ଶଳାର ଏତେ ସାହସ, ମୋ ଖାଇବାପତ୍ରରେ ପାଉଁଶ ପକଉଥିଲା? ତା ଗଳା ଚିପି ତାକୁ ଖତମ କରିଦେବି ।’’

 

ଗୋବିନ୍ଦ କହିଲା, ‘‘ଧୀରେ, ଧୀରେ ସାଙ୍ଗ ।’’

ଜଳଧର ଜବାବ ଦେଲା, ‘‘ହଁ ଧୀରେ, ଧୀରେ ରେ ମୋ ଗୋବିନ୍ଦୀ ମୂଷା । ଧୀରେ ଧୀରେ ସବୁ କାଟିକୁଟି ସଫା କରିଦେବାରେ ଗୋବିନ୍ଦୀ ମୂଷା । ଆମ ପାଖେ ତେଜୁଡ଼ିର ଚାବି ଅଛିରେ ଗୋବିନ୍ଦୀ ମୂଷା... । ସନାଦାସକୁ ଆମେ ଜୀବନରୁ ମାରି ଦେବାରେ...’’

 

ଦିହେଁ ମନଖୋଲା ହସ ହସି ଉଠିଲେ ।

ତାଙ୍କର ସେ ହସର ଶବ୍ଦରେ କିଛି ସମୟ ପାଇଁ କୀର୍ତନର ଝାଞ୍ଜ ଓ ମୃଦଙ୍ଗ ଶବ୍ଦ ବି ବୁଡ଼ିଗଲା ।

ପ୍ରାଣକୃଷ୍ଣ ଦେହରୁ ପରସ୍ତେ ଝାଳ ବୋହିଗଲା । ସେ କ’ଣ କରିବ ବୁଝିପାରିଲା ନାହିଁ । ତା’ର ସରଳ ଟିକି ମୁଣ୍ଡରେ ଏପରି ଭୟଙ୍କର ଯୋଜନା କଥା କିଛି ପଶୁ ନଥିଲା । ତାକୁ ଖୁବ୍‌ ଭୟ ଲାଗୁଥିଲା । ଯୋଉ ଲୋକମାନେ ମ୍ୟାନେଜରଙ୍କ ପରି ଧର୍ମରାଜଙ୍କୁ ଏମିତି ବିପଦରେ ପକେଇ ପାରନ୍ତି, ସେମାନେ ଚାହିଁଲେ ତା ପରି ଜଣେ କର୍ମଚାରୀକୁ ଏହାଠାରୁ ବଳି ଆଉ କିଛି ବିପଦରେ ପକେଇ ପାରନ୍ତି ।

 

ସେ କୀର୍ତନପଡ଼ିଆରୁ ପଳେଇ ଆସି ନିଜ କୋଠରି ଭିତରେ ଶୋଇବାକୁ ଚେଷ୍ଟା କରୁଥିଲା । ତା ଆଖିକୁ ନିଦ ଆସୁ ନଥିଲା । କାନ ପାଖରେ ଜଳଧର ଓ ଗୋବିନ୍ଦ - ଏ ଦି’ଜଣଙ୍କ କଥାବାର୍ତା ବାରମ୍ବାର ଶୁଭି ଯାଉଥିଲା । ତା ସାଙ୍ଗରେ ଗଞ୍ଜେଇ ନିଶାରେ ଚୁର୍‌ ଜଳଧରର ଘୋଷଣା - ଆମେ ସନା ଦାସକୁ ମାରିଦେବା ...

 

ତାକୁ ଭୟ ଲାଗୁଥିଲା । ଭାବୁଥିଲା, ଏକଥା ଯାଇ ସାଆନ୍ତରାଙ୍କ କାନରେ ପକେଇ ଦେଇ ଆସିବ କି? କିନ୍ତୁ ତା’ର ସାହସ ହେଉ ନଥିଲା । ବଡ଼ବଡ଼ିଆ ଲୋକ । ମନ ହୋଇଥିଲେ କଥାଟାକୁ ଗୁରୁତ୍ୱ ଦେଇ ଶୁଣିବେ, ନହେଲେ କହିବେ ‘ତୁ ଗଞ୍ଜେଇ ଖାଇଛୁ ।’ କ’ଣ ଉତ୍ତର ଦେବ ସେ? ପୁଣି ସାଆନ୍ତଙ୍କ ଘରୁ ଗହଣା ଚୋରି ହେବା ଦିନଠାରୁ ସିଏ ମ୍ୟାନେଜରଙ୍କୁ ଆଗପରି ସୁଖ ପାଉ ନାହାନ୍ତି । ତାକୁ ଏକଥା କେହି କହି ନଥିଲେ ବି ସିଏ ଦେଖି ଶୁଣି ଜାଣି ପାରୁଛି । ଆଗରୁ ସାଆନ୍ତେ ଓ ମ୍ୟାନେଜର ଘଡ଼ି ଘଡ଼ି ବସି ସୁଖଦୁଃଖ ହୁଅନ୍ତି । ମ୍ୟାନେଜରଙ୍କ ସବୁ କଥାରେ ସାଆନ୍ତେ ‘ହଁ’ ମିଶାନ୍ତି । ଢେର୍‌ ପୁରୁଣା କଥା କୁହାକୁହି ହୋଇ ଦିହେଁ ହସନ୍ତି । ମାତ୍ର ଏବେ ସେ ବୈଠକୀ ନାହିଁ । କେବଳ କାମ ପାଇଁ ଯେତିକି କଥା ଦରକାର ସେତିକି । ସେସବୁ ପୁଣି ଫିଙ୍ଗିଲା - ଫୋପାଡ଼ିଲା ପରି । ସାଆନ୍ତଙ୍କର ଯେଉଁ ଢଙ୍ଗ ତାହା ସାଆନ୍ତାଣୀଙ୍କୁ ମଧ୍ୟ ଛୁଇଁଛି । ଦିହିଙ୍କର ଗୋଟିଏ ମତ । ଏମିତି ଅବସ୍ଥାରେ କିଏ ଶୁଣିବ ତା’ କଥା! ପ୍ରାଣକୃଷ୍ଣ ଭାବିଲା, ଏକଥା ସେ ସୋନି ମାଆଙ୍କୁ ଯାଇ କହିପାରନ୍ତା । ସିଏ ବୟସରେ ସାନ ହେଲେ ବି ଖୁବ୍‌ ବୁଦ୍ଧିମାନ । କାହାଠୁଁ କେବଳ ଶୁଣି କୌଣସି କଥା ବିଶ୍ୱାସ କରନ୍ତି ନାହିଁ । ମାତ୍ର ସିଏ ଏବେ ଶୋଇବେଣି । ଏତେ ରାତିରେ ତାଙ୍କୁ ନିଦରୁ ଉଠେଇବା ଠିକ୍‌ ହେବନାହିଁ । ସକାଳୁ ବରଂ ସେ ତାଙ୍କୁ ଯାଇ ଏକଥା କହିବ । ଏବେ ତା’ର ଶୋଇପଡ଼ିବା ଉଚିତ ହେବ । କାଲି ସକାଳୁ କୀର୍ତନ ଦହିହାଣ୍ଡି ଭଙ୍ଗା ହେବ । ତା ପଛକୁ ପଛ ବହୁତ କାମ ଅଛି ।

 

ମାତ୍ର ପ୍ରାଣକୃଷ୍ଣ ଆଖିକୁ ନିଦ ଆସୁ ନଥିଲା । ସେ ଆଖି ବୁଜିଦେବାକ୍ଷଣି ମନ୍ଦିର ପଛପଟ ଛାଇ ଅନ୍ଧାର ଭିତରେ ବସିଥିବା ଜଳଧର ଏବଂ ଗୋବିନ୍ଦଙ୍କ ଛବି ଦିଇଟି ଅଶରୀରୀ ମୂର୍ତି ପରି ଭାସି ଉଠୁଥିଲା । ଭୟଙ୍କର ଷଡ଼ଯନ୍ତ୍ରରେ ଦି’ ଜଣ ମିଶି ଯାଇଛନ୍ତି । ସେମାନଙ୍କ ପ୍ରକୃତ ଶିକାର ସାମନ୍ତରାଙ୍କ ଧନସଂପତ୍ତି । ସନାତନ ଏସବୁର ରକ୍ଷାକବଚ ହେଇଥିବାରୁ ତାଙ୍କୁ ସେମାନେ ନିଜ ରାସ୍ତାରୁ ହଟେଇଦେବାକୁ ଚାହୁଛନ୍ତି । ସିଏ ଆଉ କିଛି ସମୟ ସେଇଠି ଅଟକି ସେ ଦୁହିଙ୍କ କଥା ଶୁଣିବାକୁ ଚାହୁଁଥିଲା । ମାତ୍ର କୀର୍ତନିଆଙ୍କ ଭିତରୁ ଜଣେ ସେପଟକୁ ଆସିବା ଦେଖି ସେ ପଳେଇ ଆସିଥିଲା ।

 

ଜଳଧର ଓ ଗୋବିନ୍ଦ ଆଗପଛ ହୋଇ ଚିଲମରୁ ଗଞ୍ଜେଇ ଭିଡୁଥିଲେ ଏବଂ ପରସ୍ପରକୁ ପ୍ରଶଂସା କରୁଥିଲେ । ପ୍ରାଣକୃଷ୍ଣ ଭଲ ଭାବେ ଶୁଣିଛି, ସେମାନେ ସାମନ୍ତରାଙ୍କ ତେଜୁଡ଼ିକୁ ସଫା କରିଦେବାଲାଗି ମସୁଧା କରୁଥିଲେ । ତା ଆଗରୁ ମ୍ୟାନେଜରଙ୍କ ଜୀବନ । ଅଥଚ ସେଇ ମନ୍ଦିର ଆଗପଟେ ବୈରାଗ୍ୟର ସଂକୀର୍ତନ ଚାଲିଥିଲା । ମଣ୍ଡପ ଉପରେ ରାଧାକୃଷ୍ଣ ଓ ଚନ୍ଦ୍ରଶେଖର ମହାଦେବଙ୍କ ଫଟୋମାନ ଥିଲା । ପାଳି ପାଳି କରି କୀର୍ତନିଆମାନେ ହରି ନାମ ଓ କୃଷ୍ଣ ନାମ ଜପ କରୁଥିଲେ । ସେହିପରି ପବିତ୍ର ଜାଗାରେ ବସି ଏପରି ହୀନଚକ୍ରାନ୍ତ କରିବାପାଇଁ ସେ ଦିହିଙ୍କ ବିବେକ କିମିତି ସେମାନଙ୍କୁ ବାଧା ଦେଉ ନଥିଲା, ସେଇକଥା ପ୍ରାଣକୃଷ୍ଣ ଚିନ୍ତା କରିପାରୁ ନଥିଲା ।

 

ସେଇ ମୁହୂର୍ତରେ ମ୍ୟାନେଜର ସନାତନ ଦାସଙ୍କ ମୁହଁଟି ତାକୁ ଆହୁରି ବିକଳ ଦିଶୁଥିଲା । ଭାଗବତ କହୁଥିଲା, ଦି’ ଦିନ ହେଲା ତାଙ୍କୁ ଜ୍ୱର ହେଇଛି, ତାତି ଓହ୍ଲଉ ନାହିଁ । ହୁଏତ ଆଉ ଦିନେ ଦି’ ଦିନରେ ଜ୍ୱର ଛାଡ଼ିଯିବ । ମାତ୍ର ଏଇ ଆତତାୟୀମାନେ ସେତିକି ସମୟ ତାଙ୍କୁ ବଞ୍ଚେଇ ରଖିଲେ ତ!

 

ମ୍ୟାନେଜରବାବୁ ତାକୁ ସାନଭାଇ ପରି ଭଲ ପାଆନ୍ତି । ଖାଲି କ’ଣ ତାକୁ ଏକା ଭଲପାଆନ୍ତି? ସାମନ୍ତରାଙ୍କ ପାଇଁ କାମ କରୁଥିବା ସମସ୍ତଙ୍କୁ ସେ ଭଲପାଆନ୍ତି । ସମୟ ଥିଲେ ପାଖରେ ବସେଇ ଉପଦେଶ ଦିଅନ୍ତି । ଗପଗୀତ ଛଳରେ ବୁଝାନ୍ତି - ଜୀବନରେ ଯେତେ ଯାହା ଘଟିଯାଉ, ସତକୁ କେବେ ଛାଡ଼ିବ ନାହିଁ ।

 

ପ୍ରାଣକୃଷ୍ଣ କହେ, ‘‘ଆପଣ ସତକୁ ସତ ଧର୍ମରାଜ ।’’

ମ୍ୟାନେଜର ହସି ହସି କହନ୍ତି, ‘‘ଖାଲି କ’ଣ ରାଜା ଧର୍ମ ରଖିପାରିବେ, ପ୍ରଜା ପାରିବେ ନାହିଁ? ସାଧାରଣ ମଣିଷମାନେ ଅସାଧାରଣ ଉଦାହରଣ ରଖିଯାଆନ୍ତି ।’’

 

ସେଇ ଧୈର୍ଯ୍ୟବାନ୍‌ ମ୍ୟାନେଜର, ସାମନ୍ତରାଙ୍କୁ ଟିକିଏ ଆପଦ ବିପଦ ପଡ଼ିଲେ କିନ୍ତୁ ବିଚଳିତ ହୋଇଯାଆନ୍ତି । ଖାଇବା ପିଇବା ଭୁଲି ସାମନ୍ତରାଙ୍କ ସେବାରେ ଲାଗି ରହନ୍ତି । ତାଙ୍କର ସେବାଯତ୍ନ ଦେଖି ମାଆ ସାଆନ୍ତାଣୀ ମଧ୍ୟ ଦୂରଛଡ଼ା ହୋଇ ରହନ୍ତି । ସନାତନ ଯେମିତି ସାମନ୍ତରାଙ୍କ ମ୍ୟାନେଜର ନୁହନ୍ତି, ତାଙ୍କ ଅଭିଭାବକ । ସିଏ ବଞ୍ଚି ଥାଉ ଥାଉ ସାମନ୍ତରାଙ୍କ ଦେହରେ ଆଞ୍ଚୁଡ଼ା ଦାଗ ଲାଗିବ ନାହିଁ । ଯାହା ବିପଦ ଆପଦ ଆସିବ ଆଗେ ତାଙ୍କ ପାଖକୁ ଆସିବ । ସିଏ ଥିବା ପର୍ଯ୍ୟନ୍ତ ପବନ ଧାସେ ବି ସାମନ୍ତରାଙ୍କ ପାଖକୁ ଯାଇପାରି ନାହିଁ ।

 

ଦୁଲଦାଲ ହୋଇ ପୋଖରୀ ପାଣିରେ କ’ଣ ପଡ଼ିଲା । ପ୍ରାଣକୃଷ୍ଣ ଭାବିଲା, ଗଛରୁ ଶୁଖିଲା ନଡ଼ିଆ ଖସିଥିବ । ମାତ୍ର ସେମିତି ତ ଝଡ଼ ବତାସ କି ପବନ ବୋହି ନାହିଁ । ଏକା ସାଙ୍ଗରେ ଏତେଗୁଡ଼ା ନଡ଼ିଆ କିପରି ପଡ଼ିବ? ସମୟେ ସମୟେ ମାଛମାନେ ରାତିରେ ବୁଡ଼ ମାରନ୍ତି । ମାତ୍ର ଇଏ ମାଛ ଡିଆଁ ଶବ୍ଦ ନୁହେଁ । ସେ ବିଛଣା ଉପରୁ ଉଠିପଡ଼ିଲା । ତକିଆ ପାଖରେ ପାଞ୍ଚ ବ୍ୟାଟେରିଆ ଟର୍ଚ ଅଛି । ଏଇଟା ତାକୁ ମ୍ୟାନେଜରବାବୁ ଦେଇଥିଲେ । ମାସକୁ ମାସ ବ୍ୟାଟେରି ଖର୍ଚ ବି ସିଏ ଦିଅନ୍ତି । ସେ ତାକୁ ହାତରେ ମୁଠେଇ ଧରିଲା ।

 

ଏଥର ମଚମଚ ହୋଇ କିଛି ଲୋକଙ୍କ ପାଦ ଶବ୍ଦ ଶୁଭିଲା । ପ୍ରାଣକୃଷ୍ଣ ଉଠି ପଡ଼ିଲା । ତା’ର କାହିଁକି ମନେ ହେଉଥିଲା, କିଛି ଗୋଟେ ଅଘଟଣ ଘଟିବା ଲାଗି ଯାଉଛି । ପବନ ସ୍ଥିର ହୋଇଯାଇଥିଲା । ଖାଲି ଯାହା ମନ୍ଦିର ପାଖରୁ ଶୁଭୁଥିଲା ଝାଞ୍ଜ ମୃଦଙ୍ଗର ଶବ୍ଦ ।

 

ସିଏ ଧୀର ପାଦରେ ମ୍ୟାନେଜରଙ୍କ ଘର ପାଖକୁ ଯାଇ ତାଙ୍କ ଝରକା ପାଖରେ ଛିଡ଼ା ହେଲା । ଅନ୍ଧାର ଭିତରେ ସିଏ ଯାହା ଦେଖିଲା, ତହିଁରେ ତା ରକ୍ତ ପାଣି ହୋଇଗଲା । ନିଜେ ଜଳଧର ମ୍ୟାନେଜରଙ୍କୁ ଖଟ ଉପରେ ପକେଇ ତାଙ୍କ ତୋଟି ମାଡ଼ି ବସିଥିଲା । ତା ପଛରେ ଆଉ ତିନିଜଣ ଛିଡ଼ା ହୋଇଥିଲେ । ସେମାନଙ୍କ ପାଟି ଶବ୍ଦରୁ ଜାଣିପାରିଲା, ସେମାନଙ୍କ ଭିତରେ ଗୋବିନ୍ଦ ଅଛି । ସେ ଜଳଧରଙ୍କୁ ଭିଡ଼ି ନେବାକୁ ଚେଷ୍ଟା କରୁଥାଏ ଓ ବାରମ୍ବାର କହୁଥାଏ, ‘‘ତୁମେ ସେ କାମ କରନାହିଁ । ଏମାନେ ସେ କାମ କରିବେ । ତୁମ ହାତ ଚିହ୍ନ ରହିଗଲେ ପଛରେ ହଇରାଣରେ ପଡ଼ିବ ।’’

 

ମାତ୍ର ଜଳଧର ଶୁଣୁ ନଥାଏ । ଗଞ୍ଜେଇ ନିଶାରେ ଚୁର୍‌ ଜଳଧର କହୁଥାଏ, ‘‘ଯାହା ହେଇଯାଉ ପଛକେ, ହାତ ସୁଖ ଛାଡ଼ିବି ନାହିଁ । ଶଳାର ଶଙ୍ଖନଳି ଚିପି ଖତମ୍‌ କରିଦେବି । ମୋତେ ଇଏ ହାରାମି କମ୍‌ ଦହଗଞ୍ଜ କରିନାହିଁ । ଆଜି ମୁଁ କାହା କଥା ଶୁଣିବି ନାହିଁ ।’’

 

ସାଙ୍ଗରେ ଆସିଥିବା ଲୋକଗୁଡ଼ାକ ମ୍ୟାନେଜରଙ୍କ ଆଲମାରି ଓ ବାକ୍ସ ଅଣ୍ଡାଳଥିଲେ । ହାତରେ ତାଙ୍କର ଛୋଟିଆ ଟର୍ଚ । ପରସ୍ପରକୁ କହୁଥାଆନ୍ତି, ‘‘କୋଉଠି! ଚାବିନେନ୍ଥାଟା କୋଉଠି ଅଛି ମିଳୁନାହିଁ । ଆଗେ ବୁଢ଼ାଠୁଁ ଚାବିନେନ୍ଥାର ଠିକଣା ବୁଝି ତା’ପରେ ଯାହା କରୁଛ କର । ମରିଗଲେ ଆମକୁ ଚାବିନେନ୍ଥା କିଏ ଦେବ?

 

ଜଳଧର ପଚାରିଲା- ଆବେ ସାମନ୍ତରାର ଚାବି କୋଉଠି ରଖିଛୁ?

ମ୍ୟାନେଜରଙ୍କ ପାଟିରୁ କଥା ବାହାରିଲା ନାହିଁ

ପ୍ରାଣକୃଷ୍ଣ ଡରିଗଲା । ମ୍ୟାନେଜରଙ୍କ କିଛି ହେଇଗଲା କି? ସେ ଲକ୍ଷ୍ୟ କଲା, ଏଥର ଜଳଧର ଗୋଟେ ହାତରେ ମ୍ୟାନେଜରଙ୍କ ବେକ ଚିପିଧରି ଆର ହାତରେ ଖଟ ପାଖରୁ ପିତ୍ତଳ ଢାଳଟେ ଉଠେଇ ଆଣିଲା ଓ ସେଥିରେ ମ୍ୟାନେଜରଙ୍କ ମୁଣ୍ଡକୁ କଷିକି ପାହାରେ ଦେଲା । ପଚାରିଲା ‘‘ଶଳା, କହ ବେ!’’

 

: ମରିଗଲି ... । ମରିଗଲି । - ଗଁ ଗଁ ହୋଇ ଆର୍ତନାଦ କରିଉଠିଲେ ସନାତନ ଦାସ ।

ପ୍ରାଣକୃଷ୍ଣ ଆଉ ସମ୍ଭାଳି ପାରିଲା ନାହିଁ । ପାଞ୍ଚ ବ୍ୟାଟେରିଆ ଟର୍ଚର ଆଲୁଅଟା ଘର ଭିତରକୁ ପକେଇ ମିଛଟାରେ ଡାକ ପକେଇଲା - ଭାଗବତ, ରଘୁଆ - ଆସ, ଆସରେ! ଆମ ମ୍ୟାନେଜରଙ୍କୁ କିଏ ମାରିଦେବାକୁ ଆସିଛି । ସାଆନ୍ତେ, ଆପଣ ବି ଦେଖନ୍ତୁ - ଏମାନଙ୍କ ଅସଲ ଚେହେରା । ସମସ୍ତଙ୍କୁ ଧର ।

 

ଘର ଭିତରର ଲୋକଗୁଡ଼ାକ ଏଥିପାଇଁ ପ୍ରସ୍ତୁତ ନଥିଲେ । ସେମାନେ ଭାବିଲେ, ସତକୁ ସତ ସାଆନ୍ତେ ବି ଅଛନ୍ତି ଏମାନଙ୍କ ପଛରେ । ମ୍ୟାନେଜରଙ୍କୁ ସେମିତି ଦରମରା ଅବସ୍ଥାରେ ଛାଡ଼ିଦେଇ ସେମାନେ ଯେମିତି ପାଚେରି ଡେଇଁ ଆସିଥିଲେ ସେମିତି ପଳେଇଗଲେ ।

 

ପ୍ରାଣକୃଷ୍ଣ କୁହାଟ ମାରିଲା- ହଉ ଯା, ଜଳଧର, ତୋ ଚେହେରା ଜଣାପଡ଼ିଗଲାରେ!

ଜଳଧର ଓ ତା’ର ସାଙ୍ଗମାନେ ଯିବା ପରେ ପ୍ରାଣକୃଷ୍ଣ ଧାଇଁ ଯାଇ ମ୍ୟାନେଜରଙ୍କ ପାଖରେ ପହଞ୍ଚିଗଲା । ତାଙ୍କ ମୁହଁରେ ପାଣି ଛିଞ୍ଚିଲା । ମୁଣ୍ଡ ଫାଟି ରକ୍ତ ବୋହିଯାଉଛି । ଘର ଭିତରଟା ବିପର୍ଯ୍ୟସ୍ତ । ‘କୁକୁର ପଲ ସବୁଗୁଡ଼ାକୁ ଘାଣ୍ଟିଚକଟି ପକେଇଛନ୍ତି ।’ ସିଏ ବଡ଼ ପାଟିରେ ଡାକିଲା- ମ୍ୟାନେଜର ବାବୁ, ବାବୁ - ମୁଁ ପ୍ରାଣକୃଷ୍ଣ । ଜବାବ ଦିଅନ୍ତୁ ।

 

ମ୍ୟାନେଜରଙ୍କ ପାଟିରୁ କଥା ବାହାରୁ ନଥିଲା ।

ପ୍ରାଣକୃଷ୍ଣ ବୁଝିଗଲା, ଆଉ ଡେରି କରି ଲାଭ ନାହିଁ । ସେ ଚନ୍ଦ୍ରଶେଖର ମହାଦେବଙ୍କୁ ଡାକିଲା ଓ ମ୍ୟାନେଜରଙ୍କ ଅସାଢ଼ ଦେହଟାକୁ କାନ୍ଧରେ ପକେଇ ଧାଇଁଲା । ଜିପ୍‌ ଡ୍ରାଇଭରକୁ ନିଦରୁ ଉଠେଇବାକୁ ପଡ଼ିବ । ସାଂଗେ ସାଂଗେ ଡାକ୍ତରଖାନାକୁ ନେଇ ନଗଲେ ବହୁତ ଡେରି ହୋଇଯିବ ।

 

ପ୍ରାଣକୃଷ୍ଣ ଦେହରେ ହାତୀର ବଳ । ତା’ର ଚଉଡ଼ା କାନ୍ଧ ଉପରେ ମ୍ୟାନେଜରଙ୍କ ଦୁର୍ବଳ ଦେହର ଓଜନ ତାକୁ ଆଦୌ ଭାରି ଜଣାପଡୁ ନଥାଏ । ସେ ସଦର ଦରଜା ଆଡ଼କୁ ଯାଉ ଯାଉ ବଡ଼ ପାଟିରେ ଡାକ ପକେଇଲା, ‘‘ଭାଗବତ, ରଘୁଆ ଦଉଡ଼ି ଆସ - ଦଉଡ଼ି ଆସ ।

 

ତା’ର ଚିତ୍କାର ଅନ୍ଧାର ରାତିକୁ ଚିରି ବିଦୀର୍ଣ୍ଣ କରିଦେଉଥିଲା । ସାଆନ୍ତଙ୍କ ଘରର ଝରକା କବାଟ ଖୋଲିଯାଉଥିଲା । ଆଲୁଅ ଜଳି ଉଠୁଥିଲା ସୋନି ମାଆର କୋଠରିରେ ।

 

ପ୍ରାଣକୃଷ୍ଣ ଜିପ୍‌ ପଛପଟେ ମ୍ୟାନେଜରଙ୍କ ଦେହକୁ ଥୋଇଦେଇ ପୁଣି ଥରେ ଚିତ୍କାର କଲା- ଭାଗବତ, ଦଉଡ଼ି ଆ । ଭାଗବତ ଧାଇଁ ଆସୁଥିଲା ।

 

ପଛେ ପଛେ ସାଆନ୍ତଙ୍କ ଡ୍ରାଇଭର ବି ।

ପ୍ରାଣକୃଷ୍ଣ ଭାବୁଥିଲା, ଡାକ୍ତରଖାନାରେ ପହଞ୍ଚିଲା ପରେ ସିଏ ଆଗେ ମ୍ୟାନେଜରଙ୍କ ପୁଅ ପାଖକୁ ଫୋନ୍‌ଟେ କରିବ । ଯଦି ଭାଗ୍ୟ ଜୋର୍‌ ଥାଏ, ତାହାହେଲେ ସିନା ମ୍ୟାନେଜର ବଞ୍ଚିଉଠିବେ । ନହେଲେ, କ’ଣ ହେବ କିଛି କହି ହେବନାହିଁ ।

 

ମ୍ୟାନେଜରଙ୍କ ରକ୍ତ ଜୁଡୁବୁଡୁ ଦେହ ଗୋଟେ ମୁର୍ଦାର ପରି ଦିଶୁଥିଲା ।

‘‘ଈଶ୍ୱରଙ୍କୁ ଧନ୍ୟବାଦ, ‘‘ତାଙ୍କର ପୁଅଟିଏ ଅଛି । ଯଦି ସେ ନିଃସନ୍ତାନ ହୋଇଥାଆନ୍ତେ ତାହାହେଲେ ତାଙ୍କର କ’ଣ ହୋଇଥାଆନ୍ତା ସାର୍‌! ଏଇଥିପାଇଁ କ’ଣ ଜଣେ ମଣିଷ ତା’ର ମୂଲ୍ୟବାନ ଜୀବନର ତିରିଶବର୍ଷ ଏମିତି ଗୋଟେ ଅଚିହ୍ନା ଅଜଣା ଗାଁରେ ବିତେଇ ଦେଇଥିଲା?’’

 

‘‘ଆପଣଙ୍କ ହିସାବଖାତା ଉପରେ ଆଣ୍ଠେଇପଡ଼ି ଦିନରାତି ଆୟବ୍ୟୟର ଅଙ୍କ ଲେଖୁଥିବା ବେଳେ ସେ କ’ଣ ଏମିତି ଗୋଟେ ଦିନର ଆଶା ରଖୁଥିଲା, ଯୋଉଦିନ ତା’ର ସବୁଠୁ ଦରକାର ବେଳେ ତା’ର ମାଲିକ ତା ନିକଟରୁ ମୁହଁ ଫେରେଇନେବେ? କୁହନ୍ତୁ ସାର୍‌?

 

‘‘ଆପଣଙ୍କ ପରି ଜଣେ ବୁଦ୍ଧିମାନ ମଣିଷ କେମିତି ଜାଣି ପାରିଲେ ନାହିଁ ଯେ ସେଇ ମଣିଷଟି କେବଳ ‘‘ଆପଣଙ୍କ ଆଜ୍ଞାଧୀନ’’ ହୋଇ ରହିବା ଲାଗି ତା’ ଜୀବନର ଅନ୍ୟ ସବୁ ଭୂମିକା ଭୁଲି ଯାଇଥିଲା । କେମିତି ଦି’ତିନିଟି ଧୂର୍ତ ଲୋକଙ୍କ କାରସାଦିକୁ ଆପଣଙ୍କ ପରି ଜ୍ଞାନୀଲୋକ ଧରିପାରିଲେ ନାହିଁ?’’

 

ସୁକଲ୍ୟାଣ, କଚେରିରେ ଓକିଲ ଜେରା କଲା ପରି, ଶିବପ୍ରସାଦଙ୍କୁ ପ୍ରଶ୍ନ କରୁଥିଲା । ଉତ୍ତେଜନାରେ ତା’ର ଦେହ ହାତ ଥରୁଥିଲା ।

 

ନିରବରେ ଶିବପ୍ରସାଦ ବସି ରହିଥିଲେ ।

ତାଙ୍କ ବାମପଟ ସୋଫାରେ ବସିଥିଲେ ସୁଲକ୍ଷଣା ଏବଂ ସୋନି ।

ଶିବ ପ୍ରସାଦ ନିରୁତ୍ତର ହୋଇ ବସିଥାଆନ୍ତି ।

ତାଙ୍କ ସାମ୍ନାର ଟି-ପୟ ଉପରେ ଚଉଭାଙ୍ଗ ହୋଇ ଥୁଆହୋଇଛି ଦି’ଖଣ୍ଡ ବେନାମୀ ଚିଠି । ତାଙ୍କ ଟ୍ରେଜେରିର ଡୁପ୍ଲିକେଟ୍‌ ଚାବିଟି ପୁଲିସ୍‌ ସାଙ୍ଗରେ ନେଇଯାଇଛି । ଉଭୟ ଜଳଧର ଏବଂ ଗୋବିନ୍ଦ ଅଛନ୍ତି ଫାଣ୍ଡିରେ ।

 

ଗତ ତିନିଦିନର ଘଟଣାଗୁଡ଼ିକ ଖୁବ୍‌ ନାଟକୀୟ ଭାବେ ଘଟିଯାଇଛି । ଏସବୁ ଏଭଳି ଭାବେ ଘଟିଛି ଯେ ତାହାକୁ ବାସ୍ତବ ବୋଲି ଗ୍ରହଣ କରିନେବାକୁ ସୁଦ୍ଧା ଶିବପ୍ରସାଦଙ୍କୁ କଷ୍ଟ ହେଉଛି । ସେ ଉପଲବ୍ଧି କରିପାରୁଛନ୍ତି, ଉପରେ ଉପରେ ଭଲ ପାଉଥିବା ତାଙ୍କର ଆଜ୍ଞାଧୀନ ମଣିଷଟିକୁ ବାସ୍ତବିକ ସେ ଏତେ କାଳ ଈର୍ଷା ହିଁ କରି ଆସିଛନ୍ତି । ନିଜର ଅଭାବ ଅସୁବିଧା, ଦୁଃଖ ଓ ଦୈନ୍ୟ ସତ୍ତେ୍ୱ କିପରି ସନାତନ ଦାସ ଅପରିବର୍ତିତ ରହି ପାରିଛନ୍ତି ମାଟି, ପଥର, ନିଆଁ ଓ ପାଣି ପରି, ସେଇଆ ଭାବି ସେ ତାକୁ ଭିତରେ ଭିତରେ ଈର୍ଷା କରି ଆସିଛନ୍ତି । ଜଳଧର ଓ ଗୋବିନ୍ଦ ପରି ଖୁଚୁରା ମଣିଷ ତ କେବଳ ସେଇ ଈର୍ଷାର ନିଆଁରେ ଦି’ ଚାରିଖଣ୍ଡ କାଠ ପକେଇଛନ୍ତି ମାତ୍ର ।

 

ସୁକଲ୍ୟାଣର ମୁହଁକୁ ସିଧା ଅନେଇବାଲାଗି ଶିବପ୍ରସାଦଙ୍କର ସାହସ ହେଉନାହିଁ । ବାପ ପରି ତୀକ୍ଷ୍ଣ ନାକ, ଉଜ୍ଜ୍ୱଳ ଆଖି ଏବଂ ନିଷ୍କମ୍ପ କଥାବାର୍ତା । ଏ ମଣିଷଟିଏ ନା ଖଣ୍ଡା ଖଣ୍ଡେ! ଅନ୍ୟ ଦିନ ହୋଇଥିଲେ ଏଭଳି ପୁଅର ବାପ ହୋଇଥିବା ଯୋଗୁଁ ସେ ସନାତନଙ୍କୁ ଆହୁରି ପରସ୍ତେ ଈର୍ଷା କରିଥାଆନ୍ତେ ।

 

ସୁକଲ୍ୟାଣ କହୁଥିଲା, ‘‘ଗୋଟେ ମଣିଷ ଜୀବନସାରା କିଛି ଲୋକଙ୍କୁ ମୁଣ୍ଡରେ ମୁଣ୍ଡେଇ ବୁଲୁଥାଏ । ମାତ୍ର ଅସଲବେଳେ ସେମାନେ ତାକୁ ଛାଡ଼ି ଚାଲିଯାଆନ୍ତି । ସେ ଅସହାୟ ହୋଇପଡ଼େ । ସେତିକିବେଳେ ସେଇମାନେ ତା ହାତଧରି ଭରସା ଦିଅନ୍ତି, ଯେଉଁମାନେ ସେ ଲୋକଟିକୁ ମୁଣ୍ଡରେ ମୁଣ୍ଡେଇ ଥାଆନ୍ତି । ପ୍ରାଣକୃଷ୍ଣ ଦାଦା ସାଧାରଣ ମଣିଷ । କିନ୍ତୁ ସେ ନଥିଲେ ମୁଁ ତ ମୋ ବାପାଙ୍କୁ ଆଜି ଜୀବିତ ଅବସ୍ଥାରେ ପାଇ ନଥାନ୍ତି ସାର୍‌!

 

ଶିବପ୍ରସାଦ ହାତ ଯୋଡ଼ିଲେ, ‘‘ମୋତେ ଆଉ କିଛି କୁହନାହିଁ ବାପା । କିଛି କୁହନାହିଁ ।’’

ଦୁଆର ସାମ୍ନାରେ ଜିପ୍‌ ଆସି ଅଟକିଥିଲା । ଡ୍ରାଇଭର ଏବଂ ରଘୁଆ ଦିହେଁ ମିଶି ସନାତନ ଦାସଙ୍କୁ ଧରି ଧରି ଆଣୁଥିଲେ । ତାଙ୍କ ମୁଣ୍ଡରେ ଓ ନାକରେ ବ୍ୟାଣ୍ଡେଜ ବନ୍ଧା ଯାଇଥିଲା । କେବଳ ଆଖି ଯୋଡ଼ିକ ଖୋଲାଥିଲା ।

 

ସନାତନ ଚାହିଁ ଦେଖିଲେ, ସୁକଲ୍ୟାଣ ସାମ୍ନାରେ ହାତ ଯୋଡ଼ିଛନ୍ତି ତା’ର ସାଆନ୍ତେ । ସେ ହାତ ଟେକି ପାଟି କରି ଉଠିଲେ । ‘‘ଏ କି କଥା କରୁଛନ୍ତି ସାଆନ୍ତେ? ଆମର ପାପ ହେବ । ମୋ ପୁଅର ପାପ ହେବ ସାଆନ୍ତେ!’’

 

ସନାତନ ଥରୁଥିଲେ । ଭାଗବତ ତାଙ୍କୁ ଗୋଟେ ଚଉକି ଉପରେ ବସେଇ ଦେଲା ।

ସୋନି ନିଜ ବସିବା ଜାଗାରୁ ଚାହୁଁଥିଲା ସୁକଲ୍ୟାଣକୁ । ଏଇ ଯୁବକଟିକୁ ସେଦିନ ସେ କହୁଥିଲା, ‘ନମୁନା ।’ ହଁ ‘ନମୁନା’ ସତ; କିନ୍ତୁ ସେ ଯେଉଁ ପର୍ଯ୍ୟାୟର ‘ନମୁନା’ ବୋଲି ଧରିନେଇଥିଲା ସେଇ ପର୍ଯ୍ୟାୟର କଦାପି ନୁହେଁ । ସେ ସୁକଲ୍ୟାଣର ଠାଣି ଦେଖି ମୁଗ୍ଧ ହେଉଥିଲା ।

 

ସନାତନ ସୋଫାଟିରେ ବସିପଡ଼ି ପଅରିଦିନର ରାତିକଥା ଭାବୁଥିଲେ । ଗଂଜେଇ ନିଶାରେ ଚୁର୍‌ ଜଳଧର ତା ଲୋକମାନଙ୍କ ସାଙ୍ଗରେ ଜବରଦସ୍ତ ପଶିଆସି ତାଙ୍କ ତୋଟି ଚିପି ମାରିଦେଇଥାଆନ୍ତା । ଜଗନ୍ନାଥ ଚକ୍ର ପେଶିଲା ପରି ପ୍ରାଣକୃଷ୍ଣଙ୍କୁ ପଠେଇଦେଲେ ବୋଲି ସେ ବଂଚିଗଲେ । ନହେଲେ ସେ କଂସେଇଟି ତାଙ୍କୁ ଜୀବନରୁ ମାରିଦେଇଥାଆନ୍ତା ।

 

ସନାତନ ସେସବୁ କଥା କହିିବାକୁ ଚାହୁଁ ନଥିଲେ । ତାଙ୍କର ଖାଲି ଗୋଟିଏ ଚିନ୍ତା, ଏମିତି ଅବସ୍ଥାରେ ସେ ସାଆନ୍ତଙ୍କୁ ହିସାବତକ ବୁଝେଇବେ କେମିତି? ସିଏ ତ ଭୋଳା ଲୋକ, ସବୁକଥା ଟିକିନିଖି କରି ନବୁଝେଇଲେ କ’ଣ ସେ ହିସାବ ମନେ ରଖି ପାରିବେ?

 

ସୁକଲ୍ୟାଣ ନିଜ ପକେଟ୍‌ରୁ ଭିଜିଟିଂ କାର୍ଡ଼ଟେ ବାହାର କରି ଟି-ପୟ ଉପରେ ରଖିଲା । କହିଲା, ‘‘ମୁଁ ବାପାଙ୍କୁ ନେଇ ଯାଉଛି ସାର୍‌ । ଇଏ ରହିଲା ମୋ ଠିକଣା । ଯଦି ମଝିରେ ଦରକାର ପଡ଼େ, ଆପଣ ଫୋନ୍‌ରେ ଆମକୁ ପଚାରି ପାରିବେ ।’’

 

ସୋନି ଚିହ୍ନିପାରିଲା । ଏମିତି ଗୋଟେ ଭିଜିଟିଂ କାର୍ଡ଼ ସେଦିନ ସୁକଲ୍ୟାଣ ତାକୁ ବି ଦେଇଥିଲା । ମାତ୍ର ସେ ସେଇଟିକୁ ମୋଡ଼ିମକଚି ସେଇ ଟ୍ରେନ୍‌ ଭିତରେ ଫୋପାଡ଼ି ଦେଇଥିଲା । ମାତ୍ର ଆଜି ତା’ର ଇଚ୍ଛା ହେଉଥିଲା, ଆଉ କେହି ଧରିବା ଆଗରୁ ସେ ସୁକଲ୍ୟାଣର କାର୍ଡ଼ଟିକୁ ନିଜେ ନେଇଆସନ୍ତା ।

 

ସୁଲକ୍ଷଣା କହିଲେ, ‘‘ଦିନକର ନୁହେଁ କି ବର୍ଷକର ନୁହେଁ । ତିରିଶ ବର୍ଷର ସମ୍ପର୍କ କ’ଣ ଏମିତି ତୁଟେଇଦେଇ ଯିବ ସୁକଲ୍ୟାଣ?’’ ଏମିତି ଠିଆ ଠିଆ ଚାଲିଯିବ ଏ ଘରୁ?

 

ସୁକଲ୍ୟାଣ କହିଲା, ‘ଆଜି ମୁଁ ବାବାଙ୍କୁ ଏଠୁ ନେଇନଗଲେ କାଲିକି ସେ ବଦଳି ଯାଇଥିବେ । ସେ ଗୋଟେ ଅଲଗା ଧାତୁର ମଣିଷ ।’

 

ସନାତନ ସୋଫାରୁ ଉଠି ପଡ଼ିଲେ । କହିଲେ, ‘‘ଏସବୁ କ’ଣ କହୁଛୁ ତୁ? ସାଆନ୍ତାଣୀଙ୍କୁ କ’ଣ ଏମିତି କହନ୍ତି ।’’ ତା’ପରେ ସେ ସାଆନ୍ତଙ୍କୁ ନମସ୍କାର କରି କହିଲେ, ‘‘ମୁଁ ଆସୁଛି ସାଆନ୍ତେ । ଦେହ ଟିକେ ଭଲ ଲାଗିଥିଲେ ମୁଁ ହିସାବପତ୍ରଗୁଡ଼ା... ।’’

 

ଶିବପ୍ରସାଦ ବସିବା ଜାଗାରୁ ଉଠି ଆଗେଇ ଆସିଲେ । ସନାତନଙ୍କ ହାତଧରି ପକେଇଲେ । କହିଲେ, ‘‘ଥାଉ ସେ ହିସାବପତ୍ର । ସେସବୁ କହି ମୋତେ ଆଉ ଅଧିକ ଲଜ୍ଜା ଦିଅନାହିଁ ।’’

 

ସୁକଲ୍ୟାଣ ସନାତନଙ୍କୁ ଡାକିଲା, ‘‘ଆସ ବାପା, ଯିବା ।’’

ସୁଲକ୍ଷଣା ଚାହିଁଥାଆନ୍ତି । ମନ ଭିତରେ ଅନେକ ସ୍ମୃତିର ଲହଡ଼ି । ଆଜିର ଏସବୁ ଘଟଣା ଲାଗି ସେ ନିଜକୁ ମଧ୍ୟ ଦୋଷ ଦେଉଥାଆନ୍ତି । ଶିବପ୍ରସାଦ କିନ୍ତୁ ଗୋଟିଏ ଜାଗାରେ ଠିଆ ହୋଇଥାଆନ୍ତି ମୂର୍ତିଟେ ପରି । ପାଣି ଗିଲାସଟେ ବି ଛୁଇଁଲା ନାହିଁ ସୁକଲ୍ୟାଣ । ତା ଭିତରେ ତାଙ୍କ ପରିବାର ପ୍ରତି କେତେ ରାଗ ଏଇଥିରୁ ସେ ଜାଣିପାରୁଥାଆନ୍ତି ।

 

ସୁକଲ୍ୟାଣ ଧୀରେ ଧୀରେ ମେଲାଘରୁ ବାହାରି ଯାଉଥିଲା ।

ସନାତନ ଆଉଥରେ ଶିବପ୍ରସାଦଙ୍କୁ ନମସ୍କାର କଲେ । ତାଙ୍କ ଚଉକି ପଛପଟେ ଥିବା ବଡ଼ସାଆନ୍ତଙ୍କ ଫଟୋଟିକୁ ଅନେଇ ଠିଆହେଲେ ଏବଂ ବିନମ୍ର ପ୍ରଣତି ଜଣାଇଲେ । ଲୁହ ଛଳଛଳ ଆଖିରେ ଶିବପ୍ରସାଦଙ୍କୁ କହିଲେ, ‘‘ଆପଣଙ୍କର ଏ ଆଜ୍ଞାଧୀନକୁ କ୍ଷମା କରିଦେବେ ।’’

 

ଶିବପ୍ରସାଦ ଆବେଗଜଡ଼ିତ ସ୍ୱରରେ କହିଲେ, ‘‘ମୋତେ ତୁମେ ଏମିତି ସତରେ ଏକାକୀ ଛାଡ଼ି ଚାଲିଯିବ ସନାତନ!’’ ସନାତନ ମୁଣ୍ଡ ତଳକୁ କଲେ ।

 

ସେତେବେଳକୁ ସୁକଲ୍ୟାଣ ଦୁଆର ବନ୍ଧ ସେପଟକୁ ପାଦ ରଖୁଥିଲା । ସୋନି ଆଉ ନିଜକୁ ସମ୍ଭାଳିପାରିଲା ନାହିଁ । ଧାଇଁଯାଇ ସୁକଲ୍ୟାଣଙ୍କ ବାଟ ଓଗାଳିଲା ।

 

ସୁକଲ୍ୟାଣ ଚାହିଁଲା । ଆଗରେ ସୋନି ଛିଡ଼ା ହେଇଛି । ତା’ ଆଖିର ଭାଷା ବୁଝିପାରୁଥିଲା ସୁକଲ୍ୟାଣ । ସେ ଯେମିତି କହିବାକୁ ଚାହୁଁଥିଲା, ‘‘ଏମିତି ଘୃଣା ଏବଂ ଅନାଦରର ଖଣ୍ଡାରେ ଲହୁଲୁହାଣ କରି ଯାଅ ନାହିଁ ।’’

 

ତା ଆଖିରେ ଲୁହ ।

ଧୀର ସ୍ୱରରେ ସୁକଲ୍ୟାଣ କହିଲା, ‘‘ଆଜି ଆମକୁ ଆଉ ରହିବାକୁ କୁହନ୍ତୁ ନାହିଁ । ଏ ବ୍ୟାଧିରୁ ଆମକୁ ମୁକ୍ତି ଦିଅନ୍ତୁ ।’’

 

***************